ଦୁଲୁକୁଛି ନିମାପଡ଼ା, ମହୋତ୍ସବରେ ମହା-ଆନନ୍ଦ

ନିମାପଡ଼ା: ୨୨ତମ ନିମାପଡ଼ା ମହୋତ୍ସବ ଉଦଘାଟିତ ହୋଇଛି । ରବିବାର ସନ୍ଧ୍ୟାରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ପୁରୀ ଜିଲ୍ଲା ନିମାପଡ଼ାସ୍ଥିତ ମୁକ୍ତାକାଶ ମଞ୍ଚରେ ମହୋତ୍ସବ କମିଟି ଓ ହେଲପ ଲାଇନ ପକ୍ଷରୁ ୨୨ତମ ନିମାପଡ଼ା ମହୋତ୍ସବ ଆରମ୍ଭ ହୋଇଛି । ଏହାକୁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର ଉଦଘାଟନ କରିଛନ୍ତି । ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ମହୋତ୍ସବ ଓ ଅଭ୍ୟର୍ଥନା କମିଟି ସଭାପତି ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅତିଥି ଭାବେ ଯୋଗଦେଇଥିଲେ ।

ଏହି ଅବସରରେ ମହୋତ୍ସବ କମିଟିର ଅନ୍ୟତମ ପୁରୋଧା ରମେଶ ଚନ୍ଦ୍ର ପରିଡ଼ାଙ୍କୁ ମରଣୋତ୍ତର ଭାବେ ନିମାପଡ଼ା ଦଧିଚି ସେବା ସମ୍ମାନ ଓ ବିଭୁ ପ୍ରସାଦ ପଣ୍ଡାଙ୍କୁ ମରଣୋତ୍ତର ଭାବେ ନିମାପଡ଼ା ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା । ମହୋତ୍ସବରେ ମୁଖପତ୍ର `ସମୃଦ୍ଧି ପଥେ ନିମାପଡ଼ା’ ଉନ୍ମୋଚିତ ହୋଇଛି । ଉଦଘାଟନୀ ସଂଧ୍ୟାର ପ୍ରଥମ ଚରଣରେ ନିମାପଡ଼ାର ନୃତ୍ୟାଳୟ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଗୁରୁ ବିଷ୍ଣୁ ଚରଣ ସାସମଲଙ୍କ ନିର୍ଦ୍ଦେଶନାରେ ଶ୍ରୀରାଧିକାଙ୍କ ମାନ ଭଞ୍ଜନ ପରିବେଷଣ କରାଯାଇଥିଲା ।

ଦ୍ବିତୀୟ ଚରଣରେ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭଦ୍ରକର ମନମୋହନ ସଙ୍ଗୀତ ପରିଷଦ ପକ୍ଷରୁ ପରିବେଷିତ ମୋଗଲ ତାମସାକୁ ଦର୍ଶକ ମନଭରି ଉପଭୋଗ କରିଥିଲେ। ତୃତୀୟ ଚରଣରେ କଟକର ପାୟଲ ଡ୍ୟାନ୍ସ ଇନଷ୍ଟିଚ୍ୟୁଟ ପକ୍ଷରୁ ଅକ୍ଷୟ ମହାନ୍ତିଙ୍କ ପୁରୁଣା ଗୀତ, ଓଡ଼ିଶୀ ଓ ଆଧୁନିକ ନୃତ୍ୟର ରିମିକ୍ସ ପରିବେଷଣ କରାଯାଇଥିଲା । ଚତୁର୍ଥ ଓ ଶେଷ ଚରଣରେ ନିମାପଡ଼ାର ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ନିମାପଡ଼ା ମହୋତ୍ସବ ତିନି ଦିନ ଧରି ଚାଲିବ ।