ଭାଲେଣ୍ଟାଇନ ଡେ’ ରେ ପାଳନ ହେବ ‘ କାଓ ହଗ୍ ଡେ’: ଯୁବପିଢ଼ିଙ୍କ ଅସନ୍ତୋଷ

ଭୁବନେଶ୍ବର: ପ୍ରେମୀ ଦିବସ ପୂର୍ବରୁ ପୁଣି ଛିଡ଼ା ହୋଇଛି ବିବାଦ । ୧୪ ଫେବ୍ରୁଆରିରେ ସମସ୍ତେ ପାଳିବେ ପ୍ରେମ ଦିବସ ବା ଭାଲେଣ୍ଟାଇନ୍ସ ଡେ’ । ଏହି ଦିନକୁ ପ୍ରେମ ଦିବସ ଭାବେ ସାରା ବିଶ୍ବ ପାଳନ କରିଥାଏ । ନିଜ ପ୍ରେମିକ ବା ପ୍ରେମିକାଙ୍କୁ ଗିଫ୍ଟ ଦେଇ ବେଶ ହସ ଖୁସିରେ ପ୍ରେମୀ ଯୁଗଳ ଭାଲେଣ୍ଟାଇନ ଡେ’ ମନାଇଥାନ୍ତି । ଏହି ଦିନକୁ ପାଳନ କରିବାକୁ କାହିଁ କେତେ ଦିନରୁ ଅପେକ୍ଷା କରିଥାନ୍ତି ପ୍ରେମୀ ଯୁଗଳ । ମାତ୍ର ଏଥିରେ ଏବେ କଣ୍ଟା ସାଜିଛି ଆନିମଲ ଓ୍ବେଲଫେୟାର ବୋର୍ଡ ଅଫ ଇଣ୍ଡିଆ । ଏହି ଦିନ ସମସ୍ତେ ଗାଈଙ୍କୁ ଆଲିଙ୍ଗନ କରି ଉତ୍ସବ ପାଳନ କରିବାକୁ ଅପିଲ କରିଛି ଆନିମଲ ଓ୍ବେଲଫେୟାର ବୋର୍ଡ ଅଫ ଇଣ୍ଡିଆ । ମାତ୍ର ଏହାକୁ ଗ୍ରହଣ କରିପାରି ନାହାନ୍ତି ଯୁବପିଢ଼ି ।

ପ୍ରତିବର୍ଷ ଭାଲେଣ୍ଟାଇନସ ଡେ’ ପୂର୍ବରୁ କିଛି ବିବାଦ ଛିଡ଼ା ହୁଏ । ଆନିମଲ ଓ୍ବେଲଫେୟାର ବୋର୍ଡ ଅଫ ଇଣ୍ଡିଆ କିନ୍ତୁ ଏ ଥର ଭାଲେଣ୍ଟାଇନ ଡେ’ କୁ କାଓ ହଗ୍ ଡେ’ ବା ଗାଈଙ୍କୁ ଆଲିଙ୍ଗନ କରି ଦିବସଟିକୁ ପାଳନ କରିବାକୁ ଅପିଲ କରିଛି । ପାର୍କରେ ନୁହେଁ ଗାଈଙ୍କୁ ଆଲିଙ୍ଗନ କରି ଏହି ଦିନକୁ ସେଲିବ୍ରେଟ କରିବାକୁ କୁହାଯାଇଛି ।

ଏ ସଂପର୍କରେ ଆନିମଲ ଓ୍ବେଲଫେୟାର ବୋର୍ଡ ଅଫ ଇଣ୍ଡିଆ ଏକ ପତ୍ରରେ କହିଛି ଆମେ ସମସ୍ତେ ଜାଣିଛୁ ଗାଈ ଆମ ସଂସ୍କୃତିର ଆଧାର । ପାଶ୍ଚାତ୍ୟ ସଭ୍ୟତା ଏବଂ ଚାକଚକ୍ୟ ଜୀବନ ଶୈଳୀ ଯୋଗୁ ଆମେ ଆମ ସଂସ୍କୃତିକୁ ଭୁଲି ଯାଉଛୁ । ଏଥିପାଇଁ ଗାଈଙ୍କୁ ଭଲ ପାଉଥିବା ଲୋକେ ୧୪ ଫେବୃଆରିକୁ କାଓ ହଗ୍ ଡେ’ ଭାବେ ପାଳନ କରିବା ଦରକାର ।

ଆନିମଲ ଓ୍ବଲଫେୟାର ବୋର୍ଡର ଏହି ଅପିଲ ପରେ ଏବେ ଏହି ବିଷୟକୁ ନେଇ ଚାରିଆଡେ ଚର୍ଚ୍ଚା । କାଓ ହଗ୍ ଡେ’କୁ ନେଇ ଦେଖାଗଲାଣି ଅସନ୍ତୋଷ ।