spot_img
Home Blog Page 3711

ମିଛ ଖବର ପ୍ରସାରଣ କରି ବିବାଦରେ ‘ଓଡିଶା ରିପୋର୍ଟର’, ନୋଟିସ ପଠାଇଲେ ମନ୍ତ୍ରୀଙ୍କ ଓକିଲ

ଭୁବନେଶ୍ବର: ମହଙ୍ଗା ପଡ଼ିଲା ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ବଦନାମ କରିବା ପାଇଁ ଅସତ୍ୟ ଓ ଉଦ୍ଦେଶ୍ୟ ପ୍ରଣୋଦିତ ଖବର ପରିବେଷଣ । ଏହି ଧରଣର ଅସତ୍ୟ ଖବର ପ୍ରସାରିତ କରିଥିବା ଓଡ଼ିଶା ରିପୋର୍ଟର ଓ୍ବେବ ଚ୍ୟାନେଲ ସମ୍ପାଦକଙ୍କୁ ୭ ଦିନ ଭିତରେ ନିଃସର୍ତ୍ତ କ୍ଷମା ମାଗି ସ୍ପଷ୍ଟୀକରଣ ଦେବା ପାଇଁ ମନ୍ତ୍ରୀଙ୍କ ଓକିଲ ନୋଟିସ ପଠାଇଛନ୍ତି ।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଫଟୋ ସହିତ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଫଟୋ ଲଗାଇ ଓଡ଼ିଶା ରିପୋର୍ଟର ଓ୍ବେବ ଚ୍ୟାନେଲ ଗତ ଅକ୍ଟୋବର ୧୨ ତାରିଖରେ ଏକ କଦର୍ଥ ଖବର ପ୍ରସାରଣ କରିଥିଲା । ଏଭଳି ଖବରର ସତ୍ୟାସତ୍ୟ ଅନୁସନ୍ଧାନ ନକରି ଜଣେ ସୁପ୍ରତିଷ୍ଠିତ ଜନପ୍ରତିନିଧି ଓ କ୍ୟାବିନେଟ ମନ୍ତ୍ରୀଙ୍କୁ ଲୋକଲୋଚନରେ ବଦନାମ କରିବା ପାଇଁ କପୋଳକଳ୍ପିତ ଖବର ପ୍ରସାରଣ କରାଯାଇଛି । ଏହା ଆଇନ ବିରୁଦ୍ଧ । ଇଣ୍ଡିଆନ ଏକ୍ସପ୍ରେସ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟର ବିରୁଦ୍ଧାଚରଣ କରୁଛି ।

ଏହାସହିତ ପ୍ରେସ କାଉନସିଲ ଅଫ ଇଣ୍ଡିଆ ଆଇନର ଧାରା ୭୮ ଓ ଅଧିନିୟମ ୭୯ ଅନୁଯାୟୀ ସଂପୃକ୍ତ ଓ୍ବେବ ଚ୍ୟାନେଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ମନ୍ତ୍ରୀଙ୍କ ଓକିଲ ସ୍ପଷ୍ଟ କରିଛନ୍ତି ଯେ, ଆସନ୍ତା ୭ଦିନ ଭିତରେ ଓଡ଼ିଶା ରିପୋର୍ଟର ଓ୍ବେବ ଚ୍ୟାନେଲ ଏଭଳି କଦର୍ଥ ସମ୍ବାଦ ପରିବେଷଣ ନେଇ ଯଦି ନିଃସର୍ତ୍ତ କ୍ଷମା ନମାଗେ ଓ ସ୍ପଷ୍ଟୀକରଣ ନଦିଏ, ତେବେ ଓଡ଼ିଶା ରିପୋର୍ଟର ଓ୍ବେବ ଚ୍ୟାନେଲ ବିରୁଦ୍ଧରେ କୋର୍ଟ ଓ ପ୍ରେସ କାଉନସିଲ ଇଣ୍ଡିଆରେ ମାମଲା ଦାୟର କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରାଯିବ ।

