spot_img
Home Blog Page 3700

ମୁସଲିମ ନାବାଳକ-ନାବାଳିକାଙ୍କ ବିବାହ ଆଇନସମ୍ମନ ନୁହେଁ

କେରଳ: ମୁସଲିମ ପର୍ସନାଲ ଲ’ ଅନୁସାରେ ନାବାଳକ ବା ନାବାଳିକାଙ୍କ ବିବାହ ଆଇନସମ୍ମତ ନୁହେଁ । ଯୌନଗତ ଅପରାଧରୁ ଶିଶୁଙ୍କ ସୁରକ୍ଷା ବା ପକ୍ସୋ ଆଇନ ଅନୁସାରେ ଏହି ବିବାହ ବେଆଇନ ବୋଲି କହିଛନ୍ତି କେରଳ ହାଇକୋର୍ଟ । ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତ ପ୍ରକାର ବିବାହ ପକ୍ସୋ ଆଇନ ପରିସରଭୁକ୍ତ ବୋଲି କହିଛନ୍ତି କୋର୍ଟ ।

ଜଷ୍ଟିସ ବେଚୁ କୁରିଆନ ଥୋମାସଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ କହିଛନ୍ତି, ଶିଶୁମାନଙ୍କୁ ଯୌନଗତ ଅପରାଧରୁ ସୁରକ୍ଷିତ ରଖିବା ହେଉଛି ପକ୍ସୋ ଆଇନର ଉଦ୍ଦେଶ୍ୟ । ଶିଶୁଙ୍କ ବିରୋଧରେ କୌଣସି ପ୍ରକାର ଯୌନଗତ ହିଂସା ଅଗ୍ରହଣୀୟ । ଏହି ଧରଣର ହିଂସାରୁ ବିବାହ ଅଲଗା ନୁହେଁ । ପକ୍ସୋ ଆଇନ ଏକ ସ୍ବତନ୍ତ୍ର ଆଇନ । ବିଭିନ୍ନ ପ୍ରକାର ସାମାଜିକ ସ୍ଥିତିକୁ ଅନୁଧ୍ୟାନ କରି ଏହି ଆଇନ ଆସିଥିଲା । ଶିଶୁମାନଙ୍କୁ ଉଚିତ ନ୍ୟାୟ ଦେବା ତଥା ନୈତିକତା ଦୃଷ୍ଟିରୁ ଏହି ଆଇନ ଗୁରୁତ୍ବପୂର୍ଣ୍ଣ । ସମାଜର ଦୁର୍ବଳ ବର୍ଗର ଅଂଶ ବିଶେଷ ଥିବା ଶିଶୁ ସମାଜ ଓ ନିରୀହ ଶିଶୁଙ୍କୁ ଉପଯୁକ୍ତ ନ୍ୟାୟ ଦେବା ସମାଜର କର୍ତ୍ତବ୍ୟ । ନାବାଳକ ଓ ନାବାଳିକାଙ୍କ ବିବାହ ଏକପ୍ରକାର ଯୌନଗତ ହିଂସା । ବାଲ୍ୟ ବିବାହ ଏକ ମାନବାଧିକାର ଉଲ୍ଲଂଘନ ବୋଲି କହିଛନ୍ତି ଖଣ୍ଡପୀଠ ।

ବାଲ୍ୟ ବିବାହ ସଭ୍ୟ ସମାଜ ଲାଗି ଏକ କଳଙ୍କ ଏବଂ ପକ୍ସୋ ଆଇନ ଜରିଆରେ ଶିଶୁମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯାଉଛି । ବିବାହର ମନ୍ଦ ଉଦ୍ଦେଶ୍ୟ ରଖି ଶିଶୁମାନଙ୍କ ସହ ଯୌନ ସମ୍ପର୍କ ରକ୍ଷା କରିବା ବି ଏକ ଅପରାଧ ବୋଲି କହିଛନ୍ତି ଖଣ୍ଡପୀଠ । କେରଳରେ ଜଣେ ନାବାଳିକାଙ୍କୁ ଜଣେ 31 ବର୍ଷ ବୟସ୍କ ମୁସଲିମ ଯୁବକ ଅପହରଣ କରି ଦୁଷ୍କର୍ମ କରିବା ଘଟଣାର ଶୁଣାଣି କରି ଅଭିଯୁକ୍ତର ଜାମିନ ଆବେଦନ ଖାରଜ କରିବା ସହ ଏହି ମତ ରଖିଛନ୍ତି କୋର୍ଟ ।

