spot_img
Home Blog Page 3710

ବାଲିଯାତ୍ରା: ମଉଜ ଭରପୁର, ମଜା ଉଠାଉଛନ୍ତି ଲୋକେ

କଟକ: ବାଲିଯାତ୍ରା ଆଣି ଦେଇଛି ମଉଜର ଭରପୁର ସୁଯୋଗ । ଏହାକୁ ହାତଛଡ଼ା କରୁନାହାନ୍ତି ଲୋକେ । ମେଳାରେ ଦୋଳି, ଖେଳ, ଚଟପଟି ଖାଦ୍ୟ ସାଙ୍ଗକୁ କିଣାକିଣି ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜମୁଛି ଭିଡ଼ । ସମସ୍ତଙ୍କ ଆକର୍ଷଣ ସାଜିଛି ବିଭିନ୍ନ ରାଜ୍ୟରୁ ଆସିଥିବା ହସ୍ତତନ୍ତ ସାମଗ୍ରୀ । କିନ୍ନର ଓ ଦିବ୍ୟାଙ୍ଗଙ୍କୁ ପ୍ରଶାସନ ମାଗଣା ଷ୍ଟଲ ଯୋଗାଇ ଦେଇଥିବାରୁ ସେମାନେ ବି ଲାଭବାନ ହୋଇଛନ୍ତି । ସେପଟେ ଯାତ୍ରାକୁ ଗୋଟିଏ ଦିନ ବଢା ଯାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ବ୍ୟବସାୟୀ ।

ବାଲିଯାତ୍ରାରେ ଜମୁଛି ଦୋଳି ଖେଳର ମଜା । ଡ୍ରାଗନ, ରାମଦେଳି, ଟୋରାଟୋରା, ବ୍ରେକଡ୍ୟାନ୍ସ ଏମିତି କେତେ କ’ଣ । ଚିକମିକ୍ ଆଲୋକ ସାଙ୍ଗକୁ ମହାନଦୀ କୂଳରେ କିଣାକିଣି ଓ ଚଟପଟି ଖାଦ୍ୟର ପସରା । ଠୁଙ୍କାପୁରୀ ସାଙ୍ଗକୁ ଛେନାକୋବି କଷା, ମାଲପୁଆ ସହ ଡାଲମା, ରସାବଳି, କଟକ ପ୍ରସିଦ୍ଧ ବରା ଆଲୁଦମ୍, ମୁଢ଼ି ମାଂସ ସାଙ୍ଗକୁ ବିଭିନ୍ନ ଫ୍ଲେବରର ଆଇସକ୍ରିମ ଖାଇବାକୁ ଲୋକଙ୍କ ଭିଡ଼ ।

ଜାତୀୟ ପଲିଶ୍ରୀ ମେଳାରେ ହସ୍ତତନ୍ତ ସାମଗ୍ରୀ ଲୋକଙ୍କୁ ଆକୃଷ୍ଟ କରୁଛି । ଜମ୍ମୁ ଓ କାଶ୍ମୀରର ସିଲ୍‌କ ଶାଢ଼ୀ, ସାଲ୍, ପଶମୀନା, ଏମ୍ବ୍ରୋଡରି ଷ୍ଟଲ, କନିକ ସିଲ୍‌କ । ଗୁଜୁରାଟ କାଠିଆଓ୍ବାଡି ଲେହେଙ୍ଗା, କର୍ମକାରୀ ଆଦି ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ସାଜିଛି । ଏହାସହ ଭେରାଇଟ କଟନ ସିଲକ ତିଆରି ପୋଷକର ରହିଛି ଢେର ଚାହିଦା । ଏହି ବ୍ୟବସାୟୀମାନେ ୧୨ ବର୍ଷ ହେଲା ଜାମ୍ମୁ ଓ କାଶ୍ମୀର, ହାଇଦ୍ରାବାଦ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, ବନାରସ ଓ ତାମିଲନାଡୁ ଆସି ବ୍ୟବସାୟ କରୁଥିବା କହିଛନ୍ତି ।

ରାଜ୍ୟ ସରକାରଙ୍କର ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ତରଫରୁ ବାଲିଯାତ୍ରାରେ କିନ୍ନର ଓ ଦିବ୍ୟଙ୍ଗଙ୍କୁ ଯୋଗାଇ ଦିଆଯାଇଛି ଷ୍ଟଲ୍ । ମାଗଣାରେ ୪୪ଟି ଷ୍ଟଲ ଯୋଗାଇ ଦିଆଯିବା ସହ ସେମାନଙ୍କର ରାତ୍ରି ରହଣିର ବ୍ୟବସ୍ଥା ମଧ୍ୟ କରାଯାଇଛି । ରାଜ୍ୟର ବହୁ ଜିଲ୍ଲାର ଅନେକ ଦିବ୍ୟଙ୍ଗ ଆଉ କିନ୍ନର ଏଥିରେ ଯୋଗଦେଇ ବିଭିନ୍ନ ସାମଗ୍ରୀ ବିକ୍ରି କରୁଛନ୍ତି । ଏଥିପାଇଁ ସେମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଚଳିତବର୍ଷ ବାଲିଯାତ୍ରାରେ ଦେଖିବାକୁ ମିଳୁଛି ଅନେକ ନୂଆ ନୂଆ କଥା । ବାଲିଯାତ୍ରାକୁ ନିଆରା କରିବା ସହିତ ସବୁ ବର୍ଗକୁ ଏଥିରେ ସାମିଲ କରିବାକୁ ଚେଷ୍ଟା କରିଛି ଜିଲ୍ଲା ପ୍ରଶାସନ ।

