spot_img
Home Blog Page 3688

ଜେନେରାଲ ଅସିମ ମୁନୀରଙ୍କ ହାତରେ ପାକିସ୍ତାନ ସେନା ଦାୟିତ୍ବ,

ଇସଲାମବାଦ: ପାକିସ୍ତାନ ସେନା ମୁଖ୍ୟଙ୍କୁ ନେଇ ବଡ଼ ଖବର । ପାକିସ୍ତାନର ନୂଆ ଆର୍ମି ଚିଫ୍ ହେବେ ଜେନେରାଲ ଅସିମ ମୁନୀର । ସେହିପରି ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ କମିଟିର ଅଧ୍ୟକ୍ଷ ହେବେ ଲେପ୍ଟନାଣ୍ଟ ଜେନେରାଲ ସାହିର ସମସାଦ ମିର୍ଜା । ଦେଶର ସମ୍ବିଧାନ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ କହିଛନ୍ତି ।

ରାଷ୍ଟ୍ରପତି ଏହି ନିଯୁକ୍ତିକୁ ବିବାଦୀୟ କରିବେ ନାହିଁ ଏବଂ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ସମର୍ଥନ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ବର୍ତ୍ତମାନର ସେନା ମୁଖ୍ୟ ଜେନେରାଲ କମର ଜାଭେଦ୍ ବାଜୱା ନଭେମ୍ବର ୨୯ ରେ ଅବସର ନେବେ । ୨୦୧୯ରେ ବାଜଓ୍ବାଙ୍କ ଅବସରର ମାତ୍ର ତିନି ମାସ ପୂର୍ବରୁ ତାଙ୍କ କାର୍ଯ୍ୟକାଳ ୩ ବର୍ଷ ବଢ଼ାଇଥିଲେ ତତ୍କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ।

ଏଥର ମଧ୍ୟ ବାଜଓ୍ବାଙ୍କ କାର୍ଯ୍ୟକାଳ ବୃଦ୍ଧି ହେବା ଆଶଙ୍କା କରାଯାଉଥିଲା । ସେନାମୁଖ୍ୟ ବଜଓ୍ବାଙ୍କୁ ନେଇ ପାକିସ୍ତାନ ରାଜନୀତିରେ ହଟଚମଟ ଲାଗି ରହିଥିବା ବେଳେ ନୂଆ ସେନା ମୁଖ୍ୟ ନିଯୁକ୍ତି କରିବାକୁ ଦୀର୍ଘଦିନ ହେବ ଦାବି କରିଆସୁଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ।

ପରକୀୟା ପ୍ରୀତି ପାଇଁ ବାପାକୁ ହତ୍ୟା, ପୁଅଝିଅକୁ ସହଯୋଗ କଲା ମା’

ଭଦ୍ରକ: ବାପାଙ୍କୁ ପିଟି ପିଟି ମାରିଦେଲେ ପୁଅ ଝିଅ । ସହଯୋଗ କଲା ସ୍ତ୍ରୀ । ମୃତ ବ୍ୟକ୍ତି ଜଣକ ହେଲେ ବାବୁଆ ଦାସ । ଘଟଣା ଘଟିଛି ଭଦ୍ରକ ପୀରହାଟ ଥାନା ଦୌଲତପୁର ଅଞ୍ଚଳରେ । ପରକିୟା ପ୍ରୀତି ଯୋଗୁଁ ସ୍ତ୍ରୀ, ପୁଅ ଓ ଝିଅ ମିଶି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଭିଆଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ବାବୁଆ ଦାସ ଓ ତାଙ୍କ ସ୍ତ୍ରୀଙ୍କ ସହ ଅନେକ ସମୟରେ ମତାନ୍ତର ହୋଇ ଝଗଡା ହୋଇଥାଏ ।