ଆୟକର ଫାଙ୍କିଛନ୍ତି ଭିଭୋ କମ୍ପାନୀର ଓଡିଶା ମୁଖ୍ୟ, ଇଡି ଦେଲା ନୋଟିସ୍‌

ଭୁବନେଶ୍ବର: ଚାଇନିଜ ମୋବାଇଲ କମ୍ପାନୀ ଭିଭୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଓଡ଼ିଶା ମୁଖ୍ୟ ଏ.ଡି ଚେନଙ୍କୁ ଇଡି ନୋଟିସ । ଆୟକର ଫାଙ୍କିବା ଅଭିଯୋଗରେ ହାଜର ହେବାକୁ ଚେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ ଜାରି କରିଛି । ଭିଭୋ କମ୍ପାନୀ ଆୟକର ଫାଙ୍କିବା ଅଭିଯୋଗରେ ଗତ ଜୁଲାଇରେ ଦେଶର ପ୍ରାୟ ୪୫ ସ୍ଥାନରେ ରେଡ୍‌ ହୋଇଥିଲା ।

ଜାଲ କାଗଜପତ୍ର ଯୋଗେ ଦେଶରେ ବ୍ୟବସାୟ ଚଳାଇଥିଲା କମ୍ପାନୀ । ଭିଭୋ କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଚେନ୍‌ ଜଗତସିଂହପୁର ଜିଲ୍ଲାର ଜଣେ ମହିଳାଙ୍କୁ ପ୍ରେମ ବିବାହ କରିଛନ୍ତି । ହଂସପାଳରେ ତାଙ୍କର ଏକ ଫ୍ଲାଟ ମଧ୍ୟ ରହିଛି ।

ମନି ଲଣ୍ଡରିଂ ମାମଲାରେ ଏଡି ଚେନଙ୍କ ବିରୋଧରେ ଏକାଧିକ ପ୍ରମାଣ ମିଳିଥିବା ବେଳେ ତାଙ୍କୁ ହାଜର ହେବାକୁ ଇଡି ନୋଟିସ ଜାରି କରିଛି ।

ଆମେରିକା ରାଷ୍ଟ୍ରପତି ରେସ୍‌ରେ ଡୋନାଲ୍ଡ ଟ୍ରମ୍ପ, ରିପବ୍ଲିକାନରୁ ଲଢିବେ

ୱାଶିଂଟନ: ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବେ ରିପବ୍ଳିକାନ ନେତା ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରିପବ୍ଳିକାନ ପାର୍ଟିର ଆଶାତୀତ ବିଜୟ ପରେ ଏହି ଘୋଷଣା କରିଛନ୍ତି ଟ୍ରମ୍ପ ।

୨୦୨୪ ନିର୍ବାଚନ ଲାଗି ସମସ୍ତ ପ୍ରକ୍ରିୟା ବି ଶେଷ କରିଛନ୍ତି ଟ୍ରମ୍ପ । ୭୬ ବର୍ଷ ବୟସ୍କ ଟ୍ରମ୍ପ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା ପରେ ରାଜନୈତିକ ଶିବିର ଚଳଚଞ୍ଚଳ ହୋଇଛି । ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୂର୍ବରୁ ରାଷ୍ଟ୍ରପତି ଥିଲେ ଟ୍ରମ୍ପ ।

ଜଣେ ବିଜନେସ ଟାଇକୁନ ଓ ରିଆଲିଟି ଟିଭି ଷ୍ଟାର ଭାବେ ଖ୍ୟାତି ଅର୍ଜନ କରିଥିବା ଟ୍ରମ୍ପ କିଛି ମାସ ଧରି ଅଡୁଆରେ ପଡିଛନ୍ତି । ହ୍ବାଇଟହାଉସରୁ ଗୁରୁତ୍ବପୂର୍ଣ୍ଣ ଫାଇଲପତ୍ର ନିଜ ବାସଭବନକୁ ନେଇଯାଇଥିବା ଅଭିଯୋଗ ହେବା ପରେ ଏହାର ତଦନ୍ତ ଜାରି ରହିଛି ।

ପୋଲାଣ୍ଡରେ ହିଟ୍‌ କଲା ଋଷ କ୍ଷେପଣାସ୍ତ୍ର, ତାତିଲା ନାଟୋ

କିଭ୍‌: ଘନେଇଲା ଋଷ ଉପରେ ନାଟୋ ସଦସ୍ୟଙ୍କ ଆକ୍ରମଣ ଆଶଙ୍କା । ଯୁଦ୍ଧ ଆରମ୍ଭରୁ ପ୍ରଥମ ଥର ଲାଗି ଋଷୀୟ କ୍ଷେପଣାସ୍ତ୍ର ହିଟ୍ କଲା ନାଟୋ ସଦସ୍ୟ ରାଷ୍ଟ୍ରରେ । ଋଷର କ୍ଷେପଣାସ୍ତ୍ର ମାଡରେ ପୋଲାଣ୍ଡର ଦୁଇ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ କ୍ଷୁବ୍ଧ ହୋଇଛି ନାଟୋ । ସେପଟେ ଗ୍ରୁପ-20 ବୈଠକରେ ଯୋଗ ଦେଇଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବାଲି ସମ୍ମିଳନୀ ସ୍ଥଳରେ ଗ୍ରୁପ-7 ଓ ନାଟୋ ସଦସ୍ୟଙ୍କ ଏକ ଜରୁରୀ ବୈଠକରେ ଏନେଇ ସ୍ଥିତି ସମୀକ୍ଷା କରିଛନ୍ତି ।

