spot_img
Home Blog Page 3822

କିଏ ପାଇବ ବାଲ୍ ଠାକରେଙ୍କ ଧନୁ ଓ ତୀର ସଙ୍କେତ ?

ମୁମ୍ବାଇ: ମହାରାଷ୍ଟ୍ରର ପିଛା ଛାଡୁନି ବିବାଦ । ଶିବସେନା ଦୁଇ ଫାଳ ହେବା ପରେ ବି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଶେଷ ହେବାର ନାଁ ନେଉନି । ଦଳ ଭାଗ ହୋଇ ସରକାର ବଦଳିବା ପରେ ଶିବସେନାର ଦଳୀୟ ସଙ୍କେତ ଧନୁ ଓ ତୀରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦ ଉଗ୍ର ରୂପ ନେଇଛି ।

ଧନୁ ଓ ତୀର ସଙ୍କେତକୁ ନିଜର ବୋଲି ଏକନାଥ ସିନ୍ଦେ ଗୋଷ୍ଠୀ ଦାବି କରୁଥିବା ବେଳେ ଏନେଇ ଆଜି ଉତ୍ତର ରଖିବେ ଉଦ୍ଧବ ଠାକରେ ଗୋଷ୍ଠୀ । ଗତକାଲି ଭାରତର ନିର୍ବାଚନ କମିଶନ ଧନୁ ଓ ତୀର ବିବାଦର ଶୁଣାଣି କରି ଆଜି ଉତ୍ତର ରଖିବାକୁ ଠାକରେ ଗୋଷ୍ଠୀକୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ନଭେମ୍ବର ୩ରେ ଅନ୍ଧେରୀ ଓ୍ବେଷ୍ଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଧନୁ ଓ ତୀର ସଙ୍କେତ କାହାକୁ ମିଳିବ ସେ ନେଇ ଉତ୍କଣ୍ଠା ଜାରି ରହିଛି । ଉପନିର୍ବାଚନ ସକାଶେ ଧନୁ ଓ ତୀର ସଙ୍କେତ ପାଇବାକୁ ହକଦାର ବୋଲି ଗତ ୪ ତାରିଖରେ ନିର୍ବାଚନ କମିଶନ ନିକଟରେ ଦାବି କରିଥିଲେ ସିନ୍ଦେ ଗୋଷ୍ଠୀ । ଆଜି ଏ ସମ୍ପର୍କରେ ସମସ୍ତ ତଥ୍ୟ ଉଦ୍ଧବ ଠାକରେ ଗୋଷ୍ଠୀ ଦାଖଲ କରିବା ପରେ ନିଷ୍ପତ୍ତି ନେବେ ନିର୍ବାଚନ କମିଶନ ।

ଅକ୍ଟୋବର ୪ ତାରିଖରେ ସିନ୍ଦେ ଗୋଷ୍ଠୀ ଲେଖିଥିବା ପତ୍ରରେ ଦର୍ଶାଇଥିଲେ, ଠାକରେ ନେତୃତ୍ବାଧୀନ ଶିବସେନା ଗୋଷ୍ଠୀ ଧନୁ ଓ ତୀର ସଙ୍କେତ ପାଇବାକୁ ହକଦାର ନୁହେଁ ଏବଂ ଶିବସେନା ନାମରେ ବେଆଇନ ଭାବେ ପ୍ରାର୍ଥୀଙ୍କୁ ଠିଆ କରାଇବା ଲାଗି ଉଦ୍ୟମ କରୁଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ପକ୍ଷରୁ ଧନୁ ଓ ତୀର ବିବାଦ ପ୍ରସଙ୍ଗରେ କରାଯାଇଥିବା ଆବେଦନକୁ ଗତ ସେପ୍ଟେମ୍ବର ୨୭ରେ ସୁପ୍ରିମକୋର୍ଟ ଶୁଣାଣି ଲାଗି ଗ୍ରହଣ କରିଥିଲେ । ପରେ ଅକ୍ଟୋବର ୭ରେ ଉତ୍ତର ରଖିବାକୁ ଦୁଇ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ । ବର୍ତ୍ତମାନ ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ସିନ୍ଦେ ଗୋଷ୍ଠୀ ୩ଟି ଆବେଦନ ଦାଖଲ କରିଛି ।

