ଆଖି ବୁଜିଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଣୀ ଜୟରାମ

ନନ୍ଦିଘୋଷ ବ୍ୟୁରୋ: ଆଉନାହାନ୍ତି ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଣୀ ଜୟରାମ । ୭୮ ବର୍ଷ ବୟସରେ ଚେନ୍ନାଇସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି । ଭାରତୀୟ ସିନେମା ସଂଗୀତ ଜଗତରେ ୫ ଦଶନ୍ଧି ଧରି ପ୍ରାଧାନ୍ୟ ବିସ୍ତାର କରିଥିବା ବାଣୀ ଜୟରାମଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । କେବଳ ହିନ୍ଦୀ ସିନେମା ନୁହେଁ ଓଡିଆ ସମେତ ବିଭିନ୍ନ ଭାଷାରେ ସଂଗୀତ ପରିବେଷଣ କରି ସେ କୋଟି କୋଟି ଭାରତୀୟଙ୍କ ପ୍ରିୟପାତ୍ରୀ ହୋଇଥିଲେ । ପ୍ରାୟ ୧ ହଜାର ମୁଭି ଲାଗି ସେ ୧୦ ହଜାରରୁ ଅଧିକ ଗୀତ ଗାଇ ଖ୍ୟାତି ଅର୍ଜନ କରିଥିଲେ ।

ପ୍ରଖ୍ୟାତ କଣ୍ଠଶିଳ୍ପୀ ପଦ୍ମ ଭୂଷଣ ବାଣୀ ଜୟରାମ ଇହଲୀଳା ସମ୍ବରଣ କରିଛନ୍ତି । ଓଡ଼ିଆ, ତେଲୁଗୁ, ତାମିଲ ଏବଂ ହିନ୍ଦୀ ଆଦି ୧୮ଟି ଭାଷାରେ ହଜାର ହଜାର ସଙ୍ଗୀତରେ କଣ୍ଠଦାନ କରି ନିଜ ପାଇଁ ସୃଷ୍ଟି କରିଥିଲେ ଏକ ସ୍ବତନ୍ତ୍ର ସ୍ଥାନ । ୧୯୭୧ମସିହାରେ, ବାଣୀ ଜୟରାମଙ୍କୁ ‘ଗୁଡ୍ଡି’ ଚଳଚ୍ଚିତ୍ରରେ କଣ୍ଠଦାନ କରିବାର ପ୍ରଥମ ସୁଯୋଗ ମିଳିଥିଲା । ଏହି ଚଳଚ୍ଚିତ୍ରର ଗୀତ ‘ବୋଲେରେ ପପିହରା’ ଖୁବ ଲୋକପ୍ରିୟ ହୋଇଥିଲା ଓ ବାଣୀ ଜୟରାମଙ୍କୁ ସମଗ୍ର ଦେଶରେ ଖୁବ ପରିଚିତି ଆଣିଦେଇଥିଲା ।

୧୯୭୮ ମସିହାରେ ବାଳକୃଷ୍ଣ ଦାସଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ଶଙ୍ଖ ମହୂରୀରେ ସେ ଗାଇବାର ସୁଯୋଗ ପାଇଥିଲେ ଓ ଓଡ଼ିଆ ଦର୍ଶକମାନଙ୍କ ମଧ୍ୟରେ ଖୁବ ଲୋକପ୍ରିୟ ହୋଇପାରିଥିଲେ । ଏହାପରେ ବଳିଦାନ, ତପସ୍ୟା, ଶଙ୍ଖା ସିନ୍ଦୂର ଆଦି ବହୁ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସେ କଣ୍ଠଦାନ କରିଛନ୍ତି । ୧୯୮୧ରେ ନିର୍ମିତ ଦେବଯାନୀ ଚଳଚ୍ଚିତ୍ର ପାଇଁ, ସେ ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ । ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି ।