‘କେନ୍ଦ୍ର ସରକାର ଓଡିଶା ପ୍ରତି ସାବତ ପୁଅ ଭଳି ବ୍ୟବହାର କରୁଛି’

1 min read

ଭୁବନେଶ୍ୱର: ଏନଡିଏ ସରକାର ଅମଳରେ ଗତ ୯ ବର୍ଷ ଧରି ଓଡିଶାକୁ କେନ୍ଦ୍ରୀୟ ଅବହେଳାକୁ ନେଇ ବର୍ଷିଛି ବିଜେଡି । ରେଳବାଇରେ କେନ୍ଦ୍ରର ଏନଡିଏ ସରକାର ଓଡିଶା ପ୍ରତି ସାବତ ପୁଅ ଭଳି ବ୍ୟବହାର କରୁଛି । ପ୍ରତିବର୍ଷ ରେଳବାଇରେ କେନ୍ଦ୍ର ସରକାର ଓଡିଶାରୁ ୨୦ରୁ ୨୨ହଜାର କୋଟି ଟଙ୍କା ରାଜସ୍ବ ସଂଗ୍ରହ କରୁଛନ୍ତି। ଏହି ହିସାବରେ ଗତ ୯ବର୍ଷରେ ପ୍ରାୟ ୨ଲକ୍ଷ କୋଟି ଟଙ୍କା ରେଳବାଇକୁ ଓଡିଶା ଦେଇଛି । ଯେଉଁ ଅନୁପାତରେ ଓଡିଶାରୁ ରାଜସ୍ବ ଆଦାୟ ହେଉଛି, ସେହି ଅନୁପାତରେ ରାଜ୍ୟରେ ରେଳବାଇର ବିକାଶ ପାଇଁ ସହାୟତା ଦିଆଯାଉନି ।

କେବିକେ ଜିଲ୍ଲା ସହ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାକୁ ଗତ 9ବର୍ଷରେ କୌଣସି ନୂଆ ରେଳ ଲାଇନ ମଂଜୁର ହୋଇନି। ୯ ବର୍ଷ ମଧ୍ୟରେ କେବଳ ଭୁବନେଶ୍ବରରୁ ନୟାଗଡକୁ ରେଳଲାଇନ ସଂଯୋଗ ହୋଇ ପ୍ୟାସେଞ୍ଜର ଟ୍ରେନ ଚାଲୁଛି। ଯେଉଁଥିରେ ମାତ୍ର ଦୁଇ ଶହ ଜଣ ଯାଉଛନ୍ତି। ସେପଟେ ରେଳ ଲାଇନ ସଂଯୋଗ ହେବା ପରେ ବି କେନ୍ଦ୍ରାପଡାକୁ ଚାଲିପାରୁନି ପାସେଞ୍ଜର ଟ୍ରେନ । ଆର୍ଥିକ ଦୃଷ୍ଟିରୁ ଏହି ରେଳ ଲାଇନ ଲାଭଜନକ ହେବନି ଦର୍ଶାଇ କେନ୍ଦ୍ରାପଡାକୁ ଚାଲୁନି ପ୍ୟାସେଞ୍ଚର ଟ୍ରେନ। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ପୁରୀ-କୋଣାର୍କ ପ୍ରମୁଖ ।

କିନ୍ତୁ ପୁରୀରୁ କୋଣାର୍କକୁ ଏଯାଏଁ ରେଳଲାଇନ ସଂଯୋଗ ହୋଇନି । ପଦମପୁରକୁ ରେଳ ଲାଇନ ପାଇଁ ଉପନିର୍ବାଚନରେ ବିଜେପିର ନେତା ମନ୍ତ୍ରୀ ବାହାସ୍ଫୋଟ ମାରିଥିଲେ । ଖୁବଶୀଘ୍ର ବରଗଡ଼- ନୂଆପଡା ଭାୟା ପଦମପୁର ରେଳ ଲାଇନ କାମ ଆରମ୍ଭ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ବଜେଟରେ ଏହି ରେଳ ପ୍ରକଳ୍ପର କୌଣସି ପ୍ରସ୍ତାବ ନାହିଁ । ସେପଟେ ଗୁଣପୁର-ଥେରୁବାଲି, ତାଳଚେର-ବିମଳାଗଡ଼ ରେଳ ଲାଇନ କାମ ଗତ ୯ ବର୍ଷ ହେଲା ଆରମ୍ଭ ହୋଇପାରୁନି । ଯେଉଁ ଭଳି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ଚାଲିଛି, ସେଥିରୁ ସ୍ପଷ୍ଟ ହେଉଛି ଯେ, କେନ୍ଦ୍ର ସରକାର ସବୁଠୁ ମନ୍ଥର ଗତିର ରେଳ ପାଇଁ ବିଶ୍ବ ରେକର୍ଡ କରିବେ । ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ସହିତ ଅଧା ଖର୍ଚ୍ଚ ଦେଉଛନ୍ତି ।

ତଥାପି କାମ ସମ୍ପୂର୍ଣ୍ଣ ହୋଇପାରୁନି । ଗତ ୯ବର୍ଷରେ ରାଜ୍ୟରେ ଗୋଟିଏ ବି ରେଲଓ୍ବେ ପ୍ରୋଜେକ୍ଟ ହୋଇନି । ଓଡିଶାରେ ଗୋଟିଏ ବି ରେଲଓ୍ବେ ଫାକ୍ଟ୍ରି ହୋଇପାରିଲାନି । ସିତଳାପଲ୍ଲୀ ଓ୍ବାଗନ ଫାକ୍ଟ୍ରି ମଧ୍ୟ କାର୍ଯ୍ୟକାରୀ ହୋଇନି । ରାଜ୍ୟ ସରକାରଙ୍କ ତରଫରୁ ସବୁ ସହାୟତା ପରେ ବି ଓଡ଼ିଶା ଅବହେଳିତ ହେଉଛି । ୮ଜଣ ବିଜେପି ସାଂସଦଙ୍କୁ ଓଡିଶାବାସୀ ନିର୍ବାଚିତ କରିଛନ୍ତି । ମାତ୍ର ସେମାନେ ରାଜ୍ୟରେ ରେଳ ବିକାଶ ପାଇଁ ଉଦ୍ୟମ କରୁନାହାନ୍ତି । ଲୋକଙ୍କୁ ଭୁଆଁ ବୁଲାଇବା ପରିବର୍ତ୍ତେ ରାଜ୍ୟର ହକ ପାଇଁ କେନ୍ଦ୍ରରେ ଦାବି ଉଠାଇବାକୁ ବିଜେପି ସାଂସଦଙ୍କୁ ପରାମର୍ଶ ଦେଇଛି ବିଜେଡି ।