ବିଶ୍ବସ୍ତରରେ ଚମକିଲେ ଓଡ଼ିଆ ଝିଅ

ରାୟଗଡ଼ା: କ୍ରୀଡା କ୍ଷେତ୍ରରେ ବିଶ୍ଵସ୍ତରରେ ଚମକିଛନ୍ତି ରାୟଗଡା ଜିଲ୍ଲା ବିଷମକଟକର ଯୁବ ପ୍ରତିଭା ବି .ଭିନିଲା । ଚତୁର୍ଥ ଚେସ ବକ୍ସିଂ ବିଶ୍ୱକପରେ ବି.ଭିନିଲା ୫୦ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ଜିତି ଜିଲ୍ଲା ଓ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ । ଚଳିତ ମାସ ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ ତୁର୍କୀର ଆଣ୍ଟାଲିଆ ସହରରେ ଆୟୋଜିତ ଚତୁର୍ଥ ବିଶ୍ୱ ଚେସ ବକ୍ସି ପ୍ରତିଯୋଗିତାରେ କାଜକଆସ୍ତାନ ଓ ଋଷ ପ୍ରତିଦ୍ବନ୍ଦ୍ବିଙ୍କୁ ପରାଜିତ କରି ସ୍ୱର୍ଣ୍ଣ ପଦକର ଅଧିକାରିଣୀ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ବିଶ୍ଵର ୧୦ଟି ଦଳ ଭାଗ ନେଇଥିଲେ । ବି .ଭିନିଲା ଏବେ ଆନ୍ଧ୍ରପ୍ରଦେଶ ସ୍ଥିତ ବିଶାଖାପାଟଣାର ଏକ ଘରୋଇ ବିଦ୍ୟାଳୟରେ ଯୁକ୍ତଦୁଇ ବିଜ୍ଞାନ ଅଧ୍ୟୟନ କରୁଛନ୍ତି ।

ଓଡ଼ିଶାକୁ ଶ୍ରେଷ୍ଠ ଇକୋ ଡେଷ୍ଟିନେସନ ମାନ୍ୟତା

ଭୁବନେଶ୍ବର: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଓଡ଼ିଶାର ପର୍ଯ୍ୟଟନ ସ୍ଥଳ । ସାରା ଦେଶରେ ଓଡ଼ିଶାକୁ ମିଳିଛି ଶ୍ରେଷ୍ଠ ଇକୋ ଡେଷ୍ଟିନେସନର ମାନ୍ୟତା । ଭ୍ରମଣ ଅବକାଶ ଭାରତ- ଦକ୍ଷିଣ ଏସିଆ ଅନ୍ତର୍ଜାତୀୟ ମାଗାଜିନର ୧୧ ତମ ସଂସ୍କରଣରେ ପାଠକଙ୍କ ପସନ୍ଦକୁ ଭିତ୍ତି କରି ପ୍ରସ୍ତୁତ ହୋଇଛି ଏହି ତାଲିକା ।

ଜାତୀୟସ୍ତରରେ ଓଡ଼ିଶାକୁ ଅଧିକାଂଶ ବ୍ଲଗର ଓ ପର୍ଯ୍ୟଟନ ପତ୍ରିକା ପଢୁଥିବା ପାଠକମାନେ ଇକୋ-ଡେଷ୍ଟିନେସନ ଭାବେ ବାଛିଛନ୍ତି । ପତ୍ରିକାରେ ଚିଲିକା ହ୍ରଦ, ଭିତରକନିକା, ନନ୍ଦନକାନନ ଚିଡ଼ିଆଖାନାକୁ ସ୍ଥାନିତ କରାଯାଇଥିବା ବେଳେ, ରାଜ୍ୟ ସରକାର ଆରମ୍ଭ କରିଥିବା ଇକୋ-ରିଟ୍ରିଟ ସମ୍ପର୍କରେ ଉଲ୍ଲେଖ ରହିଛି । ୧୩ଟି ନୂଆ ଇକୋ-ଡେଷ୍ଟିନେସନ ଭାବରେ ଉଲ୍ଲେଖ ରହିଛି । ଯେଉଁଥିରେ ଦେଉମାଳି, କୋଟିଆ, କଳାହାଣ୍ଡିର ଜାକମ, ଶିମିଳିପାଳର ନଓ୍ବାନ, କଳିଙ୍ଗ ଘାଟି, ଅସ୍ତରଙ୍ଗ ବେଳାଭୂମୀ, ରାଇରଙ୍ଗପୁରର ଖଡ଼ାଖାଇ ଡ୍ୟାମ, ମହେନ୍ଦ୍ରଗିରି, କାଞ୍ଜିପାଣି ଘାଟି, ରାଣୀ ଡୁଡୁମା, କଟକର ଧଲତନଗର ଓ ନୟାଗଡ଼ର ଭଣ୍ଡାର ପାହାଡ଼ ବିଷୟରେ ଉଲ୍ଲେଖ କରାଯାଇଛି ।

ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଇକୋ-ରିଟ୍ରିଟ୍ ପ୍ରତି ଅଧିକ ଚାହିଦା ରହିଛି । ଯେଉଁଥିପାଇଁ ସରକାର ସାନି ୭ଟି ଇକୋ ରିଟ୍ରିଟ ବ୍ୟବସ୍ଥା କରିଛନ୍ତି । ପାଖାପାଖି ୫୦ରୁ ଅଧିକ ଇକୋ-ଡେଷ୍ଟିନେସନ ପର୍ଯ୍ୟଟଙ୍କ ଅପେକ୍ଷାରେ ରହିଛି ।

ଜମାଟୋରୁ ଛଟେଇ ହେବେ ୪ ପ୍ରତିଶତ କର୍ମଚାରୀ

ନୂଆଦିଲ୍ଲୀ: ଟୁଇଟର, ମେଟା, ମାଇକ୍ରୋସଫ୍ଟ ଓ ଆମାଜନ ପରେ ଏବେ ଜୋମାଟୋ କରିବ ଛଟେଇ । ଆର୍ଥିକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଆଗୁଆ କର୍ମଚାରୀ ଛଟେଇ କରିବା ଆରମ୍ଭ କରିଛି ଏହି ଷ୍ଟାଟଅପ୍ । ଜୋମାଟୋରୁ ଛଟେଇ ହେବେ ୪ ପ୍ରତିଶତ କର୍ମଚାରୀ ।

ସୂଚନାଯୋଗ୍ୟ, ଜୋମାଟୋ କ୍ଷତିରେ ଚାଲିଛି । ତେଣୁ ଖର୍ଚ୍ଚ କମାଇବାକୁ କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ବାହାର କରାଯାଉଛି । ଜୋମାଟୋ ଅଧିକ ଲାଭ ଓ ବିନିଯୋଗ କମ୍ ଲକ୍ଷରେ ଛଟେଇ କରୁଥିବା ସୂଚନା ମିଳିଛି । ଚଳିତ ସପ୍ତାହରେ ଏଯାଏଁ ଶହେ  କର୍ମଚାରୀଙ୍କୁ ଛଟେଇ କରିସାରିଛି ଜୋମାଟୋ । ଆଗାମୀ ଦିନରେ କମ୍ପାନୀ ତାର ମୋଟ କର୍ମଚାରୀର ୪ ପ୍ରତିଶତ ଛଟେଇ କରିବାକୁ ଯୋଜନା ରଖିଛି ।

ଜୋମାଟୋରେ ମୋଟ୍ ୩ ହଜାର ୮ ଶହ କର୍ମଚାରୀ ରହିଥିବା ବେଲେ ୪ ପ୍ରତିଶତ କର୍ମଚାରୀ ହେଲେ ୪ ଶହରୁ ଅଧିକ କର୍ମଚାରୀଙ୍କୁ ବିଦା କରିବ କମ୍ପାନୀ । କରୋନା ପ୍ରଥମ ଲହରରେ ୧୩ ପ୍ରତିଶତ କର୍ମଚାରୀ କାଢ଼ିଥିଲା କମ୍ପାନୀ । ସେପଟେ ଜୋମାଟୋର କୋ-ଫାଉଣ୍ଡର ମୋହିତ ଗୁପ୍ତାଙ୍କ ସହ କମ୍ପାନୀର ୩ ଜଣ ବରିଷ୍ଠ ଅଧିକାରୀ ଇସ୍ତଫା ଦେଇସାରିଛନ୍ତି । ଚଳିତବର୍ଷର ଦ୍ବିତୀୟ ତ୍ରୈମାସରେ କମ୍ପାନୀର କ୍ଷତି ପ୍ରାୟ ୩ କୋଟିରୁ ଅଧିକ ହୋଇଥିଲା ।

