spot_img
Home Blog Page 3681

ଯୋଗଗୁରୁ ରାମଦେବଙ୍କ ବୟାନକୁ ନେଇ ବିବାଦ

ଠାଣେ: ବିବାଦରେ ଯୋଗଗୁରୁ ରାମଦେବଙ୍କ ବୟାନ । ମହିଳାଙ୍କ ଡ୍ରେସ୍ ପିନ୍ଧାକୁ ନେଇ ଦେଖା ଦେଇଛି ଏହି ବିବାଦ । ମହାରାଷ୍ଟ୍ର ଠାଣେରେ ଆୟୋଜିତ ଏକ ଶିବିରରେ ଶହ ଶହ ମହିଳାଙ୍କ ଉପସ୍ଥିତିରେ ରାମଦେବ କହିଥିଲେ- ମହିଳାମାନେ ଶାଢ଼ି ପିନ୍ଧିଲେ ସୁନ୍ଦର ଦିଶନ୍ତି । ସାଲଓ୍ବାର ପିନ୍ଧିଲେ ସୁନ୍ଦର ଦିଶନ୍ତି । ମୋ ପରି କିଛି ନପିନ୍ଧିଲେ ବି ସୁନ୍ଦର ଦିଶନ୍ତି ।

ସମାବେଶରେ ବାବାଙ୍କ ଏପରି ଯୁକ୍ତିକୁ ବିରୋଧ କରିବା ବଦଳରେ ସମସ୍ତେ ତାଳିମାଡ଼ କରିବା ଦେଖିବାକୁ ମିଳିଥିଲା । ବାବାଙ୍କ ଏହି ବିବୃତିକୁ ବିରୋଧ କରିଛନ୍ତି ଦିଲ୍ଲା ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ । ଏଥିଲାଗି କ୍ଷମା ମାଗିବାକୁ ସେ ଦାବି କରିଛନ୍ତି । ରାମଦେବଙ୍କ ଯୋଗ ଶିବିରରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ପତ୍ନୀ ଅମୃତା ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ଏମପି ଶ୍ରୀକାନ୍ତ ସିନ୍ଦେ ବି ଉପସ୍ଥିତ ଥିଲେ । ବାବାଙ୍କ ବିବୃତିକୁ କାହିଁକି ଅମୃତା ବିରୋଧ କଲେ ନାହିଁ ବୋଲି କହିଛନ୍ତି ଶିବସେନା ଉଦ୍ଧବ ବାଲାସାହେବ ଠାକରେ ଦଳର ନେତା ସଞ୍ଜୟ ରାଓ୍ବତ ।

ଗୁଳି ମାରି ଦୁଇ ସହକର୍ମୀଙ୍କୁ ମାରିଲେ ଯବାନ

ପୋରବନ୍ଦର: ଗୁଜରାଟ ବିଧାନସଭା ନିର୍ବାଚନ ପର୍ବରୁ ଫୁଟିଲା ଗୁଳି । ଆଉ ଏହି ଗୁଳି ମାରିଛନ୍ତି ଜଣେ ଯବାନ । ତାଙ୍କ ଗୁଳିରେ ଦୁଇ ସହଯୋଗୀ ଟଳି ପଡ଼ିଥିବା ବେଳେ ଅନ୍ୟ ଦୁଇ ଯବାନ ଜୀବନ ସହ ସଂଗ୍ରାମ କରୁଛନ୍ତି । ଘଟଣାଟି ପୋରବନ୍ଦର ଅଞ୍ଚଳରେ ଘଟିଛି । ନିର୍ବାଚନ ଡ୍ୟୁଟିରେ ନିୟୋଜିତ ସିଆରପିଏଫ ଯବାନ ଏହି ଗୁଳିକାଣ୍ଡ ଭିଆଇଛନ୍ତି ।

