spot_img
Home Blog Page 3712

ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନଙ୍କୁ ବଡ଼ ଆଶ୍ୱସ୍ତି, ୨ ଲକ୍ଷର ମୁଚାଲିକାରେ ଜାମିନ ଦେଲେ ପଟିଆଲା ହାଉସ କୋର୍ଟ

ନୂଆଦିଲ୍ଲୀ: ମନିଲଣ୍ଡ୍ରିଂ ମାମଲାରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଟିଆଲା ହାଉସ୍ କୋର୍ଟରୁ ଆଶ୍ୱସ୍ତି ମିଳିଛି । ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଜ୍ୟାକଲିନଙ୍କୁ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି । ଅଭିନେତ୍ରୀଙ୍କ ଜାମିନ ନିବେଦନ ଉପରେ ଶୁଣାଣି ନଭେମ୍ବର ୧୧ ତାରିଖରେ ହେବାର ଥିଲା । ତେବେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ଅଭିନେତ୍ରୀଙ୍କ ଅନ୍ତରୀଣ ଜାମିନ୍ ନଭେମ୍ବର ୧୦ ତାରିଖରୁ ସମାପ୍ତ ହୋଇଯାଇଥିଲା । କୋର୍ଟ ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମଞ୍ଜୁର କରିଛନ୍ତି ।

ସୁକେଶ ଚନ୍ଦ୍ର ଶେଖର ଠକେଇ ମାମଲାରେ ଜ୍ୟାକଲିନ୍ ପ୍ରଥମେ ଅନ୍ତରୀଣ ଜାମିନରେ ଥିଲେ । ଏବେ ତାଙ୍କୁ ନିୟମିତ ଜାମିନ୍ ମିଳିଛି । ନିୟମିତ ଜାମିନ ଲାଗି ଅଭିନେତ୍ରୀଙ୍କ ଆବେଦନ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆପତ୍ତି କରିଥିଲେ । ଜାମିନ ପାଇଲେ ଅଭିନେତ୍ରୀ ବିଦେଶ ପଳାଇ ଯାଇପାରନ୍ତି ଓ ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିପାରନ୍ତି ବୋଲି ଇଡି ଆଶଙ୍କା କରିଥିଲା । ତେବେ ଇଡିଙ୍କ ଯାଞ୍ଚରେ ସହଯୋଗ କରିବା ଲାଗି ଜ୍ୟାକଲିନ ଭରସା ଦେଇଛନ୍ତି । କୋର୍ଟଙ୍କ ଅନୁମତି ନେଇ ଦେଶରୁ ବାହାରକୁ ଯାଇପାରିବେ । ସବୁଦିନ ପାଇଁ ଦେଶ ଛାଡ଼ିପାରିବେନି ବୋଲି କୋର୍ଟ କହିଛନ୍ତି । ମାମଲାର ପରବର୍ତ୍ତି ଶୁଣାଣି ନଭେମ୍ବର ୨୪ ତାରିଖରେ ହେବ ।

ପାରାଦୀପରେ ଚାଲିଛି ମିଳିତ ସମରାଭ୍ୟାସ ‘ସି ଭିଜିଲ’, ୪୮୦ କିଲୋମିଟର ସମୁଦ୍ର ଉପକୂଳରେ ଦିଆଯାଉଛି ତାଲିମ

ପାରାଦୀପ: ପାରାଦୀପରେ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ସି ଭିଜିଲ । ଉପକୂଳ ସୁରକ୍ଷା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ମିଳିତ ସମରାଭ୍ୟାସ ଚାଲିଛି । ସମରାଭ୍ୟାସରେ ନୌସେନା, କୋଷ୍ଟଗାର୍ଡ, ମତ୍ସ୍ୟ ବିଭାଗ ଓ ମେରାଇନ ପୋଲିସ ସହ ୧୨ଟି ବିଭାଗ ସାମିଲ ହୋଇଛନ୍ତି । ଚଳିତ ସମରାଭ୍ୟାସରେ ପ୍ରଥମ ଥର ପାଇଁ ୪ଟି ରାଜ୍ୟର ବିଭିନ୍ନ ବିଭାଗ ସାମିଲ ହୋଇଛନ୍ତି । ବାହ୍ୟ ଶତ୍ରୁକ ଆକ୍ରମଣର କେମିତି କରାଯିବ ମୁକାବିଲା ସେନେଇ ଚାଲିଛି ତାଲିମ ।

ଗଭୀର ସମୁଦ୍ରରେ ଗର୍ଜନ କରି ବୁଲୁଛି ଯୁଦ୍ଧ ଜାହାଜ । ସ୍ରୋତକୁ କାଟି ଶତ୍ରୁକୁ ଚେକ ଦେବାକୁ ଚାଲିଛି ଉଦ୍ୟମ । କେଉଁଠି ଲୁଚିଛନ୍ତି ସନ୍ତ୍ରାସବାଦୀ ? କେତେବାଟ ପହଞ୍ଚିଲେଣି, କ୍ୟାମେରାରେ ହେଉଛି କଏଦ । ସମୁଦ୍ର ଭିତରକୁ ଯଦି ବାହ୍ୟଶତ୍ରୁ ପଶିଆସନ୍ତି ତା’ର କେମିତି କରାଯିବ ମୁକାବିଲା ? ସେନେଇ ଆରମ୍ଭ ହୋଇଛି ମିଳିତ ସମରାଭ୍ୟାସ ସି ଭିଜିଲ’ । ଓଡ଼ିଶାର ସୁଦୀର୍ଘ ୪୮୦ କିଲୋମିଟର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଆରମ୍ଭ ହୋଇଛି ଏହି ସମରାଭ୍ୟାସ । ୨୬/୧୧ ମୁମ୍ବାଇ ଆକ୍ରମଣକୁ ଫୋକସରେ ରଖି ଚାଲିଛି କସରତ । ପ୍ରଥମଥର ପାଇଁ ୪ଟି ରାଜ୍ୟ ମିଳିତ ସମରାଭ୍ୟାସରେ ସାମିଲ ହୋଇଛନ୍ତି । ଇଣ୍ଡିଆନ ନ୍ୟାଭି, କୋଷ୍ଟଗାର୍ଡ, ମେରାଇନ ପୋଲିସ, ମତ୍ସ୍ୟ ବିଭାଗ ସହ ୧୨ରୁ ଉର୍ଦ୍ଧ୍ୱ ବିଭାଗ ସାମିଲ ହୋଇଛନ୍ତି ।