ଟୁଇଟର ମ୍ୟାନ ରାଜେଶ: ଘରେ ବସି ସରକାରଙ୍କୁ ଜଣାଉଛନ୍ତି ଦୁର୍ଗମ ଅଞ୍ଚଳର ସମସ୍ୟା

କନ୍ଧମାଳ: ଟୁଇଟର ମ୍ୟାନ ରାଜେଶ ବଗର୍ତ୍ତୀ । ଏ ନାଁ ତାଙ୍କୁ ଏମିତି ମିଳିନି । ଟୁଇଟରକୁ ମାଧ୍ୟମ କରି ସେ ମିତି କାମ କରି ଦେଖାଇଛନ୍ତି, ଯେଉଁଥି ପାଇଁ ଅଞ୍ଚଳର ଲୋକେ ତାଙ୍କୁ ଟୁଇଟର ମ୍ୟାନ୍ ଆଖ୍ୟା ଦେଇଛନ୍ତି । ରାଜେଶ ଘରେ ବସି ସରକାରଙ୍କୁ ଜଣାଉଛନ୍ତି ଦୁର୍ଗମ ଅଞ୍ଚଳର ସମସ୍ୟା । ଟୁଇଟ ଓ ଚିଠି ମାଧ୍ୟମରେ ପହଞ୍ଚାଉଛନ୍ତି ଲୋକଙ୍କର ଅଭିଯୋଗ । ଏଯାଏଁ ସେ ବିଭିନ୍ନ ଅଞ୍ଚଳର ସମସ୍ୟା ସମ୍ପର୍କରେ ୪୦ ହଜାର ଟୁଇଟ ସହିତ ୫ ହଜାରରୁ ଅଧିକ ଚିଠି ଲେଖିଲେଣି । ଯାହାଦ୍ବାରା ପ୍ରାୟ ୪୦ ହଜାର ସମସ୍ୟାର ସମାଧାନ ହୋଇଛି । ଏହାଛଡ଼ା ଦୁର୍ଗମ ଅଞ୍ଚଳର ପିଲାଙ୍କୁ ମାଗଣାରେ ପାଠ ପଢାଇ ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି ରାଜେଶ ।

କେଉଁ ଗାଁରେ କଣ ରହିଛି ସମସ୍ୟା ? କିଏ ହେଉଛି ଅବହେଳିତ ଆଉ କିଏ ସରକାରୀ ସେବାରୁ ବଞ୍ଚିତ ? ଏସବୁ ସମସ୍ୟାର ଅଭିଯୋଗ ଆଙ୍ଗୁଠି ଟିପରେ । ସରକାରୀ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୁହେଁ ଘରେ ବସି ଅଧିକାରୀଙ୍କୁ କରାଯାଉଛି ଅଭିଯୋଗ । ଟୁଇଟରେ କପ୍ଲେଂନ ପରେ ହେଉଛି ତୁରନ୍ତ ସ୍ଲୁସନ । ଦୁର୍ଗମ ଅଞ୍ଚଳ ଓ ସରକାରୀ ବିଭାଗ ମଧ୍ୟରେ ସେତୁ ସାଜିଛନ୍ତି ରେଜେଶ । କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଗଟାମାହା ଗାଁର ବାସିନ୍ଦା । ଟୁଇଟ କରି ନିଜ ଅଞ୍ଚଳ, ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନର ସମସ୍ୟାର ସମାଧାନ ପାଇଁ ଲାଗି ପଡ଼ିଛନ୍ତି । ଜିଲ୍ଲାଠାରୁ ରାଷ୍ଟପତିଙ୍କ କାର୍ଯ୍ୟାଳୟକୁ ଟୁଇଟ ଓ ଚିଠି ମାଧ୍ୟମରେ ଲୋକଙ୍କ ସମସ୍ୟା କରାଉଛନ୍ତି ଅବଗତ ।

ପେପର ପଢି ବିଭିନ୍ନ ଅଞ୍ଚଳର ସମସ୍ୟା ସମ୍ପର୍କରେ ଅବଗତ ହୁଅନ୍ତି ରାଜେଶ । ପରେ ପକ୍କା ରାସ୍ତା, ବିଦ୍ୟୁତ୍ ସଂଯୋଗ, ଟାଓ୍ବାର, ପାନୀୟ ଜଳ ଯୋଗାଣ, ଶିକ୍ଷା, ସ୍ବାସ୍ଥ୍ୟ ଆଦି ଏକାଧିକ ସମସ୍ୟା ସମ୍ପର୍କରେ ପ୍ରଶାସନକୁ କରାଇଥାନ୍ତି ଅବଗତ ।

ରାଜେଶ ରେଭେନ୍ସା ବିଶ୍ବବିଦ୍ୟାଳୟର ଇତିହାସ ବିଭାଗରେ ପିଏଚଡ଼ି କରୁଥିବାବେଳେ ଫୁଲବାଣୀ ମହାବିଦ୍ୟାଳରେ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟରତ । ସେ ମାଗଣାରେ ଗ୍ରାମୀଣ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ସହିତ ପାଠ୍ୟ ଉପକରଣ ମଧ୍ୟ ପ୍ରଦାନ କରୁଛନ୍ତି ।