କୌଣସି କାରଣରୁ ଦୁଇ ଯବାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଜଣେ ଯବାନ ଏକେ ୫୬ ରାଇଫଲରେ ସହଯୋଗୀଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଅଭିଯୁକ୍ତ ଓ ମୃତ ଯବାନ ହେଲେ ମଣିପୁରର ଭାରତୀୟ ରିଜର୍ଭ ବାଟାଲିୟନର ସଦସ୍ୟ । ସିଏପିଏଫ ଅଧୀନରେ ନିର୍ବାଚନ ପାଇଁ ସମସ୍ତଙ୍କୁ ନିୟୋଜିତ କରାଯାଇଥିଲା । ଟୁକଡା ଘୋଷା ଗାଁରେ ଥିବା ଗୋଟିଏ ବାତ୍ୟା ଆଶ୍ରୟସ୍ଥଳରେ ରହୁଥିଲେ ବୋଲି ଜିଲ୍ଲାପାଳ ଏ ଏମ ଶର୍ମା କହିଛନ୍ତି । ତେବେ କାହିଁକି ଯବାନ ଜଣଙ୍କ ଗୁଳ ଚାଳନା କଲେ ତାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀମାନେ ପହଞ୍ଚି ତଦନ୍ତ କରୁଛନ୍ତି ।

ଆର୍ଜେଣ୍ଟିନା ପାଇଁ କର ବା ମର ପରିସ୍ଥିତି

ଦୋହା: ଲୁସେଲା ଆଇକନିକ ଷ୍ଟାଡ଼ିୟମରେ ଆଜି ଗ୍ରୁପ-ସିର ଦ୍ବିତୀୟ ରାଉଣ୍ଡର ଗୁରୁତ୍ବପୂର୍ଣ୍ଣ ଲିଗ୍ ମ୍ୟାଚ । ଆର୍ଜେଣ୍ଟିନା ଓ ମେକ୍ସିକୋ ମଧ୍ୟରେ ମ୍ୟାଚ ଥିବା ବେଳେ ଆର୍ଜେଣ୍ଟିନା ପାଇଁ କର ବା ମର ସ୍ଥିତି ସୃଷ୍ଟି ହୋଇଛି । ଲିଓନେଲ ମେସିଙ୍କ ନେତୃତ୍ବାଧୀନ ଆର୍ଜେଣ୍ଟିନାକୁ ନକଆଉଟ୍ ଦୌଡ଼ରେ ତିଷ୍ଠି ରହିବାକୁ ହେଲେ ଏହି ମ୍ୟାଚ ଜିତିବା ଏକାନ୍ତ ଆବଶ୍ୟକ । ଆର୍ଜେଣ୍ଟିନା ପ୍ରଥମ ମ୍ୟାଚରେ ସାଉଦି ଆରବ ନିକଟରୁ ୧-୨ ଗୋଲରେ ପରାସ୍ତ ହୋଇଥିଲା । ଦଳ ପ୍ରଥମାର୍ଦ୍ଧରେ ମେସିଙ୍କ ପେନାଲ୍ଟି ବଳରେ ଗୋଟିଏ ଗୋଲରେ ଆଗୁଆ ରହିଥିଲେ ମଧ୍ୟ ଦ୍ବିତୀୟାର୍ଦ୍ଧରେ ଦୁର୍ବଳ ପ୍ରଦର୍ଶନ ପାଇଁ ଦୁଇଟି ଗୋଲ ହରାଇଥିଲା ।

ମେସିଙ୍କ ସମେତ ଡିଫେଣ୍ଡର କିଷ୍ଟିଆନ ରୋମିରେ, ଲିସାଣ୍ଡ୍ରୋ ମାର୍ଟିନେଜ, ରୋଡିଗ୍ରୋ ଡି ପଲ୍, ଡି ମାରିଆ, ଲାଉଟାରୋ ମାର୍ଟିଜେନଙ୍କ ଭଳି ତାରକା ରହିଥିଲେ ମଧ୍ୟ କିଛି ଚମକ ଦେଖାଇ ପାରିନଥିଲେ । ଆଜିର ମ୍ୟାଚରେ ଦଳ ମେକ୍ସିକୋକୁ ପରାସ୍ତ କରିବା ସହ ନକଆଉଟ୍ ଆଶାକୁ ବଜାୟ ନେଇ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବ । ସେପଟେ ଗ୍ରୁପ ଡି ମ୍ୟାଚରେ ଅଷ୍ଟ୍ରେଲିଆର ହାଇଭୋଲଟେଜ ପ୍ରଦର୍ଶନ । ଟ୍ୟୁନିସିଆକୁ ୧-୦ରେ ହରାଇଛି ଅଷ୍ଟ୍ରେଲିଆ ଟିମ୍ । ମିସେଲ ଡ୍ୟୁକ ଦେଲେ ଗୋଲ । ଏଥିସହ 2-0 ଗୋଲରେ ସାଉଦିକୁ ହରାଇଲା ପୋଲାଣ୍ଡ ।

କେନ୍ଦୁପତ୍ର ଉପରୁ GST ଉଠାଇବାକୁ ନିର୍ମଳାଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦୁପତ୍ର ଉପରୁ ସମ୍ପୂର୍ଣ୍ଣ ଜିଏସଟି ଉଠାଇବାକୁ ଅର୍ଥମନ୍ତ୍ରୀ  ଙ୍କୁ ଚିଠି ଲେଖି ଦାବି ଜଣାଇଲେ । ୧୮% ଜିଏସଟି ଲାଗିବା କାରଣରୁ ସେମାନଙ୍କ ଜୀବିକା ଓ ବିଭିନ୍ନ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ବହୁଳ ଭାବେ ପ୍ରଭାବିତ ହେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଓଡ଼ିଶାରେ ୮ଲକ୍ଷ ବିଶେଷକରି ଜନଜାତି ସଂପ୍ରଦାୟର ଲୋକମାନେ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଏବଂ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ସାମାଜିକ ଓ ଆର୍ଥିକ ବିକାଶକୁ ଦୃଷ୍ଟିରେ ରଖି ଓଡ଼ିଶାର ଦାବିକୁ ଗୁରୁତ୍ୱ ଦେଇ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ କରିବାକୁ ଉଲ୍ଲେଖ କରିଛି। ଘାଇଲା କରୁଛି ଜିଏସଟି ମାଡ଼ । ଜିଏସଟି ଯନ୍ତ୍ରଣାରେ ଜର୍ଜରିତ କେନ୍ଦୁପତ୍ର ତୋଳାଳି । ବିକ୍ରି ସମସ୍ୟା ବଢୁଛି ସିନା କମୁନି । ବ୍ୟାପକ ଭାବେ ପ୍ରଭାବିତ ଜୀବନ ଜୀବିକା । ଆଠ ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ କର୍ମଚାରୀଙ୍କ ସ୍ବାର୍ଥ ପାଇଁ ପୁଣି ଅଣ୍ଚା ଭିଡିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁରକ୍ଷାଦାତା ଭାବେ କେନ୍ଦ୍ରକୁ ଲେଖିଛନ୍ତି ଚିଠି । କେନ୍ଦୁପତ୍ର ଉପରୁ ଜିଏସଟି ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ଦାବି ଜଣାଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଲେଖିଛନ୍ତି ପତ୍ର ।
କେନ୍ଦୁପତ୍ର ଉପରୁ ୧୮ପ୍ରତିଶତ ଜିଏସଟି ଆଦାୟ ହେଉଛି । ଯାହା ସିଧାସଳଖ କେନ୍ଦୁପତ୍ର ତୋଳାଳି, କର୍ମଚାରୀ ଓ ବନ୍ଧାଳିଙ୍କ ସାମାଜିକ ସୁରକ୍ଷାକୁ ପ୍ରଭାବିତ କରୁଛି । ରାଜ୍ୟରେ ମୁଖ୍ୟତଃ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକ କେନ୍ଦୁପତ୍ର ଉପରେ ନିର୍ଭର କରନ୍ତି ଏବଂ ସେମାନେ ଅଧିକାଂଶ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ଅଧିବାସୀ । ଆଇନ ୨୦୦୬ ଆଧାରରେ ଆଦିବାସୀ ଲୋକ କେନ୍ଦୁପତ୍ର ସଂଗ୍ରହ କରିଥାନ୍ତି । ତେଣୁ କେନ୍ଦୁପତ୍ର ତୋଳାଳିଙ୍କ ସମୂହ ସ୍ବାର୍ଥ ପାଇଁ କେନ୍ଦୁପତ୍ର ଉପରୁ ସଂପୂର୍ଣ୍ଣ ଜିଏସଟି ଛାଡ କରିବାକୁ ଦାବି ଜଣାଇଛନ୍ତି ନବୀନ । ଯାହାକୁ ସମର୍ଥନ କରିଛି ବିଜେଡି । ଦରକାର ପଡିଲେ କେନ୍ଦୁପତ୍ର ତୋଳାଳିଙ୍କ ହକ ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବାକୁ ମଧ୍ୟ ଚେତାବନୀ ଦେଇଛି ।

