ଧାନବାଦର ଆଶୀର୍ବାଦ ଟାୱାରରେ ଭୀଷଣ ଅଗ୍ନିକାଣ୍ଡ, ୧୪ ମୃତ

ରାଞ୍ଚି: ଝାଡ଼ଖଣ୍ଡର ଧାନବାଦରେ ଏକ ୧୦ ମହଲା ବିଶିଷ୍ଟ କୋଠାରେ ଭୀଷଣ ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡରେ ଅନେକ ଲୋକ ମୃତ୍ୟୁବରଣ କରିଥିବା ବେଳେ ଆହତ ହୋଇଥିବାର ସୂଚନା । କୁହାଯାଉଛି ଯେ ଧନବାଦ ସ୍ଥିତ ଆଶୀର୍ବାଦ ଟାୱାରରେ ନିଆଁ ଲାଗିଛି । ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ସୁଦ୍ଧା ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ସେହିପରି ଅନେକ ଲୋକ ଏବେ ବି ବିଲ୍ଡିଂରେ ଫସି ରହିଛନ୍ତି । ନିଆଁ ଲାଗିଥିବାର ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛି । ପୋଲିସ କର୍ମଚାରୀ ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି ।  ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରାଯାଉଛି ।

ମୃତ୍ୟୁବରଣ କରିଥିବା ଲୋକମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଥିବା କୁହାଯାଉଛି । ଦୁଇ ମହିଳା ଏବଂ ୫ ବର୍ଷର ଶିଶୁ ମଧ୍ୟ ଏଥିରେ ମୃତ୍ୟୁବରଣ କରିଥିବା ସୂଚନା । ତେବେ ମୃତକଙ୍କ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି । କାରଣ ଏବେ ବି ବିଲ୍ଡିଂରେ ଅନେକ ଲୋକ ଫସି ରହିଛନ୍ତି । କୋଠାର ତଳ ଭାଗରେ ନିଆଁ ଲାଗିଛି, ଯାହାକି ଉପର କୋଠାକୁ ଧୀରେ ଧୀରେ ବ୍ୟାପୁଛି । ତେବେ ଏପର୍ଯ୍ୟନ୍ତ ସୁଦ୍ଧା ୨୫ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୧୦ ମହଲା ବିଶିଷ୍ଟ ଆଶୀର୍ବାଦ ଟାୱାରରେ ଭୀଷଣ ନିଆଁ କାରଣରୁ ଧାଁଦୌଡ ସ୍ଥିତି ରହିଛି । ନିଆଁ ବ୍ୟାପିଯିବା କାରଣରୁ ଦମକଳ ବାହିନୀକୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଛି ।

ଗ୍ୟାସ୍ ସିଲିଣ୍ଡର ଫାଟିବା କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ୨୦ରୁ ଅଧିକ ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମଙ୍ଗଳବାର ସନ୍ଧ୍ୟା ସାଢେ ୬ଟାରେ ଏହି ନିଆଁ ତୃତୀୟ ମହଲାରେ ଲାଗିଥିଲା । ଦେଖୁ ଦେଖୁ ଗୋଟିଏ ଫ୍ଲାଟରୁ ଅନ୍ୟ ଫ୍ଲାଟ ଏବଂ ପୁଣି ୫ମ ଫ୍ଲୋର ପର୍ଯ୍ୟନ୍ତ ନିଆଁ ବ୍ୟାପିଯାଇଥିଲା । ନିଆଁର ଭୟାବହ ଏତେ ତୀବ୍ର ଥିଲା ଯେ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ଶବ ଗୁଡ଼ିକର ଚିହ୍ନଟ ହୋଇପାରିନାହିଁ । ଆପାର୍ଟମେଣ୍ଟର ଅଧିକତମ ଫ୍ଲାଟ ଖାଲି କରି ଦିଆଯାଇଛି । ଅନେକ ଲୋକ ଫ୍ଲାଟର ଛାତ ଉପରକୁ ଯାଇ ଜୀବନ ବଞ୍ଚାଇବା ପାଇଁ ନିବେଦନ କରିଛନ୍ତି । ଘଟଣା ସ୍ଥଳରେ ଉପସ୍ଥିତ ଜଣେ ବ୍ୟକ୍ତି କହିଛନ୍ତି ଯେ ଯେଉଁ ଘରେ ନିଆଁ ଲାଗିଛି ସେଠାରେ ବିବାହ କାର୍ଯ୍ୟକ୍ରମ ଥିଲା ।