 

 

ଶ୍ରଦ୍ଧା ହତ୍ୟା ମାମଲା; ଆମେରିକୀୟ କ୍ରାଇମ୍ ସିରିଜ୍ ଡେକ୍ସଟର ଦେଖି ରଚିଥିଲି ମର୍ଡର ପ୍ଲାନ

ନନ୍ଦିଘୋଷ ବ୍ୟୁରୋ: ପ୍ରେମ ପ୍ରତାରଣା ଓ ବିଭତ୍ସ ହତ୍ୟା । କଲ ସେଣ୍ଟରରୁ ଲଭ, ପରେ ଲିଭଇନ୍ ରିଲେସନସିପ । ପ୍ରେମିକାର ବିବାହ ପ୍ରସ୍ତାବକୁ ପ୍ରତ୍ୟାଖାନ । ଆଉ ଜିଦ୍ କରିବାରୁ ହତ୍ୟା କଲା ସଇତାନ୍ ପ୍ରେମିକ । ଦିଲ୍ଲୀ ଶ୍ରଦ୍ଧା ମର୍ଡର କେସ୍ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ୨୭ ବର୍ଷୀୟା ଶ୍ରଦ୍ଧା ୱାକରଙ୍କୁ ତାଙ୍କ ଲିଭ-ଇନ ପାର୍ଟନର ଅଫତାବ ପୁନାୱାଲା ଅତ୍ୟନ୍ତ କ୍ରୁରତାର ସହ ହତ୍ୟା କରିଛି । କେବଳ ହତ୍ୟାରେ ଅଟକିନଥିଲା ଅଫତାବ । ମୃତ ଶରୀରକୁ ୩୫ ଖଣ୍ଡ କରିଥିଲା ଏବଂ ପ୍ରତି ସପ୍ତାହରେ ପଲିଥିନ ବ୍ୟାଗରେ ଶରୀରର ଅଂଶ ଭର୍ତ୍ତି କରି ଜଙ୍ଗଲରେ ପୋପାଡ଼ି ଦେଉଥିଲା ।

ଦିଲ୍ଲୀ ପୋଲିସ ତଦନ୍ତରେ ମାମଲାର ଯେଉଁ ସାଂଘାତିକ ତଥ୍ୟ ସାମ୍ନାକୁ ତାହା ସମସ୍ତଙ୍କୁ ଆତଙ୍କିତ କରିବଦେବ । ରିପୋର୍ଟ ମୁତାବିକ ଅଭିଯୁକ୍ତ ଅଫତାବ, ପୋଲିସକୁ କହିଛି ଯେ ସେ ଏକ କ୍ରାଇମ ୱେବସିରିଜ୍ ଦେଖି ଏପରି ବିଭତ୍ସ କାଣ୍ଡ ଘଟାଇଛି । ଏକ ପ୍ରସିଦ୍ଧ ଆମେରିକୀୟ କ୍ରାଇମ ସିରିଜ ‘ଡେକ୍ସଟର’ରୁ ଆଇଡିଆ ଆଣିଥିବା କଥା ସେ ସ୍ୱୀକାର କରିଛି ।

ଡେକ୍ସଟର ୱେବସିରିଜକୁ ନଜର ପକାଇଲେ, ତେବେ ସିରିଜର ଲିଡ୍ ରୋଲରେ ଥିବା ଡେକ୍ସଟର ମୋର୍ଗାନ ଏକ ଯାଞ୍ଚ ଏଜେନ୍ସି , ମିୟାମି ମେଟ୍ରୋ ପୋଲିସ ଡିପାର୍ଟମେଣ୍ଟର ଫରେନ୍ସିକ ଟେକ୍ନିସିଆନ ଥିଲା । ସେ ଦିନରେ ନିଜ ଡିପାର୍ଟମେଣ୍ଟ ପାଇଁ ଅପରାଧର ତଦନ୍ତ କରି ସମାଧାନ ତ କରୁଥିଲା, ହେଲେ ରାତିରେ ସିରିୟଲ କିଲିଂର ଜୀବନ ବଞ୍ଚୁଥିଲା । ରାତିର ଅନ୍ଧାରରେ ଡେକ୍ସଟର ସେହି ସବୁ ଅପରାଧୀଙ୍କୁ ଖୋଜି ହତ୍ୟା କରୁଥିଲା ଯେଉଁମାନଙ୍କୁ ନ୍ୟାୟ ବ୍ୟବସ୍ଥା ଉପଯୁକ୍ତ ଦଣ୍ଡ ଦେଇ ପାରୁନଥିଲା । ଶୋ’ର ପ୍ରଥମ ସିଜିନରେ ତାର ହତ୍ୟା କରିବାର ପ୍ରକ୍ରିୟା ଏହା ଥିଲା ଯେ, ସେ ନିଜ ଭିକ୍ଟିମର ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଦେଉଥିଲା ଏବଂ ଖଣ୍ଡ ଅଂଶବିଶେଷକୁ ଗାର୍ବେଜ ବ୍ୟାଗରେ ଭରି ଗାଡି ସହାୟତାରେ ନିଜ ବୋଟ୍ ପର୍ଯ୍ୟନ୍ତ ଆଣୁଥିଲେ । ଏହାପରେ ସେ ଏହି ବ୍ୟାଗର ଓଜନ ବଢ଼ାଇବା ପାଇଁ ଏଥିରେ ପଥର ଭରି ଡକ୍ଟ ଟେପ୍ ରେ ସିଲ କରି ଦେଉଥିଲା ଏବଂ ଗଭୀର ସମୁଦ୍ରରେ ଫୋପାଡ଼ି ଦେଉଥିଲା ।

