spot_img
Home Blog Page 3699

ମାଙ୍ଗାଲୁରୁର ଅଟୋରେ ବିସ୍ଫୋରଣ; ଡିଜିପି କହିଲେ ଆତଙ୍କବାଦୀ…

ମାଙ୍ଗାଲୁରୁ: କର୍ଣ୍ଣାଟକର ମାଙ୍ଗାଲୁରୁରେ ଶନିବାର ଏକ ଅଟୋରେ ହୋଇଥିବା ବିସ୍ଫୋରଣରେ ଆତଙ୍କବାଦୀ ଲିଙ୍କ୍ ଥିବା ସୂଚନା ମିଳିଛି। ଏନେଇ କର୍ଣ୍ଣାଟକର ଡିଜିପି ପ୍ରବୀଣ ସୁଦ କହିଛନ୍ତି, ଏହା ସାଧାରଣ ବିସ୍ଫୋରଣ ନୁହେଁ ବରଂ ଏକ ଆତଙ୍କବାଦୀ ଆକ୍ରମଣ ।

ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟା ୫ଟା ବେଳକୁ ଏକ ଅଟୋରେ ଜୋରଦାର ବ୍ଲାଷ୍ଟ ହୋଇଥିଲା । ଯେଉଁଥିରେ ଦୁଇ ଜଣ ଆହତ ହୋଇଥିଲେ । ତେବେ ସିସିଟିଭି ଫୁଟେଜ୍ ଅନୁଯାୟୀ, ସ୍ଥାନୀୟ ଏକ ବିଲ୍ଡିଂ ପାଖରେ ଗୋଟିଏ ଅଟୋ ରହିଥିଲା । ଏହାର କିଛି ସମୟ ପରେ ଅଟୋରେ ବିସ୍ଫୋରଣ ଘଟିଥିଲା । ତେବେ ଉକ୍ତ ଅଟୋରେ ଥିବା ଏକ ବ୍ୟାଗରେ ବିସ୍ଫୋରଣ ସାମଗ୍ରୀ ଥିବା ନେଇ ଚର୍ଚ୍ଚା ହେଉଛି ।

ତେବେ ପ୍ରାଥମିକ ଯାଞ୍ଚ ପରେ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନଥିବା ବେଳେ କର୍ଣ୍ଣାଟକର ଗୃହ ମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର କହିଛନ୍ତି ଯେ ରାଜ୍ୟ ପୋଲିସ, କେନ୍ଦ୍ରୀୟ ଏଜେନ୍ସି ସହ ମିଶି ଏହି ମାମଲାର ତଦନ୍ତ କରୁଛି ।

ଟି୨୦: ସୂର୍ଯ୍ୟକୁମାରଙ୍କ ୧୧୧, ନ୍ୟୁଜିଲାଣ୍ଡ ଆଗରେ ୧୯୨ ରନର ବିଜୟ ଲକ୍ଷ୍ୟ

ବେ ଓଭାଲ: ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟି୨୦ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ଧୂଆଁଧାର ବ୍ୟାଟିଂ । ୫୧ ବଲର ସମ୍ମୁଖୀନ ହୋଇ କଲେ ୧୧୧ ରନ୍ । ଏଥିରେ ରହିଛି ୧୧ଟି ଚୌକା ଓ ୭ଟି ଛକା । ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ଭାରତ ୧୯୧ ରନ୍ କରିଛି । ନ୍ୟୁଜିଲାଣ୍ଡ ଆଗରେ ୧୯୨ ରନର ବିଜୟ ଲକ୍ଷ୍ୟ ରହିଛି ।

