ହଟିବେ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ଓଲେକସି ରେଜନିକୋଭ, ଦୁର୍ନୀତି ଅଭିଯୋଗ ପରେ ରାଷ୍ଟ୍ରପତି ଜେଲେନସ୍କିଙ୍କ ନିଷ୍ପତ୍ତି

1 min read

କିଭ୍: ହଟିବେ ଯୁଦ୍ଧବିଧ୍ୱସ୍ତ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ଓଲେକସି ରେଜନିକୋଭ । ଦୁର୍ନୀତି ଅଭିଯୋଗରେ ତାଙ୍କୁ ହଟାଇବା ଲାଗି ନିଷ୍ପତ୍ତି ନେଇଛନ୍ତି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ତାଙ୍କ ସ୍ଥାନରେ ନିଯୁକ୍ତ ହେବେ ସାମରିକ ଗୁଇନ୍ଦା ବିଭାଗ ମୁଖ୍ୟ ମେଜର ଜେନେରାଲ କିରିଲୋ ବୁଦାନୋଭ । ଗତ ୨୦୨୦ ଅଗଷ୍ଟରୁ ବୁଦାନୋଭ ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ବିଭାଗ ସମ୍ଭାଳି ଆସୁଥିଲେ । ଋଷ ବିରୋଧରେ ଯୁଦ୍ଧ ଆରମ୍ଭ ପୂର୍ବରୁ ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିବା ରେଜନିକୋଭଙ୍କୁ ହଟାଇବା ନିଷ୍ପତ୍ତି ଚର୍ଚ୍ଚାର କାରଣ ହୋଇଛି । ରେଜନିକୋଭଙ୍କୁ କୌଶଳଗତ ଶିଳ୍ପ ମନ୍ତ୍ରୀ କରାଯିବ ବୋଲି ସୂଚନା ମିଳିଛି । ଗତ ନଭେମ୍ବର ୨୦୨୧ରେ ରେଜନିକୋଭଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଥିଲା ଏବଂ ୟୁକ୍ରେନ ବାହିନୀ ଲାଗି ପାଶ୍ଚାତ୍ୟ ରାଷ୍ଟ୍ରରୁ ଅସ୍ତ୍ର ଯୋଗାଡ଼ କରିବା କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।

ତେବେ ପ୍ରତିରକ୍ଷା ମନ୍ତ୍ରାଳୟରେ ଦୁର୍ନୀତିର କାୟା ବିସ୍ତାର କରିବା ଅଭିଯୋଗ ହେବା ପରେ ତାଙ୍କୁ ହଟାଇବା ଲାଗି ନିଷ୍ପତ୍ତି ନିଆଯାଇଛି । ଗତ ଜାନୁଆରୀରେ ଖାଦ୍ୟ ସଂକ୍ରାନ୍ତ ଏକ ଚୁକ୍ତି କ୍ଷେତ୍ରରେ ଦୁର୍ନୀତି ଅଭିଯୋଗ ଆସିବା ପରେ ରେଜନିକୋଭଙ୍କ ଡେପୁଟିଙ୍କୁ ବି ଇସ୍ତଫା ଦେବା ଲାଗି ବାଧ୍ୟ କରାଯାଇଥିଲା । ଜେଲେନସ୍କି କହିଛନ୍ତି-ଦେଶର ସୈନ୍ୟବାହିନୀଙ୍କୁ ଅଧିକ ଶକ୍ତିଶାଳୀ କରିବା, ୟୁକ୍ରେନ ଲାଗି ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଡ଼ କରିବା ସହ ଆନ୍ତର୍ଜାତିକ ସମର୍ଥନ ଲାଭ କରିବା ଦିଗରେ ଦେଶ ପ୍ରସ୍ତୁତ ହେଉଛି । ଚଳିତ ବର୍ଷ ୟୁରୋପୀୟ ରାଷ୍ଟ୍ରସଙ୍ଘରେ ୟୁକ୍ରେନର ସଦସ୍ୟତା ପ୍ରସଙ୍ଗରେ ବି ଆଲୋଚନା କରାଯିବ ।

ସେପଟେ ଖାରକିଭରେ ପୁଣି ଥରେ ମିସାଇଲ ଷ୍ଟ୍ରାଇକ କରିଛି ଋଷ । ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି । ସେହିପରି ଏକ ବିଶ୍ୱବିଦ୍ୟାଳୟ ଉପରେ ବି କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଓଡ଼େଶାରେ ପ୍ରାୟ ୨ ଲକ୍ଷ ୮୦ ହଜାର ପରିବାର ବିନା ବିଦ୍ୟୁତରେ ଦୁର୍ବିସହ ଜୀବନ ବିତାଉଛନ୍ତି ।