ଅଫତାବ ପୋଲସକୁ କହିଛି ଯେ ସେ, ଶ୍ରଦ୍ଧାକୁ ଚୁପ କରାଇବାକୁ ଚାହୁଁଥିଲା, କିନ୍ତୁ ମାରପିଟରେ ତାର ଗଳା ଚିପି ଦେଇଥିଲା । ଯାହାଫଳରେ ଶ୍ରଦ୍ଧାର ମୃତ୍ୟୁ ହୋଇଯାଇଥିଲା । ଏହାପରେ ସେ ୱେବସିରିଜ୍ ଡେକ୍ସଟରର ଆଇଡିଆକୁ ଉପଯୋଗ କରିଥିଲା । ହତ୍ୟା ଘଟଣାରୁ ନିଜେ ବଞ୍ଚିବା ପାଇଁ ଡେକ୍ସଟରର ଫର୍ମୁଲା ଆପ୍ଲାଏ କରିଥିଲା । ଶ୍ରଦ୍ଧାର ମୃତଶରୀରକୁ ଷ୍ଟୋର ରଖିବା ପାଇଁ ସେ ଏକ ନୂଆ ଫ୍ରୀଜ ମଧ୍ୟ କିଣିଥିଲା କିନ୍ତୁ ଆଗାମୀ ଦୁଇ ତିନି ମାସ ଶରୀର ଖଣ୍ଡଗୁଡ଼ିକୁ ଲୁଚାଇବା ପାଇଁ ମହରୌଲୀ ଜଙ୍ଗଲରେ ଅନେକ ଚକ୍କର ଲଗାଇଥିଲା । ଏବଂ ଦିନ ପରେ ଦିନ ପିଲିଥିନରେ ଶରୀର ଅଂଶ ଭର୍ତ୍ତି କରି ଜଙ୍ଗଲରେ ଫୋପାଡ଼ି ଦେଉଥିଲା ।

ତେବେ ଏହା ପ୍ରଥମଥର ନୁହେଁ ଯେବେ ଡେକ୍ସଟରରୁ ପ୍ରଭାବିତ ହୋଇ ଅପରାଧୀ ଏପରି ଘଟଣା ଘଟାଇଛନ୍ତି । ଏହା ପୂର୍ବରୁ ମଧ୍ୟ ଏପ୍ରିଲ ୨୦୧୧ରେ କାନାଡାରେ ଜଣେ ପିଲ୍ମମେକର ମାର୍କ ଆଣ୍ଡ୍ରିୟୁଙ୍କୁ ୩୮ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ଫାଷ୍ଟ ଡିଗ୍ରୀ ମର୍ଡରର ଦୋଷୀ ସାବ୍ୟସ୍ତ କରାଯାଇଥିଲା । ମାର୍କ ନିଜ ଭିକ୍ଟିମର ହତ୍ୟା ଏହି ଭଳି କରିଥିଲା ଏବଂ ତାର ଶରୀରର ଅଂଶଗୁଡ଼ିକୁ କେନାଲରେ ଫୋପାଡି ଦେଇଥିଲା । ମାର୍କର ଟ୍ରାଏଲରେ କୋର୍ଟ ନୋଟ୍ କରିଥିଲେ ଯେ ହତ୍ୟା ଘଟଣା ଡେକ୍ସଟର ମୋର୍ଗାନ ସହ ବହୁତ ସାମଞ୍ଜସ୍ୟ ଥିଲା । ଏହାପରେ ଅନେକ ମିଡିଆ ରିପୋର୍ଟରେ ତାଙ୍କୁ ଦ ଡେକ୍ସଟର କିଲର ମଧ୍ୟ କୁହାଯାଇଥିଲା ।

ସେହିପରି ୨୦୧୪ରେ ଡେକ୍ସଟରର ରୋଲରେ ଜଣେ ଆମେରିକୀୟ ଟିନଏଜର ପ୍ରେରିତ ହୋଇ କ୍ରାଇମ କରିଥିଲା । ବାଳକ ଜଣଙ୍କ ନିଜର ୧୭ ବର୍ଷୀୟ ଗାର୍ଲଫ୍ରେଣ୍ଡର ହତ୍ୟା ଏହିପରି ଭୟାନକ ପ୍ରକ୍ରିୟାରେ କରିଥିଲା । ଏହି ହତ୍ୟା ପାଇଁ ତାକୁ ୨୫ ବର୍ଷ ଜେଲଦଣ୍ଡ ହୋଇଥିଲା ।

ବିଶ୍ୱର କେବଳ ୪୫ ଜଣଙ୍କ ପାଖରେ ଅଛି ଗୋଲ୍ଡେନ ବ୍ଲଡ, ଏହି ବିରଳ ରକ୍ତ ବିଷୟରେ ଜାଣନ୍ତୁ ସବୁ କିଛି

ନନ୍ଦିଘୋଷ ବ୍ୟୁରୋ: ବର୍ତ୍ତମାନ ସାରା ବିଶ୍ୱର ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିଛି । ସାଧାରଣତଃ ମଣିଷ ଶରୀରରେ ୮ ପ୍ରକାରର ବ୍ଲଡ ଗ୍ରୁପ ମିଳିଥାଏ । ଯେମିତି କି,  ଏ ପଜିଟିଭ, ଏ ନେଗେଟିଭ, ବି ପଜିଟିଭ, ବି ନେଗେଟିଭ, ଓ ପଜିଟିଭ, ଓ ନେଗେଟିଭ, ଏବି ପଜିଟିଭ ଏବଂ ଏବି ନେଗେଟିଭ । ତେବେ ଏପରି ଏକ ବ୍ଲଡ ଗ୍ରୁପ ସମ୍ପର୍କରେ ଜଣାଯାଇଛି, ଯାହା କି ବିଶ୍ୱରେ କେବଳ ୪୫ ଜଣଙ୍କ ଶରୀରେ ମିଳିଛି । ଏହି ବ୍ଲଡ ଗ୍ରୁପର ନାଁ ହେଉଛି ଗୋଲ୍ଡେନ ବ୍ଲଡ ।

ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ଯେ ଗୋଲ୍ଡେନ ବ୍ଲଡ ଗ୍ରୁପ କଣ ଏବଂ କଣ ଏହାର ରଙ୍ଗ ସୁନେଲି? କେଉଁମାନଙ୍କ ଠାରେ ଏହି ବ୍ଲଡ ଗ୍ରୁପ ଦେଖାଯିବାର ସମ୍ଭାବନା ରହିଛି ଏବଂ ସେମାନେ ସାଧାରଣ ଲୋକଙ୍କ ଭଳି ନା ଭିନ୍ନ । ଆଜି ଆମେ ଆପଣଙ୍କୁ ସବୁ ପ୍ରଶ୍ନର ଉତ୍ତର ଦେବୁ..

ପ୍ରଥମେ ଜାଣିବା ଗୋଲ୍ଡେନ ବ୍ଲଡ ଗ୍ରୁପ କଣ?

ଗୋଲ୍ଡେନ ବ୍ଲଡ ମଣିଷ ଶରୀରେ ମିଳୁଥିବା ଏକ ଦୁର୍ଲଭ ଅର୍ଥାତ ବିରଳ ବ୍ଲଡ ଗ୍ରୁପ ଅଟେ । ଏହି ବ୍ଲଡ ଗ୍ରୁପର ଅନ୍ୟ ଏକ ନାଁ ହେଉଛି ଆରଏଚ ନଲ୍ । ବିଶ୍ୱର ମାତ୍ର ୪୫ ଜଣଙ୍କ ଶରୀରରେ ମିଳୁଥିବା ଏହି ରକ୍ତ କୌଣସି ବି ବ୍ଲଡ ଗ୍ରୁପ ଥିବା ମଣିଷ ଶରୀରରେ ଚଢାଯାଇ ପାରିବ ।

ଆରଏଚ ନଲ୍ କୁ ଗୋଲ୍ଡେନ ବ୍ଲଡ ଗ୍ରୁପ କଣ ପାଇଁ କୁହାଯାଉଛି?

ବିଶ୍ୱର ୪୫ ଜଣଙ୍କ ଶରୀରରେ ଏହି ବ୍ଲଡ ଗ୍ରୁପ ଅବଶ୍ୟ ମିଳିଛି କିନ୍ତୁ ଏହାର ଡୋନର ଏବେ ବି ବିଶ୍ୱରେ କେବଳ ୯ ଜଣ ଅଛନ୍ତି । ଅର୍ଥାତ ଗ୍ରୁପ ଥିବା ୩୬ ଜଣ ଏପରି ଅଛନ୍ତି ଯିଏକି ଏପରି ସ୍ଥିତିରେ ନାହାନ୍ତି କି ନିଜ ବ୍ଲଡ ଡୋନେଟ କରିପାରିବେ ବା ସ୍ୱେଚ୍ଛାକୃତ ଭାବେ ନିଜ ରକ୍ତ ଦାନ କରିବା ପାଇଁ ଇଚ୍ଛୁକ ନାହାନ୍ତି । ଏପରି ସ୍ଥିତିରେ ଏହି ବ୍ଲଡ ଗ୍ରୁପର ଗୋଟିଏ ବୁନ୍ଦା ରକ୍ତର ମୂଲ୍ୟ ଏକ ଗ୍ରାମ ସୁନା ଠାରୁ ମଧ୍ୟ ଅଧିକ । ଏହି କାରଣରୁ ଏହାକୁ ଗୋଲ୍ଡେନ ଗ୍ରୁପର ନାଁ ଦିଆଯାଇଛି ।

ଗୋଲ୍ଡେନ ବ୍ଲଡକୁ ଆରଏଚ ନଲ୍ କଣ ପାଇଁ କୁହାଯାଉଛି?

ଗୋଲ୍ଡେନ ବ୍ଲଡକୁ ଆରଏଚ ନଲ୍ ଏଥିପାଇଁ କୁହାଯାଉଛି କାରଣ ଏହି ରକ୍ତ ସେହି ବ୍ୟକ୍ତିର ଶରୀରେ ମିଳିଥାଏ, ଯାହାଙ୍କର ଆରଏଚ୍ ଫ୍ୟାକ୍ଟର ନଲ୍ ହୋଇଥାଏ ।ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବା ଯେ ଏ ଆରଏଚ୍ ଫ୍ୟାକ୍ଟର ଏବଂ ନଲ୍ କ’ଣ। ସୂଚନାନୁଯାୟୀ ଆମ ଶରୀରରେ ରକ୍ତ ତିନି ପ୍ରକାରର ସେଲ ସହ ମିଶି ସୃଷ୍ଟି ହୋଇଥାଏ । ଗୋଟିଏ ହେଉଛି ରେଡ ବ୍ଲଡ ସେଲ୍, ହ୍ୱାଇଟ ବ୍ଲଡ ସେଲ୍ ଓ ପ୍ଲେଟଲେଟ୍ସ ।

ଆମ ଶରୀରର ବ୍ଲଡ ଗ୍ରୁପ କଣ ଅଟେ, ଏହା ଦୁଇଟି ଜିନିଷ ଆଧାରରେ ଜଣାପଡ଼ିଥାଏ

୧. ଆଣ୍ଟିବଡି: ହ୍ୱାଇଟ ବ୍ଲଡ ସେଲରେ ଉପସ୍ଥିତ ପ୍ରୋଟିନକୁ କୁହାଯାଇଥାଏ ।

୨. ଆଣ୍ଟିଜେନ- ରେଡ ବ୍ଲଡ ସେଲରେ ଉପସ୍ଥିତ ପ୍ରୋଟିନକୁ କୁହାଯାଇଥାଏ ।

ଆରଏଚ୍ ରେଡ ବ୍ଲଡ ସେଲ୍ସର ପୃଷ୍ଠରେ ଉପସ୍ଥିତ ଏକ ପ୍ରୋଟିନ ହୋଇଥାଏ । ସାଧାରଣ ମଣିଷର ଶରୀରେ ଏହି ଆରଏଚ ପଜିଟିଭ ଥାଏ ନଚେତ୍ ନେଗେଟିଭ ଥାଏ । । କିନ୍ତୁ ଯେଉଁ ମଣିଷର ଶରୀରରେ ଗୋଲ୍ଡେନ ବ୍ଲଡ ଥାଏ, ତାର ବଡିର ଆର ଏଚ ନା ତ ପଜିଟିଭ ହୋଇଥାଏ ନାଁ ନେଗିଟିଭ ଥାଏ । ଅର୍ଥାତ ଏମାନଙ୍କ ଶରୀରରେ ଆରଏଚ ଫ୍ୟାକ୍ଟର ନଲ୍ ରହିଥାଏ ।

କିଛି ଲୋକଙ୍କ ଶରୀରରେ ଗୋଲ୍ଡେନ ବ୍ଲଡ କଣ ପାଇଁ ମିଳିଥାଏ?