କିଲର୍ ଅଫତାବଙ୍କୁ ପୋଲିସ ପଚାରିବ ୪୦ ପ୍ରଶ୍ନ

ଦିଲ୍ଲୀ: ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲାରେ ଗିରଫ ଅଫତାବ ପୁନାଓ୍ବାଲାର ହେବ ନାର୍କୋଟେଷ୍ଟ । ଏଥିପାଇଁ ପୋଲିସ ପ୍ରସ୍ତୁତ କରିଛି ୪୦ ପ୍ରଶ୍ନ । ଆସନ୍ତାକାଲି ହୋଇପାରେ ନାର୍କୋଟେଷ୍ଟ ।

ଶ୍ରଦ୍ଧା ଓ୍ବାକରଙ୍କୁ ତୁମେ ଜାଣିଛ କି ? ସେ ତୁମର ଗର୍ଲଫ୍ରେଣ୍ଡ କି ? ମୁମ୍ବାଇ ଛାଡ଼ିବା ପରେ ତୁମେ ଦୁହେଁ କେଉଁଠିକି ଯାଇଥିଲ ? ତୁମେ ଦୁହେଁ କାହିଁକି ହଠାତ୍ ଦିଲ୍ଲୀ ଚାଲିଗଲ ? ତୁମେ ଶ୍ରଦ୍ଧାଙ୍କ ସହ ରିଲେସନରେ ରହିଥିଲ କି ? ତୁମେ ଶ୍ରଦ୍ଧାଙ୍କୁ ଭଲ ପାଅ କି ? ତୁମ ଦୁହିଁଙ୍କ ମଧ୍ୟରେ କଳି ଲାଗୁଥିବା ସହ ତୁମେ ଶ୍ରଦ୍ଧାଙ୍କୁ ମାଡ଼ ମାରୁଥିଲ କି ? ଶେଷ ଥର ଲାଗି ତୁମେ ଶ୍ରଦ୍ଧାଙ୍କୁ କେଉଁଠାରେ ଦେଖିଥିଲ ? ବର୍ତ୍ତମାନ ଶ୍ରଦ୍ଧା କେଉଁଠି ରହୁଛନ୍ତି ? ତୁମେ ଶ୍ରଦ୍ଧାଙ୍କୁ ହତ୍ୟା କରିଛ କି ?

ତୁମେ ଶ୍ରଦ୍ଧାଙ୍କୁ କେତେବେଳେ ଓ କାହିଁକି ହତ୍ୟା କଲ ? ତୁମେ କିପରି ଶ୍ରଦ୍ଧାଙ୍କୁ ହତ୍ୟା କଲ ? ତୁମେ ତାଙ୍କର ଗଳା ଚିପି ହତ୍ୟା କରିଛ କି ? ତୁମେ ଶ୍ରଦ୍ଧାଙ୍କ ଶରୀରକୁ ଖଣ୍ଡଖଣ୍ଡ କାଟିଛ କି ? କାଟିବା ପରେ ଶରୀର ଅଂଶଗୁଡିକ କେଉଁଠି ଫୋପାଡ଼ିଛ ? ଶରୀର ଅଂଶ ଫିଙ୍ଗିବା ଲାଗି ତୁମେ କେତେ ଥର ସହରରେ ଘୂରିଛ ? ତୁମେ ଡ୍ରଗ୍ସ ସେବନ କରୁଛ କି ? ତୁମେ ଗଞ୍ଜେଇ ସେବନ କରୁଛ କି ? ହତ୍ୟାକାଣ୍ଡ ଦିନ ତୁମେ ନିଶା ସେବନ କରିଥିଲ କି ? ଶ୍ରଦ୍ଧାଙ୍କୁ ହତ୍ୟା କରିବା ପୂର୍ବରୁ ତାଙ୍କୁ ନିଶା ଦେଇଥିଲ କି ?

