ହିଣ୍ଡେନବର୍ଗ ଇଫେକ୍ଟ, ୧୦ ଦିନରେ ୧୧୮ ବିଲିୟନ ଡଲାର କ୍ଷତି ସହିଲାଣି ଆଦାନୀ ଗ୍ରୁପ୍‌

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ଇଫେକ୍ଟ । ୧୦ ଦିନରେ ୧୧୮ ବିଲିଅନ ଡଲାରର କ୍ଷତି ସହିଲାଣି ଆଦାନୀ ଗ୍ରୁପ । ବିଶ୍ବର ଅନ୍ୟତମ ପ୍ରମୁଖ ଶିଳ୍ପପତି ଗୌତମ ଆଦାନୀଙ୍କ ସାମ୍ରାଜ୍ୟ ଭୁଶୁଡ଼ାଇ ଦେଇଛି ଆମେରିକାର ଇନଭେଷ୍ଟମେଣ୍ଟ ରିସର୍ଚ୍ଚ ଫାର୍ମ । ଗ୍ଲୋବାଲ ମାର୍କେଟରେ ୨୧୭ ବିଲିଅନ ଡଲାର ବିଜନେସ କରୁଥିବା ଆଦାନୀ ଗ୍ରୁପର ନେଟଓ୍ୱର୍ଥ ୯୯ ବିଲିଅନ ଡଲାରରେ ପହଞ୍ଚିଛି । ଆଦାନୀ ଗ୍ରୁପ ନାଁରେ ମନି ଲଣ୍ଡରିଂ, ଟିକସ ଫାଙ୍କି, ଷ୍ଟକ ମାନିପୁଲେସନ, ଜାଣିଶୁଣି ଋଣ ବଢ଼ାଇବା ଭଳି ଅତି ସଙ୍ଗୀନ ତଥ୍ୟ ଦେଇଥିଲା ହିଣ୍ଡେନବର୍ଗ । ଆମେରିକାର ହିଣ୍ଡେନବର୍ଗ ଫାର୍ମ ଫରେନସିକ ଫାଇନାନସିଲ ରିସର୍ଚ୍ଚ କରିଥାଏ । ବଡ଼ ବଡ଼ କମ୍ପାନୀଗୁଡ଼ିକର ଭ୍ରଷ୍ଟାଚାର ଓ ଠକେଇ ଉପରେ ଏହି ଫାର୍ମ ନଜର ରଖିଥାଏ । ହିଣ୍ଡେନବର୍ଗ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପର ଏକାଧିକ କଂପାନୀର ସେୟାରରେ ଭୂକମ୍ପ ଆସିଛି ।

ସେପଟେ ଆଦାନୀ ସମୂହ ବିରୋଧରେ ଆସିଥିବା ଅଭିଯୋଗ ଯାଞ୍ଚ ପାଇଁ ବିରୋଧୀ ଜିଦ୍ ଧରିଥିବା ବେଳେ ଦୁଇ ଦିନ ଧରି ସଂସଦରେ କାର୍ଯ୍ୟକାଳ ବାଧାପ୍ରାପ୍ତ ହୋଇଛି । ଜେପିସି ବା ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି ଯୋଗେ ଯାଞ୍ଚ କରିବାକୁ ବିରୋଧୀ ଦାବି କରିଛନ୍ତି । ଯେକୌଣସି ମାଧ୍ୟମରେ ପ୍ରମାଣ ଯୋଗାଡ଼ କରିବାର କ୍ଷମତା ଜେପିସି ପାଖରେ ରହିଥାଏ । କୌଣସି ସଂସ୍ଥାକୁ ଡାକି ପଚରାଉଚରା କରିପାରିବାର କ୍ଷମତା ମଧ୍ୟ ଜେପିସି ପାଖରେ ରହିଛି । ଜେପିସି କୌଣସି ମାମଲାର ଯାଞ୍ଚ ପରେ ରିପୋର୍ଟ ଭାରତ ସରକାରଙ୍କ ନିକଟରେ ଦାଖଲ କରିଥାଏ ।