spot_img
Home Blog Page 3820

ଏବେ କମିବନି ବର୍ଷା, ଆହୁରି ବର୍ଷିବ

ଭୁବନେଶ୍ବର: ରାଜ୍ୟରେ ଏବେ କମିବନି ବର୍ଷା । ଆଜି ବଙ୍ଗୋପସାଗରରେ ଆଉ ଏକ  ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ୧୨ ତାରିଖ ଯାଏଁ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବିଶେଷକରି ଉପକୂଳ ସମେତ ଦକ୍ଷିଣ ଓଡ଼ିଶା ପ୍ରଭାବିତ ହେବ । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା ଏବଂ କଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ୨ ଦିନ ରାଜ୍ୟର କେତେକ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଧାମନଗର ଉପନିର୍ବାଚନ: ଖୋଲିଲା କଣ୍ଟ୍ରୋଲ ରୁମ୍

ଧାମନଗର: ଧାମନଗର ଉପନିର୍ବାଚନ ପାଇଁ ଖୋଲିଲା କଣ୍ଟ୍ରୋଲ ରୁମ୍ । ଆଦର୍ଶ ଆଚରଣ ବିଧି ଉଲଙ୍ଘନ ନେଇ ଅଭିଯୋଗ କରିପାରିବେ ଅଭିଯୋଗକାରୀ । ଉପନିର୍ବାଚନ ପାଇଁ କୌଣସି ଅଭିଯୋଗ ଥିଲେ କଣ୍ଟ୍ରୋଲ ରୁମକୁ ଦେଇପାରିବେ ଅଭିଯୋଗ । ଏଥିପାଇଁ 8480946823 ଓ ଟୋଲ ଫ୍ରି ନମ୍ବର 1950 ଜାରି କରିଛି ଜିଲ୍ଲା ପ୍ରଶାସନ । ସୁରକ୍ଷା ଦୃଷ୍ଟି ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରିଛି ପୋଲିସ ।

ଏପଟେ ନିର୍ବାଚନ ଦିନ ପାଖେଇ ଆସୁଥିବା ବେଳେ ଧାମନଗର ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି । ଗଡ଼ ଜିତିବାକୁ ତିନି ପ୍ରମୁଖ ରାଜେନୖତିକ ଦଳ ସେମାନଙ୍କ ସମରସଜ୍ଜା ଆରମ୍ଭ କରି ଦେଇଛନ୍ତି । ୧୪ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିବାରୁ ସବୁ ଦଳ ପ୍ରାର୍ଥୀ ଖୋଜିବାରେ ବ୍ୟସ୍ତ ରହିଛନ୍ତି । ଏଯାଏଁ କୌଣସି ଦଳ ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ବାଜି ଜିତିବା ପାଇଁ ଜୋରଦାର ରଣନୀତି ପ୍ରସ୍ତୁତ କରୁଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ।

ଧାମନଗରରେ ବିଜେଡି ବଡ଼ ବ୍ୟବଧାନରେ ବିଜୟ ଲାଭ ପାଇଁ ସମରସଜ୍ଜା ଆରମ୍ଭ କରିଛି । ବିଜେପି ଅନୁକମ୍ପା ଭୋଟ୍ ହାତେଇବା ପାଇଁ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅଙ୍କୁ ପ୍ରାର୍ଥୀ କରିବାକୁ ଏକରକମ ଚୂଡ଼ାନ୍ତ କରିଛି । ସେହିପରି କଂଗ୍ରେସର ବରିଷ୍ଠ ନେତା ଅନନ୍ତ ସେଠୀ ଧାମନଗର ଉପନିର୍ବାଚନ ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ନଭେମ୍ବର ୩ ତାରିଖରେ ହେବ ନିର୍ବାଚନ ।

ସୁଲତାନ ଅଫ୍ ଜୋହର କପରେ ତିନି ଓଡ଼ିଆ

ଭୁବନେଶ୍ବର: ସୁଲତାନ ଅଫ୍ ଜୋହର କପ୍ ମାଲେସିଆ ୨୦୨୨ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ଏଥିରେ ତିନି ଓଡ଼ିଆ ଖେଳାଳିଙ୍କୁ ମିଳିଛି ସ୍ଥାନ । ଏହି ତିନି ଖେଳାଳି ହେଲେ ସୁଦୀପ ଚିରମାକୋ, ଅମନଦୀପ ଲାକ୍ରା ଏବଂ ସିରିଲ୍‌ ଲୁଗୁନ । ୧୮ ଜଣିଆ ଭାରତୀୟ ଜୁନିୟର ହକି ଟିମରେ ଏମାନଙ୍କୁ ସ୍ଥାନ ମିଳିଛି । ଜୋହର ବାହରୁରେ ଅକ୍ଟୋବର ୨୨ରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ ।