ଟସ୍ ଜିତି ନ୍ୟୁଜିଲାଣ୍ଡ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଅଧିନାୟକଙ୍କୁ ନିଷ୍ପତ୍ତିକୁ ନ୍ୟୁଜିଲାଣ୍ଡ ବୋଲର ଠିକ ପ୍ରମାଣିତ କରିଥିଲେ । ମାତ୍ର ୬ ରନ୍ କରି ପନ୍ତ ଆଉଟ ହୋଇଥିବା ବେଳେ ଭାରତକୁ ଲାଗିଥିଲା ପ୍ରଥମ ଝଟକା । ତେବେ ଅନ୍ୟତମ ଓପନର ଇଶାନ କିଷନଙ୍କ ସହ ସାଥ ଦେବାକୁ କ୍ରିଜକୁ ଓହ୍ଲାଇଥିଲେ ସୂର୍ଯ୍ୟକୁମାର । ଉଭୟ ମିଶି ନ୍ୟୁଜିଲାଣ୍ଡ ବୋଲରଙ୍କ ବିରୋଧରେ ହାତଖୋଲା ସର୍ଟ ଖେଳିଥିଲେ । କିଷାନ ୩୬ ରନ କରି ଆଉଟ ହୋଇଥିବା ବେଳେ ଶ୍ରୀୟସ ଆୟର ଏବଂ ହାର୍ଦ୍ଧିକ ପାଣ୍ଡ୍ୟା ୧୩ ରନ୍ ଲେଖାଏଁ କରିଥିଲେ । ଦୀପକ ଖାଡା ଏବଂ ଓ୍ବାସିଂଟନ ସୁନ୍ଦର ଖାତା ଖୋଲି ପାରିନଥିଲେ ।

ନ୍ୟୁଜିଲାଣ୍ଡ ତରଫରୁ ସାଉଥି ୩ଟି ଓ୍ବିକେଟ ନେଇଥିବା ବେଳେ ଏଲ. ଫର୍ଗୁସନ ୨ଟି ଓ ଆଇ. ସୋଧି ଗୋଟିଏ ଓ୍ବିକେଟ ନେଇଥିଲେ ।

Fifa World Cup: ଆଇପିଏଲ୍ ଚମ୍ପିଆନ୍ ଟିମ୍ ଠାରୁ ଅଧିକ ପାଇବ ଫିଫା ବିଶ୍ୱକପର ଶେଷ ଟିମ୍

କତାର: Fifa world cup କତାର ଠାରେ ରବିବାର ଆରମ୍ଭ ହୋଇଛି । ଦୁନିଆର ସବୁଠୁ ବଡ଼ ଟୁର୍ଣ୍ଣାମେଣ୍ଟରେ ରହିଛନ୍ତି ୩୨ ଟିମ୍। ପ୍ରାଇସ୍ ମନିକୁ ଦେଖିଲେ ଏହା ଦୁନିଆର ତୃତୀୟ ବଡ଼ ଟୁର୍ଣ୍ଣାମେଣ୍ଟ । ପ୍ରଥମରେ UEFA ଚାମ୍ପିଅନ୍ ଲିଗ୍ ଫୁଟବଲ୍ ଏବଂ ଦ୍ବିତୀୟରେ ରହିଛି ଫର୍ମୁଲା-୧ ମୋଟର ସ୍ପୋର୍ଟ୍ସର ପ୍ରାଇସ୍ ମନି ।

ଫୁଟବଲର ଏହି ମହାକୁମ୍ଭରେ ସବୁ ଟିମକୁ ୪-୪ ର ୮ଟି ଗ୍ରୁପ୍ କରାଯାଇଛି । ତେବେ ଫାଇନାଲ୍ ମୁକାବିଲା ଡିସେମ୍ବର ୧୮ରେ ହେବ । ଫିଫା ପକ୍ଷରୁ ୩.୬ ହଜାର କୋଟି ଟଙ୍କା ପୁରସ୍କାର ରାଶି ବଣ୍ଟାଯିବ। ବିଜୟୀ ୱାଲ୍ଡ ଚାମ୍ପିଅନକୁ ୩୫୯ କୋଟି ମିଳିବ । ଯାହା IPLର ଟୋଟାଲ୍ ପ୍ରାଇଜ ମନିର ୭ ଗୁଣା ଅଧିକ । ୩.୬ ହଜାର କୋଟିରୁ ଚାମ୍ପିଅନ୍ ଟିମ୍ ପାଇବ ୩୫୯ କୋଟି ଟଙ୍କା। ରନରଅପ୍ ଭାଗରେ ୨୪୫ କୋଟି ଏବଂ ୩ୟ ଓ ୪ର୍ଥ ନଂ ଟିମକୁ ମିଳିବ ୨୨୦ ଓ ୨୦୪ କୋଟି ଟଙ୍କା ।

