ପ୍ରମାଣ ପାଇଁ ଚାଲିଛି ଛାନବିନ, ଶେଷ ଦିନରେ ଗୋପାଳକୁ ଘନାଘନ ଜେରା

ନନ୍ଦିଘୋଷ ବ୍ୟୁରୋ: ନବ କିଶୋର ଦାସ ହତ୍ୟା ମାମଲାର ତଥ୍ୟ ପ୍ରମାଣ ହାସଲ ପାଇଁ ଛାନବିନ ଚଳାଇଛି କ୍ରାଇମବ୍ରାଞ୍ଚ । ୪ ଦିନିଆ ରିମାଣ୍ଡରେ ନେଇ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ ଚାଲିଛି ଘନଘନ ଜେରା । ରିମାଣ୍ଡର ଆଜି ହେଉଛି ଶେଷଦିନ । ଅନ୍ତିମ ଦିନରେ ତଦନ୍ତକୁ ଆହୁରି ଜୋରଦାର କରିଛି ତଦନ୍ତକାରୀ ଟିମ୍ । ପୁଣି ଥରେ ଅଭିଯୁକ୍ତ ଗୋପାଳର ପରିବାର ଲୋକଙ୍କୁ ଆଙ୍କୁଲି ସ୍ଥିତ ଘରେ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । ଗୋପାଳର ସ୍ତ୍ରୀ ଓ ପୁତୁରାକୁ ପଚରାଉଚରା କରିଛି ଟିମ୍ । ଏମକେସିଜି ମେଡିକାଲରେ ଏସବିଆଇ ଶାଖାରେ ୪ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳ ଓ ତା ପରିବାରର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରୁଛି ।

ରିମାଣ୍ଡର ତୃତୀୟ ଦିନରେ ଗୋପାଳ ରହୁଥିବା କ୍ବାର୍ଟର୍ସ ସହିତ ଗାନ୍ଧିଛକ ଫାଣ୍ଡିକୁ ଗୋପାଳକୁ ନେଇ ପ୍ରମାଣ ଖୋଜିଥିଲା କ୍ରାଇମବ୍ରାଞ୍ଚ । ଏହି ସମୟରେ ତଦନ୍ତକାରୀ ଟିମ୍ ହାତରେ ଲାଗିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଗୋପାଳର ଡାଏରୀ ସହିତ କିଛି ହାତଲେଖା ଚିଠି ଜବତ କରିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତର କ୍ୱାର୍ଟର୍ସରୁ ଜବତ ଦଲିଲକୁ କ୍ରାଇମବ୍ରାଞ୍ଚ ଟିମ୍ ଯାଞ୍ଚ କରୁଛି । ଗୁଳିମାଡ଼ରେ ଆହତ ଜୀବନ କୁମାର ନାୟକ ଏବଂ ଅନ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି ।

ଏୟାରପୋର୍ଟ ପୋଲିସ ଷ୍ଟେସନ ଶୌଚାଳୟରୁ ଜବତ ହୋଇଥିବା ଗୋପାଳର ହାତଲେଖା କାଗଜକୁ ଯାଞ୍ଚ କରାଯାଉଛି । ସେଠାରୁ ୨୨ ଖଣ୍ଡ ଟୁକୁଡା କାଗଜ ଜବତ ହୋଇଛି । ଏହାକୁ ସଜାଇବା ପାଇଁ ବିଶେଷଜ୍ଞଙ୍କ ସହାୟତା ନିଆଯାଉଛି । ଏଗୁଡିକ ଅଭିଯୁକ୍ତର ବୋଲି ପ୍ରମାଣିତ କରିବାକୁ ହସ୍ତଲିଖନ ବ୍ୟୁରୋକୁ ପଠାଯିବ ବୋଲି କ୍ରାଇମବ୍ରାଞ୍ଚ ତରଫରୁ ସୂଚନା ଦିଆଯାଇଛି ।