ଦିଲ୍ଲୀରେ ପୁଣି ଅଟକିଲା ମେୟର ନିର୍ବାଚନ, ହଙ୍ଗାମା ଯୋଗୁ ତୃତୀୟ ଥର ପାଇଁ ସ୍ଥଗିତ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଅଟକିଲା ମେୟର ନିର୍ବାଚନ । ହଙ୍ଗାମା ଯୋଗୁ ଆଜି ତୃତୀୟ ଥର ଲାଗି ନିର୍ବାଚନ ସ୍ଥଗିତ ରଖାଯାଇଛି । ମେୟର, ଡେପୁଟି ମେୟର ଭୋଟିଂ ପାଇଁ ଉପରାଜ୍ୟପାଳ ୧୦ ମନୋନୀତ କାଉନସିଲରଙ୍କୁ ଅନୁମତି ଦେବାକୁ ନେଇ ପ୍ରତିବାଦ କରିଥିଲା ଆମ ଆଦମୀ ପାର୍ଟି । ଉପରାଜ୍ୟପାଳ ଭୋଟିଂ ନିୟମରେ ପରିବର୍ତ୍ତନ କରିବାକୁ ନେଇ ଜୋରଦାର ହଙ୍ଗାମା ପରେ ନିର୍ବାଚନକୁ ସ୍ଥଗିତ ରଖିଦିଆଯାଇଛି । ପୂର୍ବରୁ ଦୁଇ ଥର ଏମସିଡି ହାଉସରେ ବସିଥିବା ବୈଠକରେ ଆପ୍ ଓ ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଯୋଗୁ ନିର୍ବାଚନ ହୋଇପାରି ନଥିଲା ।

ଡିସେମ୍ବର ୪ରେ ଅନୁଷ୍ଠିତ ହୋଇଥିଲା ମହାନଗର ନିଗମ ଭୋଟ । ୨୫୦ ଆସନ ବିଶିଷ୍ଟ ଏମସିଡିରେ ଆପ୍ ୧୩୪ଟି ଆସନ ହାସଲ କରିଥିବା ବେଳେ ବିଜେପି ୧୦୪ଟି ଆସନ ପାଇଥିଲା । କଂଗ୍ରେସ ୯ଟିରେ ସନ୍ତୁଷ୍ଟ ହୋଇଥିଲା । ମେୟର ଲାଗି ଆପର ପ୍ରାର୍ଥୀ ଶେଲୀ ଓବରୟ ଥିବା ବେଳେ ବିଜେପି ରେଖା ଗୁପ୍ତାଙ୍କୁ ପ୍ରାର୍ଥୀ କରିଛି । ପ୍ରଥମେ ନିର୍ବାଚିତ ସଦସ୍ୟଙ୍କୁ ଶପଥ ଗ୍ରହଣ ନ କରାଇ ମନୋନୀତ ସଦସ୍ୟଙ୍କୁ ଶପଥ ପାଠ କରାଇବାକୁ ନେଇ ପ୍ରଥମ ବୈଠକରେ ଗଣ୍ଡଗୋଳ ହୋଇଥିଲା । ଦ୍ବିତୀୟ ବୈଠକରେ ସମସ୍ତ ସଦସ୍ୟ ଶପଥ ନେଇ ସାରିଥିବା ବେଳେ ନିର୍ବାଚନ ପୂର୍ବରୁ ହଙ୍ଗମା ଯୋଗୁ ପୁଣି ନିର୍ବାଚନ ସ୍ଥଗିତ ରଖାଯାଇଥିଲା ।