ଅନେକ ସମୟରେ ବାବୁଆଙ୍କ ସ୍ତ୍ରୀ ତାଙ୍କ ପାଖରେ ନରହି ବାପ ଘରେ ରହୁଥିଲେ । ଗତକାଲି ବାବୁଆ ଘର ବାହାରେ ଏକ ଭୋଜି ଖାଇ ଶୋଇଥିବା ବେଳେ ହଠାତ ବାବୁଆ ଙ୍କ ସ୍ତ୍ରୀ, ୩ ପୁଅ ଓ ଝିଅ ମିଶି ଏକ ଶାବଳରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବାବୁଆ ଗୁରୁତର ହୋଇ ପଡ଼ିଥିଲେ । ସମ୍ପର୍କୀୟ ତାଙ୍କୁ ଉଦ୍ଧାର କରି ପ୍ରଥମେ ତିହିଡି଼ ମେଡିକାଲ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ତେବେ ଏହି ଘଟଣା ପରେ ମୃତକଙ୍କ ମାଆ ପୀରହାଟ ଥାନାରେ ଲିଖିତ ଅଭିଯୋଗ ପରେ ସ୍ଥାନୀୟ ପୋଲିସ ଗୋଟିଏ ପୁଅକୁ ଅଟକ ରଖି ଅଧିକ ତଦନ୍ତ କରୁଛି । ପରକୀୟା ପ୍ରୀତି ଯୋଗୁଁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ପୋଲିସ ତଦନ୍ତ ପରେ ସ୍ପଷ୍ଟ ସୂଚନା ଆସିବ ।

କେନ୍ଦ୍ରାପଡା ବାଣ ବିସ୍ଫୋରଣର ଦୋଷୀଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

0

କେନ୍ଦ୍ରାପଡା: କାର୍ତ୍ତିକେଶ୍ବର ଭସାଣ ବାଣ ବିସ୍ଫୋରଣ ଘଟଣାରେ  ଗ୍ରାଉଣ୍ଡ ଜିରୋରେ ସ୍ଥିତି ସମୀକ୍ଷା କଲେ ଆଇଜି ନରସିଂହ ଭୋଳ । ରାସ୍ତା ଊପରେ କେଉଁ କାରଣରୁ ଏଭଳି ଘଟିଲା। ତାହାର ତଦନ୍ତ କରିଛନ୍ତି। ଯେଉଁମାନେ ଏଥିରେ ସଂପୃକ୍ତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଆଇଜି ।

ଏହାସହ ଆହତଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ତହସିଲଦାର ଡକ୍ଟର ହେମଲତା ବହଳିଆ । ଏଡିଏମଙ୍କ ସହ ୩ ବରିଷ୍ଠ ଅଧିକାରୀ ଏସସିବିରେ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି । ସେପଟେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ କଟକ ମେୟର ମଧ୍ୟ ଏସସିବିରେ ଚିକିତ୍ସା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ଏସସିବିରେ 33 ଜଣ ଆହତ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ 10 ଜଣ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।

33 ଜଣଙ୍କ ମଧ୍ୟରୁ 3ଜଣ ମହିଳା ରହିଛନ୍ତି । ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଛି । ସେମାନଙ୍କ ଚିକିତ୍ସା ଓ ଆରୋଗ୍ୟ ପ୍ରଥମ କାମ। ଅନ୍ୟ ପକ୍ଷରେ ଏସସିବିର ଜରୁରୀକାଳୀନ ଅଧିକାରୀ ଡକ୍ଟର ଭୂବନାନନ୍ଦ ମହାରଣା କହିଛନ୍ତି ଚିକିତ୍ସା ଚାଲିଛି। ଭସାଣରେ ବାଣ ପ୍ରତିଯୋଗିତା ଚାଲିଥିବାବେଳେ ବିସ୍ଫୋରଣ ହୋଇଥିଲା । ଷ୍ଟକ ବାଣ ଏକାଥରେ ଫୁଟିଯିବାରୁ ଭୟାନକ ସ୍ଥିତି ଉପୁଜିଥିଲା ।

ଇସିଙ୍କ ନିକଟରେ ପୁଣି ଫେରାଦ ହେଲା ବିଜେଡି, ଅପରାଧୀଙ୍କୁ ଧରି ବିଜେପି ପ୍ରଚାର ଚଳାଇଥିବା ଅଭିଯୋଗ