ୟୁକ୍ରେନ ସୀମା ନିକଟ ପୋଲାଣ୍ଡର ପ୍ରେଜୋଦୋରେ କ୍ଷେପଣାସ୍ତ୍ର ପଡିବା କାରଣରୁ ବିସ୍ଫୋରଣ ଘଟିଥିବା ଅଭିଯୋଗ କରିଛି ନାଟୋ । ଆମେରିକାର କିଛି ବରିଷ୍ଠ ଗୁଇନ୍ଦା ଅଧିକାରୀ ମଧ୍ୟ କ୍ଷେପଣାସ୍ତ୍ର ମାଡ ନେଇ ଋଷକୁ ଦାୟୀ କରିଛନ୍ତି । ସେପଟେ କୌଣସି କ୍ଷେପଣାସ୍ତ୍ର ପୋଲାଣ୍ଡ ସୀମା ଅତିକ୍ରମ କରିନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛି ଋଷ ପ୍ରତିରକ୍ଷା ମନ୍ତ୍ରାଳୟ । କ୍ଷେପଣାସ୍ତ୍ର ଆକ୍ରମଣ ପରେ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ମାତେସୁ ମୋରଓ୍ବିକି ଜରୁରୀ ଜାତୀୟ ନିରାପତ୍ତା ଓ ପ୍ରତିରକ୍ଷା ବ୍ୟାପାର କମିଟି ବୈଠକ ଡାକି ସ୍ଥିତି ସମୀକ୍ଷା କରିଛନ୍ତି ।

କ୍ଷେପଣାସ୍ତ୍ର ପ୍ରୟୋଗକୁ ମଧ୍ୟ ବିରୋଧ କରିଛନ୍ତି ଲାଟଭିଆ ଉପପ୍ରଧାନମନ୍ତ୍ରୀ ଆର୍ତିସ ପାବ୍ରିକସ୍ । ଆକ୍ରମଣର ପ୍ରକୃତ କାରଣ ସମ୍ପର୍କରେ ଅଧିକ ସୂଚନା ଲାଗି ନାଟୋ ସଦସ୍ୟ ନରଓ୍ବେ, ଲିଥୁଆନିଆ ଓ ଏସ୍ତୋନିଆ ବୈଠକରେ ଉପନୀତ ହୋଇଛନ୍ତି । ଲିଥୁଆନିଆ ରାଷ୍ଟ୍ରପତି ଗୀତନାସ ନୌସେଦା କହିଛନ୍ତି ନାଟୋର ପ୍ରତିଟି ସୀମାର ସୁରକ୍ଷା ଦିଗରେ ପଦକ୍ଷେପ ନିଆଯିବ । ଏସ୍ତୋନିଆ ବି କହିଛି, ନାଟୋ ଶକ୍ତି ମିଳିତ ଭାବେ ଏନେଇ ନିଷ୍ପତ୍ତି ନେବେ । ଗତକାଲି ୟୁକ୍ରେନର ଲିବିବ୍ ଓ ତେର୍ଣ୍ଣୋପିଲ୍ ସମେତ ଅନ୍ୟ କେତେକ ସୀମାନ୍ତ ସହରରେ ଋଷର ମିସାଇଲ ବର୍ଷା ହୋଇଥିବା ନେଇ କିଭ୍‌ ଅଭିଯୋଗ କରିଛି ।

