ଶିଶୁକୁ ଜନ୍ମଦେଲେ ମହିଳାରୁ ପୁରୁଷ ହୋଇଥିବା ବ୍ୟକ୍ତି

ଥିରୁଅନନ୍ତପୁରମ: ଉତ୍ତର କେରଳର ଟ୍ରାନ୍ସଜେଣ୍ଡର କପଲ ଜହାଦ ଏବଂ ଜିୟା ପାଭଲ ବୁଧବାର ସାମାଜିକ ଗଣମାଧ୍ୟମରେ ନିଜର ଶିଶୁର ଆଗମନ ନେଇ ଘୋଷଣା କରିଛନ୍ତି । ଫଟୋ ପୋଷ୍ଟ କରି ଲେଖିଛନ୍ତି, ଶେଷରେ ଅପେକ୍ଷାର ଅନ୍ତ ଘଟିଲା, ଆମେ ନୂଆ ସଦସ୍ୟକୁ ସ୍ୱାଗତ କରିବା ପାଇଁ ଉତ୍ସାହିତ ଅଛୁ । ଜହାଦ ଏଲଜିବିଟିକ୍ୟୁଆଇଏ ସଂଗଠନରେ କାମ କରୁଥିବା କାର୍ଯ୍ୟକର୍ତ୍ତା ଅଟନ୍ତି । ସେ ଭାରତରେ ଶିଶୁକୁ ଜନ୍ମଦେଇଥିବା ପ୍ରଥମ ଟ୍ରାନ୍ସମେନ୍ ଭାବେ ଜଣାଯାଇଛନ୍ତି ।

ଜିୟା ଗଣମାଧ୍ୟମକୁ କହିଛନ୍ତି, ହସ୍ପିଟାଲ ଅଧିକାରୀଙ୍କୁ ଅନୁରୋଧ କରିବେ ଯେ ତାଙ୍କ ନାଁ ମାଆ ରୂପରେ ଏବଂ ଜହାଦଙ୍କୁ ପିତା ରୂପରେ ରେକର୍ଡ କରାଯାଉ । ସେ କହିଥିଲେ, ଏହା ଏକ ସିଜେରିଆନ ଡେଲିଭରି ଥିଲା । ଶିଶୁର ଓଜନ ୨.୯୨୦ କେଜି ରହିଛି । ପିତା ଏବଂ ଶିଶୁ ସୁସ୍ଥ ଅଛନ୍ତି । ଆମେ ବର୍ତ୍ତମାନ ସୁଦ୍ଧା ପିଲାର ଜେଣ୍ଡର ସମ୍ପର୍କରେ ନିଷ୍ପତ୍ତି ନେଇ ନାହୁଁ । ସେ ସେହି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଯେଉଁମାନେ ତାଙ୍କର ସମର୍ଥନ କରିଥିଲେ । ସେ ଆଗକୁ କହିଥିଲେ ଜହାଦ ଏବେ ପିତା ଭାବେ ଜଣାଯିବେ ଏବଂ ମୁଁ ମାଆ ଭାବେ ।

କୋଝିକୋଡରେ ମେଡିକାଲ କଲେଜ ହସ୍ପିଟାଲର ସ୍ତ୍ରୀ ରୋଗ ବିଭାଗର ପ୍ରମୁଖ ଡାକ୍ତର ସି ଶ୍ରୀକୁମାର କହିଛନ୍ତି ଯେ ପିଲା ଏବଂ ବାପା ସୁସ୍ଥ ଅଛନ୍ତି । ଅନ୍ୟ ସିଜେରିୟନ ଅପରେସନ ଭଳି ଆବଶ୍ୟକ ଆରାମ ପରେ ହସ୍ପିଟାଲରୁ ଡିସଚାର୍ଜ କରାଯିବ । ତେବେ ଜିୟା ପାବଲ ନିକଟରେ ପାର୍ଟନର ଜହାଦ ୮ ମାସର ଗର୍ଭବତୀ ଥିବା ନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଥିଲେ । ଏହି ଟ୍ରାନ୍ସ କପଲ ତିନି ବର୍ଷ ହେବ ଏକାଠି ରହିଆସୁଛନ୍ତି । ଜହାଦ (୨୩ ବର୍ଷ) ଏକ ଘରୋଇ ଫାର୍ମରେ ଆକାଉଣ୍ଟାଣ୍ଟ ଅଛନ୍ତି ଏବଂ ଜିୟା (୨୧ବର୍ଷ) ଶାସ୍ତ୍ରୀୟ ନୃତ୍ୟ ଶିକ୍ଷକ ଅଟନ୍ତି ।