0

ଭୁବନେଶ୍ବର: ପରାଜୟ ଭୟରେ ରକ୍ତମୁଖା ବିଜେପି। ପଦମପୁରରେ ବିଜେଡି କର୍ମୀ ସଂଜୁ ବରିହାଙ୍କୁ ଆକ୍ରମଣ ଘଟଣାରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେଡି ଟିମ୍। ଗତକାଲି ପଦମପୁର ବ୍ଲକ ଦହିଗାଁ ପଞ୍ଚାୟତର ବୁବୁଡ଼ା ଗାଁରେ ବିଜେଡି କର୍ମୀ ସଞ୍ଜୁ ବରିହାଙ୍କୁ ବିଜେପି କର୍ମୀ ରିଙ୍କୁ ମେହେର ଓ ତାଙ୍କ ସହଯୋଗୀ ମରଣାନ୍ତକ ଆକ୍ରମଣ କରିଥିଲେ।

ଗୁରୁତର ଅବସ୍ଥାରେ ସଞ୍ଜୁଙ୍କୁ ଭିମସାରକୁ ସ୍ଥାନାନ୍ତର କରାଯାଇଛି। ଘଟଣା ନେଇ ସିଇଓଙ୍କୁ ଆକ୍ରମଣର ପ୍ରମାଣ ଦେଇଛି ବିଜେଡି ପ୍ରତିନିଧି ଟିମ୍। ତୁରନ୍ତ ରିଙ୍କୁ ମେହେର ଓ ତାଙ୍କ ସହଯୋଗୀଙ୍କୁ ଗିରଫ ପାଇଁ ଦାବି ଜଣାଇଛି ବିଜେଡି। ବିଜେପି ଅଭ୍ୟାସଗତ ଅପରାଧୀଙ୍କୁ ଧରି ପ୍ରଚାର ଚଳାଇଛି। ବିଜେପି DNAରେ ହିଂସା ରହିଛି। ପୂର୍ଵରୁ ବିଜେଡି ନେତା ସୁଶାନ୍ତ ସିଂଙ୍କ ଉପରେ ମଧ୍ୟ ବିଜେପୁର ଉପନିର୍ବାଚନ ବେଳେ ମରଣାନ୍ତକ ଆକ୍ରମଣ ହୋଇଥିଲା।

ଜେଲରୁ ବେଲରେ ଆସି କିଛି ନେତା ମାଷ୍ଟରମାଇଣ୍ଡ ଭାବେ କାମ କରୁଛି। ପରାଜୟ ଭୟରେ ବିଜେପି ଏଭଳି ଆକ୍ରମଣ କରିଥିବା ବିଜେଡି ଅଭିଯୋଗ କରିଛି । ରିଙ୍କୁ ମେହେରଙ୍କ ପଛରେ କିଏ, ସେନେଇ ତଦନ୍ତ କରିବାକୁ ଦାବି କରିଛି।

ବିଧାନସଭାର ଶୀତ ଅଧିବେଶନ ଆରମ୍ଭ, ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି। ଆରମ୍ଭରୁ ୬ ଜଣ ଦିବଂଗତ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇ ଦିବଂଗତ ବିଧାୟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ସ୍ବର୍ଗତ ଆତ୍ମାର ସଦଗତି କାମନା କରି ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ବାଚସ୍ପତି ଗୃହକୁ ଅପରାହ୍ନ ୫ଟା ଯାଏ ମୁଲତବି ଘୋଷଣା କରିଛନ୍ତି । ଅପରାହ୍ମରେ ଉପସ୍ଥାପନ ହେବ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ । ଡିସେମ୍ବର ୩୧ ଯାଏଁ ଚାଲିବ ବିଧାନସଭା ।