୨୦୧୯ରେ ସିଲଭର ମେଡାଲରେ ଭାରତୀୟ ଟିମ୍ ଅଭିଯାନ ଶେଷ କରିଥିଲା । ଫାଇନାଲରେ ଗ୍ରେଟ ବ୍ରିଟେନଠାରୁ ଏକ ପ୍ରତିଦ୍ବନ୍ଦ୍ବିତା ପୂର୍ଣ୍ଣ ମ୍ୟାଚରେ ଭାରତୀୟ ଟିମକୁ ପରାଜିତ ହେବାକୁ ପଡ଼ିଥିଲା । ଚଳିତବର୍ଷ ଭାରତ ସମେତ ଅଷ୍ଟ୍ରେଲିଆ, ଜାପାନ, ଦକ୍ଷିଣ ଆଫ୍ରିକା, ଡିଫେଣ୍ଡି ଚାମ୍ପିୟନ ଗ୍ରେଟ ବ୍ରିଟେନ ଏବଂ ହୋଷ୍ଟ କଣ୍ଟ୍ରି ମାଲେସିଆ ଏଥିରେ ଅଂଶଗ୍ରହଣ କରୁଛନ୍ତି । କରୋନା କାରଣରୁ ଦୁଇବର୍ଷ ବ୍ୟବଧାନରେ ଟୁର୍ଣ୍ଣାମେଣ୍ଟ ହେବାକୁ ଯାଉଛି ।

ସ୍ବିଗି ବୟଙ୍କୁ ସାହା ହେଲା ଓଡ଼ିଶା ମୋ ପରିବାର

ଭୁବନେଶ୍ବର: ସ୍ବିଗି ବୟଙ୍କୁ ସାହା ହେଲା ଓଡ଼ିଶା ମୋ ପରିବାର । ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଉଦ୍ଧାର କରି କରାଇଲା ଚିକିତ୍ସା । ଜଗତସିଂହପୁର ପାଟେଣି ଗାଁର ୨୪ ବର୍ଷୀୟ ବୈକୁଣ୍ଠ ସାହୁ ବେଙ୍ଗାଲୁରୁରେ ରହି ସ୍ବିଗି କମ୍ପାନୀରେ କାମ କରୁଥିଲା । ଗତ ୨୧ ତାରିଖରେ ଖାଦ୍ୟ ନେଇ ଯାଉଥିବା ବେଳେ ଏକ ଗାଡି ତାଙ୍କୁ ଧକ୍କା ଦେଇଥିଲା । ସେ ଗଭୀର ଭାବେ ଆହତ ହୋଇଥିଲେ । କିଛି ଲୋକ ତାଙ୍କୁ ଉଦ୍ଧାର କରି ତାଙ୍କ ଘର ଲୋକଙ୍କ ସହ ଯୋଗାଯୋଗ କରିଥିଲେ । ପରିବାର ଲୋକେ ସାହାଯ୍ୟ ପାଇଁ ଓଡ଼ିଶା ମୋ ପରିବାର ଏନଆରଓ ଉପଦେଷ୍ଟା ସୁରେନ୍ଦ୍ରନାଥ ମହାପାତ୍ରଙ୍କୁ ଅନୁରୋଧ କରିଥିଲେ । ସେ ଓଡିଶା ମୋ ପରିବାର ଆବାହକଙ୍କୁ ଜଣାଇବା ପରେ ବେଙ୍ଗଲୁରୁ ନୋଡାଲ ଅଫିସର ତଥା ବରିଷ୍ଠ ସମାଜସେବୀ ପ୍ରଣବ ପାଣିଙ୍କ ସାହାଯ୍ୟରେ ବୈକୁଣ୍ଠଙ୍କୁ ନିକଟସ୍ଥ ସେଣ୍ଟ ଜୋନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତାଙ୍କ ସ୍ବାସ୍ଥ୍ୟରେ ପରିବର୍ତ୍ତନ ଆସିବା ପରେ ଘରକୁ ଫେରାଇ ଆଣିବାକୁ ପରିବାର ଲୋକ ଓଡ଼ିଶା ମୋ ପରିବାରକୁ ଅନୁରୋଧ କରିଥିଲେ । ଓଡ଼ିଶା ମୋ ପରିବାର ପକ୍ଷରୁ କମ୍ପାନୀ ମାଲିକଙ୍କ ସହ ଯୋଗାଯୋଗ କରାଯାଇ ବୈକୁଣ୍ଠଙ୍କୁ ଭୁବନେଶ୍ବର ଅଣାଯାଇଥିଲା । ସେ ଭୁବନେଶ୍ବର ପହଞ୍ଚିବା ପରେ ଓଡ଼ିଶା ମୋ ପରିବାରର ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତ ରାୟଙ୍କ ସମେତ, ଏନଆରଓ ଉପଦେଷ୍ଟା ସୁରେନ୍ଦ୍ରନାଥ ଏବଂ ଓଡ଼ିଶା ମୋ ପରିବାରର ଟିମ୍ ରେଳ ଷ୍ଟେସନରୁ ତାଙ୍କୁ ଘରକୁ ଫେରାଇବା ପାଇଁ ସମସ୍ତ ସହାୟତା ଯୋଗାଇ ଦେଇଥିଲେ । ଏନେଇ ଓଡ଼ିଶା ମୋ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି ବୈକୁଣ୍ଠଙ୍କ ପରିବାର ।