ଖାସ୍ କଥା ହେଉଛି ଟୁର୍ଣ୍ଣାମେଣ୍ଟର ୩୨ ସ୍ଥାନରେ ଥିବା ଟିମ ପାଇଁ ମଧ୍ୟ ରହିଥାଏ ପ୍ରାଇସ୍ ମନି। ଏହି ରାଶି ବି କିଛି କମ୍ ନୁହେଁ ପାଖାପାଖି ୭୩ କୋଟି ଟଙ୍କା ନେଇଥାନ୍ତି ୧୭ରୁ ୩୨ ସ୍ଥାନରେ ଥିବା ଟିମ୍।

କ୍ରିକେଟ- ଫୁଟବଲ୍ ୱାଲ୍ଡ କପ୍ ର ପ୍ରାଇଜ ମନିରେ ରହିଛି ବହୁ ଫରକ୍-

T-20 ୱାଲ୍ଡ କପର ଟୋଟାଲ୍ ପ୍ରାଇଜ୍ ମନି ୪୫.୬୮ କୋଟି ଟଙ୍କା। ଚାମ୍ପିଅନ୍ ଟିମ୍ ପାଇଁ ୧୩ କୋଟିର  ପୁରସ୍କାର ରାଶି ରହିଥିବା ବେଳେ ରନରଅପକୁ ମିଳିଥାଏ ୬.୪୪ କୋଟି।  ସେହିପରି ଆଇପିଏଲର ଟୋଟାଲ୍ ପ୍ରାଇଜ୍ ମନି ରହିଛି ୪୬.୫ କୋଟି ଟଙ୍କା । ଚାମ୍ପିଅନ୍ ଟିମ୍ ପାଇଁ ୨୦ କୋଟିର  ପୁରସ୍କାର ରାଶି ରହିଥିବା ବେଳେ ରନରଅପକୁ ମିଳିଥାଏ ୧୨.୫ କୋଟି । ଫିଫା ର ମୋଟ୍ ପୁରସ୍କାର ରାଶି ୩.୬ ହଜାର କୋଟି ରହିଛି, ଯାହା କ୍ରିକେଟ୍ ୱାଲ୍ଡ କପର ପ୍ରାଇଜ ମନି ଠାରୁ ୮୦ ଗୁଣା ଅଧିକ ।

ଆତଙ୍କବାଦୀ ଗୁଳିରେ ଲସ୍କର-ଏ-ତୋଏବା ଆତଙ୍କବାଦୀଙ୍କ ମୃତ୍ୟୁ

ଜମ୍ମୁ ଓ କାଶ୍ମୀର: ଗୁଳିବିନିମୟରେ ଲସ୍କର-ଏ-ତୋଏବାର ଜଣେ ଆତଙ୍କବାଦୀ ମୃତ । ଏକ ଆତଙ୍କବାଦୀ ଆଶ୍ରୟସ୍ଥଳୀ ଚିହ୍ନଟ କରିବା ଲାଗି ପୋଲିସ ଟିମ ସହ ଜଣେ ଆତଙ୍କବାଦୀକୁ ନିଆଯାଉଥିବାବେଳେ ଗୁଳିବିନିମୟ ହୋଇଥିଲା । ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି ।

ଜାମ୍ମୁ ଓ କାଶ୍ମୀର ଅନନ୍ତନାଗ ଜିଲ୍ଲାର ଚେକି ଡୁଡୋରେ ଘଟିଛି ଗୁଳିବିନିମୟ । ଅନନ୍ତନାଗରେ କେତେକ ସ୍ଥାନରେ ଆତଙ୍କବାଦୀଙ୍କ ଗୋପନସ୍ଥଳୀ ରହିଥିବା ନେଇ ସୂଚନା ପାଇଥିଲେ ସୁରକ୍ଷକର୍ମୀ । ଏହାକୁ ଠାବ କରିବା ଲାଗି ଜଣେ ଆତଙ୍କବାଦୀକୁ ସାଙ୍ଗରେ ଧରି ସୁରକ୍ଷାକର୍ମୀ ଯାଉଥିବାବେଳେ ସେମାନଙ୍କ ଉପରକୁ ଗୁଳିମାଡ ହୋଇଥଇଲା । ଏହି ଗୁଳି ସୁରକ୍ଷାକର୍ମୀଙ୍କ ସହ ଥିବା ଲସ୍କର ସଦସ୍ୟ ସଜ୍ଜାଦ ତନ୍ତରାୟ ଦେହରେ ବାଜିଥିଲା । ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେତେବେଳକୁ ତାଙ୍କ ମୃତ୍ୟୁ ଘଟି ସାରିଥିଲା ।

