ଦିଲ୍ଲୀ କର୍ତ୍ତବ୍ୟପଥରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ

ନୂଆଦିଲ୍ଲୀ: ଲଗାତର ତୃତୀୟଥର ପାଇଁ ଦିଲ୍ଲୀ କର୍ତ୍ତବ୍ୟପଥରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ । ସାଧାରଣତନ୍ତ୍ର ଦିବସ ପରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢକୁ ମିଳିଲାନି ସ୍ଥାନ । କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ବୈମାତୃକ ମନଭାବ ଯୋଗୁ ବିଶ୍ବ ଦରବାରରେ ପହଞ୍ଚିପାରୁନି ଓଡ଼ିଶା କଳା, ସଂସ୍କୃତି, ପରମ୍ପରା । ଜାଣିଶୁଣି ଓଡିଶାକୁ ଛୋଟ ଦେଖାଇବାକୁ କେନ୍ଦ୍ର ସରକାର ହୀନ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ । କେନ୍ଦ୍ର ସରକାର ପ୍ରଥମେ ୩୦ଟି ରାଜ୍ୟରୁ ପ୍ରଜ୍ଞାପନ ମେଢ ସଂପର୍କରେ ବିସ୍ତୃତ ତଥ୍ୟ ମାଗିଥିଲେ ।

ଚୟନ ପ୍ରକ୍ରିୟାର ଚତୁର୍ଥ ରାଉଣ୍ଡ ସୁଦ୍ଧା ୨୦ଟି ରାଜ୍ୟର ପ୍ରଜ୍ଞାପନ ମେଢକୁ ବିଚାରକୁ ନିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୪ଟି ପ୍ରଜ୍ଞାପନ ମେଢକୁ ପ୍ୟାରେଡରେ ଅଂଶଗ୍ରହଣ କରିବାକୁ ଚୟନ କରାଯାଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ ଆଉ ୪ଟି ରାଜ୍ୟକୁ ଚୟନ କରାଯାଇଥିବାବେଳେ ଓଡିଶାକୁ ଅଣଦେଖା କରାଯାଇଛି । ଚଳିତବର୍ଷ କୋଣାର୍କର ଘୋଡା, ରାଜାରାଣୀ ମନ୍ଦିର, ଓଡ଼ିଶୀ ନୃତ୍ୟ ଓ ଲୋକନୃତ୍ୟକୁ ମିଶାଇ ପ୍ରଜ୍ଞାପନ ମେଢ ପ୍ରସ୍ତୁତ କରାଯାଇଥିଲା । ଗତବର୍ଷ କେନ୍ଦ୍ରସରକାର ସ୍ବାଧିନତାର ୭୫ବର୍ଷ ପାଳନ ଅବସରରେ ପ୍ରଜ୍ଞାପନ ମେଢ ପାଇଁ ଗାଇଡଲାଇନ ଦେଇଥିଲେ ।

ଓଡ଼ିଶା ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁଙ୍କ ବୀରତ୍ବକୁ ନେଇ ପ୍ରଜ୍ଞାପନ ମେଢର ପ୍ରତିକୃତି ପଠାଯାଇଥିଲା । ସେତେବେଳେ ମଧ୍ୟ ଓଡିଶାକୁ ନିରାଶ କରିଥିଲା କେନ୍ଦ୍ର। ଓଡ଼ିଶା ପ୍ରତି ଅବହେଳାକୁ କେନ୍ଦ୍ର ସରକାରରେ ଥିବା ଓଡିଆ ମନ୍ତ୍ରୀ କାହିଁକି ପ୍ରତିବାଦ କରୁନାହାନ୍ତି ବୋଲି ପ୍ରଶ୍ନ ଉଠିଛି । ପୁନଃବିଚାର ପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖାଯିବ ବୋଲି କହିଛନ୍ତି ସଂସ୍କୃତିପ୍ରେମୀ ।