ଠେଲାବାଲାକୁ ଚାପୁଡ଼ା ମାରିଲା ପୋଲିସ୍, ଜଜ ହୋଇ ଜବାବ ଦେଲେ ପୁଅ

ପାଟନା: ଗରିବ ବାପା । ରାସ୍ତାରେ ଠେଲାରେ ବିକ୍ରିବଟା କରି ପରିବାର ପ୍ରତିପୋଷଣ କରୁଥିଲା । ପୋଲିସ୍ ବାବୁ ଦେଖାଇଲେ ଦବଙ୍ଗଗିରି । ଚାପୁଡ଼ା ମାରିଲେ ଓ ଜବରଦସ୍ତ ଠେଲା ବନ୍ଦ କରିଦେଲେ । ପାଖରେ ଛିଡ଼ା ହୋଇ ଏସବୁ ଦେଖୁଥିଲା ୧୫ରୁ ୧୬ ବର୍ଷର ପିଲାଟେ । ସେ ପିଲା ଆଉ କେହି ନୁହେଁ, ପୋଲିସ ପାଖରୁ ମାଡ଼ ଖାଉଥିବା ସେହି ଅସହାୟ ବାପାଙ୍କ ପୁଅ ଥିଲା । ବାପାଙ୍କୁ ସାହାଯ୍ୟ କରିବାକୁ ସେଦିନ ଠେଲା ସହ ଯାଇଥିଲା । ପୋଲିସ ବାବୁଙ୍କ ଏ କାମ ତାଙ୍କୁ ବହୁତ ବାଧିବା ସହ ରାଗ ମଧ୍ୟ ହୋଇଥିଲା । ହେଲେ ସେ ସମୟରେ ସେ କିଛି କରିବାକୁ ଥିଲେ ଅସମର୍ଥ । ଆଉ ପରେ ସେ ଯାହା କରିଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆମେ କହୁଛି ବିହାର ସହରସା ଜିଲ୍ଲାର କମଲେଶ କୁମାରଙ୍କ କାହାଣୀ । ଯାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏବେ ଏବେ ପ୍ରକାଶ ପାଇଛି ବିହାର ଜୁଡିସିଆରୀ ପରୀକ୍ଷାର ରେଜଲ୍ଟ । ଏଥିରେ କମଲେଶ ୬୪ ରାଙ୍କ ରଖିଛନ୍ତି । ବର୍ଷ ବର୍ଷ କଠୋର ପରିଶ୍ରମର ଫଳ ପାଇଛନ୍ତି କମଳେଶ । ଏଥିରେ ରହିଛି ତାଙ୍କ ନିଷ୍ଠା ଓ ବାପାଙ୍କ ତ୍ୟାଗ । ପୁଅର ସ୍ବପ୍ନ ପୂରଣ ପାଇଁ ବାପା କେତେବେଳେ କୁଲି ମଜୁରୀ କରିଛନ୍ତି ତ, କେତେବେଳେ ରିକ୍ସା ଚଲାଇଛନ୍ତି ଆଉ କେତେବେଳେ ଠେଲାରେ ଛୋଲେ-ଭଟୁରେ ବିକ୍ରି କରିଛନ୍ତି । ଆଉ ସେହି ଛୋଲେ-ଭଟୁରେ ବିକ୍ରି କରିବା ପାଇଁ ପୋଲିସ ବାବୁଙ୍କ ପାଖରୁ ମାଡ଼ ବି ଖାଇଛନ୍ତି । ବାପା ମାଡ଼ ଖାଇବା କମଲେଶଙ୍କୁ ଆଜି ଜଜ୍ ବନାଇ ଦେଇଛି ।

ଏବେ ଆସନ୍ତୁ ଜାଣିବା କମଲେଶଙ୍କ ଏହି ସଂଘର୍ଷର କାହାଣୀ । କମଲେଶଙ୍କ ବାପା ବହୁତ ଗରିବ ଥିଲେ । ସେମାନେ ୧୦ ଭାଇ ଭଉଣୀ ଥିଲେ । ପରିବାର ଚଳାଇବା ପାଇଁ ଦିଲ୍ଲୀ ପଳାଇ ଆସିଥିଲେ । ଏଠାରେ ସେ ଲାଲକିଲା ପଛରେ ଏକ ବସ୍ତିରେ ରହୁଥିଲେ । ଯାହାକୁ ହଟାଇବାକୁ ସରକାର ନିର୍ଦ୍ଦେଶ ଦେବା ପରେ ମୁଣ୍ଡ ଉପରୁ ଛାତ ହଟି ଯାଇଥିଲା । ପରେ ପୂରା ପରିବାର ଯମୁନା ଆରପଟେ ଏକ ଘର ଭଡ଼ା ନେଇ ରହିବାକୁ ଲାଗିଲେ । କମଲେଶଙ୍କ ବାପା ଚାନ୍ଦିନୀଚୌକରେ ଠେଲା ଲଗାଇ ପରିବାର ଚଳାଇବା ଆରମ୍ଭ କରିଥିଲେ । ଦିନେ କମଲେଶ ବାପାଙ୍କ ସହ ଠେଲାରେ ସାହାଯ୍ୟ କରିବାକୁ ଯାଇଥିବା ବେଳେ ଜଣେ ପୋଲିସ ବାବୁ ତାଙ୍କୁ ଚାପୁଡ଼ା ମାରିବା ସହ ଠେଲା ବନ୍ଦ କରି ଦେଇଥିଲା । ଏହା କମଲେଶଙ୍କୁ ହୃଦୟରୁ ଭାଙ୍ଗି ଦେଇଥିଲା । ସେ ସମୟରେ ସେ ଦଶମ ପାସ୍ କରିଥିଲେ । ଘଟଣାର କିଛିଦିନ ପରେ ତାଙ୍କ ବାପା କହିଥିଲେ, ଏ ପୋଲିସ ବାଲା କେବଳ ଜଜଙ୍କୁ ଡରନ୍ତି । ଏହା ଶୁଣିବା ପରେ କମଲେଶ ଜଜ୍ ହେବାକୁ ମନ ସ୍ଥିର କରିନେଇଥିଲେ । ପରେ ସେ ଦିଲ୍ଲୀ ୟୁନିର୍ଭସିଟିରେ ଲ’ ପଢ଼ୁଥିଲେ । ହେଲେ ଏହା ଆଗକୁ ଯାଇ ଜଜ୍ ହେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ।

