ଫେବୃଆରୀ ୧ରୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଫେବୃଆରୀ ୧ ତାରିଖରୁ ଜନତା ମଇଦାନଠାରେ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହେବ । ଏହି ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ କାରିଗର ଓ ବୁଣାକାରମାନେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିବେ । ଏହି ହସ୍ତଶିଳ୍ପ ମେଳା ଦେଶର ବାର୍ଷିକ ଉତ୍ସବ କ୍ୟାଲେଣ୍ଡରରେ ନିଜର ସ୍ୱତନ୍ତ୍ର ସ୍ଥାନ ନିରୁପଣ କରିସାରିଛି । ଏହି ମେଳାର ଲକ୍ଷ୍ୟ ହେଉଛି, ରାଜ୍ୟରେ କାର୍ଯ୍ୟରତ ଶିଳ୍ପୀ, କାରିଗର, ବୁଣାକାର ତଥା ତତ୍‌ସମ୍ବନ୍ଧୀୟ ଅଭିଜ୍ଞ ବ୍ୟକ୍ତିମାନଙ୍କ ମଧ୍ୟରେ ଭାବଗତ ଆଦାନପ୍ରଦାନର ସୁଯୋଗ ସୃଷ୍ଟି କରବା ।

ଏଥି ସହିତ ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ନିମନ୍ତେ ଆବଶ୍ୟକୀୟ ବଜାର ସୃଷ୍ଟି କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଏହି ମେଳା ପ୍ରକୃଷ୍ଟ ମଞ୍ଚ ସାବ୍ୟସ୍ତ ହେବ । ଭାରତୀୟ ପାରମ୍ପରିକ କଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ କରିବା ଏବଂ କାରିଗର ଓ ବୁଣାକାରମାନଙ୍କ ସାମଗ୍ରୀର ପ୍ରସ୍ତୁତି କୌଶଳ ତଥା ସୃଜନାତ୍ମକ ଜଟିଳତାକୁ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ଏହି ମେଳାର ଉଦ୍ଦେଶ୍ୟ । ଚଳିତ ବର୍ଷ ଏହି ମେଳାରେ ୫୬୦ ଜଣ କାରିଗର ଓ ବୁଣାକାର ଅଂଶଗ୍ରହଣ କରୁଛନ୍ତି ।

ମେଳାରେ ବିକାଶ ଆୟୁକ୍ତ, (ହସ୍ତଶିଳ୍ପ), ଭାରତ ସରକାରଙ୍କ ଜାତୀୟ ହସ୍ତଶିଳ୍ପ ମେଳା ଯୋଜନା ଅନ୍ତର୍ଭୁକ୍ତ ୨୫୦ ଜଣ କାରିଗରଙ୍କ ହସ୍ତଶିଳ୍ପ ଏବଂ ବିକାଶ ଆୟୁକ୍ତ (ହସ୍ତତନ୍ତ) ଦ୍ୱାରା ଭାରତର ବିଭିନ୍ନ ପ୍ରଦେଶର ୫୦ ଜଣ ବୁଣାକାରମାନଙ୍କ ହସ୍ତତନ୍ତ ଷ୍ଟଲରେ ସ୍ଥାନିତ ହେବ । ସେହିପରି ରାଜ୍ୟ ସରକାରଙ୍କର ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟଙ୍କ ଦ୍ୱାରା ପ୍ରାୟୋଜିତ ୧୫୦ ଜଣ କାରିଗର ଓ ୧୧୦ ଜଣ ବୁଣାକାରଙ୍କ ଉତ୍ପାଦ ଷ୍ଟଲରେ ସ୍ଥାନିତ ହେବ । ଏହା ବ୍ୟତୀତ ଶିକ୍ଷାନୁଷ୍ଠାନ ଭିତ୍ତିକ ଓଡ଼ିଶା ଓ ଭାରତ ସରକାରଙ୍କ ଅଧିନସ୍ଥ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ଭିତ୍ତିକ ସଂସ୍ଥାର ଷ୍ଟଲଗୁଡ଼ିକ ସ୍ଥାନିତ ହେବ । ଅନ୍ୟ ରାଜ୍ୟର ହସ୍ତଶିଳ୍ପ ଓ ହସ୍ତତନ୍ତ ନିଗମ ମଧ୍ୟ ଏହି ମେଳାରେ ଅଂଶଗ୍ରହଣ କରିବେ ।