ଖୋଲୁଛି ଅର୍ଚ୍ଚନାର ସେକ୍ସ ସିଣ୍ଡିକେଟ ଗୁମାର

ଭୁବନେଶ୍ବର:  ମାୟାବିନୀ ଅର୍ଚ୍ଚନା ନାଗର ଖୋଲୁଛି ମିଠା ଫାଶର ଗୁମର । ସାମ୍ନାକୁ ଆସିଲା ବ୍ଲାକମେଲ କାହାଣୀର ବ୍ଲୁ କୁଇନ ଡିଲ୍ ଭିଡିଓ । ହନିଟ୍ରାପ ପରେ ହାଇପ୍ରୋଫାଇଲ ହୋଟେଲରେ ହେଉଥିଲା ମନିଟ୍ରାପ । ଜବତ ମୋବାଇଲ, ହାର୍ଡଡିସ୍କ ଓ ପେନ ଡ୍ରାଇଭ ଖୋଲିବ କୁହୁକିନୀ କୁହକ ପେଢି ।

କିଏ ଫସିବ ଜାଲରେ । ବଡ଼ବଡିଆଙ୍କ ଲୋକଙ୍କ ତାଲିକା ବନାଉଥିଲେ ଅର୍ଚ୍ଚନା ଆଣ୍ଡ କୋ । ସୋସିଆଲ୍ ମିଡିଆଠାରୁ ଆରମ୍ଭ କରି ହ୍ବାଟସଆପ୍ । ବିଛାଉଥିଲେ ଜାଲ । ମିଠା ମିଠା କଥା କହି ମାୟାବିନୀ ଯୋଡୁଥିଲେ ସଂପର୍କ । ଆଉ ତା’ପରେ ସତ୍ୟ ବିହାରର ଏହି ଆଲିସାନ୍ କୋଠାକୁ ନିମନ୍ତ୍ରଣ ଦେଉଥିଲେ ଅର୍ଚ୍ଚନା । ଥରେ ପହଞ୍ଚିଗଲେ କଥା ସରିଲା ।  ହିଡେନ୍ କ୍ୟାମେରାରେ କଏଦ ହେଉଥିଲା ବଡବଡିଆଙ୍କ ହେଟ୍ ଷ୍ଟୋରୀ । ଆଉ ଏହା ପରେ ଆରମ୍ଭ ହେଉଥିଲା ବ୍ଲାକମେଲିଂର ଏପିସୋଡ୍ । କେତେବେଳେ ଭିଡିଓ ଦେଖାଇ ତ କେତେବେଳେ ପୀଡିତାଙ୍କୁ ସାଙ୍ଗରେ ନେଇ ଅର୍ଚ୍ଚନା କରୁଛନ୍ତି ମୂଲ୍ ଚାଲ୍ ।

