spot_img
Home Blog Page 3821

ଧାମନଗର ଉପନିର୍ବାଚନ, ରାଜନୀତି ସରଗରମ

ଧାମନଗର: ଉଷ୍ମ ହେଉଛି ଧାମନଗର ଉପନିର୍ବାଚନ ରାଜନୀତି । ବାଜି ଜିତିବାକୁ ତିନି ପ୍ରମୁଖ ଦଳ ଜୋରସୋରରେ ଲାଗିଛନ୍ତି । ୧୪ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷଦିନ ଥିବାରୁ ସବୁ ଦଳ ପ୍ରାର୍ଥୀ ଖୋଜିବାରେ ବ୍ୟସ୍ତ । ଧାମନଗରରେ ବିଜୟ ଧ୍ବଜା ଉଡ଼ାଇବା ପାଇଁ ବିଜେଡି ତୃଣମୂଳସ୍ତରରେ ସଂଗଠନକୁ ଅଧିକ ଚଳଚଞ୍ଚଳ କରିଛି । ନବୀନ ପ୍ରାର୍ଥୀ ଚୂଡ଼ାନ୍ତ କରିବେ । ସେପଟେ ବିଜେପି ଓ କଂଗ୍ରେସ ଭଲ ପ୍ରଦର୍ଶନ କରିବା ପାଇଁ ଘନ ଘନ ବୈଠକ କରି ରଣନୀତି ପ୍ରସ୍ତୁତ କରୁଛନ୍ତି । କଂଗ୍ରେସର ବରିଷ୍ଠ ନେତା ଅନନ୍ତ ସେଠୀ ପ୍ରାର୍ଥୀ ହେବାକୁ ଇଚ୍ଛା ପ୍ରକାଶ କରିଥିବା ବେଳେ ବିଜେପି ବିଷ୍ଣୁ ସେଠୀଙ୍କ ପୁଅଙ୍କୁ ପ୍ରାର୍ଥୀ କରିବାକୁ ଏକପ୍ରକାର ମନସ୍ଥ କରିଛି ।

ଧାମନଗର ଫାଇଟ୍‌ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତି କରୁଛନ୍ତି । କିନ୍ତୁ ଏଯାଏଁ କେହି ପ୍ରାର୍ଥୀ କାର୍ଡ ଖୋଲିନାହାନ୍ତି । ପ୍ରାର୍ଥୀ ଘୋଷଣା କରି ନଥିଲେ ମଧ୍ୟ ବାଜି ଜିତିବା ପାଇଁ ଜୋରଦାର ରଣନୀତି ପ୍ରସ୍ତୁତ କରୁଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ଧାମନଗରରେ ବିଜେଡି ବଡ଼ ବ୍ୟବଧାନରେ ବିଜୟ ଲାଭ ପାଇଁ ସମରସଜ୍ଜା ଆରମ୍ଭ କରିଛି । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା, ନୂଆ ଓଡ଼ିଶା-ସଶକ୍ତ ଓଡ଼ିଶା ଗଠନ ଲକ୍ଷ୍ୟ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଥିବା ଲୋକଙ୍କ ବିଶ୍ବାସ ଧାମନଗରରେ ଦଳକୁ ବଡ଼ ବିଜୟ ଦେବ ବୋଲି ବିଜେଡି କହିଛି ।

ସେପଟେ ଧାମନଗରରେ ବିଜେପି ଅନୁକମ୍ପା ଭୋଟ୍‌ ହାତେଇବା ପାଇଁ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅଙ୍କୁ ପ୍ରାର୍ଥୀ କରିବାକୁ ଏକରକମ ଚୂଡ଼ାନ୍ତ କରିଛି । ସେହିପରି କଂଗ୍ରେସର ବରିଷ୍ଠ ନେତା ଅନନ୍ତ ସେଠୀ ଧାମନଗର ଉପନିର୍ବାଚନ ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏନେଇ ଦଳ ମୁଖିଆଙ୍କ ସହ ଆଲୋଚନା କରିବେ ବୋଲି ଅନନ୍ତ କହିଛନ୍ତି ।

ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ହେବ । ତିନି ଦଳ ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ରାଜନୀତି ଜୋର ଧରିଛି ।

ଆରମ୍ଭ ହେଲା ବାଲିଯାତ୍ରା ପାଇଁ ପ୍ଲଟ୍ ବୁକିଂ

କଟକ: ବାରବାଟୀ ପ୍ୟାଲେସରେ ଆରମ୍ଭ ହେଲା ବାଲିଯାତ୍ରା ପାଇଁ ପ୍ଲଟ ବୁକିଙ୍ଗ । ଏକ ହଜାର ବର୍ଗ ଫୁଟ ପର୍ଯ୍ୟନ୍ତ ବ୍ୟବସାୟୀମାନେ ଉଭୟ ଉପର ଓ ତଳ ବାଲିଯାତ୍ରା ପଡିଆ ପାଇଁ ପ୍ଲଟ୍ ବୁକିଙ୍ଗ କରି ପାରିବେ । ଗୋଟିଏ ପ୍ଲଟ୍ ପଞ୍ଜିକରଣ ପାଇଁ ବ୍ୟବସାୟୀଙ୍କୁ ଦେବାକୁ ହେବ ୫ ହଜାର ଟଙ୍କା । ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ବୁକିଂ । ତେବେ ଅକ୍ସନକୁ ବ୍ୟବସାୟୀମାନେ ଆରମ୍ଭରୁ ବିରୋଧ କରିବା ସହ ନିୟମର ପୁନର୍ବିଚାର ପାଇଁ ଅନୁରୋଧ କରିଛନ୍ତି ।

ମହାନଦୀର ବାଲି ପଠାରେ ଚାଲିବ ମେଳା । ଦୁଇବର୍ଷ ପରେ ଜମିବ ଉତ୍ସବ । ବିଧିବଦ୍ଧ ଭାବେ ଆରମ୍ଭ ହେଲା ବାଲିଯାତ୍ରା ପାଇଁ ପ୍ଲଟ୍ ବୁକିଂ । ବାରବାଟୀ ପ୍ୟାଲେସରେ କ୍ଷୁଦ୍ର ବ୍ୟବସାୟୀଙ୍କ ଷ୍ଟଲ୍ ପାଇଁ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍କୋୟାର ଫୁଟକୁ ୫୦ ଟଙ୍କା କରି ଶହେ ବର୍ଗ ଫୁଟର ବେଶ ପ୍ରାଇସ ୫ ହଜାର ଟଙ୍କା ହିସାବରେ ଏକ ହଜାର ବର୍ଗ ଫୁଟ ପର୍ଯ୍ୟନ୍ତ ଜମି ବୁକ୍ କରିପାରିବେ ବ୍ୟବସାୟୀ । ଏହାଦ୍ବାରା ପ୍ଲଟ୍ ଆବଣ୍ଟନରେ ସ୍ବଚ୍ଛତା ଆସିବା ସହିତ ମୁନାଫାଖୋର ସବାଡ଼ ହୋଇପାରିବେ ବୋଲି ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନୀ କହିଛନ୍ତି ।

ଆରମ୍ଭରୁ ଏହି ଅକ୍ସନ ପ୍ରକ୍ରିୟାକୁ ବିରୋଧ କରିଛନ୍ତି ବ୍ୟବସାୟୀ । ୨୦୧୯ରେ ଷ୍ଟଲ ରେଟ୍ ବର୍ଗଫୁଟ ପିଛା ବୃଦ୍ଧି କରାଯାଇଥିଲା । ତେବେ ଏଥର ସିଧାସଳଖ ଚଢ଼ା ଦରରେ ନିଲାମ ପ୍ରକ୍ରିୟା କରିବା ଦ୍ବାରା ସମସ୍ୟା ସୃଷ୍ଟି ହେବ । ଫଳରେ ପୁରୁଣା ବ୍ୟବସାୟୀ ଜମି ପାଇବେ ନାହିଁ । ଚଢା ଦରରେ କିଣିଲେ ବିକ୍ରି ସାମଗ୍ରୀର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ ବୋଲି ସେମାନେ କହିଛନ୍ତି । ତେଣୁ ଏହାର ପୁନର୍ବିଚାର ପାଇଁ ବ୍ୟବସାୟୀମାନେ ଅନୁରୋଧ କରିଛନ୍ତି ।