ପଦାକୁ ଆସିଲା ଅର୍ଚ୍ଚନାର ଡିଲ୍ ଭିଡିଓ, ବଡ଼ ବଡିଆଙ୍କୁ ଫସାଉଥିଲା ଅର୍ଚ୍ଚନା

ଭୁବନେଶ୍ବର: ବ୍ଲାକମେଲିଂର ରାଣୀ ମାୟାବିନୀ ଅର୍ଚ୍ଚନା ନାଗ । ଅର୍ଚ୍ଚନା ନାଗଫାଶର ଖୋଳତାଡ଼ ଆରମ୍ଭ କରିଛି ପୋଲିସ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ସାମ୍ନାକୁ ଆସିଛି ଅର୍ଚ୍ଚନାର ଡିଲ୍ ବେଳର ଭିଡିଓ ।

ହାଇ ପ୍ରୋଫାଇଲ ହୋଟେଲରେ ଡିଲ ବେଳର ଭିଡିଓ ହୋଇଥିବା ଚର୍ଚ୍ଚା ହେଉଛି । ବଡ଼ ବଡ଼ିଆଙ୍କୁ ଟ୍ରାପ ପରେ କିଭିଳି ମିଡିଏଟିଙ୍ଗ କରୁଥିଲା, ତାର ଭିଡିଓ ସାମ୍ନାକୁ ଆସିଛି । ଅର୍ଚ୍ଚନା ଫାଶରେ ପଡ଼ି କିପରି ଡିଲ୍ କରୁଥିଲେ ବଡବଡିଆ ତାର ଭିଡିଓ ନନ୍ଦିଘୋଷ ଟିଭି ହାତରେ ଲାଗିଛି ।

ଅନ୍ୟପଟେ ମାୟାବିନୀ ଅର୍ଚ୍ଚନା ନାଗ ଗିରଫ ଘଟଣାର ଖୋଳତାଡ ଆରମ୍ଭ ହୋଇଛି । ଜବତ ମୋବାଇଲ, ପେନ୍ ଡ୍ରାଇଭ୍ ଓ ହାର୍ଡଡିସ୍କକୁ ନେଇ ପୋଲିସ କରୁଛି ଛାନବିନ୍ । ମୋବାଇଲରେ ରହିଛି ଅନେକ ବଡ଼ ବଡ଼ିଆଙ୍କ ନମ୍ବର । ଅର୍ଚ୍ଚନାଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା । ହାଇ ପ୍ରୋଫାଇଲ ରାକେଟ ନେଇ ପୋଲିସ ଚଳାଇଛି ତଦନ୍ତ । ଟେଣ୍ଡର, ଟ୍ରାନସଫର ଓ ଚାକିରି ଦେବାକୁ କହି ଲୋକଙ୍କୁ ଲଗାଇଛି ଚୂନ । ଅର୍ଚ୍ଚନାକୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ପୋଲିସ । ଅଭିଯୋଗ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ଅର୍ଚ୍ଚନା ବିରୋଧରେ ଆଇପିସି ଦଫା 420, 506, 120(ଖ) ଓ IT ଆକ୍ଟରେ ମାମଲା ରୁଜୁ ହୋଇଛି ।

ଚାଲିଛି ଜନ ସମ୍ପର୍କ ପଦଯାତ୍ରା, ସାମିଲ ହେଲେ ମନ୍ତ୍ରୀ, ବିଧାୟକ

ଧାମନଗର: ବିଜେଡି ପକ୍ଷରୁ ଚାଲିଛି ଜନ ସମ୍ପର୍କ ପଦଯାତ୍ରା । ଧାମନଗର ନିର୍ବାଚନ ମଣ୍ଡଳୀ  ଦୋବଲ ସ୍ଥିତ କାଳୀ ପଡିଆରୁ ବିଶାଳ ପଦ ଯାତ୍ରା ବାହାରି ଦୋବଲ ଜୋନର ବିଭିନ୍ନ ପଞ୍ଚାୟତକୁ ଯିବ । ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ବିଜୁ ଜନତା ଦଳ ଭଦ୍ରକ ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ସମେତ ବହୁ ତୁଙ୍ଗ ନେତା ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି । ଏପଟେ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହେବ ବିଜେଡିର ଜନସମ୍ପର୍କ ପଦଯାତ୍ରା । ନିମାପଡ଼ା ନୂଆ ବସ ଷ୍ଟାଣ୍ଡରୁ ବାରବାଟୀ ପଡିଆ ଯାଏ ଯିବ ପଦଯାତ୍ରା ।

ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ । ପଦଯାତ୍ରାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପୁରୀ ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଜଗତସିଂହପୁର ବିଜେଡି ପର୍ଯ୍ୟବେକ୍ଷକ ଅରୁଣ ସାହୁ ଓ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଫୁଟପାଥରେ ଲଗାଇପାରିବେନି ଠେଲା ଗାଡ଼ି 

ଭୁବନେଶ୍ବର: ଭୁବନେଶ୍ବରରେ ଫୁଟପାଥରେ ଲଗାଇପାରିବେନି ଠେଲା ଗାଡ଼ି  । ରାସ୍ତା ଉପରେ କିମ୍ବା ଡ୍ରେନ ଉପରେ କରିହେବନି ବ୍ୟବସାୟ । ଷ୍ଟ୍ରିଟ ଫୁଡ ଭେଣ୍ଡରଙ୍କ ପାଇଁ ନୂଆ ନିୟମ ଜାରି କରିଛି ବିଏମସି । ନିୟମ ନମାନିଲେ ଖିଲାପିଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ।

ଗ୍ରାହକଙ୍କ ଗାଡ଼ି ପାର୍କିଂ ପାଇଁ ବିସ୍ତୃତ ଜାଗା ନଥିଲେ ଠେଲା ଗୁଡିକ ଖାଇବାକୁ ଦେଇପାରିବେ ନାହିଁ। ଏହାଦ୍ବାରା ପାର୍କିଂ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି  । ଏଣୁ ପାର୍ସଲ କିମ୍ବା ଅନଲାଇନ ଫୁଡ଼ ସର୍ଭିସ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛି ବିଏମସି । ପରିମଳ ବ୍ୟବସ୍ଥା ସହ ନିଜ ଆଉଟଲେଟ ସାମନାରେ ଡଷ୍ଟବିନ ରଖିବା ବାଧ୍ୟତାମୂଳକ କରାଯାଇଛି ।

ଓଦା ଓ ଶୁଖିଲା ଅଳିଆ ଅଲଗା ରଖିବା ସହ ଅଳିଆ ଗାଡିକୁ ପ୍ରତିଦିନ ଅଳିଆ ଦେବାକୁ ନିର୍ଦ୍ଦେଶ ହୋଇଛି । ଏହାଛଡ଼ା ବ୍ୟବସାୟ ବେଳେ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେବେ ଦୋକାନୀ । ଖାଦ୍ୟ ନିରାପତ୍ତା ନିୟମ ମାନିବା ଅନିର୍ବାର୍ଯ୍ୟ । ନୋ ଭେଣ୍ଡିଙ୍ଗ ଯୋନ ଏରିଆରେ କେହି ଖାଦ୍ୟ ଠେଲା ବା ଗାଡି ଲଗାଇ ବ୍ୟବସାୟ କରିପାରିବେ ନାହିଁ।

ମହାରାଷ୍ଟ୍ରରେ ଚଳନ୍ତା ବସରେ ଅଗ୍ନିକାଣ୍ଡ, ୧୧ ଜୀବନ୍ତ ଦଗ୍ଧ

ନାସିକ : ମହାରାଷ୍ଟ୍ରର ନାସିକରେ ଶନିବାର ସକାଳୁ ସକାଳୁ ବସ ଓ ଟ୍ରକ୍ ମଧ୍ୟରେ ହୋଇଥିବା ଧକ୍କାରେ ବସ ଜଳିଯାଇଛି । ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୧ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ମୃତକଙ୍କ ମଧ୍ୟରେ କିଛି ଶିଶୁଙ୍କ ସହିତ ବସର ଡ୍ରାଇଭର ମଧ୍ୟ ସାମିଲ ଅଛନ୍ତି । ଅନ୍ୟ ୩୮ ଜଣ ଏଥିରେ ଆହତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ବୃଦ୍ଧିର ଆଶଙ୍କା ରହିଛି । ଅଧିକାଂଶ ଲୋକ ବସର ଝରକା ଦେଇ ଡେଇଁ ଜୀବନ ବଂଚାଇଛନ୍ତି ।

ଦୁର୍ଘଟଣା ନାସିକ-ଔରଙ୍ଗାବାଦ ରାସ୍ତାରେ ନନ୍ଦୁରନାକା ନିକଟରେ ହୋଇଛି । ବସଟି ୟବତମାଲରୁ ମୁମ୍ବାଇ ଯାଉଥିଲା । ଚିନ୍ତାମଣୀ ଟ୍ରାଭେଲ୍ସର ଏହି ବସରେ ୫୦ ଜଣ ଯାତ୍ରୀ ସବାର ଥିଲେ ।