ଗୋଲ୍ଡେନ ବ୍ଲଡ ଗ୍ରୁପ ଜେନେଟିକ ମ୍ୟୁଟେସନ କାରଣରୁ ହୋଇଥାଏ । ସାଧାରଣତଃ ଏପରି ଲୋକଙ୍କ ଶରୀରରେ ଆରଏଚଏଜି ଜିନର ମ୍ୟୁଟେସନ କାରଣରୁ ହୋଇଥାଏ । କୌଣସି ମନୁଷ୍ୟର ଶରୀରରେ ଏହି ବ୍ଲଡ ଗ୍ରୁପ ମିଳିବାର ମୁଖ୍ୟତଃ ଦୁଇଟି କାରଣ ସାମ୍ନାକୁ ଆସିଛି । – ଜେନେଟିକ୍ ମ୍ୟୁଟେସନ କାରଣରୁ ଗୋଟିଏ ପୀଢିରୁ ଅନ୍ୟ ପୀଢିର ଲୋକଙ୍କ ପାଖକୁ ଟ୍ରାନ୍ସଫର ହୋଇଥାଏ । ନ୍ୟାସନାଲ ଲାଇବ୍ରେରୀ ଅଫ ମେଡିସିନ ୱାବସାଇଟ୍ ମୁତାବିକ କଜିନ, ଭାଇ ଭଉଣୀ ବା କୌଣସି ନିକଟ ବା ସମ୍ପର୍କୀୟଙ୍କ ମଧ୍ୟରେ ବିବାହ ହେବା କାରଣରୁ ତାଙ୍କ ପିଲାଙ୍କଠାରେ ଗୋଲ୍ଡେନ ବ୍ଲଡ ମିଳିବାର ସମ୍ଭାବନା ଥାଏ ।

ପ୍ରଥମଥର ଗୋଲ୍ଡେନ ବ୍ଲଡ କେଉଁଠି ଦେଖାଯାଇଥିଲା?

ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ ୱାବସାଇଟ୍ ମୁତାବିକ ୧୯୬୧ରେ ପ୍ରଥମଥର ଅଷ୍ଟ୍ରେଲିଆର ଏକ ଆଦିବାସୀ ମହିଳାଙ୍କ ଶରୀରରେ ଏହି ବ୍ଲଡ ଗ୍ରୁପ ମିଳିଥିଲା । ଏହା ପରେ ଅଷ୍ଟ୍ରେଲିଆର କିଙ୍ଗ ଏଡୱାର୍ଡ ମେମୋରିଆଲ ହସ୍ପିଟାଲର ଡାକ୍ତର ଜିଏଚ ଭୋଜ ଏବଂ ତାଙ୍କ ସାଥୀମାନେ ଏ ସମ୍ପର୍କରେ ଡିଟେଲ ରିପୋର୍ଟ ପ୍ରସ୍ତୁତି କରିଥିଲେ । ଏହି ରିପୋର୍ଟକୁ ଚଳିତ ବର୍ଷ ପାକିସ୍ତାନ ମେଡିକାଲ ଆସୋସିଏସନର ପତ୍ରିକାରେ ପ୍ରକାଶ ପାଇତିଲା । ଏହା ପୂର୍ବରୁ ଡାକ୍ତରୀ ବିଶ୍ୱାସ ରହିଥିଲା ଯେ ବିନା ଆରଏଚ ଆଣ୍ଟିଜେନରେ ପିଲା ଜୀବିତ ଜନ୍ମ ସମ୍ଭବ ନୁହେଁ ।

ଗୋଲ୍ଡେନ ବ୍ଲଡ ଗ୍ରୁପ ଥିବା ମଣିଷଙ୍କ ଶରୀରରେ ହେମୋଗ୍ଲୋବିନର ଅଭାବ ଥାଏ । ଏହା କାଣରୁ ଶରୀରରେ ହଳଦିଆ ଏବଂ ରେଡ ବ୍ଲଡ ସେଲ୍ସ କମ ହେବାର ବିପଦ ଲାଗି ରହିଥାଏ । ଏହି ବ୍ଲଡ ଗ୍ରୁପ ଥିବା ଅଧିକତମ ଲୋକ ଏନେମିଆ ରୋଗର ଶିକାର ଥିବା ଦେଖାଯାଇଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ମା’ ଏବଂ ଗର୍ଭରେ ବଢ଼ୁଥିବା ଉଭୟଙ୍କ ଶରୀରରେ ଗୋଲ୍ଡେନ ବ୍ଲଡ ଥାଏ ତେବେ ଗର୍ଭପାତର ସମ୍ଭାବନା ବଢ଼ିଯାଇଥାଏ  । ଏପରି ଲୋକଙ୍କ କିଡନୀ ଫେଲ୍ ହେବାର ଅଧିକ ସମ୍ଭାବନା ରହିଥାଏ ।

ଯଦି ଆପଣଙ୍କର ଗୋଲ୍ଡେନ ବ୍ଲଡ ଗ୍ରୁପ ଅଟେ ତେବେ ସେଣ୍ଟ୍ରାଲ ବ୍ଲଡ ରେଜିଷ୍ଟ୍ରିରେ ନିଜ ନାଁ ପଞ୍ଜିକୃତ କରାନ୍ତୁ । ଯାହାଫଳରେ ସମୟ ଆସିଲେ ଆପଣଙ୍କୁ ସାହାଯ୍ୟ ମିଳିପାରିବ ଏବଂ ଆପଣ କାହାକୁ ସାହାଯ୍ୟ କରିପାରିବେ

ଜି-୨୦ ସମ୍ମିଳନୀରେ ଚୀନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ବାଲି: ଜି-୨୦ ସମ୍ମିଳନୀରେ ଚୀନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି । ଇଣ୍ଡୋନେସିଆର ବାଲିରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ୱିଡୋଡୋ ପକ୍ଷରୁ ବିଶ୍ୱନେତାଙ୍କୁ ରାତ୍ର ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଥିବା ବେଳେ ସେଠାରେ ଦୁହେଁ ଭେଟଘାଟ ହୋଇଥିଲେ ।

ଏହି ସମୟରେ ଉଭୟ କିଛି ସମୟ ଧରି କଥାବାର୍ତ୍ତା ହୋଇଥିଲେ । ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଏବେ ବି ଚାଲିଥିବା ବେଳେ ଦୁଇ ନେତାଙ୍କ ଆଲୋଚନା ବେଶ୍ ଗୁରୁତ୍ୱବହନ କରୁଛି । ତେବେ ସେମାନଙ୍କ ମଧ୍ୟରେ ଭେଟଘାଟ ନେଇ କୌଣସି ପ୍ରକାର ସମୟ ଧାର୍ଯ୍ୟ ହୋଇନଥିଲା । ଏହା ଏକ ଔପଚାରିକ ଭାବେ ଭେଟ୍ ଘାଟ ବୋଲି ଜଣାପଡ଼ିଛି ।

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସାନିଟାରୀ ଇନ୍ସପେକ୍ଟରଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ଦେଲା ବିଏମସି

