spot_img
Home Blog Page 3695

ଭାରତ ଯୋଡ଼ୋ ଯାତ୍ରାରେ ଦୁଃଖଦ ଘଟଣା, ହୃଦଘାତରେ ପ୍ରାଣ ହରାଇଲେ କଂଗ୍ରେସ ସାଂସଦ

ଚଣ୍ଡିଗଡ଼: ପଞ୍ଜାବରେ ଭାରତ ଯୋଡୋ ଯାତ୍ରାବେଳେ ହୃଦଘାତରେ ପ୍ରାଣ ହରାଇଲେ କଂଗ୍ରେସ ସାଂସଦ ସନ୍ତୋଖ ସିଂ ଚୌଧୁରୀ । ଫିଲାଉର ସହରରେ ଆଜି ଯାତ୍ରା ଚାଲିଥିବାବେଳେ ସେଥିରେ ସାମିଲ ଥିଲେ ସାଂସଦ । ମାତ୍ର ରାସ୍ତାରେ ହଠାତ ତାଙ୍କର ହୃଦଘାତ ହୋଇଥିଲା । ତୁରନ୍ତ ତାଙ୍କୁ ନିକଟସ୍ଥ ଫଗଓ୍ବାରା ହସ୍ପିଟାଲକୁ ଆମ୍ବୁଲାନ୍ସରେ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ହସ୍ପିଟାଲକୁ ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧି ଯାଇ ସାଂସଦଙ୍କ ଶେଷଦର୍ଶନ କରିଥିଲେ ।

ଏହି ଦୁଃଖଦ ଘଟଣା ପରେ ଭାରତ ଯୋଡୋ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଗତ ବୁଧବାର ଫତେଗଡ଼ ସାହିବଠାରୁ ଭାରତ ଯୋଡୋ ଯାତ୍ରାର ପଞ୍ଜାବ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ସାଂସଦଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ଦଳ ଲାଗି ଏହା ଏକ ବଡ଼ ଧରଣର କ୍ଷତି ବୋଲି ସେ କହିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ ବି ସାଂସଦଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ହିମାଚଳରେ ପୁଣି ଆରମ୍ଭ ହେଲା ପୁରୁଣା ପେନସନ ଯୋଜନା, ଉପକୃତ ହେବେ ୧ ଲକ୍ଷ ୩୬ ହଜାର କର୍ମଚାରୀ

ଧର୍ମଶାଳା: ହିମାଚଳ ପ୍ରଦେଶରେ ପୁଣି ଆରମ୍ଭ ହେଲା ପୁରୁଣା ପେନସନ ଯୋଜନା । ଗତ ନିର୍ବାଚନ ସମୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । ପୁରୁଣା ପେନସନ୍ ଯୋଜନା ଜରିଆରେ ଉପକୃତ ହେବେ ରାଜ୍ୟର ୧ ଲକ୍ଷ ୩୬ ହଜାର କର୍ମଚାରୀ । ଯୋଜନାକୁ ପୁନର୍ବାର କାର୍ଯ୍ୟକାରୀ କରିବା ସକାଶେ ଗତ ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସରକାର ନିଷ୍ପତ୍ତି ନେଇଥିଲେ । ଏହା ସହ ନିର୍ବାଚନ ଇସ୍ତାହାରରେ ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଥିଲା ସେ ସବୁକୁ କାର୍ଯ୍ୟକାରୀ କରିବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ କର୍ମଚାରୀ ସଂଗଠନ ପକ୍ଷରୁ ସ୍ବାଗତ କରାଯାଇଛି ।

