spot_img
Home Blog Page 3696

ଏଥର ସ୍ୱାଭାବିକ ଭାବେ ଚାଲିବ ବିଧାନସଭା, ପ୍ରେସ ଗ୍ୟାଲେରୀରେ ଗଣମାଧ୍ୟମକୁ ମିଳିବ ଅନୁମତି

ଭୁବନେଶ୍ୱର: ଏଥର ସ୍ୱାଭାବିକ ଭାବେ ଚାଲିବ ବିଧାନସଭା । ବିଧାନସଭାରୁ କୋଭିଡ କଟକଣାକୁ ହଟାଇ ଦିଆଯାଇଛି । ପୂର୍ବପରି ଚାଲିବ ବିଧାନସଭା । ଆସନ୍ତା ୨୪ରୁ ବିଧାନସଭାର ଅଧିବେଶନ ଆରମ୍ଭ ହେବ । ବିଧାୟକମାନେ ନିଜ ନିଜ ଆସନରେ ବସିବେ । ପ୍ରେସ ଗ୍ୟାଲେରୀରେ ଗଣମାଧ୍ୟମକୁ ଅନୁମତି ମିଳିବ । ଲିଖିତ ଭାବେ ଜଣାଇଲେ ସେମାନେ ଭିଡିଓ କନଫରନେସ୍ ମାଧ୍ୟମରେ ବିଧାନସଭା ଅଧିବେଶନରେ ଯୋଗ ଦେଇପାରିବେ । ସକାଳ ସାଢ଼େ ୧୦ରୁ ସାଢ଼େ ଗୋଟାଏ ଏବଂ ଅପରାହ୍ନରେ ୪ଟାରୁ ୭ ପର୍ଯ୍ୟନ୍ତ ବିଧାନସଭା ଚାଲିବ ବୋଲି କହିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ବିଧାନସଭା ଶୀତ ଅଧିବେଶନର ସୁପରିଚାଳନା ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ପୂର୍ବରୁ କରୋନା କଟକଣା ଭିତରେ ବସୁଥିଲା ବିଧାନସଭା ଅଧିବେଶନ । କିନ୍ତୁ ଏଥର ତାକୁ ହଟାଇ ଦିଆଯାଇଛି । ବୈଠକରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ଟୁଇଟରରୁ ଆହୁରି କିଛି କର୍ମଚାରୀଙ୍କୁ ଛଟେଇ କରିବେ ଏଲନ ମସ୍କ

ନୂଆଦିଲ୍ଲୀ: ଟୁଇଟରରୁ ଆହୁରି କିଛି କର୍ମଚାରୀଙ୍କୁ ଛଟେଇ କରିବେ ଏଲନ ମସ୍କ । ଆଜି ଏନେଇ ଘୋଷଣା କରିବେ । ସେଲ୍ସ ଓ ପାର୍ଟନରସିପ୍ ଟିମରୁ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରିଛନ୍ତି ଏଲନ ମସ୍କ । ପୂର୍ବରୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ମସ୍କ ଛଟେଇ କରିଥିବା ବେଳେ ଆହୁରି କିଛି ଆବଶ୍ୟକତା ରହିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ପୂର୍ବରୁ ଏଲନଙ୍କ ଅଲ୍ଟିମେଟମ ପରେ ଇସ୍ତଫା ଦେଇଥିଲେ କର୍ମଚାରୀ ।

ଟୁଇଟରରେ ଅନେକ ପରିବର୍ତ୍ତନ ହୋଇଥିବା ବେଳେ ଏହାର ପ୍ରଭାବ କର୍ମଚାରୀଙ୍କ ଉପରେ ପଡ଼ିଛି । କମ୍ପାନୀରେ ହାର୍ଡକୋର୍ ଓ୍ୱାର୍କ ପାଇଁ ନୂଆ ବସଙ୍କ ଅଲ୍ଟିମେଟମ ପରେ ଶତାଧିକ କର୍ମଚାରୀ ନିଜ ଆଡ଼ୁ ଇସ୍ତଫା ଦେଇଥିଲେ । ଫଳରେ କମ୍ପାନୀକୁ ଏକ ବଡ଼ ଝଟକା ଲାଗିଛି । ଟୁଇଟର ଏବେ ସବୁ ଦିନ ପାଇଁ ବନ୍ଦ ହୋଇଯିବ ବୋଲି ଚର୍ଚ୍ଚା ହେଉଥିଲା । ଏହାରି ଭିତରେ କମ୍ପାନୀ ଆହୁରି କର୍ମଚାରୀଙ୍କୁ ଛଟେଇ କରାଯିବା ନେଇ ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

 

 

କୋରାଇ ଟ୍ରେନ୍ ଦୁର୍ଘଟଣା, ରେଳବାଇ ବିରୋଧରେ ତାତିଲେ ସ୍ଥାନୀୟ ଲୋକ

କୋରାଇ: ଯାଜପୁର କୋରାଇ ଷ୍ଟେସନରେ ମାଲବାହୀ ଟ୍ରେନ୍ ଦୁର୍ଘଟଣା । ରେଳବାଇ ବିରୋଧରେ ତାତିଲେ ସ୍ଥାନୀୟ ଲୋକ । ରେଳଷ୍ଟେସନରେ ଲୋକ ଧାରଣା ଦେଇଛନ୍ତି । ମୃତକଙ୍କ ପରିବାରରୁ ଜଣଙ୍କୁ ଚାକିରି ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ । ସେହିପରି ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦାବି କରିଛନ୍ତି ଆନ୍ଦୋଳନକାରୀ । ଦାବି ପୂରଣ ନହେଲେ ଆମରଣ ଅନଶନ ପାଇଁ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ । ମୃତ ମହିଳାଙ୍କ ସ୍ୱାମୀ ଭିନ୍ନକ୍ଷମ । ତାଙ୍କର ୨ଜଣ ଅବିବାହିତ ଝିଅ ରହିଛନ୍ତି । ତେଣୁ ତାଙ୍କ ପରିବାରର ଜଣଙ୍କୁ ଚାକିରି ପାଇଁ ଦାବି ହୋଇଛି ।

ଟ୍ରେନରେ ନା ଟ୍ରାକରେ ଥିଲା ତ୍ରୁଟି, ଟ୍ରେନ୍ ଦୁର୍ଘଟଣାର କରାଯିବ ଉଚ୍ଚସ୍ତରୀୟ ତଦନ୍ତ

କୋରାଇ: ଯାଜପୁର ଟ୍ରେନ୍ ଟ୍ରାଜେଡିର ହେବ ଉଚ୍ଚସ୍ତରୀୟ ତଦନ୍ତ । ପ୍ରଶ୍ନ ଉଠୁଛି, କେମିତି ହେଲା ଯାଜପୁର କୋରାଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନର ଦୁର୍ଘଟଣା ? ଅଘଟଣ ନା ଅବହେଳା? ଟ୍ରେନ୍‌ ନା ଟ୍ରାକରେ ଥିଲା ସମସ୍ୟା? କାହିଁକି ଲାଇନଚ୍ୟୁତ ହେଲା ମାଲଗାଡ଼ି ଟ୍ରେନର ବଗି ? ଗୋଟିଏ ବଗିର ଚକ କୁଆଡ଼େ ଗଲା? ଦୁର୍ଘଟଣା ପୂର୍ବରୁ ନଥିଲା କି ବଗିର ଚକ ? ଯଦି ଚକ ନଥିଲା କେମିତି ଟ୍ରେନ୍‌ ସହ ହୋଇଥିଲା ସଂଯୋଗ? ଯଦି ଦୁର୍ଘଟଣା ପରେ ଚକ ଖସିଛି ତେବେ ଚକ କୁଆଡ଼େ ଗଲା? ସେଦିଗରେ ତଦନ୍ତ କରାଯାଉଛି ।

ସୂଚନା ଅନୁସାରେ ଆଜି ଲାଇନଚ୍ୟୁତ ହୋଇ ପ୍ଲାଟଫର୍ମ ଟିକେଟ୍‌ କାଉଣ୍ଟର ଉପରକୁ ମାଡ଼ିଯାଇଥିଲା ମାଲବାହୀ ଟ୍ରେନ୍ । ଯାଜପୁର କୋରାଇ ରେଳ ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିଥିବା କିଛି ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା ଟ୍ରେନ୍। ଫଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩ ଜଣ ଗୁରୁତର ହୋଇଛନ୍ତି ।

