ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି ହୀନ ରାଜନୀତି କରିବାକୁ ବିଫଳ ପ୍ରୟାସ କରୁଛି: ବିଜେଡି

ଭୁବନେଶ୍ୱର: ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା । କ୍ରାଇମବ୍ରାଞ୍ଚ ତଦନ୍ତରୁ ଧୀରେ ଧୀରେ ସତ ପଦାକୁ ଆସୁଥିବାବେଳେ ବିଜେପି ଏହାକୁ ନେଇ ହୀନ ରାଜନୀତି କରିବାକୁ ବିଫଳ ପ୍ରୟାସ କରୁଛି ବୋଲି ବିଜେଡି କହିଛି । ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ ଏହି ହତ୍ୟାକାଣ୍ଡରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ବିଜେପିର କିଛି ନେତା ପ୍ରତିଦିନ ଲୋକଙ୍କୁ ନୂଆ ନୂଆ ଉଦ୍ଭଟ କାହାଣୀ ଶୁଣାଉଛନ୍ତି ।

କୌତୂହଳର ବିଷୟ ହେଲା, ସେମାନଙ୍କର ଗୋଟିଏ କାହାଣୀ ସହ ଅନ୍ୟ କାହାଣୀର ତାଳମେଳ ରହୁନାହିଁ । ଏଭଳି ଏକ ସମ୍ବେଦନଶୀଳ ମାମଲାରେ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବିଜେପି ନେତାମାନେ ଯେଭଳି ନିମ୍ନ ସ୍ତରର ରାଜନୀତି କରୁଛନ୍ତି, ତାହା ଦେଖି ଓଡ଼ିଶାବାସୀ ସେମାନଙ୍କୁ ଘୃଣା କରିବା ଆରମ୍ଭ କଲେଣି । ଏମିତି ହାସ୍ୟାସ୍ପଦ ବୟାନବାଜି କରୁଥିବା ବିଜେପି ନେତାମାନେ ଆଗାମୀ ଦିନରେ ସତ ପଦାକୁ ଆସିବା ପରେ ଲୋକଙ୍କୁ ମୁହଁ ଦେଖାଇ ପାରିବେ ତ ବୋଲି ଗୌତମବୁଦ୍ଧ ଦାସ ପ୍ରଶ୍ନ କରିଛନ୍ତି ।