ତୁମେ ଶ୍ରଦ୍ଧାଙ୍କୁ ମିସ୍ କରୁଛ କି ? ତୁମେ ନିଜକୁ ଦୋଷୀ ମଣୁଛ କି ? ହତ୍ୟା ପରେ ତୁମେ କିପରି ସେ ସବୁ ସଫା କଲ ? ଶ୍ରଦ୍ଧାଙ୍କ ହତ୍ୟା ପରେ ତୁମେ କେତେଜଣ ମହିଳାଙ୍କ ସହ ଡେଟିଂ କରିଥିଲ ? ଏହି ସବୁ ପ୍ରଶ୍ନର ଉତ୍ତର ପାଇବାକୁ ଆଶା ରଖିଛି ଦିଲ୍ଲୀ ପୋଲିସ । ନାର୍କୋଟେଷ୍ଟ ବେଳେ ଅଫତାବ ନିକଟରେ ମନସ୍ତତ୍ତ୍ବବିତ୍ ଉପସ୍ଥିତ ରହିବେ । ତେଣେ  ପୋଲିସର ବିଭିନ୍ନ ଟିମ୍ ଦିଲ୍ଲୀ, ମୁମ୍ବାଇ, ଗୁରୁଗ୍ରାମ, ଡେରାଡୁନ, ହିମାଚଳ ପ୍ରଦେଶ ଆଦି ସ୍ଥାନ ଗସ୍ତ କରି ପ୍ରମାଣ ସାଉଣ୍ଟିବାରେ ଲାଗିଛି ।

ଜେରାବେଳେ ଅଫତାବ ଅତି ସ୍ବଷ୍ଟ ଓ ନିର୍ଭୀକ ଭାବେ ବାରମ୍ବାର କଥା ବଦଳାଉଥିବାରୁ ଅଡୁଆରେ ପଡିଥିଲା ପୋଲିସ । ସେପଟେ ପୋଲିସ ସର୍ଚ୍ଚ ବେଳେ ପଛଗୋଡର ଏକ ଅସ୍ଥି ଓ ନି-କ୍ୟାପ ପାଇଛି । ଏହି ଦୁଇଟି ଜିନିଷକୁ ଫରେନସିକ ଯାଞ୍ଚ ଲାଗି ପଠାଯାଇଛି । ଶରୀର କାଟିବାରେ ବ୍ୟବହୃତ ଅସ୍ତ୍ରର ସନ୍ଧାନ ଲାଗି ପୋଲିସ ମେଟାଲ ଡିଟେକ୍ଟର ବ୍ୟବହାର କରୁଛି । ତେଣେ ମୁମ୍ବାଇ ଭାସାଇରେ ବିରୋଧ ହେବାରୁ ଏକ ହିନ୍ଦୁ-ମୁସଲିମ ନବଦମ୍ପତିଙ୍କ ରିସେପସନ ବାତିଲ କରି ଦିଆଯାଇଛି ।

ପୁଣି ବାହାରିବ ଇମ୍ରାନଙ୍କ ଲଙ୍ଗ ମାର୍ଚ୍ଚ, ରାଓ୍ବଲପିଣ୍ଡ ଆସିବାକୁ ସମର୍ଥକଙ୍କୁ ଦେଲେ ଆହ୍ବାନ

ରାଓ୍ବଲପିଣ୍ଡ: ପାକିସ୍ତାନରେ ପୁଣି ବାହାରିବ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନଙ୍କ ଲଙ୍ଗ ମାର୍ଚ୍ଚ । ଏଥିପାଇଁ ୨୬ ନଭେମ୍ବରକୁ ରାଓ୍ବଲପିଣ୍ଡରେ ପହଞ୍ଚିବାକୁ ନିଜ ସମର୍ଥକଙ୍କୁ ଆହ୍ବାନ ଦେଇଛନ୍ତି ଇମ୍ରାନ । ଏଠାରୁ ଇମ୍ରାନ ଲଙ୍ଗ ମାର୍ଚ୍ଚକୁ ନେଇ କିଛି ବଡ଼ ଘୋଷଣା କରିପାରନ୍ତି ।

ନିଜ ବାସଭବନରେ ଦଳୀୟ କର୍ମୀଙ୍କୁ ଅନଲାଇନରେ ସମ୍ବୋଧିତ କରି ଇମ୍ରାନ କହିଛନ୍ତି, ‘ଏମିତି ସ୍ଥିତିରେ ଦେଶକୁ ଛାଡ଼ି ହେବନି । ୨୬ ନଭେମ୍ବରକୁ ଲାଓ୍ବଲପିଣ୍ଡ ଆସନ୍ତୁ । ସେଠାରେ ଆପଣମାନଙ୍କ ସହ ସାକ୍ଷାତ ହେବ ଓ ଆଗାମୀ ପଦକ୍ଷେପ ସମ୍ପର୍କରେ ଜାଣିବେ ।’

ଆଗକୁ ସେ କହିଥିଲେ, ‘ଯଦି ଦେଶ ଆଜି ଚୁପ ବସିଯିବ ତେବେ ଆଗାମୀ ଭବିଷ୍ୟତ ନିଶ୍ଚିତ ପ୍ରଶ୍ନ କରିବେ ସେମାନଙ୍କ ପରିବାର ଅନ୍ୟାୟକୁ ବିରୋଧ ନକରି ଘରେ ବସି ରହିଲେ ।’ ଇମ୍ରାନ ତାରିଖ ଘୋଷଣା କରିବା ପୂର୍ବରୁ ଏକ ଡାକ୍ତରୀ ଟିମ୍ ତାଙ୍କ ବାସଭବନରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ।

ସୂଚନାଯୋଗ୍ୟ, ନଭେମ୍ବର ୩ ତାରିଖରେ ଲଙ୍ଗ ମାର୍ଚ୍ଚ ସମୟରେ ଇମ୍ରାନଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା ।

ଆଜିଠୁ ଫିଫା ବିଶ୍ବକପ୍ ମହାସମର

କତାର: ଆଜିଠୁ ଆରମ୍ଭ ହେଉଛି ଫିଫା ବିଶ୍ବକପ ୨୦୨୨ । ଟୁର୍ଣ୍ଣାମେଣ୍ଟରେ ମୋଟ ୩୨ଟି ଦେଶ ଅଂଶଗ୍ରହଣ କରୁଛନ୍ତି । ଟିମ ଗୁଡିକୁ ୮ଟି ଗ୍ରୁପରେ ଭାଗ କରାଯାଇଛି । ଟୁର୍ଣ୍ଣାମେଣ୍ଟରେ ମୋଟ ୪୮ଟି ଲିଗ୍ ମ୍ୟାଚ ଖେଳାଯିବ । ଭଲ ପ୍ରଦର୍ଶନ କରିଥିବା ୧୬ ଟିମ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିବେ । ପ୍ରାୟ ଏକ ମାସ ଯାଏଁ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଆସନ୍ତା ଡିସେମ୍ବର ୧୮ରେ ଖେଳାଯିବ ।  ପ୍ରଥମ ମ୍ୟାଚ ଆୟୋଜକ କତାର ଓ ଇକ୍ବେଡର ମଧ୍ୟରେ ଖେଳାଯିବ ।

ବିଶ୍ବକପରେ ମୋଟ ୮ଟି ଷ୍ଟାଡିୟମରେ ଖେଳ ହେବ । ଏହା ମଧ୍ୟରୁ ୬ଟି  ଷ୍ଟାଡିୟମକୁ ସଂପୂର୍ଣ୍ଣ ନୂଆ ତିଆରି କରାଯାଇଛି ଓ  ୨ଟି ଷ୍ଟାଡିୟମର ନବୀକରଣ କରାଯାଇଛି । ଏଥିପାଇଁ ୬ରୁ ୧୦ ବିଲିୟନ ଡଲାର ମଧ୍ୟରେ ବ୍ୟୟ ହୋଇଛି ବୋଲି ଚର୍ଚ୍ଚା ହେଉଛି । ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଫିଫା ବିଶ୍ବକପ୍ ୨୦୨୨ର ଉଦଘାଟନୀ ସମାରୋହରେ ଭାରତର ପ୍ରତିନିଧିତ୍ବ କରିବେ ।