ସେପଟେ ଗତ ମେ ମାସରେ ପଞ୍ଜାବ ପୋଲିସର ଗୁଇନ୍ଦା ମୁଖ୍ୟାଳୟରେ ହୋଇଥିବା ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ଖଲିସ୍ତାନୀ ଆତଙ୍କବାଦୀ ହରବିନ୍ଦର ସିଂ ରିନ୍ଦାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ରିନ୍ଦାକୁ ପାକିସ୍ତାନର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ମୃତ୍ୟୁ ଘଟିଛି ।

ଟାର୍ଗେଟ ଭୟରେ ବିଚାରପତି ଜାମିନ ଦେବାକୁ ନାରାଜ

ନୂଆଦିଲ୍ଲୀ: ପ୍ରଧାନବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ବିସ୍ଫୋରକ ବୟନ । କହିଲେ- ଟାର୍ଗେଟ ହେବା ଆଶଙ୍କା ଥିବାରୁ ତୃଣମୂଳସ୍ତରରେ ବିଚାରପତିମାନେ ଜାମିନ ଦେବାକୁ କୁଣ୍ଠିତ ହେଉଛନ୍ତି ।

ବାର୍ କାଉନସିଲ ଅଫ ଇଣ୍ଡିଆର ଏକ ଉତ୍ସବରେ ଯୋଗଦେଇ ସିଜେଆଇ କହିଛନ୍ତି- ତୃଣମୂଳ ସ୍ତରରେ ବିଚାରପତିମାନେ ଟାର୍ଗେଟ ହେବା ଆଶଙ୍କା କରି ଜାମିନ ପ୍ରଦାନ କରୁ ନଥିବାରୁ ଉଚ୍ଚକୋର୍ଟ ଗୁଡିକରେ ଜାମିନ ଆବେଦନ ବୋଝ ବଢୁଛି । ଜାମିନ ପ୍ରଦାନ ନକରିବାର କାରଣ ଏହା ନୁହେଁ ଯେ ବିଚାରପତିମାନେ ଅପରାଧର ତରିକା ସମ୍ପର୍କରେ ହୃଦବୋଧ ନୁହନ୍ତି । ପରନ୍ତୁ ବୀଭତ୍ସ ଘଟଣାଗୁଡିକରେ ଜାମିନ ପ୍ରଦାନ କଲେ ସେମାନେ ଟାର୍ଗେଟର ଶିକାର ହେବା ଆଶଙ୍କା କରୁଥିବାରୁ ଜାମିନ ପ୍ରଦାନ କରୁନାହାନ୍ତି ।

ଉତ୍ସବରେ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ଉପସ୍ଥିତ ଥିବାବେଳେ ସିଜେଆଇଙ୍କ ଏହି ବୟାନ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜଷ୍ଟିସ ଚନ୍ଦ୍ରଚୂଡ଼ ଆହୁରି କହିଛନ୍ତି- ବହୁ ଆଇନଜୀବୀ ଟ୍ରାନସଫର କେସ୍ କ୍ଷେତ୍ରରେ ସିଜେଆଇଙ୍କ ସହ ସାକ୍ଷାତ କରିବାକୁ ଚାହୁଁଛନ୍ତି । ଏହା ବ୍ୟକ୍ତି ବିଶେଷ ସ୍ତରରେ ହୋଇପାରେ । ମାତ୍ର କଲେଜିୟମ ଦ୍ବାରା ନିର୍ଦ୍ଧାରିତ ପ୍ରତି ନିଷ୍ପତ୍ତି କ୍ଷେତ୍ରରେ ଏହା ଯଦି ଘଟେ ତେବେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ବୋଲି ପ୍ରଶ୍ନ କରିଛନ୍ତି ସିଜେଆଇ । ଗତ ନଭେମ୍ବର ୯ ତାରିଖରେ ଦେଶର ୫୦ତମ ସିଜେଆଇ ଭାବେ ଦାୟିତ୍ବ ନେଇଥିଲେ ଜଷ୍ଟିସ ଚନ୍ଦ୍ରଚୂଡ଼ ।

ଥରୁଛି ଓଡ଼ିଶା: ୧୩ ଡିଗ୍ରୀ ତଳେ ୧୨ ସହର

ଭୁବନେଶ୍ବର: ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା । ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ଶୀତ । ୧୩ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା । ଓଡ଼ିଶାକୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ପାଇଁ ତଳମୁହାଁ ହେଉଛି ପାରଦ । ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି କନ୍ଧମାଳର ଜି ଉଦୟଗିରି ଓ କୋରାପୁଟର ସେମିଳିଗୁଡ଼ା । ଏଠାରେ ୮ ଡିଗ୍ରୀ ରହିଛି ରାତିର ତାପମାତ୍ରା ।

ସୁନ୍ଦରଗଡ଼ କିରେଇରେ ୯.୫ ଡିଗ୍ରୀ, ଫୁଲବାଣୀରେ ୯.୬ ଡିଗ୍ରୀ, ଦାରିଙ୍ଗବାଡି ୧୦ ଡିଗ୍ରୀ, କୋରାପୁଟ ୧୦ ଡିଗ୍ରୀ, କେନ୍ଦୁଝର ୧୦ ଡିଗ୍ରୀ, ଭବାନୀପାଟଣାରେ ୧୦.୬ ଡିଗ୍ରୀ ରହିଛି । ସେପଟେ ଅବପାତରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଦକ୍ଷିଣ ପଶ୍ଚିମ ଓ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହୋଇଛି । ଏହା ନିଜର ତୀବ୍ରତା ବଜାୟ ରଖିବା ସହ ପରବର୍ତ୍ତୀ ୪୮ ଘଣ୍ଟା ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ତାମିଲନାଡୁ-ପୁଡ଼ୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ର ଉପକୂଳ ମୁହାଁ ଅବପାତ । ପ୍ରଭାବରେ ଆସନ୍ତାକାଲି ଦକ୍ଷିଣ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି ଓ କନ୍ଧମାଳରେ ଘଡଘଡି ବିଜୁଳି ସହ ବର୍ଷା ନେଇ ସତର୍କତା ଜାରି ହୋଇଛି । ୨୩ ତାରିଖରୁ ବଢିବ ରାତିର ତାପମାତ୍ରା । ସ୍ବାଭାବିକଠାରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ପୁଅ ସହ ମିଶି ସ୍ବାମୀଙ୍କୁ ୮ ଖଣ୍ଡ କଲା ମାଆ

କୋଲକାତା: ସ୍ବାମୀକୁ ମାରି ୬ରୁ ୮ଖଣ୍ଡ କରି କାଟି ଦେଲା ସ୍ତ୍ରୀ । ବାପାକୁ ମାରିବାରେ ମାଆକୁ ସହାୟତା କରିଛି ପୁଅ । ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା ମନରୁ ନଲିଭୁଣୁ ଏମିତି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡକୁ ନେଇ କୋଲକାତାରେ ଚର୍ଚ୍ଚା । ପଶ୍ଚିମବଙ୍ଗ ଉତ୍ତର ୨୪ ପରଗଣା ମଲ୍ଲିକପୁର ଡିହିପଡ଼ାରେ ଏହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି ।

ପୂର୍ବତନ ନୌସେନା ଅଧିକାରୀ ଉଜ୍ବଳ ୧୮ ତାରିଖରୁ ନିଖୋଜ ଥିବାରୁ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ସ୍ତ୍ରୀ ଓ ପୁଅକୁ ପଚରାଉଚରା କରିବା ବେଳେ ବାପାକୁ ମାରି ଖଣ୍ଡ ଖଣ୍ଡ କରିଦେଇଥିବା ସ୍ବୀକାର କରିଛି ପୁଅ । ମୃତ ଉଜ୍ବଳ ନୌସେନାର ପୂର୍ବତନ ଅଧିକାରୀ ଥିଲେ । ନିକଟରେ ଏକ କମ୍ପାନୀର ସିକ୍ୟୁରିଟି ଗାର୍ଡ ଭାବେ ଚାକିରି କରିଥିଲେ । ମଦ ପିଇ ପ୍ରତିଦିନ ସ୍ତ୍ରୀ ଓ ପିଲା ସହ ଝଗଡ଼ା କରୁଥିଲେ । ଯାହାକୁ ନେଇ ଉଭୟ ମାଆ ଓ ପୁଅଙ୍କ ମଧ୍ୟରେ କ୍ରୋଧ ଦେଖା ଦେଇଥିଲା । ୧୮ ତାରିଖ ଦିନ ପୁଣି ମଦ ପିଇ ଉଜ୍ବଳ ଝଗଡ଼ା କରିବାରୁ ମାଆ ପୁଅ ମିଳିମିଶି ଉଜ୍ବଳଙ୍କୁ ଶ୍ବାସରୁଦ୍ଧ କରି ମାରିବା ସହ ମୃତଦେହକୁ ଏକ ଧାରୁଆ ଅସ୍ତ୍ରରେ ୬ରୁ ୮ ଖଣ୍ଡ କରି ପୋଖରୀରେ ଫିଙ୍ଗି ଦେଇଥିଲେ । ପୋଲିସ ଉଜ୍ବଳଙ୍କ ମୃତଦେହର ଏକ କଟା ଅଂଶ ପାଇଥିବା ବେଳେ, ଶରୀରର ଆଉ କୌଣସି ଅଂଶ ମିଳିନାହିଁ ।

