ତୋଷାଳୀ ମେଳାର ପଞ୍ଚମ ସନ୍ଧ୍ୟା, ପାରମ୍ପରିକ ଓ ସୁସ୍ୱାଦୁ ଭୋଜନର ମଜା ନେଉଛନ୍ତି ଦର୍ଶକ

1 min read

ଭୁବନେଶ୍ୱର: ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଛି ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା । ଏହି ମେଳାର ପଞ୍ଚମ ସନ୍ଧ୍ୟାରେ ଦକ୍ଷତା ଓ ବିକାଶ ଓ ବୈଷିୟକ ଶିକ୍ଷା ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ପ୍ରଦୀପ ପ୍ରଜ୍ୱଳନ କରି ସାଂସ୍କୃତିକ ସନ୍ଧ୍ୟାର ଶୁଭାରମ୍ଭ କରିଥିଲେ । ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ୍ରର ନିଖୁଣ କାରୁକାର୍ଯ୍ୟର ଭୂୟସୀ ପ୍ରଶଂସା କରିବା ସହ କାରିଗର ଓ ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଏବଂ ମଞ୍ଚରେ ଉପସ୍ଥିତ ଥିବା ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀକାନ୍ତ ପୃଷ୍ଟି ସମ୍ମାନିତ କରିଥିଲେ ।

ମେଳାର ପଞ୍ଚମ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ୍ ଜଗତର ବିଶିଷ୍ଟ ଓଡ଼ିଆ କଣ୍ଠଶିଳ୍ପୀ କ୍ରୀଷ୍ଣା ବେଉରା । ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ । ସୂଚନାଯୋଗ୍ୟ ଯେ ପ୍ରତ୍ୟହ ସନ୍ଧ୍ୟା ୬ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ମେଳା ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେଉଛି ।

ଚଳିତ ବର୍ଷ ଏହି ମେଳା ପରିସରରେ ୨୫ଟି ଷ୍ଟଲ ବିଶିଷ୍ଟ ଫୁଡ୍‌ କୋର୍ଟରେ ବିଶେଷ ଗହଳି ଦେଖିବାକୁ ମିଳୁଛି । ଏଠାରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ପିଠା, ମିଠା, ପାରମ୍ପରିକ ତଥା ଅନ୍ତର୍ଦେଶୀୟ ଖାଦ୍ୟପେୟ ସହ ବିନା ପିଆଜ ରସୁଣର ଖାଦ୍ୟ ବ୍ୟଞ୍ଜନ ଷ୍ଟଲମାନ ଉପଲବ୍ଧ ରହିଛି । ଗୁଜୁରାଟୀ, ରାଜସ୍ଥାନୀ, ଦିଲ୍ଲୀ, ପଞ୍ଜାବୀ ଏବଂ ବିଭିନ୍ନ ଅନ୍ୟ ରାଜ୍ୟର ଖାଦ୍ୟଦ୍ରବ୍ୟ ସହ ବାରିପଦା ମୁଢ଼ି-ମଟନ, ମାଟିହାଣ୍ଡି ବିରିୟାନି ଏବଂ ବାଉଁଶ ଚିକେନର ଖାଦ୍ୟପସରା ଲୋକମାନଙ୍କୁ ଆକୃଷ୍ଟ କରିଛି । ଦର୍ଶକମାନେ ବିଭିନ୍ନ ପ୍ରକାରର ପାରମ୍ପରିକ ଓ ସୁସ୍ୱାଦୁ ଭୋଜନର ମଜା ଉଠାଉଥିବାବେଳେ ମିଲେଟ୍‌ ଷ୍ଟଲଟି ଅନ୍ୟତମ ଆକର୍ଷଣ ପାଲଟିଛି ।

ଛୋଟ ଛୋଟ ପିଲାମାନଙ୍କର ଖେଳିବା ପାଇଁ ଚିଲଡ୍ରେନ୍ସ ପ୍ଲେ ଜୋନରେ ବିଭିନ୍ନ ପ୍ରକାର ଦୋଳିର ବ୍ୟବସ୍ଥା କରାଯାଇଛି । ପିଲାମାନେ ଦୋଳିର ଆନନ୍ଦ ନେବା ସହ ମେଳା ପରିସରକୁ ଏକ ଆନନ୍ଦମୟ ପରିବେଶ ଦେଉଛନ୍ତି । ଏହି ମେଳା ଆସନ୍ତା ଫେବ୍ରୁଆରୀ ୧୨ ପର୍ଯ୍ୟନ୍ତ ଚାଲିବ ।