ପ୍ରଥମ ଦିନରେ ମହାନଦୀର ତଳ ଓ ଉପର ପଡ଼ିଆ ପାଇଁ କିଛି ବ୍ୟବସାୟୀ ବୁକ୍ କରିଥିବାବେଳେ ଏନେଇ ବ୍ୟବସାୟୀଙ୍କ ସହ ଆଲୋଚନା ଜାରି ରହଛି ।

ସଇଳେଶଙ୍କ ଉପରୁ ନିଲମ୍ବନ ହଟାଇଲେ ନବୀନ

ଭୁବନେଶ୍ବର: ସମ୍ବଲପୁରର ସଇଳେଶ ଦାନୀଙ୍କ ଉପରୁ ହଟିଲା ନିଲମ୍ବନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସଇଳେଶଙ୍କ ଉପରେ ଲାଗିଥିବା ନିଲମ୍ବନ ହଟାଇ ଦେଇଛନ୍ତି । ଏନେଇ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ପାଖକୁ ଡାକି ଶକ୍ତ ଚାପୁଡ଼ା ପକାଇଲେ ଦୀପିକା

ବ୍ରହ୍ମପୁର: ଶ୍ବଶୁର ଘରକୁ ଯିବା ଦାବିରେ ଘର ଆଗରେ ଧାରଣାରେ ବସିଥିବା ବ୍ରହ୍ମପୁରର ଦୀପିକା ପୁଣି ଚର୍ଚ୍ଚାରେ । ଜଣେ ମହିଳାଙ୍କୁ ପାଖକୁ ଡାକି କାହିଁକି ଖରାପ ଭାଷାରେ ଗାଳି ଦେଉଥିଲୁ କହିବା ସହ ପକାଇଛନ୍ତି ଶକ୍ତ ଚାପୁଡ଼ା । ତାହା ପୁଣି ପୋଲିସ ଉପସ୍ଥିତିରେ ।

ଅଭିଯୋଗ ଅନୁସାରେ, ଦୀପିକା ଶ୍ବଶୁର ଘର ଆଗରେ ଧାରଣାରେ ବସିଥିବା ବେଳେ ଜଣେ ମହିଳା ଆସିଥିଲେ । ଦୀପିକା ତାଙ୍କୁ ପାଖକୁ ଡାକିଥିଲେ । ମହିଳା ଜଣଙ୍କ ପାଖକୁ ଯିବା ପରେ ହଠାତ ଦୀପିକା ବସିଥିବା ସ୍ଥାନରୁ ଉଠି ମହିଳା ଜଣଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ । ସମ୍ପୃକ୍ତ ମହିଳା କାହିଁକି ମାରୁଛ ପଚାରିବାରୁ, କିଛି ଦିନ ତଳେ କାହିଁକି ଗାଳି ଦେଉଥିଲୁ ବୋଲି ଦୀପିକା ଉତ୍ତର ଦେଇଥିଲେ ।

ସେତିକିରେ କଥା ସରି ନଥିଲା ଚାପୁଡ଼ା ଖାଇବା ପରେ ମହିଳା ଜଣଙ୍କ ରାସ୍ତା ଉପରକୁ ଚାଲି ଆସିଥିଲେ । ଦୀପିକା ତାଙ୍କ ପଛେ ପଛେ ଗୋଡ଼ାଇ ତାଙ୍କୁ ପୁଣି ଆକ୍ରମଣ କରୁଥିଲେ । ପରେ ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ପହଞ୍ଚିବାରୁ ଘଟଣା ଥଣ୍ଡା ପଡିଥିଲା ।