୨୦୧୭ରେ ସେ ଉତ୍ତରପ୍ରଦେଶ ଜୁଡ଼ିସିଆରୀ ପାଇଁ ପରୀକ୍ଷା ଦେଇଥିଲେ । ଏହାପରେ ବିହାର ଜୁଡ଼ିସିଆରୀ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ପ୍ରଥମ ପ୍ରୟାସରେ ସେ ସଫଳତା ପାଇନଥିଲେ । ଏହାପରେ କରୋନା ମହାମାରୀ କାରଣରୁ ୩ ବର୍ଷ ବରବାଦ ହୋଇଯାଇଥିଲା । ତେବେ କରୋନା ତାଙ୍କୁ ଆହୁରି ଅଧିକରୁ ଅଧିକ ପ୍ରସ୍ତୁତି ପାଇଁ ସୁଯୋଗ ଦେଇଥିଲା । ୨୦୨୨ ପରୀକ୍ଷାରେ କମଲେଶଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିଛି ।

କମଲେଶ କୁହନ୍ତି, ଯେତେବେଳେ ସେ ରେଜଲ୍ଟ ଦେଖିବାକୁ ଯାଇଥିଲେ ଲିଷ୍ଟରେ ତାଙ୍କ ନାଁ ନଦେଖି ନିରାଶ ହୋଇଯାଇଥିଲେ । ଘରକୁ ଫେରି ଗୋଟିଏ ସ୍ଥାନରେ ବସି ଯାଇଥିଲେ । ଏହି ସୟମରେ ତାଙ୍କ ବନ୍ଧୁଙ୍କ ଫୋନ ଆସିଥିଲା ଓ ସେ ସିଲେକ୍ଟ ହୋଇଥିବା କହିଥିଲେ । ଏହା ଶୁଣି ସେ କାନ୍ଦି ପକାଇଥିଲେ ।

ଭାରତର ଶେଷ ଗାଁ, ଚାରି ଭାଇଙ୍କୁ ବିବାହ କରନ୍ତି ଜଣେ ମହିଳା

ଶିମଲା: ଭୋଟ ଦେଇଛି ଭାରତର ଶେଷ ଗାଁ । ଦେଶର ଶେଷ ବସଷ୍ଟାଣ୍ଡ, ଶେଷ ସ୍କୁଲ, ଶେଷ ପୋଷ୍ଟ ଅଫିସ ଓ ଶେଷ ଢାବା…ସବୁ ଏଇଠି । ଗାଁରେ ଅଛନ୍ତି ୪୭୧ ଭୋଟର । କିନ୍ତୁ ଏଠାକାର ନୀତି ପରମ୍ପରା ଯେମିତି ଦେଶଠୁ ସମ୍ପୂର୍ଣ୍ଣ ଭିନ୍ନ  । ବିଧାନସଭା ନିର୍ବାଚନ ପାଇଁ ବେଶ ଚଳଚଞ୍ଚଳ ହିମାଚଳ । କିନ୍ତୁ ପ୍ରଚାର ହୋ ହାଲ୍ଲା ଠୁ ବହୁ ଦୂରରେ ଏହି ଗାଁ ଆଉ ଗ୍ରାମବାସୀ  ।

ଏ କାହାଣୀ ଭାରତ-ତିବ୍ବତ ସାଙ୍ଗଲାଠୁ ୨୮ କିଲୋମିଟର ଦୂରତାରେ ଥିବା ଛିତକୁଲ ଗାଁର  । ଏଠାରୁ ତିବ୍ବତ-ଚୀନ ସୀମା ପ୍ରାୟ ୬୦ କିଲୋମିଟର ଦୂର  । ପୂର୍ବରୁ ସୀମା ଅତିକ୍ରମ କରି ପଡୋଶୀ ଦେଶକୁ ବିନା କଟକଣାରେ ବି ଯିବା ଆସିବା କରୁଥିଲେ ଗ୍ରାମବାସୀ  । କିନ୍ତୁ ୧୯୬୨ ଭାରତ ଚୀନ ଯୁଦ୍ଧ ପରେ ସବୁ ବନ୍ଦ  ।

ହିମାଚଳ ପ୍ରଦେଶର ଶିମଲାରୁ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ରାସ୍ତା ଅତିକ୍ରମ ପରେ ପଡେ ଛିତକୁଲ । ଯେଉଁଠାରେ ସଂସ୍କୃତି, ରହିବାଶୈଳୀ, ଖାଦ୍ୟ ପାନୀୟ ଓ ଆଇନ କାନୁନ ବି ଦେଶ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ।

 

ଗାଁରେ ଦେଖିବାକୁ ମିଳେ ଏଭଳି ବହୁ ଅଜବ ନିୟମ  । ଅଧିକାଂଶ ପରିବାରରେ ମହିଳା ଗୋଟିଏ ପରିବାରର ଦୁଇ ଭାଇ ବା ଚାରି ଭାଇଙ୍କୁ ବିବାହ କରିଥାନ୍ତି  । ସମସ୍ତ ପତିଙ୍କ ସହ ଗୋଟିଏ ଛାତ ତଳେ ରହିଥାନ୍ତି ମହିଳା  । ବିବାହ ପରେ ଯଦି କୌଣସି ଭାଇ ପତ୍ନୀଙ୍କ ସହ ଥାଆନ୍ତି ସେ ନିଜ ଟୋପି ଘର ବାହାରେ ରଖିଦିଅନ୍ତି  । ଏହାର ଅର୍ଥ ବୁଝିଯିବାକୁ ହେବ ଯେ ପତି ପତ୍ନୀ ଏକାନ୍ତ ଚାହୁଁଛନ୍ତି  । ଅଜ୍ଞାତବାସ ସମୟରେ ପାଣ୍ଡବ କାଳେ ଏହି ଗାଁରେ ଆଶ୍ରୟ ନେଇଥିଲେ  । ଗାଁର ଏକ ଗୁମ୍ଫାରେ ଦୀର୍ଘଦିନ ଧରି ୫ ପାଣ୍ଡବଙ୍କ ସହ ରହିଥିଲେ ଦ୍ରୌପଦୀ  । ସେବେଠାରୁ ଗାଁରେ ଏକାଧିକ ପତି ଗ୍ରହଣ କରିବାର ପରମ୍ପରା ଥିବା ଲୋକକଥା ରହିଛି  ।