ପଦମପୁର ଉପନିର୍ବାଚନ ପୂର୍ବରୁ ମାତିଲେ ବିଜେପି କର୍ମୀ, ଆକ୍ରମଣରେ ମହିଳା ଗୁରୁତର

ବରଗଡ: ପଦମପୁର ଉପ ନିର୍ବାଚନରେ ବିଜେପିକୁ ଘାରିଛି ପରାଜୟ ଭୟ । ସେଥିପାଇଁ ବିଜେପି କର୍ମୀ ଦହିଗାଁ ପଞ୍ଚାୟତ ବୁବୁଡ଼ା ଗାଁରେ ଗୁଣ୍ଡାଗିରି କରିଥିବା ଅଭିଯୋଗ ହୋଇଛି । ବରିହା ସମ୍ପ୍ରଦାୟ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ଆକ୍ରମଣରେ ବୁବୁଡ଼ା ଗାଁର ସଞ୍ଜୁ ବରିହା ଗୁରୁତର ଆହତ ହୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ତାଙ୍କୁ ପ୍ରଥମେ ପଦମପୁର ଡ଼ାକ୍ତରଖାନା ପରେ ବରଗଡ଼ ଜିଲ୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସଞ୍ଜୁଙ୍କ ମୁଣ୍ଡରେ ଗୁରୁତର କ୍ଷତ ଥିବା ଦେଖିବାକୁ ମିଳିଛି । ଗତକାଲି ନିର୍ବାଚନୀ ପ୍ରଚାର ସମୟରେ ସଞ୍ଜୁ ବିଜେଡ଼ିର ପ୍ରାର୍ଥୀ ବର୍ଷାଙ୍କ ଜିନ୍ଦାବାଦ ନାରା ଦେଉଥିବା ସମୟରେ ବିଜେପି କର୍ମୀ ରିଙ୍କୁ ମେହେର ସଞ୍ଜୁଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ମୁଣ୍ଡ ସହିତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା ।

ଗାଁ ଲୋକମାନେ ସଞ୍ଜୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ଘରକୁ ଆଣିବା ପରେ ପରିବାର ଲୋକେ ତାଙ୍କୁ ପଦମପୁର ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ପଦମପୁରରେ ପ୍ରାଥମିକ ଚିକିତ୍ସା ପରେ ସଞ୍ଜୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବରଗଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

୨୦୨୪ ସୁଦ୍ଧା ଲାଲ କରିଡରରୁ ଉଡିବ ବିମାନ, ଭିଡିଓ ସେୟାର କଲେ ଫାଇଭ ଟି ସଚିବ

ମାଲକାନଗିରି: ଲାଲ୍‌ କରିଡରରୁ ଆନ୍ତଃ-ରାଜ୍ୟ ବିମାନ ଉଡ଼ିବ  । ଜୋରସୋରରେ ଚାଲିଛି କାମ  । ଫାଇଭ ଟି ଇନିସିଏଟିଭ ଅଧିନରେ କାମ ଚାଲିଛି  । ଏନେଇ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି  । ୨୦୨୪ ସୁଦ୍ଧା ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବ  । ଏଥିପାଇଁ ଖର୍ଚ୍ଚ ହେଉଛି ୫୫କୋଟି ଟଙ୍କା । ବିମାନବନ୍ଦର କାମ ମିଶନ ମୋଡରେ ସାରିବାକୁ ଚାଲିଛି କାମ ।

ବିମାନବନ୍ଦର ପାଇଁ ପ୍ରାୟ ୨୩୪ ଏକର ଜମି ବାଣିଜ୍ୟ ଓ ପରିବହନ ବିଭାଗକୁ ରାଜସ୍ବ ବିଭାଗ ହସ୍ତାନ୍ତର କରିଛି । ଜଙ୍ଗଲ ଜମିର କିସମ ପରିର୍ବତ୍ତନ ସହ ପୂର୍ତ୍ତ ବିଭାଗ ପକ୍ଷରୁ ପାଚେରି କାମ ସରିବା ଅବସ୍ଥାରେ । ଏଥିରେ ୧୬୨୦ ଲମ୍ବ ଓ ୩୦ ମିଟର ଚଉଡ଼ାର ରନଓ୍ବେ ରହିବ । ମାଲକାନଗିରିରୁ ଭୁବନେଶ୍ବରକୁ ବିମାନ ଉଡ଼ିବା ସହ ଅନ୍ୟ ରାଜ୍ୟର ରାଜଧାନୀକୁ ବି ସଂଯୋଗ ହେବ ।