ସୂଚନାଯୋଗ୍ୟ, ଦୁଇଦିନ ପୂର୍ବରୁ ପାଲ ଚିରିବା ଅଭିଯୋଗ ନେଇ ଶାଶୂ ଘର ଲୋକଙ୍କ ସହ ଦୀପିକାଙ୍କ ବଚସା ଓ ହାତାହାତି ହୋଇଥିବା ଅଭିଯୋଗ ହୋଇଥିଲା । ଦୀପିକା ଧାରଣା ଦେବା ପରଠାରୁ ଶାଶୂ ଘର ଲୋକେ ଘରେ ତାଲା ପକାଇ କେଉଁ ଆଡେ ଚାଲି ଯାଇଥିଲେ । ୬ ତାରିଖରେ ସେମାନେ ଫେରି ଚାବି ଖୋଲି ଘରକୁ ଯାଉଥିବା ବେଳେ ଦୀପିକା ଟାଙ୍ଗିଥିବା ପାଲ ଚିରି ଦେଇଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଦୁଇପକ୍ଷ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଶାଶୂ ଘର ଲୋକଙ୍କୁ ଦୀପିକା ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ତେବେ ଆଜି ଦୀପିକା ମହିଳା ଜଣଙ୍କୁ ଡାକି ମାଡ଼ ମାରୁଥିବା ଭିଡିଓ ଭାଇରାଲ ହେଉଛି । ପୋଲିସ ଉପସ୍ଥିତିରେ ଦୀପିକା ଆଇନକୁ ଏମିତି ହାତକୁ ନେବାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ହାତୀଙ୍କ ସୁରକ୍ଷା ପାଇଁ ଝୁଲନ୍ତା ସୌର ବିଦ୍ୟୁତ୍ ବାଡ଼

କେନ୍ଦୁଝର: ହାତୀ ସୁରକ୍ଷା ପାଇଁ ଓଡ଼ିଶାରେ ପ୍ରଥମ ଥର ପାଇଁ ଲାଗିଲା ଝୁଲନ୍ତା ସୌର ବିଦ୍ୟୁତ ବାଡ଼ । କେନ୍ଦୁଝର ଜିଲ୍ଲା ଯୋଡ଼ାରେ ବିଦ୍ୟୁତ୍ ବାଡ଼ ସ୍ଥାପନ କରାଯାଇଛି । ବନ୍ୟପ୍ରାଣୀ ସପ୍ତାହ ପାଳନର ଶେଷ ଦିନରେ କେନ୍ଦୁଝର ଡିଏଫଓ ଧନରାଜ ହନୁମନ୍ତ ଓ ଯୋଡ଼ା ବ୍ଲକ୍ ଚେୟାରମ୍ୟାନ କବିନ୍ଦ୍ର ନାଏକ ଏହାକୁ ଉଦଘାଟନ କରିଛନ୍ତି ।

କ୍ରେଚ୍ ହଟିଂ ଠାରୁ ବେହେରା ହଟିଂ ପର୍ଯ୍ୟନ୍ତ ରେଳ ଧାରଣାର ଉଭୟ ପାର୍ଶ୍ବରେ ୭୫୦ ମିଟରର ଝୁଲନ୍ତା ସୌର ବିଦ୍ୟୁତ୍ ବାଡ଼ ଲଗାଯାଇଛି । ଏଥିପାଇଁ ବନ ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଝୁଲନ୍ତା ତାରରେ ୧୦ ହଜାର ଭୋଲ୍ଟର ବିଦ୍ୟୁତ୍ କରେଣ୍ଟ ସଂଚାର ହେବ । ଏହି କରେଣ୍ଟ ସଂସ୍ପର୍ଶରେ ହାତୀ କିମ୍ବା ଅନ୍ୟ ବନ୍ୟ ଜନ୍ତୁ ଆସିଲେ ମାତ୍ର କିଛି ସେକେଣ୍ଡ ପାଇଁ ବିଦ୍ୟୁତ୍ ଝଟକା ଲାଗିବ । ବିଦ୍ୟୁତ୍ ଆଘାତରେ ଜନ୍ତୁଙ୍କ ମୃତ୍ୟୁ ହେବ ନାହିଁ ।

ହାତୀପଲ ରେଳ ଧାରଣା ଅତିକ୍ରମ କରିବାକୁ ଚେଷ୍ଟା କଲେ ଝୁଲନ୍ତା ସୌର ବିଦ୍ୟୁତ ବାଡ଼ ଦ୍ବାରା ବନ୍ୟଜନ୍ତୁଙ୍କୁ ବିଦ୍ୟୁତ୍ ଝଟକା ଲାଗିବ । ଫଳରେ ସେମାନେ ନିଜକୁ ଅସୁରକ୍ଷିତ ମଣି ଟ୍ରେନ ଲାଇନ ଅତିକ୍ରମ କରିବେ ନାହିଁ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

ମା’ ଛେଉଣ୍ଡ ୮ ବର୍ଷର ପୁତୁରାକୁ ଦାଦା, ଖୁଡ଼ି ଚେଙ୍କ ସହ ନିର୍ଯାତନା !

କଟକ: ମା’ ଛେଉଣ୍ଡ ପିଲା । ବୟସ ମାତ୍ର ୮ ବର୍ଷ । ଦାଦା ଓ ଖୁଡ଼ି ପାଖରେ ରହି ପଢୁଥିଲା ପାଠ । ହେଲେ ଦାଦା, ଖୁଡ଼ି କୁନି ପିଲାଟି ଉପରେ ଅକଥନୀୟ ନିର୍ଯାତନା ଦେଉଥିବା ହୋଇଛି ଅଭିଯୋଗ । ସାମାନ୍ର ସାମାନ୍ୟ କଥାରେ ମାଡ଼ ମାରିବା, ରାତିରେ ଗେଟ ବାହାରକୁ ବାହାର କରିଦେବା, ୩ ମହଲାରୁ ଅଳିଆ ପକାଇବାକୁ ପଠାଇବାରେ ସରି ନଥିଲା ସଇତାନ ଦାଦା, ଖୁଡ଼ିଙ୍କ ଅତ୍ୟାଚାର । ଚେଙ୍କ ଦେଇ ଲହୁ ଲୁହାଣ କରିବାକୁ ବି ପଛାଇ ନାହାନ୍ତି । ଏମିତି ଅଭିଯୋଗ ଆସିଛି କଟକ ମର୍କତନଗର ଥାନା ଅଞ୍ଚଳରୁ । ଏନେଇ ଅଭିଯୋଗ ହେବା ପରେ ପୋଲିସ ଦମ୍ପତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ଅନୁସାରେ, ମା’ ଚାଲିଯିବା ପରଠାରୁ ପିଲାଟି ମାମୁଁ ଘରେ ରହି ପାଠ ପଢୁଥିଲା । ନିଜ ଘର ସହ ମାମୁଁ ଘରର ବି ଭଲ ସମ୍ପର୍କ ଥିଲା । ପିଲାଟି ପର୍ବ ପର୍ବାଣୀ ହେଉ କି ଅନ୍ୟ ଦିନରେ ଘରକୁ ଆଓି ବୁଲି ଯାଉଥିଲା । ହେଲେ ପୁଅକୁ ଘରକୁ ଆଣି ଏଠାରେ ରଖି ପାଠ ପଢ଼ାଇବାକୁ ପରିବାର ଲୋକେ କହିବାରୁ ଅଜା, ଆଈ ଛାଡି ଦେଇଥିଲେ । ପିଲାଟି ନିଜ ଘରକୁ ଯିବ, ପାଠ ପଢ଼ଇ ବଡ଼ ମଣିଷ ହେବ ବୋଲି ଅଜା, ଆଈ ଆଶା ରଖି ନାତିକୁ ପଠାଇ ଦେଇଥିଲେ । ନିଜ ଘରକୁ ଆସିବା ପରେ ଦାଦା, ଖୁଡ଼ି ତାକୁ ସାଙ୍ଗରେ ନେଇ ଯାଇଥିଲେ । ଏହାପରେ ଆରମ୍ଭ ହୋଇଥିଲା କୁନି ପୁଅ ଉପରେ ନିର୍ଯାତନା । ଇଂଲିଶ ମିଡିୟମ ସ୍କୁଲରେ ପଢ଼ୁଥିବା ପୁଅକୁ ସେମାନେ ଶିଶୁ ମନ୍ଦିରରେ ପାଠ ପଢ଼ିବା ପାଇଁ ନାମ ଲେଖାଇ ଦେଇଥିଲେ । ସାମାନ୍ୟ ସାମାନ୍ୟ କଥାରେ ଦାଦା, ଖୁଡି ବିଶେଷ କରି ଖୁଡ଼ି ଅକଥନୀୟ ନିର୍ଯାତନା ଦେଉଥିଲେ । ଦଶହରାରେ ପିଲାଟି ମାମୁଁ ଘରକୁ ଯିବା ପରେ ସବୁ ଘଟଣା ଅଜା, ଆଈଙ୍କ ପାଖରେ କହିଥିଲେ । ଘଟଣା ଜାଣିବା ପରେ ପିଲାର ଅଜା, ଆଈ ମର୍କତନଗର ଥାନାରେ ଏନେଇ ଅଭିଯୋଗ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହ ଉଡ଼ିଲେ ଛାତ୍ରଛାତ୍ରୀ

ରାୟପୁର: ପ୍ରତିଶ୍ରୁତି ରକ୍ଷା କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ଦଶମ ଓ ଦ୍ବାଦଶ ପରୀକ୍ଷାରେ ଟପ୍ ରାଙ୍କ ପାଇଥିବା ଛାତ୍ରଛାତ୍ରୀଙ୍କ ନେଇ ହେଲିକପ୍ଟରରେ ଉଡିଲେ ମୁଖ୍ୟମନ୍ତ୍ରୀ । କିଛିଦିନ ତଳେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କ ସହ ହେଲିକପ୍ଟରରେ ଉଡ଼ିବା ଲାଗି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବା ଲାଗି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିବାବେଳେ ଏହାକୁ କାର୍ଯ୍ୟରେ ପରିଣତ କରିଛନ୍ତି ବଘେଲ ।

ଜୀବନ ଆକାଶରେ ଉଡ଼ିବା ଲାଗି ପ୍ରତି ଛାତ୍ରଛାତ୍ରୀଙ୍କ ଏକ ସ୍ବପ୍ନ ଥାଏ ଏବଂଏହାଦ୍ବାରା ସେମାନଙ୍କ ସ୍ବପ୍ନ ଅଧିକ ଶାଣିତ ହୋଇଥାଏ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ପିଲାମାନେ ହେଲିକପ୍ଟରରେ ଉଡ଼ିବା ପ୍ରସଙ୍ଗରେ ସ୍କୁଲ ବିଭାଗ ମନ୍ତ୍ରୀ ପ୍ରେମ ସାଇ ସିଂ ତେକାମ କହିଛନ୍ତି- ଏହାଦ୍ବାରା ଶିକ୍ଷା ପ୍ରତି ପିଲାଙ୍କ ଆଗ୍ରହ ବୃଦ୍ଧି ପାଇବ । ଏହି ପ୍ରକ୍ରିୟାରେ ଆକାଶରେ ଉଡ଼ିବେ ୧୨୫ ଛାତ୍ରଛାତ୍ରୀ ।

ଉଡ଼ିଲା ଋଷର ରେଳ ବ୍ରିଜ୍, ୟୁକ୍ରେନ ସହ ଯୋଗାଯୋଗ ବିଚ୍ଛିନ୍ନ

ମସ୍କୋ: ୟୁକ୍ରେନ ସହ ଯୁଦ୍ଧ ଭିତରେ ଋଷକୁ ଲାଗିଛି ବଡ଼ ଝଟକା । କ୍ରିମାଆ ଓ ଋଷ ମଧ୍ୟରେ ଯୋଗାଯୋଗ ହୋଇଛି ବିଚ୍ଛିନ୍ନ । ଏହି ଦୁଇ ଅଞ୍ଚଳର ଲାଇଫଲାଇନ କୁହାଯାଉଥିବା ରେଳ ବିଜ୍ରକୁ ବିସ୍ଫୋରଣରେ ଉଡାଇ ଦିଆଯାଇଥିବା ସୂଚନା ମିଳିଛି । ଯଦି ଏହା ସତ ହୋଇଥାଏ ତେବେ ୟୁକ୍ରେନକୁ ଋଷର ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ଫଳରେ ୟୁକ୍ରେନରେ ଯୁଦ୍ଧ ଲଢୁଥିବା ଋଷ ସେନା ପାଖରେ ଆବଶ୍ୟକ ସାମଗ୍ରୀ ଓ ଗୋଳାବାରୁଦ ପହଞ୍ଚିବ ଠପ୍ ହୋଇଯିବ ।

ମିଳିଥିବା ସୂଚନା ଅନୂସାରେ, କ୍ରିମିଆର ଏହି ରେଳ ବ୍ରିଜଟି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୋଗାଯୋଗର ଏକ ମାଧ୍ୟମ ଥିଲା । ଏବେ ବ୍ରିଜଟି କ୍ଷତିଗ୍ରସ୍ତ ହେବା ଋଷ ପାଇଁ ବଡ଼ ଧକ୍କା ହୋଇପାରେ । ବିସ୍ଫୋରଣ ପରେ ବ୍ରିଜ ନିକଟରେ ଥିବା ୭ଟି ତୈଳ ଟ୍ୟାଙ୍କର ମଧ୍ୟ ଜଳିଯାଇଛି । ଏହି ତୈଳ ଟ୍ୟାଙ୍କର କ୍ରିମିଆକୁ ରେଳ ଦ୍ବାରା ପଠାଯାଉଥିଲା । ତେବେ ଏହା ୟୁକ୍ରେନ ସେନା ନୁହେଁ ବରଂ କୌଣସି ଆତଙ୍କବାଦୀଙ୍କ କାମ ହୋଇଥାଏ ପାରେ ବୋଲି ସନ୍ଦେହ କରାଯାଉଛି ।

ବ୍ରିଜ ନିର୍ମାଣ ପରେ ରାଷ୍ଟ୍ରପତି ପୁଟିନ ଏହାକୁ ୨୦୧୮ରେ ଉଦଘାଟନ କରିଥିଲେ । ଅନ୍ୟପକ୍ଷରେ ବ୍ରିଜଟି ସୁରକ୍ଷିତ ଥିବା ଋଷ କହିଛି । ଯଦି ଏହା ୟୁକ୍ରେନର ଆକ୍ରମଣ ହୋଇଥିବା ପ୍ରମାଣ ମିଳିଲା କିଭକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଚେତାଇ ଦେଇଛି ମସ୍କୋ ।

ବାୟୁସେନାର ନୂଆ ଓ୍ବିପନ ସିଷ୍ଟମ ବ୍ରାଞ୍ଚ, ଆକାଶରେ ଶତ୍ରୁ ହେବେ ଧୂଆଁ

ନୂଆଦିଲ୍ଲୀ: ୯୦ତମ ଏୟାରଫୋର୍ସ ଡେ’ରେ ଦମ୍ ଦେଖାଇଲା ବାୟୁସେନା । ଚଣ୍ଡୀଗଡରେ ହୋଇଥିବା ଏୟାର ଶୋ’ରେ ପୂରା ବିଶ୍ବ ଦେଖିଲା ଭାରତୀୟ ବାୟୁ ବୀରଙ୍କ ଦମ୍ଭ । ସେପଟେ ପ୍ରଥମ ଥର ଲାଗି ଭାରତୀୟ ବାୟୁ ସେନାରେ ଆରମ୍ଭ ହୋଇଛି ଓ୍ବିପନ ସିଷ୍ଟମ ବ୍ରାଞ୍ଚ । ଦେଶ ସ୍ବାଧୀନ ହେବା ପରଠାରୁ ଏହା ହେଉଛି କେନ୍ଦ୍ର ସରକାରଙ୍କ ପ୍ରଥମ ପଦକ୍ଷେପ ।

ଚଣ୍ଡୀଗଡ଼ରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଏୟାର ଚିଫ ମାର୍ଶାଲ ଭି.ଆର. ଚୌଧୁରୀ କହିଛନ୍ତି- ଏଥିରେ ୪ଟି ବିଶେଷ ଶାଖା ରହିବ । ପ୍ରଥମରେ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ର, ଦ୍ବିତୀୟରେ ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ର, ତୃତୀୟରେ ରିମୋଟଲି ପାଇଲଟଡ ଏୟାରକ୍ରାଫ୍ଟ ଓ ଚତୁର୍ଥରେ ମଲ୍ଟି କ୍ରୁ ଏୟାରକ୍ରାଷ୍ଟର ଓ୍ବିପନ ସିଷ୍ଟମ ଅପରେସନ । ଏହାଦ୍ବାରା ଅଧିକ ଶକ୍ତିଶାଳୀ ହେବ ବାୟୁସେନା । ଏହାଦ୍ବାରା ୩ ହଜାର ୪୦୦ କୋଟି ଟଙ୍କାର ସଞ୍ଚୟ ହୋଇପାରିବ ବୋଲି ଏୟାର ଚିଫ ମାର୍ଶାଲ କହିଛନ୍ତି ।

ଆଜି ଏୟାର ଫୋର୍ସ ଦିବସରେ ଅତ୍ୟାଧୁନିକ ଯୁଦ୍ଧ ବିମାନରେ ଆକାଶରେ ବାୟୁସେନା ଦେଖାଇଛି ନାନା କୌଶଳ । ଏହା ପୂର୍ବରୁ ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ସିଡିଏସ୍ ଜେନେରାଲ୍ ଅନିଲ ଚୌହାନ । ଏୟାରଫୋର୍ସ ଚିଫ୍ ଭି ଆର୍ ଚୌଧୁରୀ, ଆର୍ମି ଚିଫ୍ ଜେନେରାଲ ମନୋଜ ପାଣ୍ଡେ, ନୌସେନା ମୁଖ୍ୟ ଅଡମିରାଲ ଆର ହରି ମଧ୍ୟ ଓ୍ବାର ମେମୋରିଆଲରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏୟାରଫୋର୍ସ ଡେ ଉପଲକ୍ଷେ ହେଡକ୍ବାର୍ଟରରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ୧୯୩୨ ଅକ୍ଟୋବର ୮ ତାରିଖରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ବାୟୁସେନା ।

ରାଜଧାନୀରେ ବାଇକରେ ବୁହା ହେବ ଅଳିଆ

ଭୁବନେଶ୍ବର: ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ବିଏମସିର ନୂଆ ଯୋଜନା । ଖୁବଶୀଘ୍ର ବାଇକରେ ବୁହା ହେବ ଅଳିଆ । ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଏଭଳି କିଛି ଅଞ୍ଚଳ ରହିଛି ଯେଉଁଠିକୁ ଅଳିଆ ସଂଗ୍ରହ କରିବାକୁ ବଡ଼ ଗାଡି କିମ୍ବା ୩ ଚକିଆ ସଫେଇବାଲା ଗାଡି ଯାଇପାରୁନାହିଁ । ସେହି ସବୁ ଅଞ୍ଚଳକୁ ଚିହ୍ନଟ କରାଯାଇଛି । ସେଠାରୁ ବାଇକ ଯୋଗେ ଅଳିଆ ସଂଗ୍ରହ କରିବ ବିଏମସି ।

ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ପୁରୁଣା ଭୁବନେଶ୍ୱର ଅଞ୍ଚଳରୁ ଏହାକୁ କାର୍ଯ୍ୟକାରୀ କରାଯିବ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦେଶର ପ୍ରଥମ ସହର ଓ ମହାନଗର ନିଗମ ଭାବେ ବିଏମସି ଏହାକୁ କାର୍ଯ୍ୟକାରୀ କରିବ ।