 

ସେପଟେ ବିବାହକୁ ନେଇ ବି ଭିନ୍ନ ପରମ୍ପରା ରହିଛି  । ଦେବୀ ଦେବତାଙ୍କ ଅନୁମତିରୁ ବିବାହ କାର୍ଯ୍ୟ ସମ୍ପର୍ନ୍ନ ହୋଇଥାଏ  । ବିବାହ ପୂର୍ବରୁ ମନ୍ଦିରରେ ବଳିପ୍ରଥା ଦିଆଯାଇଥାଏ  । ଏହା ପରେ ଦେବତାଙ୍କୁ ଘରକୁ ନିଆଯାଇଥାଏ  । କନ୍ୟା ଘରେ ପହଞ୍ଚିବା ପୂର୍ବରୁ ଖରାପ ଶକ୍ତିକୁ ଦୂରେଇବା ପାଇଁ ନଦୀ କୂଳରେ ସ୍ବତନ୍ତ୍ର ପୂଜା କରିଥାନ୍ତି  । କିନ୍ତୁ ପରମ୍ପରା ନାଁରେ ଅନ୍ଧବିଶ୍ବାସର ବଶବର୍ତ୍ତୀ ଏହି ଗାଁ ଯୌତୁକ ପ୍ରଥା ଠୁ ବହୂଦୂରରେ  । ବିବାହରେ ଯୌତୁକ ଦେବା ନେବା ପରମ୍ପରାରେ ଲାଗିଛି ରୋକ୍‌ ।

 

କେବଳ ବିବାହ ନୁହେଁ ସମ୍ପତ୍ତି ଅଧିକାରରେ ମଧ୍ୟ ଝିଅଙ୍କ ପାଇଁ ରହିଛି ଭିନ୍ନ ନିୟମ  । ଅବିବାହିତ ରହିବା ପର୍ଯ୍ୟନ୍ତି ପିତାଙ୍କ ସମ୍ପତି ଭୋଗ କରିପାରିବେ ଘରର ଝିଅ  । ବିବାହ ପରେ ସବୁ ସମ୍ପତ୍ତି ନିକଟ ସମ୍ପର୍କୀୟଙ୍କ ନାଁରେ କରିଦିଆଯାଏ  । ଏକରୁ ଅଧିକ ଜୀବନସାଥୀ ଥିବା କାରଣରୁ ଜଣେ ପିତାଙ୍କ ନିଧନ ପରେ ଦ୍ବିତୀୟ ପିତାଙ୍କୁ ସମ୍ପତ୍ତି ଟ୍ରାନ୍ସଫର କରାଯାଏ  । ଆଉ ତାଙ୍କ ପରଲୋକ ପରେ ସମ୍ପତ୍ତି ଭୋଗ କରନ୍ତି ସେମାନଙ୍କ ବଂଶଜ  ।

 

ଛେଳିମେଣ୍ଢା ପାଳନ ଓ ଚାଷ କରି ରୋଜଗାର କରନ୍ତି ଏଠାକାର ଗ୍ରାମବାସୀ  । କିନ୍ତୁ କିଛି ବର୍ଷ ମଧ୍ୟରେ ପର୍ଯ୍ୟଟନର ବିକାଶ କାରଣରୁ ଗାଁ ଲୋକଙ୍କ ରୋଜଗାରର ଉତ୍ସ ବି ବଦଳିଛି  । ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ବହୁସଂଖ୍ୟାରେ ପର୍ଯ୍ୟଟକ ଛିତକୁଲରେ ପହଞ୍ଚିଥାନ୍ତି  ।

 

ଛିତକୁଲରେ ରହିଛି ଏକ ସରକାରୀ ସ୍କୁଲ  । ଦଶମ ଶ୍ରେଣୀ ଯାଏଁ ଥିବା ସ୍କୁଲରେ ପଢନ୍ତି ମାତ୍ର ୨୧ ଛାତ୍ରଛାତ୍ରୀ  । ସେଥିପାଇଁ ଶିକ୍ଷକ ପୋଷ୍ଟ ଖାଲିଥିଲେ ସୁଦ୍ଧା ଜଣେ ଶିକ୍ଷକଙ୍କ ଭରସାରେ ଚାଲିଛି ସ୍କୁଲ  । ସେହିପରି ଦେଶର ଶେଷ ପୋଷ୍ଟ ଅଫିସ ଛିତକୁଲରେ ରହିଛି  । ୧୫ ବର୍ଷ ପୂର୍ବେ ପୋଷ୍ଟକାର୍ଡ ଓ ଅନ୍ତର୍ଦ୍ଦେଶୀୟ ପତ୍ର ଅଫିସକୁ ଆସିଥିଲା  । ଏବେ କିନ୍ତୁ ସରକାରୀ ଚିଠି ଆସୁଥିବାରୁ ଚାଲିଛି ପୋଷ୍ଟ ଅଫିସ  ।

 

ଛିତକୁଲରେ ଭାରତର ଶେଷ ଢାବା ମଧ୍ୟ ରହିଛି । ୧୯୯୯ ରେ ଆରମ୍ଭ ହୋଇଥିବା ଏହି ଢାବା ମଧ୍ୟ ବେଶ ଲୋକପ୍ରିୟ  । କମେଡିଆନ କପିଲ ଶର୍ମା, ସନି ଦେଓଲ, କିରଣ ରାଓ, ସାରା ଅଲୀ ଖାନ, କାର୍ତ୍ତିକ ଆର୍ୟନ, ଆଶିଷ ବିଦ୍ୟାର୍ଥା ଓ ଗ୍ରେଟ ଖଲିଙ୍କ ଭଳି ସେଲିବ୍ରିଟି ସୁଟିଂ ସମୟରେ ଏହି ଢାବାକୁ ଯାଇ ଆହୁରି ଚର୍ଚ୍ଚିତ କରିଛନ୍ତି  ।

 

ଏବେ ଆପଣ ଭାବିପାରୁଥିବେ ଯେ ଏହି ଦୁର୍ଗମ ଅଞ୍ଚଳରେ ନିର୍ବାଚନ କରାଇବା କେତେ ଚ୍ୟାଲେଞ୍ଜିଂ  । ଅକ୍ଟୋବର ୧୮ରେ ନିର୍ବାଚନ ଘୋଷଣା ପରେ ଗାଁରେ ଭୋଟିଂ ପାଇଁ ପ୍ରସ୍ତୁତି ଦେଖିବାକୁ ମିଳିଛି  । ଗତ ନିର୍ବାଚନରେ ଏଠାରେ ୭୨ ପ୍ରତିଶତ ମତଦାନ ରେକର୍ଡ ହୋଇଥିଲା  ।

ଆପଲ୍‌ର ସହପ୍ରତିଷ୍ଠାତା ପିନ୍ଧୁଥିଲେ ଏହି ଦାମୀ ଚପଲ, ଦାମ ଶୁଣିଲେ ବିଶ୍ବାସ ହେବନି

ଜୋତା ବା ସାଣ୍ଡାଲ, ଯାହା ସଭିଙ୍କ ଦୈନ ଦିନର ଏକ ଆବଶ୍ୟକତା । ଥରେ ଭାବନ୍ତୁ ହଳେ ଜୋତାର ଦାମ୍‌ ସର୍ବାଧିକ କେତେ ହୋଇପାରେ? ସର୍ବାଧିକ ୧,୦୦୦, ୫,୦୦୦ କି ୧୦,୦୦୦ ଟଙ୍କା। ହେଲେ ଏଠାରେ ଯେଉଁ ଜୋତା ବା ସାଣ୍ଡାଲ ବିଷୟରେ କହୁଛି ତାହାର ଦାମ ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ  ।  ଆଜ୍ଞା ହଁ ଗୋଟିଏ ପେୟାର୍‌ ଜୋତା ବା ସାଣ୍ଡାଲ ୧.୭୭ କୋଟି ଟଙ୍କାରେ ବିକ୍ରି ହୋଇଛି । ଏହା କୌଣସି ନୂଆ କିମ୍ବା ହୀରା ଖଚିତ ଜୋତା ନୁହେଁ । ଏହା ଏକ ପୁରୁଣା ପେୟାର ସାଣ୍ଡାଲ ।

ବିଶ୍ୱାସ ହେଉ ନ ଥିଲେ ବି ଏହା ସତ।  ଏବେ ନିଟକରେ ଆଣ୍ଡ୍ରଏଡ୍‌ ଫୋନ୍‌ କମ୍ପାନୀ ତଥା ଆପଲର ସହପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍ସଙ୍କ ସାଣ୍ଡାଲ୍‌ ୧.୭୭ କୋଟି ଟଙ୍କା ବା ୨,୧୮,୭୫୦ ଡଲାରରେ ନିଲାମ ହୋଇଛି। ଆମେରିକାର କାଲିଫର୍ନିଆ ସ୍ଥିତ ଜୁଲିଏନ୍‌ ଅକ୍ସନ୍‌ ହାଉସ୍‌ରେ ନିଲାମ ପାଇଁ ଜୋବ୍ସଙ୍କ ବିରକେନ୍‌ ଷ୍ଟୋକ୍‌ ସାଣ୍ଡାଲ ରଖାଯାଇଥିଲା। ଏହାର ନିଲାମୀ ମୂଲ୍ୟ ୬୦,୦୦୦ ଡଲାରରୁ ୮୦,୦୦୦ ଡଲାର ଧାର୍ଯ୍ୟ କରାଯାଇଥିଲା।

ହେଲେ ଏହି ନିଲାମୀ ରେ ସାମିଲ ଥିବା ଜଣେ ବ୍ୟକ୍ତି ଷ୍ଟିଭ୍‌ଙ୍କ ବ୍ୟବହୃତ ଚପଲକୁ ୨,୧୮,୭୫୦ ଡଲାରରେ ନିଲାମୀ ଡାକି ଏହାର ହକ୍‌ଦାର ହୋଇଛନ୍ତି। ୧୯୭୦ ଦଶକରେ ଅନେକ ଦିନ ପର୍ଯ୍ୟନ୍ତ ଷ୍ଟିଭ୍‌ ଏହି ଚପଲ ପିନ୍ଧୁଥିଲେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ , ଆପଲ କମ୍ପାନୀର ଅନେକ କାର୍ଯ୍ୟକ୍ରମରେ ଷ୍ଟିଭ୍‌ ଏହି ସାଣ୍ଡେଲ ପିନ୍ଧିଆସୁଥିଲେ ବୋଲି ଅକ୍ସନ ହାଉସ୍‌ ପକ୍ଷରୁ କୁହାଯାଇଛି। ଷ୍ଟିଭ୍‌ଙ୍କ ହାଉସ୍‌ ମ୍ୟାନେଜର ପୂର୍ବରୁ ହିଁ ଏହି ଚପଲକୁ ନିଲାମୀ ଜରିଆରେ ଅଧିକାର କରିଥିଲେ। ଆହୁରି ମଧ୍ୟ ପରେ ଏକାଧିକ ପ୍ରଦର୍ଶନୀରେ ଷ୍ଟିଭ୍‌ଙ୍କ ଏହି ଚପଲକୁ ସାମିଲ କରାଯାଇଛି। ମାଟିଆ ରଙ୍ଗର ବିରକେନ୍‌ ଷ୍ଟୋକ୍‌ ସାଣ୍ଡାଲ ଷ୍ଟିଭ୍‌ଙ୍କର ଅତି ପ୍ରିୟ ଥିବା ତାଙ୍କ ପୂର୍ବତନ ସ୍ତ୍ରୀ ଲିସା ବ୍ରାନନ ଜବ୍ସ କହିଛନ୍ତି।