ସେପଟେ ଋଷର ଜୋରଦାର ମିସାଇଲ ଷ୍ଟ୍ରାଇକରେ ୟୁକ୍ରେନର ଶକ୍ତି ଭିତ୍ତିଭୂମି ଗଭୀର କ୍ଷତିଗ୍ରସ୍ତ ହୋଇଛି । ଧ୍ବଂସ ହୋଇଛି ଅନେକ ଗ୍ରୀଡ । ପ୍ରାୟ ୭୦ ଲକ୍ଷ ଘର ଅନ୍ଧାରରେ ରହିଥିବା ସୂଚନା ମିଳିଛି । ଏପରିକି ୟୁକ୍ରେନ ପଡୋଶୀ ମୋଲଡୋଭାର ବି ଲକ୍ଷାଧିକ ଘରକୁ ବିଦ୍ୟୁତ ବିଚ୍ଛିନ୍ନ ହୋଇଛି । ଖେରସନରୁ ଋଷ ସୈନ୍ୟ ପ୍ରତ୍ୟାହାର ଏବଂ ଗ୍ରୁପ-20 ସମ୍ମିଳନୀ ଚାଲିଥିବାବେଳେ ଏହି ହାମଲା ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି ।

ବଢୁଛି ଶୀତ, ୨୦ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଛି ଶୀତର ପ୍ରକୋପ । କୁହୁଡ଼ ସହିତ ଧିରେ ଧିରେ ଶୀତ ବଢିବାରେ ଲାଗିଛି । ରାଜ୍ୟର ପ୍ରାୟ ୨୦ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହୁଛି । କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ଭାବେ ପରିଣତ ହୋଇଛି । ରାତିର ସର୍ବନିମ୍ନ ତାପମାତ୍ରା ୭ ଦଶମିକ ୨ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି ।

ଆଗାମୀ ୩ରୁ ୪ ଦିନ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ । ଆସନ୍ତା ୩ଦିନ ମଧ୍ୟରେ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା । ଫଳରେ ରାତିରେ ଶୀତ ଅନୁଭୂତ ହେବ । ସର୍ବନିମ୍ନ ତାପମାତ୍ରା ବୌଦ୍ଧ ଓ ଫୁଲବାଣୀ ଠାରେ ୧୩.୫ ଡିଗ୍ରୀ ରେକର୍ଡ ହୋଇଛି ।

ସେହିଭଳି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଯାହାର ପ୍ରଭାବ ରାଜ୍ୟରେ କେତେ ରହିବ ତା ଉପରେ ପାଣିପାଗ ବିଭାଗର ନଜର ରହିଛି । ହେଲେ ଆସନ୍ତା ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଶୀତ ବଢିବ ବୋଲି ପାଣିପାଗ କେନ୍ଦ୍ର କହିଛି।

ଆଜି ପୁଣି ଆମେରିକାର ମିଶନ ମୁନ୍‌, ମହାକାଶଚାରୀଙ୍କ ପୂର୍ବରୁ ଲଞ୍ଚ୍‌ କରିବ ରକେଟ୍‌

ୱାଶିଂଟନ: ଦୁଇ ଦୁଇ ଥର ଉଦ୍ୟମ ବିଫଳ ପରେ ଆଜି ପୁଣି ହେବ ଆମେରିକାର ମିଶନ ମୁନ୍ । ଚନ୍ଦ୍ରକୁ ମହାକାଶଚାରୀ ପଠାଇବାକୁ ନାସାର ବଡ଼ ପ୍ରୟାସ । ମହାକାଶଚାରୀଙ୍କ ଯାତ୍ରା ପୂର୍ବରୁ ଆଜି ଲଞ୍ଚ୍‌ ହେବ ରକେଟ । ମୁନ୍ ମିଶନ ସିରିଜରେ ଏହା ନାସାର ପ୍ରଥମ ଟେଷ୍ଟ ରନ୍ । ଚନ୍ଦ୍ରକୁ ନାସା ପଠାଇବ ରକେଟ ଆର୍ଟେମିସ-1 । ଦୀର୍ଘବର୍ଷ ଧରି ଆର୍ଟେମିସ ଓ୍ବାନ ମିଶନକୁ ସଫଳ କରିବା ପାଇଁ ନାସାର ପ୍ରୟାସ ଆଜି ପୂରଣ ହେବାକୁ ଯାଉଛି । କେନେଡିସ୍ ଲଞ୍ଚପ୍ୟାଡରୁ ଏହି ସ୍ପେସ ଲଞ୍ଚ ସିଷ୍ଟମ ଉତକ୍ଷେପଣ କରାଯିବ । ବିଶ୍ବର ସବୁଠୁ ଶକ୍ତିଶାଳୀ ଏହି ରକେଟରେ କେହି ମନୁଷ୍ୟ ଯିବେ ନାହିଁ ।

