ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୮ଶହ ଟପିଲା, ସହାୟତାର ହାତ ବଢ଼ାଇଲା ଭାରତ

ନୂଆଦିଲ୍ଲୀ: ତୁର୍କୀ, ସିରିଆରେ ଭୟଙ୍କର ଭୂକମ୍ପ । ମୃତ୍ୟୁ ସଂଖ୍ୟା ୧୮ଶହ ପାର କରିଛି । ୭ ଦଶମିକ ୮ ତୀବ୍ରତାରେ ଥରିଲା ଦୁଇ ପଡ଼ୋଶୀ ରାଷ୍ଟ୍ର । ଶକ୍ତିଶାଳୀ ଭୂକମ୍ପ ଝଟକାରେ ବିରାଟ ବିରାଟ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବା ବେଳେ ଅନେକ ଲୋକ ଏବେ ବି ଇଟା ଖଣ୍ଡ ତଳେ ଫସି ରହିଛନ୍ତି । ଭୋର ପ୍ରାୟ ସାଢ଼େ ୪ଟା ବେଳେ ଲୋକମାନେ ଶୋଇଥିବା ବେଳେ ଭୂକମ୍ପ ଅନୁଭୂତ ହୋଇଥିବାରୁ ହଜାର ହଜାର ଲୋକ ଫସି ରହିଛନ୍ତି । ପ୍ରାୟ ୪୦ସେକେଣ୍ଡ ଧରି ମାଟି ଥରିବା ଯୋଗୁ ଅନେକ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ଭୁଶୁଡି ପଡ଼ିଛି । ପ୍ରଭାବିତ ଅଞ୍ଚଳରେ ରେସ୍କ୍ୟୁ ଅପରେସନ ଜୋରଦାର କରାଯାଇଛି । ତୁର୍କୀର ବିଭିନ୍ନ ସହରରେ ପ୍ରାୟ ୬ଥର ଝଟକା ଅନୁଭୂତ ହୋଇଥିବା ଜଣାପଡ଼ିଛି ।

ତୁର୍କୀ ଗାଜିଆନଟେପରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି । ସିରିଆ ସୀମାଠାରୁ ପ୍ରାୟ ୮୦ କିମି ଦୂରରେ କେନ୍ଦ୍ରସ୍ଥଳ ରହିଥିବାରୁ ସିରିଆରେ ବି ବ୍ୟାପକ କ୍ଷୟକ୍ଷତି ହୋଇଛି । ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ତୁର୍କୀ ସୀମାକୁ ଲାଗି ରହିଥିବା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତୁର୍କୀରେ ଭୂକମ୍ପ ଯୋଗୁ ୧୯୯୯ରୁ ଏପର୍ଯ୍ୟନ୍ତ ପ୍ରାୟ ୧୮ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଭୀଷଣ ଭୂମିକମ୍ପ ସହ ମୁକାବିଲା ପାଇଁ ଭାରତ ମଧ୍ୟ ସହାୟତାର ହାତ ବଢ଼ାଇଛି । ଭାରତ ପକ୍ଷରୁ ଏନଡିଆରଏଫର ଦୁଇଟି ଟିମ୍ ତୁର୍କୀ ଅଭିମୁଖେ ଯାଇଛି । ସେହିପରି ଔଷଧ ଏବଂ ରିଲିଫ ସାମଗ୍ରୀ ପଠାଯାଉଛି । ଭୂମିକମ୍ପ ମୁକାବିଲା ପାଇଁ ସମସ୍ତ ପ୍ରକାର ସହାୟତା ଦେବା ପାଇଁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।