ସ୍ବାମୀଙ୍କୁ କୋଟିଏ ଟଙ୍କା ଚୂନ ଲଗାଇ ପ୍ରେମିକ ସହ ପତ୍ନୀ ଫେରାର

ଥାଇଲ୍ୟାଣ୍ଡ: ଯଦି ଆପଣ ରାତାରାତି କୋଟିପତି ହୋଇଯିବେ ଓ ତା’ପର ଦିନକୁ କାଙ୍ଗାଳ ହୋଇଯିବେ ତେବେ କେମିତି ଲାଗିବ । ଚିନ୍ତା କରିପାରୁଥିବେ ନିଶ୍ଚିତ । ଏବେ ଏମିତି ମାନସିକ ସ୍ଥିତିରେ ଅଛନ୍ତି ଥାଇଲ୍ୟାଣ୍ଡର ମାନିତ। ମାନିତଙ୍କୁ କୋଟିଏରୁ ଅଧିକ ଟଙ୍କାର ଚୂନ ଲଗାଇ ୨୬ ବର୍ଷର ବୈବାହିକ ସମ୍ପର୍କ ଓ ପରିବାରକୁ ପର କରି ପ୍ରେମିକ ସହ ଫେରାର ହୋଇଯାଇଛନ୍ତି ପତ୍ନୀ ଅଙ୍ଗକାନାରତା ।

ଅଭିଯୋଗ ଅନୁସାରେ, ଥାଇଲ୍ୟାଣ୍ଡର ଇସାନ ପ୍ରାନ୍ତର ୪୯ ବର୍ଷିୟ ମାନିତଙ୍କର ନଭେମ୍ବର ପ୍ରଥମ ସପ୍ତାହରେ ଏକ ଲଟେରୀ ଲାଗିଥିଲା । ଏଥିରେ ସେ ଏକ କୋଟି ୩୬ ଟଙ୍କା ଜିତିଥିଲେ । ଟ୍ୟାକ୍ସ କଟିବା ପରେ ତାଙ୍କ ଆକାଉଣ୍ଟକୁ ଏକ କୋଟି ୩୦ ଲକ୍ଷ ଟଙ୍କା ଆସିଥିଲେ । ଯାହାକୁ ସେ ପତ୍ନୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଥିଲେ । ହେଲେ ସେ ଜାଣି ନଥିଲେ ବିବାହକୁ ୨୬ ବର୍ଷ ବିତି ଯାଇଥିଲେ ବି ପତ୍ନୀଙ୍କର ଅନ୍ୟ ପୁରୁଷ ସହ ପ୍ରେମ ସମ୍ପର୍କ ରହିଛି । ଆକାଉଣ୍ଟକୁ ଟଙ୍କା ଆସିବା ପରେ ପତ୍ନୀ ତାଙ୍କ ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି ।

