ଜାମିଆ ଦଙ୍ଗା ଅଭିଯୁକ୍ତ ଦୋଷମୁକ୍ତ, ଜେଏନୟୁ ଛାତ୍ର ସରଜିଲ ଇମାମ, ଛାତ୍ର ନେତା ଆସିଫ ନିର୍ଦ୍ଦୋଷ ସାବ୍ୟସ୍ତ

1 min read

ନୂଆଦିଲ୍ଲୀ: ୨୦୧୯ ଜାମିଆ ହିଂସା ମାମଲାରେ ଜେଏନୟୁ ଛାତ୍ର ସରଜିଲ ଇମାମ ଓ ଛାତ୍ର ନେତା ଆସିଫ ଇକବାଲ ତନହାଙ୍କୁ ଦୋଷମୁକ୍ତ କରିଛନ୍ତି ଦିଲ୍ଲୀର ସାକେତ କୋର୍ଟ । ୨୦୧୯ରେ ଜାମିଆରେ ଦଙ୍ଗା ସୃଷ୍ଟି ମାମଲାରେ ଇମାମ ଓ ଆସିଫଙ୍କୁ ଦୋଷମୁକ୍ତ କରାଯାଇଛି । ଆଡିସନାଲ ସେସନ ଜଜ୍ ଅରୁଣ ବର୍ମା ଏହି ରାୟ ଶୁଣାଇଛନ୍ତି । ଦଙ୍ଗା ଭିଆଇବା, ବେଆଇନ ଭାବେ ବହୁ ଲୋକଙ୍କୁ ଏକାଠି କରିବା ଓ ଦେଶଦ୍ରୋହ ଭଳି ଅତି ସଙ୍ଗୀନ ଦଫା ଇମାମଙ୍କ ବିରୋଧରେ ଲାଗିଥିଲା ।

ଇମାମ CAA ଓ NRC କୁ ନେଇ ୨୦୧୯ରେ ଦଙ୍ଗା ସୃଷ୍ଟିକାରୀ ଭାଷଣ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ମାତ୍ର ଶାନ୍ତିପୂର୍ଣ୍ଣ ଧାରଣା ପାଇଁ ଇମାମ କ୍ୟାମ୍ପେନିଂ କରୁଥିଲେ ବୋଲି ତାଙ୍କ ଓକିଲ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ । ଯାହାକୁ କୋର୍ଟରେ ପ୍ରମାଣିତ ହେବା ପରେ ଇମାମ ଓ ଆସିଫଙ୍କୁ ଦୋଷମୁକ୍ତ କରାଯାଇଛି । ତେବେ ଦୋଷମୁକ୍ତ ହେବା ପରେ ବି ଇମାମ ଜେଲରେ ରହିବେ । ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀରେ ଦଙ୍ଗାକୁ ନେଇ ହୋଇଥିବା ଏଫଆଇଆର ଆଧାରରେ ଇମାମ ଜେଲରେ ରହିବେ ବୋଲି ଜଣାପଡ଼ିଛି ।