କେନ୍ଦୁପତ୍ର ତୋଳାଳିଙ୍କ ପେଟକୁ କେନ୍ଦ୍ର ମାରୁଛି ଲାତ । କେନ୍ଦୁପତ୍ର ତୋଳିବା ଜନଜାତିଙ୍କ ଜନ୍ମଗତ ଅଧିକାର । ଏଥିରେ ଟାକ୍ସ ବସାଇବା ଜିଜିଆ କର ବସାଇବା ସହ ସମାନ । ଏପରିକି କେନ୍ଦୁପତ୍ର ଓ ବିଡି ଦୁଇଟି ଯାକରେ ଡବଲ ଟାକ୍ସ ଲାଗୁ କରିଛନ୍ତି କେନ୍ଦ୍ର ସରକାର । ଯାହାକି ଅନ୍ୟାୟ । ପୂର୍ବରୁ ଦୁଇ ଥର ଚିଠି ଲେଖି କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବାକୁ କେନ୍ଦ୍ରକୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ । ୨୦୧୯ ନିର୍ବାଚନୀ ଇସ୍ତହାରରେ ମଧ୍ୟ ବିଜେପି କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ଲାଗି ପ୍ରତିଶ୍ରୁତି ଦେଇଥିଲା । ସରକାର ଗଠନ ପରେ ଏବେ କିନ୍ତୁ ତାହାକୁ ପାଶୋରି ଗଲାଣି କେନ୍ଦ୍ର । ହେଲେ ୨୨ ଜିଲ୍ଲାର ୮ ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ସ୍ବାର୍ଥକୁ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ତୃତୀୟ ଥର ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି । ଯାହାକୁ ସ୍ବାଗତ କରିଛି ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘ ।

SCBରେ ଅଭାବନୀୟ ଦୃଶ୍ୟ, ରୋଗୀଙ୍କୁ କାଖେଇ ବୋହିଲେ ସମ୍ପର୍କୀୟ

କଟକ: ଏସସିଵି ମେଡିକାଲରେ ଅଭାବନୀୟ ଦୃଶ୍ୟ । ଗୋଟିଏପଟେ ଷ୍ଟ୍ରେଚରରେ ସାଲାଇନ, ଅକ୍ସିଜେନ ସିଲିଣ୍ଡର ଆଉ ଔଷଧ ବୁହାଯାଉଥିବା ବେଳେ ଅନ୍ୟପଟେ ରୋଗୀଙ୍କୁ ସମ୍ପର୍କୀୟମାନେ କୋଳେଇ, କାଖେଇ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେଉଛନ୍ତି । ଏସସିବି କାଜୁଆଲଟିରୁ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଆଉ ଝିଅକୁ ବାପା ବୋହି ନେଉଥିବାର ଦେଖିବାକୁ ମିଳିଛି । ଏହି ଦୃଶ୍ୟ ବଡ଼ ମେଡିକାଲ ପରିସରରେ ଲୋକଙ୍କୁ ଆନ୍ଦୋଳିତ କରିଛି ।

ଏସସିଵିରେ ପର୍ଯ୍ୟାପ୍ତ ପରିମାଣର ଷ୍ଟେଚର ଓ ହୁଇଲ ଚେୟାର ଥାଇ ମଧ୍ୟ ରୋଗୀମାନେ ଏହାର ସୁବିଧା ପାଉ ନଥିବା ଏହି ଘଟଣା ସ୍ପଷ୍ଟ କରିଛି । ଏସସିବିରେ ଦୁଇଟି କାଜୁଆଲଟି ରହିଥିବାବେଳେ ସେଥିରେ 50ରୁ ଅଧିକ ଷ୍ଟ୍ରେଚର ଓ ହୁଇଲ ଚେୟାର ରହିଛି ହେଲେ ଏହା ହଜି ଯାଉଥିବା ଆଳରେ କାଜୁଆଲଟିରେ ଏହାର ଦାୟିତ୍ୱରେ ଥିବା କର୍ମଚାରୀ ଷ୍ଟ୍ରେଚର ଓ ହୁଇଲ ଚେୟାର ତଳ ପକାଇ ରଖୁଛନ୍ତି ।