ଦୁର୍ଘଟଣା ଏମିତି ହୋଇଥିଲା

ଶନିବାର ସକାଳ ୪.୩୦ ମିନଟରେ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ଘଟିବା ବେଳେ ଆଖପାଖରେ କେହି ମଧ୍ୟ ନଥିଲେ । ତେବେ ପୋଲିସ ଅନୁସାରେ ଟ୍ରକରେ ଥିବା ଡିଜେଲ ଦ୍ୱାରା ବସରେ ନିଆଁ ଲାଗିଥିଲା । ଦୁର୍ଘଟଣା ବେଳେ ଟ୍ରକ୍ ଓ ବସ ମଧ୍ୟରେ ଦୂରତା ୫୦ ମିଟରରୁ କମ ଥିଲା । ମୁହାଁମୁହିଁ ଧକ୍କା ପରେ ଟ୍ରକର ଡିଜେଲ ଟ୍ୟାଙ୍କରେ ବିସ୍ଫୋରଣ ହୋଇଥିଲା । ଟ୍ୟାଙ୍କରରେ ଥିବା ଡିଜେଲ ବସ ଉପରେ ପଡିଥିଲା ଓ ନିଆଁ ଲାଗିଯାଇଥିଲା ବୋଲି ଅନୁମାନ କରାଯାଉଛି । ।

ଝରକା ଦେଇ ଡେଇଁ ଜୀବନ ବଂଚାଇଲେ ୩୮ ଜଣ
ଦୁର୍ଘଟଣା ଯୋଗୁ ବସର ସମ୍ମୁଖ ଭାଗରେ ଥିବା ଡ୍ରାଇଭର ଓ ଯାତ୍ରୀ ତୁରନ୍ତ ଜଳି ଯାଇଥିଲେ । ତେବେ ପଛ ଭାଗରେ ବସିଥିବା ଯାତ୍ରୀ କୌଣସି ମତେ ଝରକା ଦେଇ ଡେଇଁ ବାହାରି ଆସିଥିଲେ । ଜଳନ୍ତା ବସରୁ ବାହାରିବାରେ ସକ୍ଷମ ହୋଇଥିବା ୩୮ ଜଣ ଯାତ୍ରୀଙ୍କ ମଧ୍ୟରୁ କିଛିଙ୍କ ଅବସ୍ଥା ଏବେ ମଧ୍ୟ ସଂକଟାପନ ରହିଛି । ତେଣୁ ମୃତକଙ୍କ ସଂଖ୍ୟା ବଢି଼ପାରେ ବୋଲି ଆଶଙ୍କା କରାଯାଉଛି ।

ଦୀପାବଳି ପୂର୍ବରୁ ଗ୍ରାହକଙ୍କୁ ବଡ଼ ଝଟକା, ଆଇଜିଏଲ ୩ ଟଙ୍କା ବଢ଼ାଇଲା ସିଏନଜି ଓ ପିଏନଜି ଦର

ନୂଆଦିଲ୍ଲୀ: ଦିପାବଳୀ ପୂର୍ବରୁ ଗ୍ରାହକଙ୍କୁ ବଡ଼ ଝଟକା । ସିଏନଜି ଓ ପିଏନଜି ଦର ବଢ଼ାଇଲା ଆଇଜିଏଲ୍ । ୩ ଟଙ୍କା ବଢ଼ିଛି ସିଏନଜି ଓ ପିଏନଜି ଦର । ଆଜିଠୁ ବର୍ଦ୍ଧିତ ଦର ଲାଗୁ ହୋଇଛି । ଦିଲ୍ଲୀରେ ସିଏନଜି ଦାମ୍ ୭୫.୬୧ ଟଙ୍କାରୁ ବଢ଼ି ୭୮.୬୧  ଟଙ୍କା ହୋଇଛି । ସେହିପରି ନୋଇଡ଼ା, ଗ୍ରେଟର ନୋଇଡା ଓ ଗାଜିଆବାଦରେ ୭୮.୧୭ ଟଙ୍କାରୁ ବଢ଼ି ୮୧.୧୭ ଟଙ୍କା ହୋଇଛି । ଏପଟେ ରାଜ୍ୟରେ କିଲୋ ପିଛା ୧ ଟଙ୍କା ୭୪ ପଇସା ବୃଦ୍ଧି ପାଇଛି ସିଏନଜି ଦର । ଏହି ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି । ମୂଲ୍ୟ ବୃଦ୍ଧି ପରେ CNG ଗ୍ୟାସ କିଲୋ ପିଛା ୯୩ ଙ୍କା ୦୨ ପଇସାରୁ ୯୪ ଟଙ୍କା ୭୬ ପଇସାକୁ ବୃଦ୍ଧି ପାଇଛି ।