ଦି ଥାଇଗର ରିପୋର୍ଟ ଅନୁସାରେ, ମାନିତ ଅଙ୍ଗକାନାରାତ ଏବଂ ତାଙ୍କ ପ୍ରେମିକଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି । ସେ ପୋଲିସକୁ କହିଛନ୍ତି, ସେମାନଙ୍କ ମଧ୍ୟରେ ସବୁ ଠିକଠାକ ଥିଲା । ଉଭୟ ୩ଟି ପିଲାଙ୍କ ବାପାମାଆ । ଲଟେରୀ ଜିତିବା ପରେ ଏକ ମନ୍ଦିରରେ ୨୦ ଲକ୍ଷ ଟଙ୍କା ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏକ ପାର୍ଟିର ମଧ୍ୟ ଆୟୋଜନ କରିଥିଲେ । ଯେଉଁଥିରେ ସମ୍ପର୍କୀୟ ଓ ନିକଟତମ ବନ୍ଧୁ ସାମିଲ ହୋଇଥିଲେ । ଏହି ପାର୍ଟିରେ ଅଙ୍ଗକାନାରାତଙ୍କ ସହ ଜଣେ ଅଜଣା ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା । ସେ ସମୟରେ ପଚାରିବାରେ ସେ ତାଙ୍କ ସମ୍ପର୍କୀୟ ବୋଲି ଅଙ୍ଗକାନାରାତ କହିଥିଲେ । ହେଲେ ପରେ ଜଣାପଡ଼ିଲା ସେ ତାଙ୍କ ପ୍ରେମିକ ଥିଲେ ।

ଅନ୍ୟପକ୍ଷରେ ଥାନାକୁ ଯାଇଥିଲେ ବି ମାନିତ ଟଙ୍କା ଫେରି ପାଇବାର ଆଶା ବହୁତ କମ ରହିଛି । କାରଣ ପୋଲିସ କହିଛି, ଟଙ୍କା ଥିବା ଆକାଉଣ୍ଟ ଅଙ୍ଗକାନାରାତଙ୍କ ନାଁରେ ରହିଛି । ଏଥିରେ ମାନିତ ନିଜ ଇଚ୍ଛାରେ ଟଙ୍କା ଡିପୋଜିଟ୍ କରିଛନ୍ତି । ଅନ୍ୟପକ୍ଷରେ ମାନିତ ଓ ଅଙ୍ଗକାନାରାତଙ୍କ ବିବାହ ଅଧିକାରୀକ ସ୍ତରରେ ହୋଇନାହିଁ । ବିବାହର ୨୬ ବର୍ଷ ହୋଇ ଯାଇଥିଲେ ବି ସେମାନେ ବିବାହ ପଞ୍ଜିକରଣ କରିନାହାନ୍ତି ।

ଟ୍ବିଟରକୁ ଟ୍ରମ୍ପଙ୍କ କମବ୍ୟାକ୍, ଆକାଉଣ୍ଟ ସଚଳ କଲେ ମସ୍କ

ଓ୍ବାସିଂଟନ: ଟୁଇଟର କର୍ମଚାରୀ ସଂକଟ ଭିତରେ ଏଲନ ମସ୍କ ବଡ଼ ପଦକ୍ଷେପ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟକୁ ପୁଣି ସଚଳ କଲା କମ୍ପାନୀ । ଅବାଧ ଓ ମୁକ୍ତ ବକ୍ତବ୍ୟର ପରିପ୍ରକାଶ ନୀତିକୁ ଆଧାର କରି କମ୍ପାନୀ ନେଇଛି ନିଷ୍ପତ୍ତି । ଟ୍ରମ୍ପଙ୍କ ଆକାଉଣ୍ଟ ସଚଳ କରାଯିବ କି ନାହିଁ ସେନେଇ ଆୟୋଜିତ ଭୋଟରେ ଟ୍ରମ୍ପଙ୍କ ସପକ୍ଷରେ ବହୁମତ ମିଳିଥିବାରୁ କମ୍ପାନୀ ତାଙ୍କ ଆକାଉଣ୍ଟକୁ ସଚଳ କରିଛି ।