ଦୁଇ ଘଣ୍ଟା ଲଞ୍ଚ ୱିଣ୍ଡୋ ସମୟରେ ଲଞ୍ଚପ୍ୟାଡରୁ ଏହି ଆର୍ଟେମିସ-1 ସ୍ପେସ୍ ଲଞ୍ଚ ସିଷ୍ଟମ୍ ଉତକ୍ଷେପଣ ହେବ । ଦୁନିଆର ସବୁଠାରୁ ଶକ୍ତିଶାଳୀ ରକେଟ୍ ଚନ୍ଦ୍ର ପୃଷ୍ଠରେ ୪୨ ଦିନିଆ ଯାତ୍ରା କରି ଫେରିଆସିବ । ୪୨ଦିନର ଯାତ୍ରାରେ ଏହି ସ୍ପେସ ଲଞ୍ଚ ସିଷ୍ଟମ ୧୬ଲକ୍ଷରୁ ଊର୍ଦ୍ଧ୍ବ କିଲୋମିଟର କକ୍ଷପଥରେ ଭ୍ରମଣ କରିବ । ନାସାର ଏହି ମହାକାଶଯାନ ଚନ୍ଦ୍ର ପାର୍ଶ୍ୱରୁ ପ୍ରାୟ ୪୦ ହଜାର ମାଇଲ ଦୂରରେ ଯାତ୍ରା କରିବ ।

ଅକ୍ଟୋବରରେ ପ୍ରଶାନ୍ତ ମହାସାଗରରେ ଏହି ସ୍ପେସ ଲଞ୍ଚ ସିଷ୍ଟମ ଖସିଯିବ ବୋଲି ଆଶା କରାଯାଉଛି । ଏହି ମିଶନ ସଫଳ ହେଲେ ମହାକାଶଚାରୀଙ୍କୁ ପଠାଯିବ । ଆପୋଲୋ ମିସନର 50 ବର୍ଷ ପରେ ଚନ୍ଦ୍ରକୁ ମନୁଷ୍ୟ ପଠାଇବା ପାଇଁ ପ୍ରୟାସ କରୁଛି ଆମେରିକା । ଏହି ସ୍ପେଶକ୍ରାଫ୍ଟ ୩୨୨ ଫୁଟ୍ ଲମ୍ବା ଏବଂ ୨ ହଜାର ୬୦୦ ଟନ୍ ଓଜନ । ଏହା କେବଳ ଆମେରିକା ପାଇଁ ନୁହେଁ, ସାରା ବିଶ୍ବ ପାଇଁ ଏକ ନୂଆ ଅନୁଭୂତି ଆଣିବ । ୧୯୭୨ ପରେ ପ୍ରଥମ ଥର ପାଇଁ ଚନ୍ଦ୍ର ପୃଷ୍ଠରେ ମନୁଷ୍ୟ ପାଦ ଥାପିବାକୁ ଉଦ୍ୟମ ହେଉଛି । ପୂର୍ବରୁ ଦୁଇ ଦୁଇ ଥର ଉଦ୍ୟମ ହୋଇଥିଲେ ବି ଯାନ୍ତ୍ରୀକ ତୃଟି ଯୋଗୁଁ ମିଶନ ଫେଲ ମାରିଥିଲା ।

କ୍ୟାପିଟାଲ ହସ୍ପିଟାଲରେ 5T ସଚିବ, ସ୍ବାସ୍ଥ୍ୟ ଭିତ୍ତିଭୂମିର କଲେ ସମୀକ୍ଷା

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ 5T ସଚିବ ଭିକେ ପଣ୍ଡିଆନ୍ । ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶର ସମୀକ୍ଷା କରିଛନ୍ତି 5T ସଚିବ । ଟ୍ରମାକେୟାର, ପିଜି ଗ୍ରାଜୁଏଟ୍, ମେଡିକାଲ କଲେଜ, ସର୍ଜରୀ ବ୍ଲକ, ଜୁନିଅର ହଷ୍ଟେଲ ସହ ବରିଷ୍ଠ ଡାକ୍ତରଙ୍କ କ୍ବାର୍ଟର ଭିତ୍ତିଭୂମିର ବିକାଶ କାମ କେତେ ବାଟ ଆଗେଇଛି, ତାର ସମୀକ୍ଷା କରିଛନ୍ତି ।

