ଆଉ ଚାରିଦିନ ରିମାଣ୍ଡରେ ଯିବ ଅଭିଯୁକ୍ତ ଗୋପାଳ, କୋର୍ଟରେ ହୋଇଥିଲା ହାଜର

ନନ୍ଦିଘୋଷ ବ୍ୟୁରୋ: ଆଉ ଚାରିଦିନ ରିମାଣ୍ଡରେ ଯିବ ନବ କିଶୋର ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସ । ଆଜି ପୂର୍ବ ରିମାଣ୍ଡ ଅବଧି ସରିବା ପରେ ଗୋପାଳକୁ ଝାରସୁଗଡା ଜେଏମଏଫସି କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ । ସମସ୍ତ ପ୍ରମାଣ ଦସ୍ତାବିଜ କୋର୍ଟରେ ଦାଖଲ ପରେ ଅଧିକ ଚାରିଦିନ ରିମାଣ୍ଡ ଆବେଦନ କରାଯାଇଥିଲା । ଏନେଇ ପୁଣି କ୍ରାଇବ୍ରାଞ୍ଚକୁ ଅଧିକ ଚାରିଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ଏହି ଚାରିଦିନ ରିମାଣ୍ଡ ବେଳେ ଅଧିକ ପ୍ରମାଣ ଯୋଗାଡ ପାଇଁ ଗୋପାଳକୁ ଘନ ଘନ ଜୋରା କରାଯିବ ।

ସେପଟେ ଆଜି ପୁଣି ଥରେ ଅଭିଯୁକ୍ତ ଗୋପାଳର ପରିବାର ଲୋକଙ୍କୁ ଆଙ୍କୁଲି ସ୍ଥିତ ଘରେ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । ଗୋପାଳର ସ୍ତ୍ରୀ ଓ ପୁତୁରାକୁ ପଚରାଉଚରା କରିଛି ଟିମ୍ । ଏମକେସିଜି ମେଡିକାଲରେ ଏସବିଆଇ ଶାଖାରେ ୪ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳ ଓ ତା ପରିବାରର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରୁଛି । ଗତକାଲି ଗୋପାଳ ରହୁଥିବା କ୍ବାର୍ଟର୍ସ ସହିତ ଗାନ୍ଧିଛକ ଫାଣ୍ଡିକୁ ଗୋପାଳକୁ ନେଇ ପ୍ରମାଣ ଖୋଜିଥିଲା କ୍ରାଇମବ୍ରାଞ୍ଚ । ଏହି ସମୟରେ ତଦନ୍ତକାରୀ ଟିମ୍ ହାତରେ ଲାଗିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଗୋପାଳର ଡାଏରୀ ସହିତ କିଛି ହାତଲେଖା ଚିଠି ଜବତ କରିଛି କ୍ରାଇମବ୍ରାଞ୍ଚ ।

ଅଭିଯୁକ୍ତର କ୍ୱାର୍ଟର୍ସରୁ ଜବତ ଦଲିଲକୁ କ୍ରାଇମବ୍ରାଞ୍ଚ ଟିମ୍ ଯାଞ୍ଚ କରୁଛି । ଗୁଳିମାଡ଼ରେ ଆହତ ଜୀବନ କୁମାର ନାୟକ ଏବଂ ଅନ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ଏୟାରପୋର୍ଟ ପୋଲିସ ଷ୍ଟେସନ ଶୌଚାଳୟରୁ ଜବତ ହୋଇଥିବା ଗୋପାଳର ହାତଲେଖା କାଗଜକୁ ଯାଞ୍ଚ କରାଯାଉଛି । ସେଠାରୁ ୨୨ ଖଣ୍ଡ ଟୁକୁଡା କାଗଜ ଜବତ ହୋଇଛି । ଏହାକୁ ସଜାଇବା ପାଇଁ ବିଶେଷଜ୍ଞଙ୍କ ସହାୟତା ନିଆଯାଉଛି । ଏଗୁଡିକ ଅଭିଯୁକ୍ତର ବୋଲି ପ୍ରମାଣିତ କରିବାକୁ ହସ୍ତଲିଖନ ବ୍ୟୁରୋକୁ ପଠାଯିବ ବୋଲି କ୍ରାଇମବ୍ରାଞ୍ଚ ତରଫରୁ ସୂଚନା ଦିଆଯାଇଛି ।