ଫେସବୁକରେ ଫ୍ରେଣ୍ଡସିପ୍, ମେସେଞ୍ଜର ଲଗାଉଥିଲେ ମାୟା । ଯିଏ ଉତ୍ତର ଦେଲା ସେ ଫସିଲା । ରାଜି ହେଲେ ଏ ଚାଟ୍ ହିଁ ବାଟ କଢାଇ ଆଣୁଥିଲା ସତ୍ୟନଗର ଉଆସର ସେହି ବେଡରୁମ୍କୁ । ଆଉ ଥରେ ଆସିଲେ କୋଟି କୋଟିର ବେପାର ।

ସେକ୍ସ ରାକେଟର ଏହି କୁଇନକୁ ରିମାଣ୍ଡରେ ଆଣି ପୋଲିସ ପଚରାଉଚରା କରିପାରେ । ଟେଣ୍ଡର, ବଦଳି ଓ ଚାକିରି ଦେବା ନାଁରେ ମୋଟା ଅଙ୍କର ଚୂନ ଲଗାଇଥିବା ଲୋକଙ୍କୁ କରାଯିବ କି ଜେରା ? ମୋବାଇଲ, ହାର୍ଡଡିସ୍କ, ପେନ ଡ୍ରାଇଭ ଓ ଲାପଟପକୁ ନେଇ ତନାଘନା କରୁଛି ପୋଲିସ । ହାର୍ଡଡିକ୍ସରେ ଅଶୀଳ୍ଳ ଭିଡିଓ ଥିବା ପୋଲିସ ସନ୍ଦେହ କରିଛି । ତେଣୁ ଏବେ ବି ଅର୍ଚ୍ଚନାଙ୍କ ଅନେକ କଥା ଅନ୍ଧାରରେ ରହିଛି ।

ଅର୍ଚ୍ଚନାଙ୍କ କଳା ଟଙ୍କାରେ ଅୟସ କରୁଥିଲା ସ୍ୱାମୀ ଜଗବନ୍ଧୁ

ଅର୍ଚ୍ଚନା ଦେହ ବିକି ଆଣୁଥିବା ଟଙ୍କାରେ ସ୍ବାମୀ ଜଗବନ୍ଧୁ କରୁଥିଲା ଅୟସ । ଘରେ ରଖିଥିଲା ୩ ଲକ୍ଷ ଟଙ୍କାର ଆମେରିକାନ ମକାଓ ଚଢ଼େଇ । ସତ୍ୟବିହାର ଘରେ ଅଛନ୍ତି ୪ ଲକ୍ଷ ଟଙ୍କା ମୁଲ୍ୟର ବିଦେଶୀ କୁକୁର । ମୁଡ ବନେଇବା ପାଇଁ ଦାମୀ ବ୍ରାଣ୍ଡର ମଦ ପିଉଥିଲା ଜଗବନ୍ଧୁ । ରୂପା ଗ୍ଲାସରେ ପିଉଥିଲା ଫରେନ ଲିକର । ହାତରେ ପିନ୍ଧୁଥିଲା ୨ ଲକ୍ଷ ଟଙ୍କାର ଘଣ୍ଟା । ସ୍ତ୍ରୀର ପଲଙ୍କ ସେବା ଟଙ୍କାରେ ସ୍ୱାମୀ କରୁଥିଲା ଅୟସ ।

ପୁରୀ ଭୁବନେଶ୍ୱର ବାଇପାସରେ ଥିବା ପୁରୁଣା ଗାଡି ଶୋରୁମରେ ଲାଗିଛି କଳା ଟଙ୍କା  । ୧୦ ପ୍ରତିଶତ ସୁଧରେ କୋଟି କୋଟି ଟଙ୍କା ଖଟାଇଛି ଜଗବନ୍ଧୁ । ପୂରା ସିଣ୍ଡିକେଟ ପଛରେ ଅଛନ୍ତି ଜଗବନ୍ଧୁର ୪ ସାଙ୍ଗ ଓ ଭାଇ । ଫାର୍ମ ହାଉସରେ ଚାଲୁଥିଲା ବିଜନେସ  ଡିଲ୍ । ଭୁବନେଶ୍ୱର ଉପକଣ୍ଠ ଏକ ବାଲିଘାଟରେ ଲାଗିଛି ଟଙ୍କା । ଅର୍ଚ୍ଚନାଠୁ ଜବତ ଡାଏରୀରେ ସାଙ୍ଘାତିକ ତଥ୍ୟର ହୋଇଛି ଖୁଲାସା । ଖୁବଶୀଘ୍ର ରିମାଣ୍ଡରେ ଆଣି ସତ ଓଗାରିବ କମିଶନରେଟ ପୋଲିସ ।

ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି, ଶିବସେନାର ଧନୁ ଓ ତୀର ଚିହ୍ନକୁ ଅଚଳ

ମୁମ୍ବାଇ: ଧନୁ ଓ ତୀର ଚିହ୍ନକୁ ନେଇ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଲାଗିଥିବା ବିବାଦରେ ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି । ପରବର୍ତ୍ତି ଆଦେଶ ନଆସିବା ପର୍ଯ୍ୟନ୍ତ ଶିବସେନାକୁ ଧନୁ ଓ ତୀର ଚିହ୍ନ ବ୍ୟବହାର ଉପରେ ଲଗାଇଲେ ପ୍ରତିବନ୍ଧକ । ଅର୍ଥାତ ନଭେମ୍ବର ୩ ତାରିଖରେ ପୂର୍ବ ଅନ୍ଧେରୀ ଉପ ନିର୍ବାଚନରେ ଉଦ୍ଧବ ଠାକରେ କି ସିନ୍ଦେ ଗୋଷ୍ଠୀ କେହି ବି ଶିବସେନାର ଧନୁ ଓ ତୀର ଚିହ୍ନ ବ୍ୟବହାର କରିପାରିବେ ନାହିଁ । ଏହାସହ ୧୦ ଅକ୍ଟୋବର ଅପରାହ୍ଣ ଗୋଟାଏ ସୁଦ୍ଧା ଦୁଇ ଗୋଷ୍ଠୀଙ୍କୁ ନିଜ ନିଜର ନିର୍ବାଚନୀ ଚିହ୍ନ ଆୟୋଗ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଦୁଇ ଗୋଷ୍ଠୀଙ୍କୁ ସେନା ଶବ୍ଦର ବ୍ୟବହାର ପାଇଁ ନିର୍ବାଚନ ଆୟୋଗ ଅନୁମତି ଦେଇଛନ୍ତି । ଏବେ ଦୁଇ ଗୋଷ୍ଠୀଙ୍କୁ ନିର୍ବାଚନ ଆୟୋଗଙ୍କ ନିକଟରେ ନାମ ଓ ଚିହ୍ନ ନେଇ ପ୍ରାଥମିକତା ସ୍ତରରେ ୩ଟି ବିକଳ୍ପ ଦେବାକୁ ପଡ଼ିବ ।

କଟକରେ ଏସିଡ ମାଡ଼

କଟକ: ଚାନ୍ଦିନୀଚୌକ ଅଞ୍ଚଳରେ ଦିନ ଦ୍ବିପ୍ରହରରେ ଏସିଡ୍ ମାଡ଼ । ଏଥିରେ ଦୁଇଜଣ ଆହତ ହୋଇଛନ୍ତି । ଆହତ ଦୁଇଜଣ ହେଲେ ସତ୍ୟବାନ ସାହୁ ଓ ସୌମ୍ୟ ନାୟକ । ସତ୍ୟବାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ବେଳେ ବନ୍ଧୁ ସୌମ୍ୟ ସାମାନ୍ୟ ଆହତ ହୋଇଛନ୍ତି ।

ଅଭିଯୋଗ ଅନୁସାରେ, ଚାନ୍ଦିନୀଚୌକ ଅଞ୍ଚଳର ନବୀନା ଦୀର୍ଘଦିନ ହେଲା ସତ୍ୟବାନଙ୍କୁ ହଇରାଣ ହରକତ କରିବା ସହ ଫୋନରେ ମଧ୍ୟ ଗାଳିଗୁଳଜ କରେ । ଆଜି ସତ୍ୟବାନଙ୍କ ଭଉଣୀଙ୍କୁ କଲ କରି ଅଭଦ୍ର ଭାଷାରେ ଗାଳି ଗୁଲଜ କରିଥିଲା । ନବୀନାଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ଉତକ୍ଷିପ୍ତ ହୋଇ ସତ୍ୟବାନ ଓ ସୌମ୍ୟଙ୍କ ଉପରକୁ ଏସିଡ ମାଡ କରିଥିଲା । ଘଟଣାସ୍ଥଳରୁ ହିନ୍ଦୁ ସେନା ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଦୁହିଁଙ୍କୁ ସିଟି ହସ୍ପିଟାଲକୁ ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନନ୍ତର କରାଯାଇଛି । ତେବେ ସତ୍ୟବାନଙ୍କ ଶରୀରର ଅନେକ ଭାଗ ପୋଡ଼ି ଯାଇଥିବା କହିଛନ୍ତି ଡାକ୍ତର । ଆକ୍ରମଣରେ ବ୍ୟବହୃତ ଏସିଡ୍ ବଣିଆ ଦୋକାନରେ ସୁନା ରୁପା କାମରେ ବ୍ୟବହୃତ ହେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ମଣିଷ ଖିଆ ବାଘକୁ ଗୁଳି