ଚଳିତ ବର୍ଷ ଗୋଟିଏ ଖାଦ୍ୟ ପ୍ରାଙ୍ଗଣରେ ୨୫ ଗୋଟି ଷ୍ଟଲ ରହିବ । ଓଡ଼ିଶାର ପାରମ୍ପରିକ ଖାଦ୍ୟ, ବିଭିନ୍ନ ରାଜ୍ୟର ସୁସ୍ୱାଦୁ ଖାଦ୍ୟ ମଧ୍ୟ ସ୍ଥାନ ପାଇବ । ଏହା ବ୍ୟତୀତ ମିଲେଟ୍‌ ମିଶନ, ଓମ୍‌ଫେଡ୍‌ ଏବଂ ଓଟିଡିସିର ୫ଟି ଷ୍ଟଲ ରହିବ । ଏହି ମେଳାରେ ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ । ଓଡ଼ିଶା ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଆମନ୍ତ୍ରିତ କଳାକାର ଓ କଳାକାର ସଂଗଠନଗୁଡ଼ିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସହଯୋଗରେ ସାଂସ୍କୃତିକ ର୍ଯ୍ୟକ୍ରମଗୁଡ଼ିକ ପରିବେଷିତ ହେବ । ଆମ ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ ଗୋଟିଏ ଫ୍ୟାସନ୍‌ ସୋ’ର ମଧ୍ୟ ଆୟୋଜନ କରାଯାଇଛି ।

ଚଳିତ ବର୍ଷ ମେଳାକୁ ସୁଗମ୍ୟ ସହିତ ବୟସ୍କ ତଥା ଦିବ୍ୟାଙ୍ଗ ଅନୁକୂଳ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ହୁଇଲ୍‌ ଚେୟାର୍‌ ଓ ଦିବ୍ୟାଙ୍ଗ ଏବଂ ବୟସ୍କ ପରିଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପଡେସ୍କର ବ୍ୟବସ୍ଥା କରାଯାଇଛି । ମେଳାକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଦର୍ଶକ ଓ ପ୍ରଦର୍ଶକମାନଙ୍କ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ହାତ ତିଆରି ବ୍ୟାଗ୍‌ ଉପଲବ୍ଧ କରାଯାଇଛି । ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଫେବୃଆରୀ ୧୨ ତାରିଖ ପର୍ଯ୍ୟନ୍ତ ଦିବା ୨.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଖୋଲାରହିବ ।

ବିଭାଗ ପକ୍ଷରୁ ମହିଳା କାରିଗର ଓ ବୁଣାକାର ମାନଙ୍କ ନିମନ୍ତେ ମାଗଣା ରହଣି ତଥା ପରିବହନ ସୁବିଧା ଇତ୍ୟାଦିର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ମେଳାରେ ୨୦ ଲକ୍ଷ  ନସମାବେଶ ସହିତ ୨୦ କୋଟି ଟଙ୍କାର ସାମଗ୍ରୀ ବିକି୍ରର ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହିତ ଭାରତ ସରକାରଙ୍କ ହସ୍ତତନ୍ତ ମନ୍ତ୍ରଣାଳୟର ବିକାଶ ଆୟୁକ୍ତ (ହସ୍ତଶିଳ୍ପ ) ଓ ବିକାଶ ଆୟୁକ୍ତ (ହସ୍ତତନ୍ତ)ଙ୍କ ସହଭାଗିତାରେ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌) ତରଫରୁ ଏହି ଜାତୀୟ ସ୍ତରର ମେଳାର ନମୁନା ପରିକଳ୍ପନା ଓ ପ୍ରଯୋଜନା କରାଯାଇଛି ।