ଗତ ୨୦ ତାରିଖରେ CNG ଗ୍ୟାସ କିଲୋ ପିଛା ୩ ଟଙ୍କା ବୃଦ୍ଧି ପାଇଥିଲା । ଫଳରେ ୩ ସପ୍ତାହରେ ଦୁଇ ଥରରେ କିଲୋ ପିଛା ୪ ଟଙ୍କା ୭୪ ପଇସା ବୃଦ୍ଧି ପାଇଛି । ବର୍ତ୍ତମାନ ଡିଜେଲ ଓ CNG ଦର ପ୍ରାୟ ସମାନ ରହିଛି । ଡିଜେଲ ଲିଟର ପିଛା ୯୪ ଟଙ୍କା ୮୬ ପଇସା ଥିବା ବେଳେ CNG କିଲୋ ପିଛା ୯୪ ଟଙ୍କା ୭୬ ପଇସା ରହିଛି । ଗ୍ୟାସ ଦର ପୂର୍ବରୁ କମ୍ ଥିବା ଓ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଯାଇ ଅନେକ ନିଜ ଡିଜେଲ ଗାଡି ବଦଳରେ CNG ଗାଡି ଆପଣାଇଥିଲେ । ବର୍ତ୍ତମାନ ଉଭୟ ଡିଜେଲ ଓ CNG ଗ୍ୟାସ ଦର ସମାନ ହୋଇଯିବା ଫଳରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଅଟୋ ଚାଳକ । ଭଡା ବୃଦ୍ଧି ହେଉନଥିବା ବେଳେ ଇନ୍ଧନ ଦର ବୃଦ୍ଧି ଚିନ୍ତାର କାରଣ ହୋଇଛି ।

ବିଶ୍ବ ଦେଖିବ ବାୟୁସେନାର ପରାକାଷ୍ଠା, ଆଜି ୯୦ତମ ବାୟୁସେନା ଦିବସ

ଚଣ୍ଡିଗଡ଼: ଦମ୍ ଦେଖାଉଛି ଭାରତୀୟ ବାୟୁସେନା । ଆଜି ୯୦ ତମ ଏୟାରଫୋର୍ସ ଡେ’ । ଅତ୍ୟାଧୁନିକ ଯୁଦ୍ଧ ବିମାନରେ ଆକାଶରେ ବାୟୁସେନା ଦେଖାଉଛି ନାନା କୌଶଳ । ଏହାପୂର୍ବରୁ ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ସିଡିଏସ୍ ଜେନେରାଲ୍ ଅନିଲ ଚୌହାନ । ଏୟାରଫୋର୍ସ ଚିଫ୍ ଭି ଆର୍ ଚୌଧୁରୀ, ଆର୍ମି ଚିଫ୍ ଜେନେରାଲ ମନୋଜ ପାଣ୍ଡେ, ନୌସେନା ମୁଖ୍ୟ ଅଡମିରାଲ ଆର. ହରି କୁମାର ମଧ୍ୟ ଓ୍ବାର ମେମୋରିଆଲରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଏୟାରଫୋର୍ସ ଡେ’ ଉପଲକ୍ଷେ ହେଡକ୍ବାର୍ଟରରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଆଜି ଚଣ୍ଡିଗଡ଼ର ସୁଖନା ଲେକ ନିକଟରେ ଏୟାର ଶୋ’ରେ କମାଲ ଦେଖାଇଛନ୍ତି ବାୟୁବୀର ।

ସିଙ୍ଗିଲ ଓ୍ବିଣ୍ଡୋ କମିଟି ବୈଠକରେ ୧୦ଟି ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ବର: ସିଙ୍ଗିଲ ଓ୍ବିଣ୍ଡୋ କମିଟି ବୈଠକରେ ୧୦ଟି ପ୍ରକଳ୍ପକୁ ଅନୁମୋଦନ । ୧୯ଶହ ୨୩ କୋଟି ୬୦ଲକ୍ଷ ଟଙ୍କାର ପୁଞ୍ଜି ନିବେଶକୁ ମଂଜୁରୀ ମିଳିଛି । ପ୍ରକଳ୍ପ ପ୍ରତିଷ୍ଠା ହେଲେ ନିଯୁକ୍ତି ପାଇବେ ୫ହଜାର ୧୭୦ଜଣ । ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରହିଛି ଶକ୍ତି, ଅକ୍ଷୟ ଶକ୍ତି, ରସାୟନ, IT ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ତୈଳ, ଗ୍ୟାସ ଓ ବୟନଶିଳ୍ପ ।