ପାଟନା: ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲା ବଗାହରେ ଆତଙ୍କ ଖେଳାଉଥିବା ଏକ ବାଘକୁ ଆଜି ଗୁଳି କରି ହତ୍ୟା କରାଯାଇଛି । ଜାତୀୟ ବାଘ ସଂରକ୍ଷଣ ପ୍ରାଧିକରଣ ବାଘକୁ ଗୁଳି କରିବା ପାଇଁ ଅନୁମତି ଦେବା ପରେ ବାଘ ଶିକାର କରାଯାଇଛି । ବାଘଟି ସେହି ଅଞ୍ଚଳରେ ଭୟଙ୍କର ଆତଙ୍କ କରୁଥିଲା । ବାଘର ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ହୋଇସାରିଛି ।

ଗତ ଶନିବାର ବାଘର ଆକ୍ରମଣରେ ଜଣେ ମହିଳା ଓ ତାଙ୍କ ୧୦ ବର୍ଷର ପୁଅର ମୃତ୍ୟୁ ହୋଇଥିଲା । ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । ଲୋକ ଥାନାରେ ପଶି ପୋଲିସ ଅଫିସରଙ୍କୁ ମାଡ଼ ମାରିଥିଲେ । ବାଘ ଆକ୍ରମଣରୁ ରକ୍ଷା କରିବା ପାଇଁ ଜାଲ ମଧ୍ୟ ଲଗାଯାଇଥିଲା । ସବୁ ପରେ ବି ବାଘର ଉତ୍ପାତ ଏତେ ବଢିଯାଇଥିଲା ଯେ ଲୋକେ ଅତିଷ୍ଟ ହୋଇ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଶେଷରେ ବାଘଟିକୁ ଗୁଳି ହତ୍ୟା କରାଯାଇଛି ।

ଷ୍ଟୁର୍ଟଗାର୍ଟ ବିଶ୍ବ ଦକ୍ଷତା ପ୍ରତିଯୋଗିତା ଶେଷ

ଜର୍ମାନୀ: ସରିଲା ଜର୍ମାନୀ ଏଡିସନ । ଷ୍ଟୁର୍ଟଗାର୍ଟରେ ଚାଲିଥିବା ଚାରି ଦିନିଆ ୫୫ତମ ବିଶ୍ବ ଦକ୍ଷତା ପ୍ରତିଯୋଗିତା ସଫଳତାର ସହ ଶେଷ ହୋଇଛି । ପ୍ରତିଯୋଗୀ ନିଜ ନିଜର ଟାସ୍କ ଶେଷ କରିଥିବାରୁ ନିଜ ପ୍ରଶିକ୍ଷକଙ୍କ ସହ ଉତ୍ସବ ମନାଇଛନ୍ତି । ଫଳଫଳ ଘୋଷଣା ହୋଇନି, କିନ୍ତୁ ସମସ୍ତେ ମେଡାଲ ପାଇବାକୁ ଆଶାବାଦୀ । ବିଶ୍ବସ୍ତରରେ ନିଜ ନିଜ ଦେଶକୁ ପ୍ରତିନିଧିତ୍ବ କରୁଥିବାରୁ ପ୍ରତିଯୋଗୀ ବେଶ ଉତ୍ସାହିତ । ବିଶ୍ବସ୍ତରରେ ଏଭଳି ପ୍ରତିଯୋଗିତା ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ଓ ଆତ୍ମନିଯୁକ୍ତିର ଭରପୁର ସୁଯୋଗ ସୃଷ୍ଟି କରୁଛି ବୋଲି ଦେଇଛନ୍ତି ମତ ।