ପୁରୁଣା ପେନସନ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କହିଛନ୍ତି, ନିର୍ବାଚନ ପ୍ରଚାର ସମୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ଏଆଇସିସି ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ସେହି ପ୍ରତିଶ୍ରୁତିକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି । ସେହିପରି ୧୮ରୁ ୬୦ ବର୍ଷ ବୟସ୍କା ମହିଳାମାନଙ୍କୁ ମାସିକ ୧୫ ଶହ ଟଙ୍କା ଦେବା ଲାଗି ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହାକୁ ମଧ୍ୟ କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ବିଗତ ବିଜେପି ସରକାର କର୍ମଚାରୀଙ୍କ ବକେୟା ଦେୟ ପରିମାଣ ୪ ହଜାର ୪୩୦ କୋଟି ଟଙ୍କା ଓ ପେନସନଧାରୀଙ୍କ ୫ ହଜାର ୨୨୬ କୋଟି ଟଙ୍କା ଦେଇ ନଥିଲା ବୋଲି ଅଭିଯୋଗ କରିଛନ୍ତି ସୁଖବିନ୍ଦର ।

କୁହୁଡ଼ି ପାଇଁ ଚିଲିକାରେ ଫସିଲା ଡଙ୍ଗା

ଚିଲିକା: ଘନକୁହୁଡ଼ି ଯୋଗୁ ଚିଲିକାରେ ଫସିଲା ଡଙ୍ଗା । ମଝି ଚିଲିକାରେ ଫସି ରହିଲେ ୨୦ରୁ ଅଧିକ ଯାତ୍ରୀ । ପୁରୀ ଜିଲ୍ଲାର କୃଷ୍ଣପ୍ରସାଦଗଡ଼ରୁ ଆଜି ମକର ଯାତ୍ରା ଦେଖିବାକୁ ଓ ମା’ କାଳିଜାଇଙ୍କ ଦର୍ଶନ ପାଇଁ ଯାଉଥିଲେ ଯାତ୍ରୀ । ଅତ୍ୟଧିକ ଘନ କୁହୁଡ଼ି ପାଇଁ ଡଙ୍ଗା ଦିଗ ହରା ହୋଇ ଫସିଯାଇଥିଲା । ଏବେ କୁହୁଡ଼ି କମିବାରୁ ଯାତ୍ରୀମାନେ ସୁରକ୍ଷିତ ଭାବେ କୂଳରେ ପହଞ୍ଚିଛନ୍ତି । ମକର ସଂକ୍ରାନ୍ତି ଥିବାରୁ ମାଆଙ୍କୁ କୃଷ୍ଣପ୍ରସାଦର ରାଜା ସାହେବ ପୂଜାର୍ଚ୍ଚନା କରିଥାନ୍ତି ।

ଅସ୍ତବ୍ୟସ୍ତ କରୁଛି ଘନ କୁହୁଡ଼ି, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟକୁ କମୁଛି ଉତ୍ତରା ଥଣ୍ଡା ଶୁଷ୍କ ବାୟୁ ପ୍ରବାହ । ଫଳରେ ଦିନକୁ ଦିନ ତାପମାତ୍ରା ବଢ଼ିବା ସହ ଶୀତ କମିବାରେ ଲାଗିଛି । ରାତିର ତାପମାତ୍ରା ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଅନ୍ୟପଟେ ଗୁରୁଚାପ ବଳୟ ପ୍ରଭାବରେ ସାରା ରାଜ୍ୟକୁ ଅସ୍ତବ୍ୟସ୍ତ କରୁଛି ଘନ କୁହୁଡ଼ି । ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର, ଯାଜପୁର, ଖୋର୍ଦ୍ଧା, ଭଦ୍ରକ, ନୟାଗଡ଼ ଏବଂ କନ୍ଧମାଳରେ ଘନ କୁହୁଡ଼ି ଦେଖାଯାଉଛି ।

ଆସନ୍ତାକାଲି ଯାଏ ଏପରି ସ୍ଥିତି ଜାରି ରହିବ ବୋଲି ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ଏଥିପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରିଛନ୍ତି ଏସଆରସି । କୁହୁଡ଼ି ପାଇଁ ଦୁର୍ଘଟଣା ଘଟୁଥିବାରୁ ସତର୍କତା ମୂଳକ ପଦକ୍ଷେପ ନେବାକୁ ଏସପି ଓ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଆସନ୍ତା ୧୭ ତାରିଖରୁ ବଦଳିଯିବ ପାଗ । ଉତ୍ତର ଓଡ଼ିଶାରେ ବର୍ଷା ହେବାନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମା ଝଡ଼ ପ୍ରଭାବରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଏବଂ ଢେଙ୍କାନାଳରେ ହାଲୁକା ବର୍ଷା ହୋଇପାରେ ।