ଲୁମିନସ ପାଓ୍ବାର ଟେକ୍ନୋଲୋଜି ଅନୁଗୁଳରେ ପ୍ରତିଷ୍ଠା କରିବ ଆଲୁମିନିୟମ ପାର୍କ । ଏଥିପାଇଁ ୪୮୧ କୋଟି ୯୬ ଲକ୍ଷ ଟଙ୍କା ନିବେଶ କରାଯିବ । ଏହାଦ୍ବାରା ୧ହଜାର ୧୫୬ ଜଣ ରୋଜଗାର ପାଇବେ । ସେହିପରି ପାରାଦୀପ ଶିଳ୍ପାଞ୍ଚଳରେ ୫୦୦ କୋଟି ଟଙ୍କା ନିବେଶରେ ରସାୟନ ପଦାର୍ଥ ଉତ୍ପାଦନ କରିବ ସାଇଲକ୍ସ ଇଣ୍ଡିଆ । ଏହାଦ୍ବାରା ୮୧୦ ଜଣ ନିଯୁକ୍ତି ପାଇବେ  । ସେହିପରି ଖୋର୍ଦ୍ଧା ଇନଫୋଭ୍ୟାଲି ଅଞ୍ଚଳରେ ୧୬୫ କୋଟି ୬୦ ଲକ୍ଷ ଟଙ୍କା ବିନିଯୋଗରେ ସଫ୍ଟଓୟାର ପ୍ରସ୍ତୁତି ଓ ସୁବିଧା କେନ୍ଦ୍ର କରିବ ହାପିଏଷ୍ଟ ମାଇଣ୍ଡସ ଟେକ୍ନୋଲୋଜି । ବାଲେଶ୍ବର ଶିଳାଞ୍ଚଳରେ ଆଇଏଫବି ଇଣ୍ଡଷ୍ଟିଜ୍ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପ କରିବ । ପୁରୀ ଓ କେନ୍ଦ୍ରାପଡ଼ାରେ ତୈଳ ଓ ଗ୍ୟାସ ଅନୁସନ୍ଧାନ କେନ୍ଦ୍ର ଏବଂ କେନ୍ଦୁଝରରେ ଷ୍ଟିଲ ଡାଉନଷ୍ଟ୍ରିମ ଶିଳ୍ପ ଭିତ୍ତିଭୂମି ପ୍ରତିଷ୍ଠା ହେବ । ଏସବୁ ପ୍ରକଳ୍ପ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟର ଆର୍ଥିକ ପ୍ରଗତିରେ ସହାୟକ ହେବ । ପ୍ରକଳ୍ପ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଆବଶ୍ୟକ ଜମି ଓ ଜଳର ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସହରାଞ୍ଚଳ ଗରିବଙ୍କୁ ଜାଗା ସହ ଘର କରିବାକୁ ମିଳିବ ୨ ଲକ୍ଷ

ଭୁବନେଶ୍ବର: ସହରାଞ୍ଚଳ ଭୂମିହୀନ ଆର୍ଥିକ ଅନଗ୍ରସରଙ୍କୁ ରାଜ୍ୟ ସରକାରଙ୍କ ଆଶୀର୍ବାଦ । ଏକସାଙ୍ଗେ ଜଣେ ହିତାଧିକାରୀଙ୍କୁ ମାଗଣା ଜମି ଅଧିକାର ସହିତ ଘର ନିର୍ମାଣ ପାଇଁ ମିଳିବ ଆର୍ଥିକ ସହାୟତା । ଯେଉଁଥିପାଇଁ ରାଜ୍ୟ ସରକାର ଜାଗା ମିଶନକୁ ଓଡ଼ିଶା ସହାରଞ୍ଚଳ ବାସଗୃହ ମିଶନ ସହ ଏକାଠି କରିବାକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ଏଭଳି ଅଭିନବ ପଦକ୍ଷେପକୁ ଜାତୀୟ ସ୍ତରରେ ପ୍ରଥମ  । ଯାହାକୁ କେନ୍ଦ୍ର ସ୍ବୀକୃତି ଦେଇଛି । ଯେଉଁଥିପାଇଁ ଆସନ୍ତା ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଗୁଜୁରାଟର ରାଜକୋଟରେ ହେବାକୁ ଅର୍ବାନ ହାଉସିଂ କନକ୍ଲେଭରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ପୁରସ୍କୃତ କରିବେ ।