ଗତ ଏପ୍ରିଲ ମାସରେ ମାଲକାନଗିରି ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବ ବିମାନବନ୍ଦର କାମ ଅନୁଧ୍ୟାନ ସହ ତ୍ବରାନିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ନିୟମିତ ସମୀକ୍ଷା କରୁଛନ୍ତି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରଖି ଠିକ୍ ସମୟରେ କାମ ସାରିବାକୁ ଗୁରୁତ୍ବ ଦିଆଯାଇଛି । ଭିତ୍ତିଭୂମି, ଲାଇସେନ୍ସ ଓ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ସ୍ଥିର କରାଯାଇଛି  ।

ରାଜ୍ୟରେ ବଢିଲା ଶୀତ, ଆହୁରି ୫ ଦିନ ୫ ଡିଗ୍ରୀ ଯାଏଁ କମିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ବଢିଲା ଶୀତ । ୬ରୁ ୧୦ ଡିଗ୍ରୀ ମଧ୍ୟରେ ଅଧିକାଂଶ ସହରର ତାପମାତ୍ରା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଜାଡ଼ରୁ ମିଳିବନି ତ୍ରାହି । ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା । ବିଶେଷ କରି ପାହାଡିଆ ଅଞ୍ଚଳରେ ଅଧିକ ଶୀତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଦୁର୍ବଳ ହେଉଥିବାରୁ ଓଡ଼ିଶାକୁ ଆସୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ କମିଛି । ଫଳରେ ତାପମାତ୍ରା ତଳମୁହାଁ ହୋଇଛି । ସେହିପରି ମେଘମୁକ୍ତ ଆକାଶ ଏବଂ ଥଣ୍ଡା ପବନ ପ୍ରବାହ ପାଇଁ ଶୀତ ବଢିବ । କୋରାପୁଟ, କନ୍ଧମାଳ ସମେତ ସୁନ୍ଦରଗଡରେ ତାପମାତ୍ରା ଅହେତୁକ ଭାବରେ କମିବ ।

ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ରୂପ ନେବ । କିନ୍ତୁ ସେହି ଲଘୁଚାପର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ବୋଲି ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜିଠୁ ବିଧାନସଭା ଶୀତ ଅଧିବେଶନ, ଉପସ୍ଥାପିତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ

ଭୁବନେଶ୍ବର: ଆଜିଠୁ ବିଧାନସଭାର ଶୀତ ଅଧିବେଶନ  । ଡିସେମ୍ବର ୩୧ ଯାଏ ଚାଲିବ ବିଧାନସଭା । ଆରମ୍ଭରୁ ଦିବଗଂତ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ ଶୋକ ପ୍ରସ୍ତାବ ଆଗତ ହେବ  । ଅପରାହ୍ମରେ ଉପସ୍ଥାପିତ ହେବ  ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ । ଏଥର ବିନା କଟକଣାରେ ସ୍ବାଭାବିକ ଚାଲିବ ଗୃହ  ।