ଆକ୍ସନ ମୋଡ଼ରେ ବିଏମସି, ଗ୍ରାଉଣ୍ଡ ଜିରୋରେ ବିଏମସି କମିଶନର

ଭୁବନେଶ୍ୱର: ଆକ୍ସନ ମୋଡ଼ରେ ବିଏମସି । ଦିନ ରାତି ସବୁବେଳେ ସବୁ ଦିଗ ଉପରେ ରହିଛି ନଜର । ସକାଳେ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ପରେ ରାତିରେ ପରିଷ୍କାର ଓ ପରିଛନ୍ନତାକୁ ନେଇ ଗ୍ରାଉଣ୍ଡ ଜିରୋରେ ବିଏମସି କମିଶନର । ଶ୍ରୀୟା ଛକ ଅଞ୍ଚଳରେ ରୋଡ ସାଇଡ ବାର ଓ ବେନିୟମ ଫାଷ୍ଟ ଫୁଡ ଉପରେ ପଡ଼ିଛି କମିଶନରଙ୍କ ନଜର । ପାର୍କିଂ ସ୍ଥଳରେ ମଦ୍ୟପଙ୍କ ଆଡ୍ଡା ଓ ଫାଷ୍ଟ ଫୁଡ ଦୋକାନୀଙ୍କ ପସରାକୁ ତାଗିଦ କରିଛନ୍ତି କମିଶନର ବିଜୟ ଅମୃତା କୁଲାଙ୍ଗେ। ଫାଷ୍ଟ ଫୁଡ ଦୋକାନ ନଖୋଲିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ନିୟମିତ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ପୋଲିସକୁ ନିର୍ଦ୍ଦେଶ ।

ଆଜି ଶରଦ ଯାଦବଙ୍କର ଶେଷକୃତ୍ୟ, ମଧ୍ୟପ୍ରଦେଶର ପୈତୃକ ଗାଁରେ ହେବ ଅନ୍ତିମ ସଂସ୍କାର

ଭୋପାଳ: ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କର ଆଜି ହେବ ଶେଷକୃତ୍ୟ  । ମଧ୍ୟପ୍ରଦେଶର ପୈତୃକ ଗାଁ ହୋସଙ୍ଗାବାଦରେ ଅନ୍ତିମ ସଂସ୍କାର କରାଯିବ । ଏହାପୂର୍ବରୁ ଦିଲ୍ଲୀ ସ୍ଥିତ ଘରେ ଶରଦଙ୍କର ଶେଷ ଦର୍ଶନ କରିଛନ୍ତି ବରିଷ୍ଠ ନେତା ଓ ବ୍ୟକ୍ତିବିଶେଷ । ଗତ ୧୨ ତାରିଖରେ ଗୁରୁଗ୍ରାମର ଫର୍ଟିସ ହସ୍ପିଟାଲରେ ୭୫ ବର୍ଷ ବୟସରେ ଶରଦ ଯାଦବଙ୍କ ପରଲୋକ ହୋଇଥିଲା । ବିୟୋଗ ନେଇ ଝିଅ ଶୁଭାଷିନୀ ସୂଚନା ଦେଇଥିଲେ । ୭ ଥର ଲୋକସଭା ଓ ୩ ଥର ରାଜ୍ୟସଭାକୁ ଯାଇଥିଲେ ଶରଦ ଯାଦବ ।