ଭୁବନେଶ୍ୱର: କଥା ଦେଇ କଥା ରଖିଲା ବିଏମସି । କାର୍ଯ୍ୟରତ ଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ନବ ନିଯୁକ୍ତ ସାନିଟାରୀ ଇନ୍ସପେକ୍ଟରଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ଦେଲା ବିଏମସି । ଗତ ୩୦ ତାରିଖ ରାତିରେ ରାଜମହଲ ଛକରେ ସଡ଼କ ଦୁର୍ଘଟଣାରେ ସାନିଟାରୀ ଇନ୍ସପେକ୍ଟର ପି. ରିତିକ ରୋହନଙ୍କର ମୃତ୍ୟୁ ଘଟିଥିଲା । ମୃତ ରିତିକ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିଲେ। ତାଙ୍କର ମୃତ୍ୟୁ ପରେ ସଂପୂର୍ଣ୍ଣ ପରିବାର ବେସାହାରା ହୋଇଯାଇଥିଲା ।

ମୃତକଙ୍କ ପରିବାରରୁ ଜଣେ ସଦସ୍ୟଙ୍କୁ ବିଏମସିରେ ନିଯୁକ୍ତି ଦେବାକୁ ଦାବି ହୋଇଥିଲା । ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲା ବିଏମସି । ମୃତକଙ୍କ ବଡ଼ଭାଇ ପି. ହୃତିକ ରୋଶନଙ୍କୁ ସାନିଟାରୀ ଇନ୍ସପେକ୍ଟର ଭାବେ ନିଯୁକ୍ତି ମିଳିଛି । ରୋଶନ ଡେପୁଟି କମିଶନର ଶୁଭେନ୍ଦୁ ସାହୁଙ୍କ ଉପସ୍ଥିତିରେ ନିଯୁକ୍ତି ପତ୍ର ଗ୍ରହଣ କରିଛନ୍ତି । ବିଏମସିର ପଦକ୍ଷେପକୁ ହୃତିକଙ୍କ ପରିବାର ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

ଶିଳ୍ପାୟନ ଭିତ୍ତିଭୂମି ବିକାଶ ନିମନ୍ତେ କାର୍ଯ୍ୟ ଯୋଜନା ଅନୁମୋଦିତ

ଭୁବନେଶ୍ୱର: ରାଜ୍ୟରେ ଅଧିକ ଶିଳ୍ପାୟନ ବିକାଶ ଦିଗରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ରାଜ୍ୟ ଲଜିଷ୍ଟିକ୍ କାର୍ଯ୍ୟ ଯୋଜନାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ଷମତା ସଂପନ୍ନ କମିଟି ବୈଠକରେ ଅନୁମୋଦନ ଦିଆଯାଇଛି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡରେ  ଅନୁଷ୍ଠିତ ଏହି ବୈଠକରେ  ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା କହିଥିଲେ ଯେ ପ୍ରକଳ୍ପ ନିର୍ଦ୍ଧାରଣ ନିମନ୍ତେ ସଂପୃକ୍ତ ବିଭାଗମାନଙ୍କରୁ ବରିଷ୍ଠ ବୈଷୟିକ ଅଧିକାରୀ ଏବଂ କଳିଙ୍ଗନଗର, ପାରାଦ୍ୱୀପ, ଝାରସୁଗୁଡ଼ା ଓ ରାୟଗଡ଼ା ଶିଳ୍ପାଞ୍ଚଳରୁ ଶିଳ୍ପାନୁଷ୍ଠାନ ପ୍ରତିନିଧିମାନଙ୍କୁ  ନେଇ ଗୋଟିଏ ବୈଷୟିକ ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦୮.୬୭ କୋଟି ଟଙ୍କା ଆକଳନରେ  ୧୮ଟି ପ୍ରକଳ୍ପ ସୁପାରିଶ କରିଛନ୍ତି ।

ସୁପାରିଶ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସଡ଼କ ଯୋଗାଯୋଗ, ବାହ୍ୟ ଜଳଯୋଗାଣ ଏବଂ ଭଣ୍ଡାର ଘର ନିର୍ମାଣ ଆଦି ପ୍ରକଳ୍ପକୁ ବୈଠକରେ ଅନୁମୋଦନ କରାଯାଇଥିଲା । ଅନୁମୋଦିତ ପ୍ରକଳ୍ପ ମଧ୍ୟରେ ଇଡକୋର ୩୦୨.୯୫ କୋଟି ଟଙ୍କା ଆକଳନରେ ୧୨ ଟି ପ୍ରକଳ୍ପ, ପୂର୍ତ୍ତ ବିଭାଗର ୩୮୬.୬୪ କୋଟି ଟଙ୍କା ଆକଳନରେ ୪ଟି ପ୍ରକଳ୍ପ, ଏବଂ ଓଡ଼ିଶା ରାଜ୍ୟ ଓୟାର ହାଉସିଂ ନିଗମର ୧୯.୦୮ ଆକଳନରେ ୨ଟି ପ୍ରକଳ୍ପ ରହିଛି । ଏହି ପ୍ରକଳ୍ପ ଗୁଡିକ ମୁଖ୍ୟତଃ କଳାହାଣ୍ଡି, ଯାଜପୁର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ନବରଙ୍ଗପୁର, ଢେଙ୍କାନାଳ, ପୁରୀ ଆଦି ଜିଲ୍ଲା ସହ ରାଜ୍ୟ ଓୟାର ହାଉସିଂ ନିଗମର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯିବ ।

ପ୍ରକଳ୍ପ ପ୍ରସ୍ତାବ ଗୁଡ଼ିକୁ ବିଚାର କରି ମୁଖ୍ୟ ଶାସନ ସଚିବ କହିଥିଲେ ଯେ ଏହି ପ୍ରକଳ୍ପଗୁଡିକ ଶିଳ୍ପାୟନ ଭିତ୍ତିଭୂମି ବିକାଶ ନିମନ୍ତେ ଏକାନ୍ତ ଆବଶ୍ୟକ ହୋଇଥିବାରୁ ପୁଞ୍ଜି ନିବେଶ ନିମନ୍ତେ ରାଜ୍ୟ ପାଇଁ ସ୍ୱତନ୍ତ୍ର ସହାୟତା ସ୍କିମରେ ଅନ୍ତର୍ଭୁକ୍ତ ହୋଇପାରିବ । ଏଥିନିମନ୍ତେ ଅନୁମୋଦିତ ପ୍ରକଳ୍ପ ଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରଧାନମନ୍ତ୍ରୀ ଗତି-ଶକ୍ତି ପୋର୍ଟାଲରେ ଅପଲୋଡ୍ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମାଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଆଲୋଚନାରେ  ଅଂଶଗ୍ରହଣ କରିଥିଲେ ।