ଭୁଶୁଡ଼ିଲା ବେଲବାହାଳି କୁଶେଇ ନଦୀରେ ନିର୍ମାଣାଧୀନ ସେତୁ

ଆନନ୍ଦପୁର: ଭୁଶୁଡ଼ିଲା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବେଲବାହାଳିରେ କୁଶେଇ ନଦୀରେ ନିର୍ମାଣାଧୀନ ସେତୁ । ନିର୍ମାଣକାରୀ ଠିକାସଂସ୍ଥା ଏଆରଏସଏସର ୩ ଜଣ କର୍ମଚାରୀ ଏଥିରେ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛି । ଆହତମାନଙ୍କୁ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଆଜି ସକାଳୁ ଶ୍ରମିକମାନେ କାମ କରୁଥିବା ବେଳେ ସେତୁର ଗୋଟିଏ ସ୍ପାନ ଅଧାରୁ ଭାଙ୍ଗି ଯାଇଥିଲା । ତା’ ସହିତ ସଂଯୋଗ ହୋଇଥିବା ବିମ୍ ମଧ୍ୟ ତଳକୁ ଖସି ପଡ଼ିଛି । ଘଟଣାସ୍ଥଳରେ ଘଷିପୁରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣା ପରେ ଠିକାସଂସ୍ଥାର କାମକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏହାର ତଦନ୍ତ ପାଇଁ ଦାବି ହୋଇଛି । ଅନ୍ୟପକ୍ଷରେ ଠିକାସଂସ୍ଥାର କର୍ମଚାରୀ ଘଟଣାସ୍ଥଳ ଛାଡ଼ି ଚମ୍ପଟ ମାରିଛନ୍ତି।

କୋରାଇ ଟ୍ରେନ୍ ଦୁର୍ଘଟଣା, ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି କଲା ରେଳବାଇ

ଭୁବନେଶ୍ୱର: ଯାଜପୁର ଜିଲ୍ଲା କୋରାଇ ରେଳ ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା ପରେ ପ୍ଲାଟଫର୍ମ ଟିକେଟ୍‌ କାଉଣ୍ଟର ଉପରକୁ ମାଡ଼ିଯାଇଛି । ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିଥିବା କିଛି ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା ଟ୍ରେନ୍ । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ବଡ଼ ଧରଣର ଦୁର୍ଘଟଣା ପରେ ରେଳବାଇ ପକ୍ଷରୁ ଜାରି କରାଯାଇଛି ଜରୁରୀକାଳୀନ ହେଲ୍ପଲାଇନ ନମ୍ବର । କୋରାଇ ରେଳ ଷ୍ଟେସନ ପାଇଁ ୮୪୫୫୮୮୯୯୦୫ ନମ୍ବର ଜାରି କରାଯାଇଥିବାବେଳେ ଭୁବନେଶ୍ୱର ଷ୍ଟେସନ ପାଇଁ ୦୬୭୪-୨୫୩୪୦୨୦, ୦୬୭୪-୨୫୩୪୦୨୭ ଓ ଖୋର୍ଦ୍ଧା ରୋଡ୍ କଣ୍ଟ୍ରୋଲ ରୁମ୍ ପାଇଁ ୦୬୭୪-୨୪୯୨୨୪୫ ନମ୍ବର ଜାରି କରାଯାଇଛି ।

କୋରାଇ ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣା, ଆର୍ଥିକ ସହାୟତା ଘୋଷଣା କଲା ରେଳ ମନ୍ତ୍ରାଳୟ

ନୂଆଦିଲ୍ଲୀ: କୋରାଇ ଷ୍ଟେସନରେ ପଣ୍ୟବାହୀ ଟ୍ରେନ୍ ଦୁର୍ଘଟଣା । ରେଳବାଇ ପକ୍ଷରୁ ଆର୍ଥିକ ସହାୟତା ଘୋଷଣା । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିମାନଙ୍କ ପ୍ରତି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମୃତ ବ୍ୟକ୍ତିମାନଙ୍କ ପରିବାର ସଦସ୍ୟମାନଙ୍କୁ ୫ ଲକ୍ଷ, ଗୁରୁତର ଆହତମାନଙ୍କୁ ୧ ଲକ୍ଷ ଏବଂ ସାମାନ୍ୟ ଆହତ ବ୍ୟକ୍ତିମାନଙ୍କୁ ୨୫ ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

କୋରାଇରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ଦୁର୍ଘଟଣାରେ ମାଆ-ଝିଅ ମୃତ

କୋରାଇ: ଯାଜପୁର ଜିଲ୍ଲା କୋରାଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ । ଏହି ବଡ଼ ଧରଣର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୩ ଜଣ ଓ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ ଜଣଙ୍କ ପରିଚୟ ମିଳିଛି । ଏହି ୩ ଜଣଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି । ସେମାନେ ହେଲେ ମାଆ ଓ ଝିଅ । ମାଆ ପାର୍ବତୀ ଓ ଝିଅ କଣ୍ଢେଇ ବିନ୍ଧାଣୀ ।

ସ୍ୱାମୀ ବଳରାମ ସ୍ତ୍ରୀ ଓ ଶାଶୂଙ୍କୁ ନେଇ କଟକ ଯିବାକୁ ଟିକେଟ୍ କରି ୱେଟିଂ ରୁମରେ ବସିଥିଲେ । ଏହି ସମୟରେ ଭୀଷଣ ଶବ୍ଦ କରି ମାଡ଼ି ଆସିଥିଲା ମାଲବାହୀ ଟ୍ରେନ୍‌ । ଚାହୁଁ ଚାହୁଁ ପ୍ଲାଟଫର୍ମ ଉପରକୁ ଚଢ଼ିଯାଇଥିଲା ବଗି । ତାପରେ ଟିକେଟ୍ କାଉଣ୍ଟର ଓ ୱେଟିଂ ହଲକୁ ମାଡ଼ିଯାଇଥିଲା ବଗି । ୱେଟିଂ ରୁମରେ ଥିବା ମାଆ ପାର୍ବତୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଝିଅ କଣ୍ଢେଇଙ୍କର ଚିକିତ୍ସାଧିନ ଅବସ୍ଥାରେ ମେଡିକାଲରେ ମୃତ୍ୟୁ ହୋଇଛି ।

ଦୁର୍ଘଟଣା ପରେ ବାତିଲ ହେଲା ୮ ଟ୍ରେନ୍ ଓ ୧୨ ଟ୍ରେନର ରୁଟ୍ ପରିବର୍ତ୍ତନ

ଭୁବନେଶ୍ୱର : ଯାଜପୁର କୋରାଇ ଷ୍ଟେଶନରେ ମାଲଗାଡି ଦୁର୍ଘଟଣା ପ୍ରଭାବ ରେଳ ଚଳାଚଳ ଉପରେ ପଡ଼ିଛି । ଆଗାମୀ ୧୨ ଘଣ୍ଟା ପାଇଁ ଉକ୍ତ ରୁଟରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହେବ । ଦୁର୍ଘଟଣା କାରଣରୁ ଉକ୍ତ ରୁଟରେ ରେଳ ଚଳାଚଳ ବନ୍ଦ ରହିଛି । ଫଳରେ ରେଳବାଇ ୮ ଟି ଟ୍ରେନକୁ ବାତିଲ କରିଥିବା ବେଳେ ୫ ଟ୍ରେନକୁ ଆଂଶିକ ବାତିଲ କରିଛି । ଅନ୍ୟପକ୍ଷରେ ୧୨ ଟ୍ରେନର ଗତିପଥ ପରିବର୍ତ୍ତନ ହୋଇଛି ।
ବାତିଲ ହୋଇଥିବା ଟ୍ରେନ୍
ବାତିଲ ହୋଇଥିବା ଟ୍ରେନ୍ ମଧ୍ୟରେ ହାୱାଡା –ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସ, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ ଏକ୍ସପ୍ରେସ, ହାୱାଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ,ହାୱାଡା-ଶାଲିମର ଏକ୍ସପ୍ରେସ,ଭୁବନେଶ୍ୱର-ବାଲେଶ୍ୱର ସ୍ପେଶାଲ ଏକ୍ସପ୍ରେସ,ପୁରୀ-ଶାଲିମାର ଏକ୍ସପ୍ରେସ୍,ଶାଲିମାର-ହାଇଦ୍ରାବାଦ ଏକ୍ସପ୍ରେସ,ପୁରୀ-ଶାଲିମାର ଏକ୍ସପ୍ରେସ, ଶାଲିମାର-ହାଇଦ୍ରାବାଦ ଏକ୍ସପ୍ରେସ,କଟକ-ଭଦ୍ରକ-କଟକ ପାସେଞ୍ଜର ଏକ୍ସପ୍ରେସ,କଟକ ଭଦ୍ରକ ପାସେଞ୍ଜର ସ୍ପେଶାଲସ, ଭୁବନେଶ୍ୱର-ବାଲେଶ୍ୱର ପାସେଞ୍ଜର ସ୍ପେଶାଲ
ଆଂଶିକ ବାତିଲ ଟ୍ରେନ୍
୫ଟ୍ରେନ ଆଂଶିକ ବାତିଲ ହୋଇଛି । ବାଙ୍ଗିରିପୋଷୀ-ଭୁବନେଶ୍ୱର ଏକ୍ସପ୍ରେସ ସୋରୋ ଯାଏଁ ଯିବ । ସେହିଭଳି ଭୁବନେଶ୍ୱର-ହାୱଡା ଜନଶତାବ୍ଦୀ ଏକ୍ସପ୍ରେସ । ପୁରୀ-ହାୱାଡା ଶତାବ୍ଦୀ ଏକ୍ସପ୍ରେସ ଯାଜପୁର ଯାଏଁ ଯିବ । ବାଲେଶ୍ୱର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ ଟ୍ରେନ୍ କେନୁଅପଡା ଯାଏ ଯିବ । ଖଡ଼ଗପୁର-ଖୋର୍ଦ୍ଧା ଏକ୍ସପ୍ରେସ ମଧ୍ୟ ଭଦ୍ରକ ଯାଏ ଚାଲିବ ।