ମଧ୍ୟପ୍ରାଚ୍ୟ ତଥା ପଶ୍ଚିମ ଏସିଆ ଦେଶ କତାର ଫିଫା ଫୁଟବଲ ବିଶ୍ବକପକୁ ନେଇ ଉତ୍ସବ ମୁଖର ହୋଇପଡିଛି । ଏସୀୟ ମହାଦେଶରେ ଏହି ସମ୍ମାନଜନକ ପ୍ରତିଯୋଗିତା ଦ୍ବିତୀୟ ଥର ପାଇଁ ଆୟୋଜିତ ହେବାକୁ ଯାଉଛି । କତାରର ୮ ଟି ଷ୍ଟାଡିୟମରେ ୬୪ ଟି ମ୍ୟାଚ୍ ଖେଳାଯିବ। ଏଥର ଖେଳିବାକୁ ଯାଉଥିବା ୩୨ ଟିମ ମଧ୍ୟରୁ କେବଳ ୭ଟି ଦଳ ଏପର୍ଯ୍ୟନ୍ତ ଅତି କମରେ ଗୋଟିଏ ଲେଖାଏଁ ବିଶ୍ୱକପ ଟାଇଟଲ ଜିତିଛନ୍ତି ।

ୟୁକ୍ରେନରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ

କିଭ୍: ବ୍ରିଟେନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ୟୁକ୍ରେନରେ ପହଞ୍ଚିଛନ୍ତି ଋଷି ସୁନକ । ଏଠାରେ ସେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଛନ୍ତି । ଜେଲେନସ୍କିଙ୍କ ବୈଠକ ପରେ ୟୁକ୍ରେନ ପାଇଁ ସୁନକ ନୂଆ ପ୍ରତିରକ୍ଷା ସହାୟତା ବାବାଦକୁ ୫୦ ମିଲିୟନ ପାଉଣ୍ଡ ଘୋଷଣା କରିଛନ୍ତି । ୟୁକ୍ରେନକୁ ଦିଆଯିବାକୁ ଥିବା ଏହି ରକ୍ଷା ସହାୟତାରେ ୧୨୫ ଆଣ୍ଟି ଏୟାରକ୍ରାଫ୍ଟ, ବନ୍ଧୁକ, ରଡାର, ଆଣ୍ଟି ଡ୍ରୋନ ଓ ଘାତକ ଡ୍ରୋନର ମୁକିବାଲ ପାଇଁ ଡିଫେନ୍ସ ସିଷ୍ଟମ ସାମିଲ ଅଛି ।

ରାଷ୍ଟ୍ରପତି ଜେଲେନସ୍କି ନିଜ ଫେସବୁକ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ସୁନକଙ୍କ ସହ ହୋଇଥିବା ବୈଠକ କଥା ସୂଚନା ଦେଇଛନ୍ତି । ୟୁକ୍ରେନ ଉପରେ ଋଷର ଆକ୍ରମଣ ପରଠାରୁ ବ୍ରିଟେନ ଏହାର ଏକ ଘନିଷ୍ଠ ସହଯୋଗୀ ଭାବେ ଛିଡା ହୋଇଛି । ଏହି ପୋଷ୍ଟ ସହ ଜେଲେନସ୍କି ଲେଖିଛନ୍ତି, ବୈଠକରେ ଆମେ ଆମ ଦେଶ ଓ ବିଶ୍ୱର ସୁରକ୍ଷା ଉପରେ ଆଲୋଚନା କରିଛୁ ।

ଷ୍ଟାର୍ କ୍ୟାମ୍ପେନରଙ୍କ ପ୍ରଚାରରେ ଦୁଲୁକିବ ପଦମପୁର

ପଦମପୁର: ପଦମପୁର ବ୍ୟାଟଲ ପ୍ରସ୍ତୁତ । ନେତା ଓ ପ୍ରାର୍ଥୀ ସମର୍ଥକଙ୍କ ସହ ପ୍ରଚାରକୁ କରିଛନ୍ତି ଜୋରଦାର । ଏବେ ଆହୁରି ଜୋରଦାର ହେବ ପଦମପୁର ନିର୍ବାଚନୀ ମୈଦାନରେ ପ୍ରଚାର ଯୁଦ୍ଧ । କାରଣ ପଦମପୁର ପ୍ରଚାରକୁ ଓହ୍ଲାଉଛନ୍ତି ଷ୍ଟା କ୍ୟାମ୍ପେନର ।