ସମୀକ୍ଷା ବେଳେ ସ୍ବାସ୍ଥ୍ୟ ବିଭାଗର ସଚିବ ଶାଳୀନ ପଣ୍ଡିତ, ସଚିବ ବୀର ବ୍ରିକମ ଯାଦବ, ସ୍ବାସ୍ଥ୍ୟ ବିଭାଗର ନିର୍ଦେଶକ ବିଜୟ ମହାପାତ୍ର ସମେତ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ବି ଉପସ୍ଥିତ ଥିଲେ । ହସ୍ପିଟାଲ ପରିସରରେ ହେଉଥିବା ନିର୍ମାଣଧିନ କାମ ବୁଲିବା ସହ ବହୁ ସମୟ ଧରି ଆଲୋଚନା କରିଛନ୍ତି । ସମୀକ୍ଷା ବେଳେ ସ୍ବାସ୍ଥ୍ୟ ବିଭାଗ ସଚିବ ଶାଳୀନୀ ପଣ୍ଡିତ, ସଚିବ ବୀର ବ୍ରିକମ ଯାଦବ, ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସମେତ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ବି ଉପସ୍ଥିତ ଥିଲେ ।

ହସ୍ପିଟାଲ ପରିସରରେ ହେଉଥିବା ନିର୍ମାଣାଧୀନ କାର୍ଯ୍ୟସ୍ଥଳ ବୁଲିବା ସହ ବହୁ ସମୟ ଧରି ଆଲୋଚନା କରିଥିଲେ । ଆସନ୍ତା ୨୦୨୩ ମସିହା ସୁଦ୍ଧା ନିର୍ମାଣ କାମ ଶେଷ ହେବ । କ୍ୟାପିଟାଲ ହସ୍ପିଟାଲର ପରିସରରେ ୮୦ କୋଟି ଟଙ୍କାରେ ତିଆରି ହେଉଥିବା ଟ୍ରମାକେୟାର ନିର୍ମାଣସ୍ଥଳ ସହ 280 କୋଟି ଟଙ୍କାରେ ତିଆରି ହେଉଥିବା ପିଜିଆଇ ବ୍ଲକ କାମ ବୁଲି ଦେଇଥିଲେ 5T ସଚିବ ।

ପ୍ରତିବର୍ଷ ଏହି ପିଜି କମ୍ପ୍ଲେକ୍ସରେ ନାମଲେଖା ହେବ ବୋଲି ସୂଚନା ଦେଇଛନ୍ତି କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ ।

ଗ୍ରାହକ ନେଉଛନ୍ତି ଅଧିକ ଋଣ, ଚିନ୍ତା ପ୍ରକଟ କଲା ଆରବିଆଇ

0

ଭୁବନେଶ୍ବର: ବ୍ୟାଙ୍କରେ କମୁଛି ସେଭିଂ । ବଢୁଛି ଋଣ ଦେବା ହାର । ଗ୍ରାହକ ନିଜ ଆକାଉଣ୍ଟରେ ଆଉ ପୂର୍ବପରି ସେଭିଂ କରୁନାହାନ୍ତି । ବରଂ ଲୋନ ପାଇଁ ବ୍ୟାଙ୍କରେ ଲମ୍ବା ଲାଇନ ଲଗାଉଛନ୍ତି । ଘରୋଇ ବ୍ୟାଙ୍କରେ ସ୍ଲୋ ଡିପୋଜିଟ୍ ଗ୍ରୋଥ ହେଉଥିବାରୁ ଚିନ୍ତା ପ୍ରକଟ କରିଛି ଆରବିଆଇ । ଏହାକୁ ନେଇ ଆଜି ଘରୋଇ ବ୍ୟାଙ୍କର ସିଇଓଙ୍କ ସହ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ।

ଆରବିଆଇର ରେକର୍ଡ ଅନୁସାରେ ବ୍ୟାଙ୍କରେ ସଞ୍ଚୟ ରାଶି ବାର୍ଷିକ ୧୦.୨ ପ୍ରତିଶତ ଆଧାର ଅଭିବୃଦ୍ଧି ତୁଳନାରେ ଚଳିତ ବର୍ଷ ୯.୬ ପ୍ରତିଶତ ରହିଛି । ଏପଟେ ଋଣ ନେବା ପାଇଁ ଲୋକଙ୍କ ଆଗ୍ରହ ବଢୁଛି । ପ୍ରତିବର୍ଷ ୬.୫ ପ୍ରତିଶତ ଆଧାର ତୁଳନାରେ ଏବେ ଋଣନେବା ହାର ୧୭.୯ ପ୍ରତିଶତ ବଢିଛି । ଆଜି ହେବାକୁ ଥିବା ବୈଠକରେ ସଞ୍ଚୟ ହାରକୁ ସ୍ଥିର ରଖିବା ପାଇଁ ଆଲୋଚନା ହେବ ।