୨୦୨୦ ନିର୍ବାଚନ ଫଳାଫଳକୁ ବାତିଲ କରିବା ଦାବିରେ ଟ୍ରମ୍ପଙ୍କ ସମର୍ଥକ ହଙ୍ଗାମା କରିବା ପରେ ଗତବର୍ଷ ଟ୍ରମ୍ପଙ୍କ ଆକାଉଣ୍ଟକୁ ବାତିଲ କରାଯାଇଥିଲା । ଟୁଇଟ କରି ଟ୍ରମ୍ପ କହିଛନ୍ତି ଲୋକଙ୍କ କଥା କହିବାର ସୁଯୋଗ ମିଳିଲା । ଲୋକଙ୍କ ସ୍ବର ହେଉଛି ଭଗବାନଙ୍କ ସ୍ବର । ଟ୍ରମ୍ପଙ୍କ ଆକାଉଣ୍ଟକୁ ସଚଳ କରିବା ଲାଗି ଟୁଇଟରର ୨୩୭ ନିୟୁତ ଡେଲି ୟୁଜରଙ୍କ ମଧ୍ୟରୁ ପ୍ରାୟ ୧୫ ନିୟୁତ ୟୁଜର ସମର୍ଥନ କରିଥିଲେ । ୫୧. ୮ ପ୍ରତିଶତ ୟୁଜର ସମର୍ଥନ କରିଥିବାବେଳେ ୪୮.୨ ପ୍ରତିଶତ ୟୁଜର ବିରୋଧ କରିଥିଲେ । ଆକାଉଣ୍ଟକୁ ବାତିଲ କରିବାବେଳେ ଟ୍ରମ୍ପଙ୍କ ଫଲୋୟରଙ୍କ ସଂଖ୍ୟା ଥିଲେ ୮୮ ନିୟୁତ ।

ପଦମପୁର ଉପନିର୍ବାଚନ: ଗାଁ ଗାଁ ବୁଲି ଭୋଟ ମାଗୁଛନ୍ତି ବର୍ଷା

ପଦମପୁର: ଜମୁଛି ପଦମପୁର ଉପନିର୍ବାଚନ ପ୍ରଚାର । ମହିଳାଙ୍କୁ ସାଥୀରେ ନେଇ ପଦମପୁରର ବିଭିନ୍ନ ଅଞ୍ଚଳରେ ପ୍ରଚାର କରୁଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ୨ ନମ୍ବର ଜୋନରେ ଥିବା ୮ଟି ପଞ୍ଚାୟତରେ ସଭା କରି କ୍ୟାମ୍ପେନିଂ କରୁଛନ୍ତି ବର୍ଷା । ଖୁଜେନରେ ଆୟୋଜିତ  ସଭାରେ ସମସ୍ତଙ୍କ ଆଶୀର୍ବାଦ ଲୋଡି ବର୍ଷା ଆଜି ପ୍ରଚାର ଆରମ୍ଭ କରିଛନ୍ତି ।

ବରିହାପାଲି, ଡଙ୍ଗାଘାଟ ଓ ଜମିଆ ସମେତ ୮ଟି ପଞ୍ଚାୟତରେ ଆଜି ବିଜେଡିର ପ୍ରଚାର ଚାଲିଛି । ପ୍ରଚାରରେ ମଙ୍ଗ ଧରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା । ଏହା ସହିତ ମଇଦାନରେ ଅଛନ୍ତି ସଂଗ୍ରାମ ପାଇକରାୟ, ରୁଦ୍ର ମହାରଥୀ, ରୋମାଞ୍ଚ ରଞ୍ଜନ ବିଶାଳ, ପ୍ରଦୀପ ମାଝୀ, ଶିଶିର ପରିଜା, ବିଜୟ ନାୟକ, ସ୍ବରୂପ ଦାଶ ଓ ଦେବାଶିଷ ଆଚାର୍ଯ୍ୟଙ୍କ ସମେତ ଅନେକ ନେତା ଓ କର୍ମୀ ।

ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କରୁଛନ୍ତି ବିଜେଡି ନେତା ଓ କର୍ମୀ । ବାଇକ ରାଲି ସହ ଖୋଲା ଗାଡ଼ିରେ ବୁଲି ସମର୍ଥନ ସାଉଁଟୁଛନ୍ତି ବର୍ଷା । ବାପାଙ୍କୁ ଯେମିତି ଆପଣମାନେ ସମର୍ଥନ କରିଥିଲେ, ଠିକ ସେମିତି ମୋତେ ମଧ୍ୟ ଆପଣଙ୍କ ସେବା କରିବା ପାଇଁ ସୁଯୋଗ ଦିଅନ୍ତୁ ବୋଲି କହୁଛନ୍ତି ବର୍ଷା । ଅନ୍ୟପଟେ ବିଜେପି ଓ କଂଗ୍ରେସ ମଧ୍ୟ ସମର୍ଥକଙ୍କୁ ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି ।