ଆଜି ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା, ବଲାଙ୍ଗୀରରେ ବ୍ୟାପକ ଆୟୋଜନ

ବଲାଙ୍ଗୀର : ଆଜି ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା  । ରକ୍ତରଞ୍ଜିତ ହେବ ଶୁଲିଆ ପୀଠ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ କୁଳିତାପଡା ପଞ୍ଚାୟତର ପାଳିତ ହେଉଛି ଶୁଲିଆ ମହୋତ୍ସବ  । ପଶୁପକ୍ଷୀଙ୍କ ବଳିରେ ରକ୍ତାକ୍ତ ହେବ ଗାଁ ରାସ୍ତା । ଏଥିପାଇଁ ଖଇରଗୁରା ଗାଁର ବଡ଼ଖଳା ଓ କୁମୁରିଆ ଗାଁର ସାନଖଳାରେ ହୋଇଛି ପ୍ରସ୍ତୁତି  । ବଳି ଦେଇ ମାନସିକ ପୂରଣ କରିବେ ଶ୍ରଦ୍ଧାଳୁ  ।

ଶୁଲିଆ ଯାତ୍ରା ସମୟରେ ଦେହୂରୀ, ପୂଜକ ତଥା ବଳି ଦେଉଥିବା ବ୍ୟକ୍ତି କପଡା ବଦଳରେ ବକଳ ଧାରଣ କରିଥାନ୍ତି । ପରମ୍ପରାର ବିଧିରକ୍ଷା ପାଇଁ ସହଯୋଗ କରିବାକୁ ପ୍ରଶାସନକୁ ଅନୁରୋଧ କରିଛି ଆଦିବାସୀ ସଂଘ  । ଅନ୍ୟପଟେ ଲୋକଙ୍କୁ ସଚେତନ କରୁଛି ପ୍ରଶାସନ  ।  ଯାତ୍ରାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶୁଲିଆ ପୀଠ ବଡଖଳା ଓ ସାନଖଳାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି  ।