ବଦଳିଲା ୧୨ ଟ୍ରେନର ରୁଟ୍
ଅନ୍ୟପକ୍ଷରେ ୧୨ଟି ଟ୍ରେନର ରୁଟ୍ ବଦଳାଯାଇଛି । ଦିବ୍ରୁଗଡ-କନ୍ୟାକୁମାରୀ,ହାୱାଡା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ,ଆନନ୍ଦ ବିହାର-ପୁରୀ ନିଳାଚଳ ଏକ୍ସପ୍ରେସ,ପୁରୁଲିଆ-ଭିଲୁପୁରମ ଏକ୍ସପ୍ରେସର ରୁଟ୍ ବଦଳିଛି । ସେହିଭଳି ହାଇଦ୍ରାବାଦ-ଶାଲିମାର ଇଷ୍ଟ୍ କୋଷ୍ଟ୍ ଏକ୍ସପ୍ରେସ,ପୁରୀ-ଋଶିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ,ବାଙ୍ଗାଲୋର-ଶାନ୍ତରାଗାଚି ଏକ୍ସପ୍ରେସ,ତ୍ରିଭାନ୍ଦ୍ରମ-ଶାଲିମାର ଏକ୍ସପ୍ରେସ,ତିରୁପତି ହାୱାଡା ଏକ୍ସପ୍ରେସ, ବାଙ୍ଗାଲୋର-ହାୱାଡା ଏକ୍ସପ୍ରେସ,ବାଙ୍ଗାଲୋର-ଜସିଡିହ ଏକ୍ସପ୍ରେସ,ଚେନ୍ନାଇ-ଶାନ୍ତ୍ରାଗାଚି ଏକ୍ସପ୍ରେସ,ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ରୁଟ୍ ପରିବର୍ତ୍ତନ ହୋଇଛି ।

କୋରାଇ ରେଳ ଷ୍ଟେସନରେ ଟ୍ରେନ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଯାଜପୁର କୋରାଇ ରେଳ ଷ୍ଟେସନରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା । ପ୍ଲାଟଫର୍ମ ଉପରକୁ ମାଡ଼ି ଗଲା ୮ରୁ ଅଧିକ ବଗି । ଏହି ଭୟଙ୍କର ଦୁର୍ଘଟଣାରେ ୩ ଜଣ ପାଣ ହରାଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ଘଟଣାରେ ଦୁଃଖ ପ୍ରକାଶ କରଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଆବଶ୍ୟକ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଶୀଘ୍ର ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।