 

‘ମୋତେ ଆଶୀର୍ବାଦ କର, ବାପାଙ୍କ ପରି ସେବା କରିବି’

ବରଗଡ: ସରଗରମ ହୋଇଛି ପଦ୍ମପୁର ପ୍ରଚାର ରାଜନୀତି । ଆଜି ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା । ସର୍ଗିପାଲି ସଭାରେ ଯୋଗ ଦେଇଛନ୍ତି ବର୍ଷା । ସଭାମଞ୍ଚରେ ବାପା ବିଜୟ ରଂଜନ ସିଂହ ବରିହାଙ୍କୁ ମନେ ପକେଇ ସେ କାନ୍ଦି ପକେଇଥିଲେ । ଭାବବିହ୍ବଳ କଣ୍ଠରେ ସଭାମଞ୍ଚରୁ ଭୋଟରଙ୍କ ଆଶୀର୍ବାଦ ଲୋଡିଥିଲେ ବର୍ଷା ।

ପଦ୍ମପୁରବାସୀଙ୍କ ସହ ତାଙ୍କ ବାପାଙ୍କ ଥିବା ସମ୍ପର୍କକୁ ଆଗେଇ ନେବାକୁ ସଭା ମଞ୍ଚରୁ ତଳକୁ ଓହ୍ଲାଇ ଆସିଥିଲେ ବର୍ଷା । ମଞ୍ଚ ତଳେ ସାଧାରଣ ଲୋକଙ୍କ ସହ ଭାବର ଆଦାନ ପ୍ରଦାନ କରିଥିଲେ ।

ଗୁରୁଜନଙ୍କୁ ମୁଣ୍ଡିଆ ମାରି ସୁଖଦୁଃଖର ସାଥୀ ହେବାକୁ ପ୍ରତିଶୃତି ଦେଇଥିଲେ । ସେହିଭଳି ସାନମାନଙ୍କୁ ସ୍ନେହ ଦେବା ସହ ଯୁବପିଢୀଙ୍କ ସହ ଉଠାଇଥିଲେ ସେଲଫି । ଆରମ୍ଭରୁ ଶେଷ ଯାଏଁ ବର୍ଷା ଥିଲେ ସଭାର ଆକର୍ଷଣ ।

ବିଜେପି ଚାପରେ ଘାଇଲା ଆପ୍‌, ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ପ୍ରାର୍ଥୀ

0

ଗାନ୍ଧୀନଗର: ବିଜେପି ଚାପରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ଆପ୍ ପାର୍ଥୀ । ଗୁଜୁରାଟ ସୁରଟ(ପୂର୍ବ) ଆସନରୁ ଆମ ଆଦମୀ ପାର୍ଟି ପକ୍ଷରୁ ଲଢୁଥିବା ପ୍ରାର୍ଥୀ କାଞ୍ଚନ ଜରିଓ୍ବାଲା ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ସୂଚନା ମିଳିଛି । ଗତକାଲି ଠାରୁ ସେ ଅପହୃତ ହୋଇଥିବା ନେଇ ଅଭିଯୋଗ କରିଥିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆ ।

ସିସୋଦିଆ କହିଛନ୍ତି ପରାଜୟ ଭୟରେ ଗୁଜୁରାଟରେ ବିଜେପି ଆତଙ୍କିତ ଅବସ୍ଥାରେ ରହିଛି । ଗତକାଲି ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ସାରି ଫେରୁଥିବାବେଳେ ଜରିଓ୍ବାଲାଙ୍କୁ ବିଜେପିର କିଛି ଗୁଣ୍ଡା ଅପହରଣ କରିନେଇଛନ୍ତି ବୋଲି ସିସୋଦିଆ ଅଭିଯୋଗ କରିଥିଲେ । ଏହା ଏକ ବିପଜ୍ଜନକ ପଦକ୍ଷେପ ଏବଂ ଗଣତନ୍ତ୍ରକୁ ଅପହରଣ କରାଯାଇଛି ବୋଲି କହିଛନ୍ତି ସିସୋଦିଆ ।

ସୁରଟ ଇଷ୍ଟ ଆସନରୁ ବିଜେପିର ବର୍ତ୍ତମାନ ବିଧାୟକ ଅରବିନ୍ଦ ରାଣାଙ୍କୁ ଟିକେଟ ଦିଆଯାଇଛି  । ସେହିପରି କଞ୍ଚନ ଜରିୱାଲାଙ୍କୁ ପ୍ରାର୍ଥୀ କରିଛି ଆପ୍‌  । ଯଦି କଞ୍ଚନଙ୍କୁ ୧୦ ରୁ ୧୫ ହଜାର ଭୋଟ୍‌ ମିଳେ ତେବେ ଭାଜପା ପାଇଁ ଏଠାରେ ବିଜୟ ସମସ୍ୟା ସୃଷ୍ଟି କରିବ  । ଯେଉଁଥିପାଇଁ ପ୍ରାର୍ଥୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଛି ଆପ୍‌  ।