ସକସେସ୍ ପରେ ଚାଲିଛି ସେଲିବ୍ରେସନ । ଥମ୍ବସ ଅପ ଭିକ୍ଟ୍ରି ଭିତରେ ସାମ୍ଫେନରେ ଚିୟର ଅପ୍  । ସିଙ୍ଗଲ ଫ୍ରେମରେ ସବୁ ପ୍ରତିଯୋଗୀଙ୍କ ଫେୟାରୱେଲ ଫଟୋ ।  ନିଜ ନିଜର ଟାସ୍କ ସଫଳତାର ସହ ଶେଷ କରିଛନ୍ତି ସବୁ ପ୍ରତିଯୋଗୀ । ସବୁଠୁ ବଡ କଥା ହେଉଛି ଧୀରେ ଧୀରେ ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ମହିଳାଙ୍କ ଯୋଗଦାନ ବଢିବାରେ ଲାଗିଛି । ୨୦୧୯ ତୁଳନାରେ ଚଳିତବର୍ଷ ବିଭିନ୍ନ ପ୍ରତିଯୋଗିତାରେ ମହିଳାଙ୍କ ସଂଖ୍ୟା ପ୍ରାୟ ୫୦ ପ୍ରତିଶତ । ବିଶ୍ବ ଦରବାରରେ ନିଜର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ମିଳିଥିବାରୁ ଉତ୍ସାହୀ ପ୍ରତିଯୋଗୀ ।

ବିଶ୍ବସ୍ତରରେ ଆୟୋଜିତ ହେଉଥିବା ଏଭଳି ପ୍ରତିଯୋଗିତା ଦକ୍ଷ ମାନବସମ୍ବଳ ସୃଷ୍ଟି କରୁଛି । ସାରା ବିଶ୍ବରେ ଏବେ ସ୍କିଲ ୱାର୍କର୍ସଙ୍କ ଅଭାବ ରହିଛି । ବିଶ୍ବ ଦକ୍ଷତା ପ୍ରତିଯୋଗିତା ଏହି ଅଭାବକୁ ପୂରଣ କରୁଥିବା ବେଳେ ଯୁବଗୋଷ୍ଠୀଙ୍କ ପାଇଁ ବ୍ୟାପକ ସମ୍ଭାବନା ସୃଷ୍ଟି କରୁଛି ।

ଜର୍ମାନରେ ପ୍ରତିଯୋଗିତା ଶେଷ ହୋଇଛି । ଆଗକୁ ସ୍ବିଜରଲାଣ୍ଡ, ସିଙ୍ଗାପୁର, ଫ୍ରାନ୍ସ, ସ୍ବିଡେନ ଭଳି ଦେଶରେ ପ୍ରିଣ୍ଟିଂ ଟେକ୍ନୋଲୋଜି, ଜୁଏଲାରୀ, ବେକେରୀ, ରେଫ୍ରିଜିରେସନ ଓ ଏୟାର କଣ୍ଡିସନିଂ, ଡିଜିଟାଲ ଗେମ, ସାଇବର ସିକ୍ୟୁରିଟି, ଆଇଟି ନେଟୱର୍କ, ରିନ୍ୟୁଏବୁଲ ଏନର୍ଜି, ରୋବର୍ଟ ଇଣ୍ଟିଗ୍ରେନ ଆଦି ପ୍ରତିଯୋଗିତା ହେବ ।

ଏଣିକି ତୁରନ୍ତ ଜମି ରେକର୍ଡରେ ହେବ ସଂଶୋଧନ

ଭୁବନେଶ୍ବର/କଟକ/ଯାଜପୁର: ବର୍ଷ ବର୍ଷ ଧରି ଜମି ରେକର୍ଡ ସଂଶୋଧନ ହେଉନି । ମୃତ ବ୍ୟକ୍ତିର ଉତ୍ତରାଧିକାରୀଙ୍କ ନାମ ଜମି ପଟ୍ଟାରେ ଦରଜ ହେଉନି । ଫଳରେ ବିଭିନ୍ନ ସରକାରୀ ଯୋଜନା ସୁଫଳ ଅସଲ ହିତାଧିକାରୀ ପାଇ ପାରୁନାହାନ୍ତି । ଓଡ଼ିଶା ଭୂ-ସଂସ୍କାର ଆଇନ ଅନୁଯାୟୀ ଏଣିକି ତୁରନ୍ତ ରେକର୍ଡ ସଂଶୋଧନ କରାଯିବ । ରାଜସ୍ବ ବିଭାଗ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିବା ପରେ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ । କ୍ୟାମ୍ପ କୋର୍ଟ କରି ନିଜ ଆଡୁ ଦୈନିକ ୨୦୦ଟି ମାମଲା ଫଇସଲା କରିବାକୁ ନେଇଛି ନିଷ୍ପତ୍ତି ।