ଜେଡିୟୁର ପ୍ରଥମ ଜାତୀୟ ସଭାପତି ଥିଲେ ଶରଦ ଯାଦବ । ବିହାର ରାଜନୀତିରେ ଏକ ଅଲଗା ଚେହେରା ସୃଷ୍ଟି କରିଥିଲେ ଶରଦ ଯାଦବ । ୧୯୭୪ ମସିହାରେ ମଧ୍ୟପ୍ରଦେଶର ଜବଲପୁରରୁ ପ୍ରଥମ ଥର ପାଇଁ ଲୋକସଭାକୁ ହୋଇଥିଲେ ନିର୍ବାଚିତ । ଜେପି ମୁଭମେଣ୍ଟ ସମୟରେ ଚର୍ଚ୍ଚାକୁ ଆସିଥିଲେ ଶରଦ ଯାଦବ । ଅଟଳ ବିହାରୀ ବାଜପେୟୀ ଓ ଭିପି ସିଂହଙ୍କ ସରକାର ସମୟରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ୧୯୯୭ରେ ଜନତା ଦଳ ୟୁନାଇଟେଡର ସଭାପତି ଥିଲେ । ଶରଦ ଯାଦବଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି ।

ଆଜି ପବିତ୍ର ମକର ସଂକ୍ରାନ୍ତି ଓ ପୋଙ୍ଗଲ୍, ଉତ୍ତରାୟଣକୁ ଗତି କରିବେ ସୂର୍ଯ୍ୟ

ଭୁବନେଶ୍ୱର: ଆଜି ମକର ସଂକ୍ରାନ୍ତି । ଭାରତର ସବୁ ପ୍ରାନ୍ତରେ ଏହାକୁ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ । ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ ବୋଲି କୁହାଯାଏ । ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଉତ୍ତରାୟଣ ଗତି କରିଥାନ୍ତି । ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡ଼କୁ ଢଳିଥାଏ । ପରମ୍ପରା ଅନୁସାରେ ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ଶ୍ରୀଜିଉଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜିଉମାନଙ୍କର ପଟା ପହରଣ ଲାଗି କରାଯିବା ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥାଏ । ଏହାପରେ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହମାନଙ୍କର ବେଶ ବଢ଼ିଥାଏ । ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମକରବେଶ ବଢ଼ିଥାଏ ।

ଏପଟେ ଦୁଇବର୍ଷ ପରେ ଚଳଚଞ୍ଚଳ ହୋଇଉଠିଛି ଖୋର୍ଦ୍ଧା ଅଟ୍ରିର ହଟକେଶ୍ବର ପୀଠ । ବିଶ୍ବାସ ରହିଛି ବନ୍ଧ୍ୟା ନାରୀ ମହାଦେବଙ୍କ ପାଖରେ ଗୁହାରି ପଡ଼ି ମାନସିକ କୁଣ୍ଡରେ ଗାଧୋଇ ଗୁଆ ପାଇଲେ ପୁତ୍ରସନ୍ତାନ ଲାଭ କରନ୍ତି । ପୀଠରେ ମକର ସଂକ୍ରାନ୍ତିଠାରୁ ମାଘ ସପ୍ତମୀ ପର୍ଯ୍ୟନ୍ତ ମେଳା ଚାଲିବ ।

ହକି ବିଶ୍ବକପର ଦ୍ବିତୀୟ ଦିନ, ଆଜି ଖେଳାଯିବ ୪ଟି ମ୍ୟାଚ୍

ଭୁବନେଶ୍ୱର: ହକି ବିଶ୍ବକପର ଦ୍ବିତୀୟ ଦିନରେ ପ୍ରଥମେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ଚିଲି । ଦିନ ଗୋଟାଏରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ମ୍ୟାଚ ହେବ । ଏହି ମ୍ୟାଚ ପରେ ଦିନ ୩ଟାରେ ନେଦରଲ୍ୟାଣ୍ଡ୍ସ ଓ ମାଲେସିଆ ମଧ୍ୟରେ ମ୍ୟାଚ ହେବ । ଏହି ମ୍ୟାଚଟି ମଧ୍ୟ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ।

ଆଜି ରାଉରକେଲାରେ ଏହି ଦୁଇଟି ମ୍ୟାଚ ପରେ ସଂଧ୍ୟା ୫ଟାରେ ବେଲଜିୟମ ଓ କୋରିଆ ମଧ୍ୟରେ ଟକ୍କର ହେବ । ସେହିପରି ସଂଧ୍ୟା ୭ଟାରେ ଜର୍ମାନୀ ଓ ଜାପାନ ମଧ୍ୟରେ ଟକ୍କର ହେବ । ଏହି ଦୁଇଟି ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ବେଲଜିୟମ, କୋରିଆ, ଜର୍ମାନୀ ଓ ଜାପାନ ପୁଲ `ବି’ରେ ଥିବା ବେଳେ ନ୍ୟୁଜିଲାଣ୍ଡ, ଚିଲି, ନେଦରଲ୍ୟାଣ୍ଡ୍ସ, ମାଲେସିଆ ପୁଲ୍ `ସି’ରେ ଅଛନ୍ତି ।