ସହରାଞ୍ଚଳରେ ବସ୍ତିବାସିନ୍ଦା କିମ୍ବା ସରକାରୀ ଜମିରେ ରହିଥିବା ଆର୍ଥିକ ଅନଗ୍ରସର ଯେଉଁମାନଙ୍କର ବାର୍ଷିକ ଆୟ ୧ ଲକ୍ଷ ୮୦ ହଜାର ଟଙ୍କା ଭିତରେ ସୀମିତ ସେହିମାନେ ହିଁ ଏହାର ହିତାଧିକାରୀ ଭାବେ ଚିହ୍ନଟ ହୋଇଛନ୍ତି । ମହାନଗର ନିଗମକୁ ଛାଡ଼ି ଓଡ଼ିଶା ସରକାର ରାଜ୍ୟରେ ୧୧୫ଟି ପୌରାଞ୍ଚଳର ୨ ହଜାର ୯୧୯ଟି ବସ୍ତି ପାଇଁ ଜାଗା ମିଶନ ଯୋଜନା ଲାଗୁ କହିଛନ୍ତି । ଚିହ୍ଟଟ ହୋଇଛନ୍ତି ୧ ଲକ୍ଷ ୭୨ ହଜାର ୬୫୬ ପରିବାର । ଆପତ୍ତିବିହୀନ ଜମି ଦଖଲରେ ଥିବା ବସ୍ତିବାସିନ୍ଦାଙ୍କୁ ଜଣକ ପିଛା ୩୦ ବର୍ଗ ମିଟର ଜମି ପାଇଁ ମାଗଣା ଜମି ଅଧିକାର ପ୍ରମାଣପତ୍ର ବା ଲ୍ୟାଣ୍ଡ୍ ରାଇଟ୍ସ ସାର୍ଟିଫିକେଟ୍ ପ୍ରଦାନ କରାଯାଉଛି । ଏବେ ସୁଦ୍ଧା ୮୦ ହଜାର ୫୫୫ ଜଣ ହିତାଧିକାରୀଙ୍କୁ ସ୍ଥିତାବସ୍ଥା ଜମି ପଟ୍ଟା ପ୍ରଦାନ କରାଗଲାଣି ।

ସେହିପରି ଆପତ୍ତି ଥିବା ଜମିରେ ବାସଗୃହ କରି ରହିଥିବା ଗରିବଙ୍କୁ ଜମି ପାଇବା ଯୋଗ୍ୟ ପ୍ରମାଣ ପତ୍ର କିମ୍ବା ଲ୍ୟାଣ୍ଡ ଏନ୍ଟାଇଟଲମେଣ୍ଟ୍ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ଏପର୍ଯ୍ୟନ୍ତ ୯୨ ହଜାର ୧୦୧ ହିତାଧିକାରୀଙ୍କୁ ଏହି ସାର୍ଟିଫିକେଟ୍ ପାଇଲେଣି । ପିଏମ୍ ଆବାସ ଯୋଜନାରେ ଲାଗୁ ନେଇ ଯେଉଁ ରାଷ୍ଟ୍ରୀୟ ଦଳର କେନ୍ଦ୍ରୀୟ ନେତାମାନେ ରାଜ୍ୟ ସରକାରଙ୍କୁ ଯେପରି ସମାଲୋଚନା କରୁଥିଲେ, ସେମାନଙ୍କୁ ଏବେ କେନ୍ଦ୍ର ସରକାର ଉଚିତ ଜବାବ ଦେଇଛନ୍ତି ।

ଘରଟିଏ ନଥିଲା । ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ଗରିବଟିଏ ନିଜ ପାଇଁ ପକ୍କା ଘର କରିପାରିଛି । ଯେଉଁଥିପାଇଁ ଓଡ଼ିଶାର ୩ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଅର୍ବାନ୍ କନକ୍ଲେଭରେ ପୁରସ୍କୃତ କରିବେ । ହିତାଧିକାରୀମାନେ ଏଥିପାଇଁ ରାଜ୍ୟ ସରକାରଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ଧାମନଗର ବିଜ୍ଞପିତ ପରିଷଦର ବାଇନ ଜେନା, ଗଜପତି କାଶୀନଗର ବିଜ୍ଞପିତ ପରିଷଦର ପୋଲାକି ସଞ୍ଜୀବ ରାଓ ଏବଂ ଚୌଦ୍ବାର ମ୍ୟୁନିସିପାଲିଟିର ବାବନ ଖିଲାରଙ୍କୁ ଉତ୍ତମ ଗୃହ ନିର୍ମାଣ ପାଇଁ ପୁରସ୍କୃତ କରିବେ ପ୍ରଧାନମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ଏହି ପୁରସ୍କାର ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଉତ୍ସାହିତ କରିବ ।