ବାପାଙ୍କ ସ୍ବର୍ଗବାସ ହେଲାଣି । ହେଲେ ବାପାଙ୍କ ନାମରେ ଥିବା ଜମି ପଟ୍ଟା ପୃଥକୀକରଣ ହୋଇପାରିନି । ଜମିର ପଟ୍ଟାରେ ଏକାଧିକ ଜମି ମାଲିକଙ୍କ ନାମ ଦରଜ ଥିବାରୁ ଭାଗବଣ୍ଟା ହୋଇପାରୁନି । ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ଅସଲ ଉତ୍ତରାଧିକାରୀ । ଓଡ଼ିଶା ଭୂ-ସଂସ୍କାର ଆଇନ ୧୯୬୦ର ଧାରା ୧୯ ଉପଧାରା ୧ସି ଅନୁଯାୟୀ ସାବକ ପଟ୍ଟାର ହାଲ୍ ମାଲିକ କିଏ ତାହା ଜାଣି ହେଉନାହିଁ । ପଟ୍ଟା ନଥିବାରୁ ମିଳୁନି ରାସନକାର୍ଡ, ବ୍ୟାଙ୍କ ଋଣ, କୃଷି ଇନପୁଟ ସବସିଡି ସମେତ ବିଭିନ୍ନ ସରକାରୀ ଯୋଜନାର ସହାୟତା । ଏପରିକି ପିଏମ୍ କିଷାନ ସହାୟତା ପ୍ରଦାନରେ ବି ଅସୁବିଧା ହେଉଛି । ଖୁବଶୀଘ୍ର ରେକର୍ଡ ସଂଶୋଧନ କରି ପ୍ରକୃତି ହିତାଧିକାରୀଙ୍କ ନାମରେ ଜମି ପଟ୍ଟା ଦେବା ସହିତ ରେକର୍ଡ ସଂଶୋଧନ କରି ଅପଡେଟ୍ କରିବାକୁ ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ପରେ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ ଓ ତହସିଲଦାର । କ୍ୟାମ୍ପ କୋର୍ଟ କରି ଦୈନିକ ୨୦୦ଟି ମାମଲା ଫଇସଲା କରିବାକୁ ନିଷ୍ପତ୍ତି ନିଆଯାଇଛି ।

ରାଜସ୍ବ ବିଭାଗରୁ ନିର୍ଦ୍ଦେଶ ଆସିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ରେକର୍ଡ ସଂଶୋଧନ କରିବାକୁ ସମସ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୧୯୬୦ ଓ ୧୯୯୦ରେ ଶେଷଥର ପାଇଁ ଭୂ-ବନ୍ଦୋବସ୍ତ ହୋଇଥିଲା । ତା’ପରଠୁ ଆଉ ବନ୍ଦୋବସ୍ତ ହୋଇନାହିଁ । ଯଦି ଏପରି କିଛି ବେ ବନ୍ଦୋବସ୍ତ ଜମି ଥିବା ତାକୁ ମଧ୍ୟ ଆଇନ ଅନୁଯାୟୀ ସମାଧାନ କରାଯିବ । ଏହା ସହିତ ଓଡ଼ିଶା ସର୍ଭେ ଓ ବନ୍ଦୋବସ୍ତ ଅଧିନିୟମ ୧୯୬୨ର ଧାରା ୩୪ ଆଧାରରେ ନିଜ ଆଡୁ ତହସିଲଦାର ଓ ରାଜସ୍ବ ନିରୀକ୍ଷକମାନେ ଜମି ରେକର୍ଡ ସଂଶୋଧନ କରି ଅପଡେଟ୍ କରିବେ ।

ଜମି ପଟ୍ଟା ସଂଶୋଧନ ପାଇଁ ଗାଁ ଗାଁରେ ଲୋକଙ୍କୁ ସଚେତନ କରିବା ପାଇଁ ରାଜସ୍ବ ରଥ ବୁଲିବ । ଏହା ସହିତ ଏହି ରେକର୍ଡ ସଂଶୋଧନ କାର୍ଯ୍ୟ କିପରି ତ୍ବରାନ୍ବିତ ହେବ ସେଥିପାଇଁ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳମାନେ ବି କ୍ୟାମ୍ପ କୋର୍ଟ କରି ତଦାରଖ କରିବେ ।