ବିଏମସିରେ ଭତ୍ତା ଘୋଟାଲାର ହେବ ଖୋଳତାଡ଼, ଯୋଗ୍ୟ ହିତାଧିକାରୀ ପାଇବେ ସହାୟତା

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମରେ ଚିହ୍ନଟ ହୋଇଛନ୍ତି ଶହଶହ ମୃତ ଓ ଭୂତ ହିତାଧିକାରୀ । ହିତାଧିକାରୀଙ୍କୁ ଭତ୍ତା ପ୍ରଦାନରେ  ରହିଛି ଅନେକ ସମସ୍ୟା । ଫଳରେ ବହୁ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏଭଳି ଘଟଣାକୁ ନେଇ ବିଏମସିରେ ସୃଷ୍ଟି ହୋଇଛି ଭୂକମ୍ପ । ଗ୍ରାଉଣ୍ଡ ଜିରୋରେ ସମସ୍ୟାର ସମାଧାନ ପାଇଁ ବିଏମସି ପକ୍ଷରୁ ଆରମ୍ଭ ହୋଇଛି ଓ୍ବାର୍ଡ-ଓ୍ବାରୀ ଜନଶୁଣାଣି । ସମସ୍ୟାର ସମାଧାନ ହେବ ଅନ୍ ଦି ସ୍ପଟ୍ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ବିଧବା, ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଓ ଟ୍ରାନ୍ସଜେଣ୍ଡର ଆଦି ବର୍ଗରେ ଚିହ୍ନଟ ହେଉଛନ୍ତି ହିତାଧିକାରୀ । ତାଲିକାଭୁକ୍ତଙ୍କୁ ଯୋଗାଇ ଦିଆଯାଉଛି ମାସିକ ଭତ୍ତା । ପୂର୍ବରୁ ନଗଦ ଆକାରରେ ଭତ୍ତା ପ୍ରଦାନ କରାଯାଉଥିଲା । ମାତ୍ର ସେଥିରେ ହେରଫେର ଅଭିଯୋଗ ପରେ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଉଛି ସହାୟତା । ହେଲେ ନିୟମିତ ଭତ୍ତା ଅର୍ଥ ମିଳିବାରେ ରହିଛି ସମସ୍ୟା ।

ସେପଟେ ନିରକ୍ଷରତା ଓ ସଚେତନତା ଅଭାବରୁ ହିତାଧିକାରୀଙ୍କ କାର୍ଡରେ ରହିଛି ତ୍ରୁଟି । ବର୍ଷ ବର୍ଷ ଧରି ଆବେଦନ କରି ମଧ୍ୟ ଯୋଗ୍ୟ ହିତାଧିକାରୀ ତାଲିକାଭୁକ୍ତ ହୋଇପାରୁନାହାନ୍ତି । ମୃତ ଓ ଭୂତ ହିତାଧିକାରୀଙ୍କ ନାଁରେ ଗଡ଼ୁଛି ଲକ୍ଷ ଲକ୍ଷ ଟଙ୍କା । ସମସ୍ୟାର ସମାଧାନ ପାଇଁ ବିଏମସି କାର୍ଯ୍ୟାଳୟ ଓ ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି ହିତାଧିକାରୀ। ସେପଟେ ସୁବିଧାରୁ ମଧ୍ୟ ବଞ୍ଚିତ ହେଉଛନ୍ତି ବହୁ ଯୋଗ୍ୟ ହିତାଧିକାରୀ । ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଏମସି ପକ୍ଷରୁ ଆରମ୍ଭ ହୋଇଛି ଓ୍ୱାର୍ଡ-ଓ୍ୱାରୀ ଜନଶୁଣାଣି । ଗ୍ରାଉଣ୍ଡ ଜିରୋରେ ଲୋକଙ୍କ ସମସ୍ୟା ଜଣାପଡିବା ପରେ ତାହାକୁ ସୁଧାରିବା ବ୍ୟବସ୍ଥା କରାଯାଉଛି । ଗତ ୯ ତାରିଖଠାରୁ ଆରମ୍ଭ ହୋଇଥିବା ଜନଶୁଣାଣି ମାସ ତମାମ ଚାଲିବ ।

ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବ କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ, ୫ଟି ବ୍ଲକର ଚାଷୀ ହେବେ ଉପକୃତ

କେନ୍ଦୁଝର: ଅଧିକ ଜମିକୁ ମାଡ଼ିବ ପାଣି । ଶସ୍ୟ ଶାମଳା ହେବେ କ୍ଷେତ । ନଦୀ ବନ୍ଧର ବି ବଢ଼ିବ ସ୍ଥାୟିତ୍ବ  । ଅତିଶୀଘ୍ର ସମ୍ପୂର୍ଣ୍ଣ ହେବ କେନ୍ଦୁଝର ଜିଲ୍ଲାର କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ । ବୈତରଣୀ ନଦୀ ଉପରେ ଚାଲିଛି ଏହି ପ୍ରକଳ୍ପ କାମ । ଗୋଟିଏ ପଟେ ରିଭର୍ ଗ୍ୟାପ୍ କ୍ଲୋଜିଙ୍ଗ୍ ଚାଲିଥିବା ବେଳେ, ଅନ୍ୟପଟେ ନଦୀବନ୍ଧକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ଲାଷ୍ଟିକ୍ କଂକ୍ରିଟ୍ ବିଛାଇବା କାମ ଜାରି ରହିଛି । 5T  ସଚିବଙ୍କ ପ୍ରତକ୍ଷ ତତ୍ୱାବଧାନରେ ଏହି ପ୍ରକଳ୍ପର କାମ ଜାରି ରହିଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୫ଟି ବ୍ଲକର ୧ ଲକ୍ଷ ୪୪ ହଜାର ୮୮୮ ଜଣ ଚାଷୀ ଉପକୃତ ହେବା ସହ ସମୁଦାୟ ୪୪ ହଜାର ହେକ୍ଟର୍ ଚାଷଜମିରେ ପାଣି ମାଡ଼ିବ । ୨୦୨୩ ଡିସେମ୍ବର ସୁଦ୍ଧା ପ୍ରକଳ୍ପ କାମ ଶେଷ ହେବ ବୋଲି କହିଛନ୍ତି ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ।