ଏପରିକି ଜଣେ ରୋଗୀ ଗୁରୁତର ହେଲେ ଡାକ୍ତର ବିଭିନ୍ନ ପରୀକ୍ଷା ପାଇ ପଠାଉଥିବାବେଳେ ରୋଗୀଙ୍କୁ ମିଳୁନି ଷ୍ଟ୍ରେଚର । ଫଳରେ ରୋଗୀଙ୍କୁ ସମ୍ପର୍କୀୟ ବୋହି ବୋହି ନେଉଛନ୍ତି । ତେବେ ଏପରି କୌଣସି ଖବର ବିଭାଗ ପାଖରେ ନାହିଁ । କିପରି ଭାବେ ରୋଗୀ ସହଜରେ ଷ୍ଟ୍ରେଚର ଓ ହୁଇଲ ଚେୟାର ପାଇ ପାରିବେ ସେ ନେଇ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଏସସିବି ଜରୁରୀକାଳିନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା  ।

ସହିଦନଗରରେ ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ବହୁତଳ କାର ପାର୍କିଂ

ଭୁବନେଶ୍ୱର: ଆରମ୍ଭ ହେଲା ଭୁବନେଶ୍ବର ସହିଦନଗରସ୍ଥିତ ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ବହୁତଳ କାର ପାର୍କିଂ । ଭୂତଳରେ 2ଟି ଓ ଉପର ମହଲାରେ 3ଟି ମୋଟ 5ଟି ଫ୍ଲୋରରେ ଯାନବାହନ ପାର୍କିଂ କରିବାର ବ୍ୟବସ୍ଥା ରହିଛି । 196ଟି ୪ ଚକିଆ ଓ 398ଟି ମୋଟର ସାଇକେଲ ପାର୍କିଂ କରିବାର କ୍ଷମତା ରହିଛି । ମୋଟର ସାଇକେଲ ପାର୍କିଂ ପାଇଁ ଘଣ୍ଟା ପ୍ରତି 10ଟଙ୍କା ଓ ଚାରି ଚକିଆ ଯାନ ପାଇଁ 40ଟଙ୍କା ଦେୟ ଦେବାକୁ ପଡ଼ିବ ।

ଅଧିକ ସମୟ ପାଇଁ ଗାଡି ମାଲିକଙ୍କୁ ଅଧିକ ଦେୟ ଦେବାକୁ ପଡିବ । ବନାରସର ମଲ୍ଟିପ୍ଲେକ୍ସ ନାମକ ଏକ କମ୍ପାନୀକୁ 5ବର୍ଷ ପାଇଁ ଲିଜ ସୂତ୍ରରେ ଦିଆଯାଇଛି । ଏଥିରେ ସିସିଟିଭି ସହିତ ଅଗ୍ନି ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥା ରହିଛି । ଖୁବଶୀଘ୍ର ରାଜମହଲ ଛକ ସ୍ଥିତ ସହରର ଦ୍ବିତୀୟ ମଲ୍ଟି ଲେବେଲ ପାର୍କିଂ ବା ସ୍ମାର୍ଟ ପାର୍କିଂ ମଧ୍ୟ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଖୋଲାଯିବ । ସେଥିରେ 450ଟି କାର ଓ 350ଟି ବାଇକ ରହିବାର ବ୍ୟବସ୍ଥା ରହିଛି । ଉଭୟ ବହୁତଳ ପାର୍କିଂ କାର୍ଯ୍ୟକାରୀ ହେଲେ ରାଜଧାନୀର ଟ୍ରାଫିକ ସମସ୍ୟାରେ ସୁଧାର ଆସିବ । ଏହା ସହ ରାସ୍ତାକଡ଼ରେ ପାର୍କିଂ ଉପରେ ରୋକ ଲଗାଯିବ। ପୂର୍ବରୁ ନନ୍ଦନକାନନରେ ଅନୁରୂପ ବହୁତଳ ପାର୍କିଂ କାର୍ଯ୍ୟକ୍ଷମ ହୋଇସାରିଛି।