ପ୍ରଚାରରେ ଦମ ଭରିବେ ଷ୍ଟାର କ୍ୟାମ୍ପେନର । ପଦମପୁର ଉପନିର୍ବାଚନ ପାଇଁ ଆଜିଠୁ ମଇଦାନକୁ ଓହ୍ଲାଇବେ ତାରକା ପ୍ରଚାରକ । ଗତକାଲି ୩ ଦଳର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଆହୁରି ସରଗରମ ହୋଇଛି ପଦମପୁର ଉପନିର୍ବାଚନ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ପ୍ରତି ଓ୍ବାର୍ଡରେ ବୁଲି ଜନ ସମର୍ଥନ ସାଉଁଟୁଛନ୍ତି । ବାପା ଛାଡ଼ି ଯାଇଥିବା କାମକୁ ଆଗକୁ ନେବାର ପ୍ରତିଶ୍ରୁତି ଦେଇ କରୁଛନ୍ତି ଭୋଟ ଭିକ୍ଷା । ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ପରେ ଝିଅ ବର୍ଷାଙ୍କ ପ୍ରତି ଜନସମର୍ଥନ ବଢୁଥିବା ଦେଖିବାକୁ ମିଳିଛି । ଗାଁ ଗାଁରେ ବର୍ଷାଙ୍କୁ ଲୋକେ କୁଣ୍ଢାଇ ଭୋଟ ଦେବାର ପ୍ରତିଶ୍ରୁତ ଦେଉଛନ୍ତି । ସେହିପରି ବିଜେପି ନିଜର ସ୍ଥିତିକୁ ମଜବୁତ କରିବାକୁ ଜୋରଦାର ଉଦ୍ୟମ କରୁଛି  । କଂଗ୍ରେସ ପ୍ରାର୍ଥୀ ମଧ୍ୟ ଲୋକଙ୍କ ସହ  ମିଶି ଭୋଟ ମାଗୁଛନ୍ତି ।

ଲୋକସେବା ଭବନରେ ପ୍ରଦର୍ଶନ ହେବ ଦମନ, ଦେଖିବେ ଅଫିସର

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଦମନକୁ ରାଜ୍ୟ ସରକାର ଟିକସମୁକ୍ତ କରିବା ପରେ ଆସନ୍ତାକାଲି ଲୋକସେବା ଭବନରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ହେବ । କେବଳ ଯୁଗ୍ମ ସଚିବ ପାହ୍ୟାରୁ ଊର୍ଦ୍ଧ୍ୱ ଅଫିସରମାନେ ଏହି ଚଳଚ୍ଚିତ୍ରକୁ ଦେଖିବେ । ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଅବଗତ କରାଯାଇଛି । ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ ଏନେଇ ସବୁ ବିଭାଗକୁ ଜଣାଇଛନ୍ତି ଯେ, ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ବିଚ୍ଛିନ୍ନାଂଚଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଘନ ଅନ୍ଧାର ଭିତରେ ଆଶାର ଏକ ଆଲୋକ ସଂଚାର କରିଛି ।

ସିନେମାଟି ବାସ୍ତବଧର୍ମୀ କାହାଣୀ ଉପରେ ଆଧାରିତ । ଏହାର କଥାବସ୍ତୁ, ପ୍ରତିଟି ଚରିତ୍ରର ଅଭିନୟ, ସମ୍ପାଦନା ସବୁଦିଗରୁ ଅତି ସୁନ୍ଦର ହୋଇଛି । ଏହି ଚଳଚ୍ଚିତ୍ର ରାଜ୍ୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଜନସେବା କ୍ଷେତ୍ରରେ ଏକ ପ୍ରେରଣା ପ୍ରଦାନ କରୁଛି । ଏଥିପାଇଁ ଆସନ୍ତାକାଲି ରବିବାର ସନ୍ଧ୍ୟା ୫ଟାରୁ ଲୋକସେବା ଭବନରେ ପ୍ରଦର୍ଶନ କରାଯିବାକୁ ନିଷ୍ପତ୍ତି ହୋଇଛି ।

ସୂଚନାଯୋଗ୍ୟ, ‘ଦମନ’ ଫିଲ୍ମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨ଦିନ ତଳେ ଟିକସମୁକ୍ତ କରିଥିବାବେଳେ ନଭେମ୍ବର ୨୧ରୁ ୨୦୨୩ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଏହି ଫିଲ୍ମକୁ ରାଜ୍ୟ ସରକାର ଟିକସ ଟିକସମୁକ୍ତ କରିଛନ୍ତି ତଥା ଏ ସଂକ୍ରାନ୍ତ ପ୍ରସ୍ତାବ ଖୁବଶୀଘ୍ର ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିବ ବୋଲି ଜଣାପଡ଼ିଛି ।