୨୦୦୬ ମହିହାରୁ ଆରମ୍ଭ ହୋଇଥିଲା ଏହି ପ୍ରକଳ୍ପ କର୍ଯ୍ୟ । ହେଲେ ବିସ୍ଥାପିତଙ୍କୁ ଥଇଥାନ, ଜାତୀୟ ରାଜପଥ ଉପରେ ପୋଲ ନିର୍ମାଣ, କେନାଲ୍ ପାଇଁ ଜମି ଅଧିଗ୍ରହଣ ସମସ୍ୟା ଯୋଗୁ କାର୍ଯ୍ୟ ଧିମା ପଡ଼ିଥିଲା । ଏନେଇ ଗତ ଏପ୍ରିଲ୍ ମାସ ୨୨ ତାରିଖରେ ପ୍ରକଳ୍ପର ନିର୍ମାଣକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, 5T ସଚିବ ଭି.କେ. ପାଣ୍ଡିଆନ୍ ଓ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ମାଣସ୍ଥଳ ପରିଦର୍ଶନ କରି ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏବେ ସମସ୍ୟାର ସମାଧାନ ସହ ନଦୀବନ୍ଧ ନିର୍ମାଣ ସାଙ୍ଗକୁ ଏହାର କେନାଲ୍ ନିର୍ମାଣ କାମ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି । ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ, ରବି ଋତୁରେ ଧାନ ସହିତ ଅନ୍ୟ ପନିପରିବା ଚାଷ କରି ଆର୍ଥିକ ମେରୁଦଣ୍ଡ ସୁଦୃଢ଼ କରି ପାରିବେ ବୋଲି ଚାଷୀ କହିଛନ୍ତି ।

ଚାଷୀ ପ୍ରସଙ୍ଗରେ ବିଜେପିର ନାଟକବାଜିକୁ ଦେଖୁଛନ୍ତି ଓଡ଼ିଶାବାସୀ: ବିଜେଡି

ଭୁବନେଶ୍ୱର: ଓଡ଼ିଶା ଚାଷୀଙ୍କ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟବାସୀ ବିଜେପିର ନାଟକବାଜି, ମିଥ୍ୟା ପ୍ରଚାର ଓ ନକଲି କାରବାରକୁ ଦେଖୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ସେ କହିଛନ୍ତି ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦମପୁରରେ ତାଙ୍କ ଅଭିଭାଷଣରେ ଅଭିଯୋଗ କରିଥିଲେ ଯେ ଓଡ଼ିଶା ସରକାର କାହିଁକି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀରେ ବୀମା କମ୍ପାନୀ ଭାବରେ HDFCକୁ ମନୋନୀତ କରିଛନ୍ତି ? ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ, କର୍ଣ୍ଣାଟକ, ଆସାମ, ତ୍ରିପୁରା ଏବଂ ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ପାଇଁ ଏକ କାର୍ଯ୍ୟକାରୀ କମ୍ପାନୀ ଭାବରେ HDFCକୁ ବାଛିଛନ୍ତି । ଏହି ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ଅନ୍ୟାୟ କରିଥିବା ସେ କହିବାକୁ ଚାହୁଁଛନ୍ତି କି ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି ।

ଓଡ଼ିଶାର ଲୋକମାନେ ସତ କ’ଣ ଜାଣିବାକୁ ଚାହାନ୍ତି । ପିଏମଏଫବିଓ୍ୱାଇ ପାଇଁ ବୀମା ଏଜେନ୍ସିଗୁଡ଼ିକ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜାତୀୟ ଟେଣ୍ଡର ଜରିଆରେ ମନୋନୀତ ହୋଇଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ ହୋଇଛନ୍ତି । HDFC କେନ୍ଦ୍ର ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ । କେନ୍ଦ୍ରମନ୍ତ୍ରୀ ଏହାକୁ ଅସ୍ୱୀକାର କରିପାରିବେ କି ?  ରାଜ୍ୟଗୁଡ଼ିକ କେବଳ ତାଲିକାଭୁକ୍ତ ବୀମା କମ୍ପାନୀଗୁଡ଼ିକ ମଧ୍ୟରେ ଟେଣ୍ଡର କରିଥାନ୍ତି । ଏହି ପ୍ରକ୍ରିୟା ସର୍ବତ ହୋଇଥାଏ । ଓଡ଼ିଶାରେ ମଧ୍ୟ ସମାନ ପ୍ରକ୍ରିୟା ଅନୁସରଣ କରାଯାଇଛି । ପିଏମଏଫବିଓ୍ୱାଇ ହେଉଛି ଏକ କେନ୍ଦ୍ରୀୟ ଯୋଜନା । ଏଥିପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାର ବଜେଟ୍ ପାରିତ ହୋଇଛି ଏବଂ ଯେତେବେଳେ କୃଷକ ଏବଂ ବୀମା କମ୍ପାନୀ ମଧ୍ୟରେ ବିବାଦ ଦେଖାଦିଏ ସେ ସମୟରେ କେନ୍ଦ୍ର ସରକାର ହେଉଛନ୍ତି ’ ଆପିଲେଟ ଅଥରିଟୀ’ ।

ବର୍ତ୍ତମାନ ମାମଲାରେ ଆବେଦନ କେନ୍ଦ୍ର ସରକାରଙ୍କ ନିକଟରେ ବିଚାରଧୀନ ଅଛି । ଯଦି କେନ୍ଦ୍ରମନ୍ତ୍ରୀଙ୍କର କୃଷକଙ୍କ ପାଇଁ ପ୍ରକୃତ ଚିନ୍ତା ଅଛି । ତେବେ ସେ ମିଥ୍ୟା ପ୍ରଚାର କରିବା ପରିବର୍ତ୍ତେ ଓଡ଼ିଶାରେ କୃଷକମାନଙ୍କୁ ନ୍ୟାୟ ଦେବାପାଇଁ ତାଙ୍କ ସହଯୋଗୀ କେନ୍ଦ୍ର କୃଷିମନ୍ତ୍ରୀଙ୍କ ସହ କଥା ହେବା ଉଚିତ୍ ।

ବାସ୍ତବରେ ଆମ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇ ଆସୁଛନ୍ତି । ଚାଷୀ ପ୍ରସଙ୍ଗରେ ବିଜେପି ଦ୍ୱାରା ପ୍ରଦର୍ଶିତ ହେଉଥିବା ନାଟକବାଜି ଏବଂ ମିଥ୍ୟାକୁ ଓଡ଼ିଶାର ଲୋକମାନେ ପସନ୍ଦ କରନ୍ତି ନାହିଁ । ଏଥିପାଇଁ ସେମାନଙ୍କୁ ଉପଯୁକ୍ତ ଜବାବ ଦେବେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।