ଏଥିସହ ଏମଏସଏମଇ କ୍ଷେତ୍ରରେ ଅଭିବୃଦ୍ଧି ନେଇ ବିଚାରବିମର୍ଷ ହେବ । ଏତଦବ୍ୟତିତ ଡିଜିଟାଲ ବ୍ୟାଙ୍କିଙ୍ଗର ସଫଳତା ନେଇ ଆଲୋଚନା ହେବ । ଦେଶରେ ଆର୍ଥିକ ସ୍ଥିତିକୁ ମଜଭୁତ କରିବାକୁ ହେଲେ ବ୍ୟାଙ୍କିଙ୍ଗ ପ୍ରଣାଳୀକୁ କିପରି ମଜଭୁତ କରିହେବ ସେନେଇ ଆଲୋଚନା କରାଯିବ ।

ଆଜି ପ୍ରଥମା ଅଷ୍ଟମୀ, ମହାପ୍ରଭୁଙ୍କ ମାମୁଁଘରୁ ଆସିଲା ପୋଢୁଆଁ ଭାର

0

ପୁରୀ: ଆଜି ପ୍ରଥମା ଅଷ୍ଟମୀ । ମାର୍ଗଶୀର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ । ପରିବାରର ଜ୍ୟେଷ୍ଠ ସନ୍ତାନର ଦୀର୍ଘାୟୁ କାମନା କରି ଷଷ୍ଠୀ ଦେବୀଙ୍କ ପୂଜା କରାଯିବ । ଘରେ ଘରେ ଏଣ୍ଡୁରି ପିଠା ଓ ଆରିସା ପିଠା କରି ଷଷ୍ଠୀ ଦେବୀଙ୍କ ନିକଟରେ ସମର୍ପଣ କରି ପୋଢୁଆଙ୍କ ଶୁଭ ମନାସାଯିବ । ସେପେଟ ଶ୍ରୀମନ୍ଦିରରେ ବି ପୋଢୁଆଁ ହେବେ ମହାପ୍ରଭୁ ।

ଏଥିପାଇଁ ଗତକାଲି ମହାପ୍ରଭୁଙ୍କ ମାମୁଁଘର କଟକ ନିଆଳି ଶ୍ରୀମାଧବନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର । ଭାରରେ ରହିଛି ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଇତ୍ୟାଦି । ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ମଧ୍ୟ ଆସିଛି । ଶ୍ରୀମନ୍ଦିରରେ ଭୋଗମଣ୍ଡପ ସରିବା ପରେ ୩ ବାଡରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ବାରା ମହାସ୍ନାନ ନୀତି ଅନୁଷ୍ଠିତ ହେବ । ଏହାପରେ ପାଳିଆ ପୁଷ୍ପାଳକଙ୍କ ଦ୍ବାରା ଶ୍ରୀବିଗ୍ରହମାନଙ୍କୁ ନୂଆବସ୍ତ୍ର ଲାଗି କରାଯିବାର ପରମ୍ପରା ରହିଛି ।