ନିଜକୁ କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ଯୁବତୀଙ୍କୁ ଅସଦାଚରଣ

ଭୁବନେଶ୍ୱର: ନିଜକୁ କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ଯୁବତୀଙ୍କୁ ଅସଦାଚରଣ । ଯୁବକଙ୍କୁ ବାନ୍ଧିଲା ଖଣ୍ଡଗିରି ପୋଲିସ୍ । ଅଭିଯୁକ୍ତ ନୟାଗଡ଼ର ରମାକାନ୍ତ ନାୟକ । ଗିରଫ ପରେ କୋର୍ଟ ଚାଲାଣ କଲା ଖଣ୍ଡଗିରି ପୋଲିସ୍ । ଗତ ୧୧ ତାରିଖରେ ଜଣେ ଯୁକ୍ତ ୩ ଛାତ୍ରୀ ସାଇକେଲ ଯୋଗେ କଲେଜକୁ ଯାଉଥିବାବେଳେ ତାଙ୍କୁ କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ଅଟକାଇଥିଲେ ରମାକାନ୍ତ । ସାଇକେଲ ଓ ଯୁବତୀଙ୍କ ପ୍ରଶଂସା କରି ତାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ ।

ଏନେଇ ଯୁବତୀ ଜଣକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଏପରିକି ଯୁବକଙ୍କ ଗାଡ଼ି ନମ୍ବର ପୋଲିସକୁ ଦେଇଥିଲେ ଯୁବତୀ । ଅଭିଯୋଗ ଆଧାରରେ ଖାରବେଳ ନଗର ଅଞ୍ଚଳରେ ରହୁଥିବା ରମାକାନ୍ତଙ୍କୁ ଅଟକ ରଖିଥିଲା ପୋଲିସ୍ । ପଚରାଉଚରା ପରେ ଅଭିଯୁକ୍ତ ନିଜର ଦୋଷ ମାନିଥିଲା । ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ ।

ମହାନଦୀରେ ଯୁବ ଚାର୍ଟାର୍ଡ ଆକାଉଟାଣ୍ଟଙ୍କ ଗଳିତ ମୃତଦେହ

କଟକ: ଜଗତପୁର ଅଞ୍ଚଳରୁ ଗଳିତ ମୃତଦେହ ଉଦ୍ଧାର । ମହାନଦୀରୁ ମୃତଦେହ ଉଦ୍ଧାର କଲା ପୋଲିସ୍ । ମୃତକ ଯୁବ ଚାର୍ଟାର୍ଡ ଆକାଉଟାଣ୍ଟ ରବୀନ୍ଦ୍ର ଗୁପ୍ତାଙ୍କ ବୋଲି ଜଣା ପଡ଼ିଛି । ସେ ଡ଼ିସେମ୍ବର 15 ରୁ ନିଖୋଜ ଥିଲେ । ତେବେ ଏହା ଆତ୍ମହତ୍ୟା ନା ହତ୍ୟା, ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଆସନ୍ତାକାଲି ପରିବାର ଲୋକଙ୍କ ଉପସ୍ଥିତି ରେ ଏସସିବି ରେ ଶବ ବ୍ୟବଚ୍ଛେଦ କରାଯିବ । ରବୀନ୍ଦ୍ରଙ୍କ ନିଜର ଏକ ଚାଟାର୍ଡ଼ ଫାର୍ମ କଟକ ଲିଙ୍କରୋଡ୍ ଅଞ୍ଚଳରେ ରହିଛି । ତେବେ କିପରି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତଦେହ ମହନଦୀକୁ ଆସିଲା ସେନେଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ୍ ।