ବିଧାୟକମାନେ ନିଜ ନିଜ ଆସନରେ ବସିବା ସହ ପ୍ରେସ ଗ୍ୟାଲେରୀରେ ସାମ୍ବାଦିକମାନେ ପୂର୍ବପରି ବସି ଖବର ପରିବେଷଣ କରିବେ । ଗୃହ ଆରମ୍ଭ ହେବା ପୂର୍ବରୁ ପୂର୍ବାହ୍ନ ୧୦ଟା ୩୦ରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବସିବ ବିଜେଡ଼ି ବିଧାୟକ ଦଳ ବୈଠକ  ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଦଳ ଗୃହରେ କେଉଁ ପ୍ରସଙ୍ଗ ଉଠାଇବ ଏବଂ ଆଲୋଚନା ଜରିଆରେ ବିରୋଧୀଙ୍କ ସବୁ ଅଭିଯୋଗର କିପରି ଜବାବ ଦିଆଯିବ ତାହା ଉପରେ ଆଲୋଚନା ହେବ  । ବିଭିନ୍ନ କ୍ଷେତ୍ରରେ ଲଗାତାର  ଓଡ଼ିଶାକୁ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ବିଜେଡି ଗୃହରେ ଉଠାଇବ ଏବଂ ରାଜ୍ୟପାଇଁ ହକ୍‌ ମାଗିବ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ । ସେପଟେ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ  ।

ଜାନୁଆରୀ ୧୩ରୁ ହକି ବିଶ୍ବକପ, ଆଜିଠୁ ଅନଲାଇନରେ ଟିକେଟ ପାଇବେ କ୍ରୀଡାପ୍ରେମୀ

ଭୁବନେଶ୍ବର: ହକି ବିଶ୍ବକପ ପାଇଁ ଆଜିଠୁ ମିଳିବ ଟିକେଟ୍ । ଅନଲାଇନରେ ଟିକେଟ ପାଇପାରିବେ କ୍ରୀଡ଼ାପ୍ରେମୀ । ଦିନ ଗୋଟାଏ ପରଠୁ ପେଟିଏମ ଇନସାଇଡର ସାଇଟରୁ ଟିକେଟ ପାଇପାରିବେ । ଜଣେ ବ୍ୟକ୍ତି କେବଳ ଦୁଇଟି ଟିକେଟ କିଣିପାରିବେ । ଭାରତ ମ୍ୟାଚ ପାଇଁ ଓ୍ବେଷ୍ଟଷ୍ଟାଣ୍ଡ ଟିକେଟ ମୂଲ୍ୟ ରହିଛି ୫୦୦ ଟଙ୍କା  । ସେହିପରି ଇଷ୍ଟଷ୍ଟାଣ୍ଡ ପାଇଁ ୪୦୦ ଟଙ୍କା ଏବଂ ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡ ପାଇଁ ୨୦୦ ଟଙ୍କା ଲେଖାଏ ଦର ରହିଛି ।

ଅନ୍ୟମ୍ୟାଚ୍ ପାଇଁ ଟିକେଟ ଓ୍ବେଷ୍ଟ ଷ୍ଟାଣ୍ଡ ୫୦୦, ଇଷ୍ଟ ଷ୍ଟାଣ୍ଡ ୨୦୦ ଏବଂ ନର୍ଥ ଓ ସାଉଥ ଷ୍ଟାଣ୍ଡ ପାଇଁ ୧୦୦ ଟଙ୍କା ମୂଲ୍ୟ ରହିଛି । ଗତକାଲି ପ୍ରଥମ ଟିକେଟ କିଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲ୍ଲୀପ ତିର୍କି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ଦେଇଛନ୍ତି । ଟିକେଟ ପାଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିବା ବେଳେ ସାରା ବିଶ୍ବ ହକି ବିଶ୍ବକପ ଦେଖିବା ପାଇଁ ଅପେକ୍ଷା କରି ରହିଛି ।

ଆସନ୍ତା ବର୍ଷ ଜାନୁଆରୀ ୧୩ରେ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ବକପ୍ । ୨୯ ତାରିଖରେ ଶେଷ ହେବ ଟୁର୍ଣ୍ଣାମେଣ୍ଟ । ପ୍ରଥମ ଦିନ ସଂଧ୍ୟା ୫ଟାରେ ଇଂଲଣ୍ଡ ଏବଂ ଓ୍ବେଲସ ମଧ୍ୟରେ ଟକ୍କର ହେବ । ସଂଧ୍ୟା ୭ଟାରେ ଇଣ୍ଡିଆ ଓ ସ୍ପେନ ମଧ୍ୟରେ ଟକ୍କର ହେବ ।