ଜାଗା ମିଶନ ନିୟମ ଅନୁଯାୟୀ ଆର୍ଥିକ ଅନଗ୍ରସର ହୋଇନଥିବା ବର୍ଗର ହିତାଧିକାରୀ ସମ୍ପୃକ୍ତ ଜମିର ବେଞ୍ଚ ମାର୍କର ୫୦ ପ୍ରତିଶତ ଅର୍ଥ ଜମା କରିବେ । ଏହାସହିତ ମ୍ୟୁନିସିପାଲଟିରେ ଥିବା ଆର୍ଥିକ ଅନଗ୍ରସର ବ୍ୟକ୍ତି ୩୦ରୁ ୪୫ ବର୍ଗ ମିଟର ଜମି ପାଇଁ ୨୫ ପ୍ରତିଶତ ଅର୍ଥ ଜମା କରିବେ । ସେହିପରି ଏନ୍ଏସିରେ ୩୦ରୁ ୬୦ ବର୍ଗମିଟର ଜମି ଅଧିକାର ପାଇଁ ୨୫ ପ୍ରତିଶତ ଅର୍ଥ ଜମା କରିବାକୁ ପଡିବ । ଏବେ ସହାରଞ୍ଚଳ ବାସଗୃହ ମିଶନ ଓ ଜାଗା ମିଶନର ଏକତ୍ରୀକରଣ ଯୋଗୁଁ ଜମି ଓ ଘର ପାଇବା ଆହୁରି ସହଜ ହୋଇଯିବ ।

ମାଓବାଦୀ ମୁକାବିଲା ପାଇଁ ବାର୍ଷିକ ଯୋଜନା ଅନୁମୋଦିତ

ଭୁବନେଶ୍ବର: ଆତଙ୍କବାଦ ନିରୋଧି ଅପରେସନ ନେଇ ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ମାଓବାସୀ ମୁକାବିଲା ପାଇଁ ବାର୍ଷିକ ଯୋଜନା ଅନୁମୋଦିତ । ଜୀବନହାନୀ ଘଟିଥିବା ପରିବାର ଲାଗି ବଢିଲା କ୍ଷତିପୂରଣ ରାଶି ।  ୮୫ କୋଟି ୮୫ ଲକ୍ଷ ଟଙ୍କାର ବାର୍ଷିକ ଯୋଜନା ଅନୁମୋଦିତ । ଗତବର୍ଷ ଅପେକ୍ଷା ଚଳିତବର୍ଷ ଯୋଜନାରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି ।

ମୁଖ୍ୟଶାସନ ସଚିବଙ୍କ ଅଧୀନରେ ଥିବା ରାଜ୍ୟସ୍ତରୀୟ କମିଟିରେ ଅନୁମୋଦନ । ମାଓବାଦୀ ପ୍ରବଣ ଅଞ୍ଚଳରେ ଲୋକଙ୍କ ସହ ସମ୍ପର୍କ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଓ ଭାଗିଦାରୀ ମାଓବାଦ ଦୂର କରିବ । ମୃତକଙ୍କ ପରିବାର ପାଇଁ ସହାୟତା ରାଶି ୨ ଲକ୍ଷରୁ ୫ଲକ୍ଷକୁ ବୃଦ୍ଧି କରାଯାଇଛି । ସହୀଦଙ୍କ ପରିବାର ପାଇଁ ୨୦ଲକ୍ଷରୁ ୪୦ଲକ୍ଷକୁ ବୃଦ୍ଧି । ସଶସ୍ତ୍ରବାହିନୀଙ୍କୁ ମିଳିବ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ଥାନାରେ ଆଧୁନିକକରଣ ଓ କମ୍ୟୁନିଟି ପୋଲିସଙ୍କ ଉପରେ ଦିଆଯାଇଛି ଗୁରୁତ୍ୱ । ନକ୍ସଲ କ୍ୟାଡରଙ୍କ ପାଇଁ ଉପଯୁକ୍ତ ଥଇଥାନ ବ୍ୟବସ୍ଥା ହୋଇଛି ।