ରେକର୍ଡ ସୃଷ୍ଟି କଲା ’ମୋ ସ୍କୁଲ ଅଭିଯାନ’, ୫ ବର୍ଷରେ ୫୦ ହଜାର ସ୍କୁଲ ଅନ୍ତର୍ଭୁକ୍ତ

ଭୁବନେଶ୍ୱର: ପୁରତାନ ଛାତ୍ରଛାତ୍ରୀ ସେମାନେ ପଢ଼ିଥିବା ବିଦ୍ୟାଳୟ ସହ ସମ୍ପୃକ୍ତି କରି ରାଜ୍ୟରେ ଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୦୧୭ ନଭେମ୍ବର ୧୪ ତାରିଖ ଶିଶୁ ଦିବସରେ ଆରମ୍ଭ ହୋଇଥିବା ’ମୋ ସ୍କୁଲ ଅଭିଯାନ’ ଇତିମଧ୍ୟରେ ୫ ବର୍ଷ ପୂର୍ତ୍ତି କରିଛି । ମାତ୍ର ୫ ବର୍ଷ ମଧ୍ୟରେ ରାଜ୍ୟରେ ୫୦ ହଜାର ବିଦ୍ୟାଳୟରେ ପହଞ୍ଚି ’ମୋ ସ୍କୁଲ’ ବିଶ୍ୱର ଅନ୍ୟତମ ସର୍ବବୃହତ ପୁରାତନ ଛାତ୍ରଛାତ୍ରୀ ସଂଯୋଗ କାର୍ଯ୍ୟକ୍ରମରେ ପରିଣତ ହେବାର ରେକର୍ଡ ସୃଷ୍ଟି କରିଛି । ଏଥିସହ ୨୦୨୨ ଶେଷ ସୁଦ୍ଧା ରାଜ୍ୟର ୫୦ ହଜାର ବିଦ୍ୟାଳୟରେ ପହଞ୍ଚିବାର ଲକ୍ଷ୍ୟକୁ ହାସଲ କରିଛି ’ମୋ ସ୍କୁଲ’ । ଓଡ଼ିଶାର ସରକାରୀ ଓ ସରାକରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ିଥିବା ୩୦ ଲକ୍ଷରୁ ଉର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ନିଜ ସ୍କୁଲ୍ ସହ ଯୋଡ଼ିହୋଇ ତାହାର ସର୍ବାଙ୍ଗୀନ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ମାତ୍ର ସ୍ୱଳ୍ପ ସମୟ ମଧ୍ୟରେ ଅଭିଯାନରୁ ଏକ ଆନ୍ଦୋଳନରେ ପରିଣତ ହୋଇଥିବା ’ମୋ ସ୍କୁଲ ଅଭିଯାନ’ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ସହ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶ, କ୍ରୀଡା, କଳା, ସଂସ୍କୃତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ପ୍ରତିଭା ପ୍ରଦର୍ଶନ ପାଇଁ ପିଲାମାନଙ୍କୁ ଉତ୍ସାହିତ କରୁଛି ।

’ମୋ ସ୍କୁଲ’ ସହ ଯୋଡ଼ି ହୋଇଥିବା ପୁରାତନ ଛାତ୍ରଛାତ୍ରୀ, ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏବଂ ସାଧାରଣ ଜନତା ସ୍କୁଲଗୁଡ଼ିକର ବିକାଶ ପାଇଁ କେବଳ ଆର୍ଥିକ ସହାୟତା ଯୋଗାଇ ଦେଇନାହାନ୍ତି, ପିଲାମାନଙ୍କୁ ପଢ଼ାଇବା , କ୍ରୀଡା ଓ ଶିକ୍ଷା ଉପକରଣ ଆଦି ଦାନ କରିବା, ସ୍କୁଲର ବିଭିନ୍ନ କାର୍ଯ୍ୟରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ସହଯୋଗ କରିବା ସହ ନିଜ ଅଭିଜ୍ଞତା ଓ ଅନୁଭୂତି ବାଣ୍ଟୁଛନ୍ତି । ରାଜ୍ୟରେ ପ୍ରତି ଦୁଇଜଣରେ ଜଣେ ପିଲା ଏହାଦ୍ୱାରା ଉପକୃତ ହୋଇଛନ୍ତି । ’ମୋ ସ୍କୁଲ ଅଭିଯାନ’ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବା ୪୫ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବାରେ ସଫଳ ହୋଇଛି ।

’ମୋ ସ୍କୁଲ’ ଅଭିଯାନ ମାଧ୍ୟମରେ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ସ୍କୁଲଗୁଡ଼ିକରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯାଉଛି । ଯାହାମଧ୍ୟରେ ଶ୍ରେଣୀଗୃହ ନିର୍ମାଣ, ନବୀକରଣ, ସ୍ମାର୍ଟ କ୍ଲାସରୁମ, ପାଠାଗାର, ପାନୀୟଜଳ ଓ ଶୌଚାଳୟ ବ୍ୟବସ୍ଥା, ସୌନ୍ଦର୍ଯ୍ୟକରଣ ଏବଂ ସ୍କୁଲ ପାରିପାର୍ଶ୍ୱିକ ପରିବେଶର ବିକାଶ ଆଦି ରହିଛି । ଏହା ସହ ସ୍କୁଲ ଗୁଡ଼ିକରେ ଡିଜିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜାତୀୟ ଓ ଅନ୍ତର୍ଜାତୀୟ ସଂଗଠନ ସହ ମିଳିତ ଭାବରେ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀଙ୍କର ଦକ୍ଷତା ବିକାଶ ଦିଗରେ ମଧ୍ୟ ’ମୋ ସ୍କୁଲ’ କାର୍ଯ୍ୟକରୁଛି ।