 

 

ବିଦେଶରୁ ଆସିଲା ଖୁସି ଖବର, ପ୍ରତିବର୍ଷ ୩ ହଜାର ଭିସା ଯୋଗାଇବ ବ୍ରିଟେନ

ଲଣ୍ଡନ: ବଢିଲା ଭାରତ- ବ୍ରିଟେନ ସମ୍ପର୍କ । ଭାରତର ଯୁବ ବୃତ୍ତିଜୀବୀଙ୍କ ଲାଗି ପ୍ରତିବର୍ଷ ୩ ହଜାର ଭିସା ଯୋଗାଇବାକୁ ଘୋଷଣା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ଭାରତ ଓ ବ୍ରିଟେନ ମଧ୍ୟରେ ମାଇଗ୍ରେସନ ଓ ମୋବିଲିଟି ପାର୍ଟନରସିପ୍ ବଢିବ ବୋଲି ଦୁଇ ପକ୍ଷ ଆଶାବାଦୀ ରହିଛନ୍ତି । ଗ୍ରୁପ-୨୦ ସମ୍ପିଳନୀରେ ଋଷି ସୁନକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଆଲୋଚନା ପରେ ଏହି ଘୋଷଣା କରିଛନ୍ତି ସୁନକ ।

ଏହି ଭିସା ବଳରେ ୧୮ରୁ ୩୦ ବର୍ଷ ବୟସ୍କ ଡିଗ୍ରୀଧାରୀ ବୃତ୍ତିଜୀବୀ ସର୍ବାଧିକ ୨ ବର୍ଷ ଯାଏ ବ୍ରିଟେନରେ କାର୍ଯ୍ୟ କରିବାର ସୁଯୋଗ ପାଇବେ । ଜଣେ ଭାରତୀୟ ବଂଶୋଦ୍ଭବ ଭାବେ ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ହେବା ପରେ ଏହି ବଡ଼ ଘୋଷଣା କରାଯାଇଛି । ବ୍ରିଟେନ କରିଥିବା ଘୋଷଣା ପ୍ରକାରେ ଭାରତ ସରକାର ବି ସେହି ଧରଣର ପଦକ୍ଷେପ ନେବେ । ଭାରତର ବିଭିନ୍ନ ନିବେଶ ଯୋଗୁଁ ବ୍ରିଟେନରେ ପ୍ରାୟ ୯୫ ହଜାର ଚାକିରି ସୃଷ୍ଟି ହୋଇଛି ।

ପଦମପୁର ଉପନିର୍ବାଚନ: ଶକ୍ତି ବଢାଉଛି ବିଜେଡି, କାଲି ନାମାଙ୍କନ ଶେଷ ଦିନ

0

ବରଗଡ: ଉଷୁମ ହେଉଛି ପଦମପୁର ଉପନିର୍ବାଚନ ରାଜନୀତି । ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିଲେ ବି ଏପର୍ଯ୍ୟନ୍ତ ୩ ଦଳର ପ୍ରାର୍ଥୀ ନାମାଙ୍କନ ଭରିନାହାନ୍ତି ।  ନାମାଙ୍କନ ପତ୍ର ଦାଖଲ ପାଇଁ ଆଉ ଗୋଟିଏ ଦିନ ବାକି ଥିବାବେଳେ ବିଜେଡି ଶକ୍ତି ବଢାଇବାରେ ଲାଗିଛି । ଆଜି ପଦମପୁରର ବିଭିନ୍ନ ଜୋନରେ ବିଜେଡି ବିରାଟ ସଭାକରି ଭୋଟରଙ୍କୁ ଏକଜୁଟ କରୁଛି ।

୧ ନଂ ଜୋନରେ ୮ଟି ପଞ୍ଚାୟତର ଲୋକଙ୍କୁ ନେଇ ଆଜି ସର୍ଗିବାହାଲରେ ହେବ ରାଜନୈତିକ ସଭା । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଭୋଟରଙ୍କୁ ସଚେତନ କରିବେ ନେତା । ସେହିପରି ଆଜି ପଦମପୁର ନିର୍ବାଚନ ମଣ୍ଡଳୀ ଅଧୀନ ପାଇକମାଳରେ ବିଜେଡିର କର୍ମୀ ସମ୍ମିଳନୀ ଆୟୋଜିତ ହେବ । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସମ୍ମିଳନୀରେ ସାମିଲ ହେବେ ।

ପଦମପୁର ନିର୍ବାଚନ ପୂର୍ବରୁ ଜୋର ଧରିଲା ଜିଲ୍ଲା ମାନ୍ୟତା ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା କମିଟି

0

ଭୁବନେଶ୍ବର: ପଦମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପଦମପୁରବାସୀ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ପାଇଁ କମିଟି ଦାବି କରିଛି । ପଦମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ ଜାରି ରଖିଛି ।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଜେଡି ବିଧାୟକ ସୁଶାନ୍ତ ସିଂ କମିଟିକୁ ଭେଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନିମନ୍ତ୍ରଣ ଦେଇଥିଲେ । ସେହି ଅନୁରୋଧ କ୍ରମେ ଆଜି କମିଟିର ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ପଦମପୁର ଉପନିର୍ବାଚନ ଥିବାରୁ ଜିଲ୍ଲା ମାନ୍ୟତା ଦାବି ଜୋର ଧରିଛି । ଜିଲ୍ଲା ଗଠନ ଦାବିକୁ ବିଜେଡି ପୂର୍ବରୁ ସମର୍ଥନ ଜଣାଇଛି ।