ବଜେଟ୍ ୨୦୨୩-୨୪: ଟ୍ୟାକ୍ସରୁ ମିଳିବ ଆଶ୍ୱସ୍ତୀ ନା ମଧ୍ୟବିତ୍ତଙ୍କ ଉପରେ ବଢିବ ବୋଝ

1 min read

ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ ୨୦୨୩-୨୪ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟର ରୂପରେଖକୁ ନେଇ ଚାଲିଛି କଳ୍ପନାଜଳ୍ପନା। କେଉଁ କ୍ଷେତ୍ରକୁ ମିଳିବ ପ୍ରୋତ୍ସାହନ  । ମଧ୍ୟବିତ ପରିବାର ଉପରେ ବଢିବ କି ଚାପ । କରଦାତାଙ୍କ ପାଇଁ କଣ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା  । ଏହା ଉପରେ ରହିଛି ଦେଶବାସୀଙ୍କ ନଜର ।

ସୂଚନା ଅନୁଯାୟୀ, ଦିନ ୧୧ଟାରୁ ବଜେଟ୍ ଆରମ୍ଭ ହେବାକୁ ଯାଉଛି। ଚଳିତ ଥର ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଯେଉଁଥିରେ ବେସିକ୍ ଡିଡକ୍ସନ ଲିମିଟ୍ ବଢାଇବା, ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ, 80C ଓ 80D ଭଳି ଡିଡକ୍ସନରେ ପରିବର୍ତ୍ତନ। ବଜେଟରେ ଅର୍ଥମନ୍ତ୍ରୀ ଟିକସଦାତାଙ୍କୁ ଧାରା ୮୦ ସି ଅଧୀନରେ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ସୁବିଧା ପ୍ରଦାନ କରିପାରନ୍ତି । ଏପରିକି ଆୟକର ଲାଗୁ ସୀମା ଅଢେଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି, ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ୫୦ ହଜାର ଟଙ୍କା ପରିବର୍ତ୍ତେ ୧ ଲକ୍ଷ ଟଙ୍କା କରିବା ଏବଂ ସର୍ବୋଚ୍ଚ ଟିକସ ହାରକୁ  ୩୦% ପରିବର୍ତ୍ତେ ୨୫%କୁ ହ୍ରାସ ନେଇ ଆଶା କରାଯାଉଛି ।

ବେକାରୀ ସମସ୍ୟା, ଅର୍ଥନୀତିରେ ମାନ୍ଦାବସ୍ତା ମଧ୍ୟରେ ଆସୁଥିବା ଏହି ବଜେଟ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଗତ କିଛି ବର୍ଷ ଧରି ବଜେଟରେ ମଧ୍ୟବିତ୍ତଙ୍କ ପାଇଁ କିଛି ଠୋସ ନିଷ୍ପତ୍ତି ନିଆଯାଇନାହିଁ । ଏଥର ବଜେଟରେ ସରକାର କିଛି ବୋଲ୍ଡ ପଦକ୍ଷେପ ନେବେ ବୋଲି ପ୍ରି –ବଜେଟ ସର୍ଭେ ରିପୋର୍ଟରେ ମତ ଦେଇଥିଲେ ଏକ୍ସପର୍ଟ ।