କେନ୍ଦୁପତ୍ର ତୋଳାଳିଙ୍କୁ ବିଜେପିର ବ୍ଳାକମେଲିଂ

ଭୁବନେଶ୍ୱର: କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ନବୀନଙ୍କ ପ୍ୟାକେଜ୍ ଘୋଷଣା ପରେ ବିଜେପିର ଅକଲଗୁଡୁମ୍ । ପଦମପୁରରେ ନିର୍ବାଚନ ମଣ୍ଡଳୀରେ ଗରିବ କେନ୍ଦୁପତ୍ର ତୋଳାଳିଙ୍କୁ ବ୍ଳାକମେଲିଂ କରିବା ଆରମ୍ଭ କରି ଦେଇଛି ବିଜେପି । ପାଇକମାଲ ଥାନା ଟେମିରି ଗାଁରେ ବିଜେପିର ଏଭଳି ଦାଦାଗିରି ନେଇ ସାଂଘାତିକ ଅଭିଯୋଗ ଆସିଛି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପ୍ରଚାରକୁ ନଆସିଲେ କେନ୍ଦୁପତ୍ର କାର୍ଡ କାଟି ଦିଆଯିବ ବୋଲି ସିଧାସିଧା ଧମକ୍ ଦେଉଛନ୍ତି ବିଜେପିର ଛାମୁଆ ନେତା ଓ କର୍ମୀ  ।

ଏନେଇ ପାଇକମାଲ ଥାନାରେ ଅଭିଯୋଗ କରିଛନ୍ତି କିଛି କେନ୍ଦୁପତ୍ର ତୋଳାଳି । ପ୍ରଚାରରେ ଯୋଗଦେଲେ ହଜାରେ ଟଙ୍କା ବୋନସ ଦେବାର ପ୍ରଲୋଭନ ଦେଖାଉଛନ୍ତି  ।  ଯିଏ ଯୋଗ ନେଦଲା ତା ପେଟକୁ ଲାତ ମାରିବାକୁ ଧମକାଉଛନ୍ତି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପ୍ରଚାର ପାଇଁ ଆସିଥିବା ବେଳେ ଚେକର ଭାବେ କାମ କରୁଥିବା ଚୂଡାମଣି ପାଣିଗ୍ରାହୀ ଓ ମହେନ୍ଦ୍ର ପ୍ରଧାନ ଧମକ ଦେବା ସହ ପ୍ରଲୋଭନ ଦେଖାଉଥିବା ଥାନାରେ ଅଭିଯୋଗ କରିଛନ୍ତି କେନ୍ଦୁପତ୍ର ତୋଳାଳି ।

ଜୁଏଲଙ୍କୁ ୧୦ କୋଟି ଲାଞ୍ଚ ଯାଚୁଥିଲା ପୋସ୍କୋ, କଂଗ୍ରେସ ପଚାରିଲା କିଏ ଓ କେବେ ?

ବରଗଡ଼: ଅଡୁଆରେ ସୁନ୍ଦରଗଡ଼ ସାଂସଦ ତଥା ବିଜେପିର ବରିଷ୍ଠ ନେତା ଜୁଏଲ ଓରାମ । ପଦମପୁର ନିର୍ବାଚନୀ ସଭାରେ ସ୍ବଚ୍ଛତାର ଷ୍ଟଣ୍ଟ ଦେଖାଇବାକୁ ଯାଇ ହରଡଘଣାରେ ପଡିଯାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ପୋସ୍କୋ କମ୍ପାନୀ ତାଙ୍କୁ ୧୦ କୋଟି ଟଙ୍କା ଲାଞ୍ଚ ଯାଚିଥିବା କହିଛନ୍ତି ଜୁଏଲ । ହେଲେ ସେ କୁଆଡେ ସେ ସମୟରେ ସଚ୍ଚୋଟତା ଦେଖାଇବାକୁ ଯାଇ ଲାଞ୍ଚ ନେଇନଥିଲେ ।

ଜୁଏଲଙ୍କ ଏଭଳି ରାଜନୈତିକ ନାଟକବାଜୀକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଲାଞ୍ଚ ଦେବା ଓ ନେବା ଅପରାଧ ହୋଇଥିବା ବେଳେ ପୋସ୍କୋ କମ୍ପାନୀର କିଏ ଓ କେବେ ୧୦ କୋଟି ଟଙ୍କା ଜୁଏଲଙ୍କ ପାଖକୁ ଦେବାକୁ ଆସିଥିଲେ ସେ ସମ୍ପର୍କରେ ସେ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଜୁଏଲ ଓରାମ ଯଦି ସଚ୍ଚୋଟ ଥିଲେ ତେବେ ପୋଲିସ, ଭିଜିଲାନ୍ସ କିମ୍ବା ଇଡିରେ କାହିଁକି ଅଭିଯୋଗ କରିନଥିଲେ । ସେତେବେଳେ ଚୁପ ରହି ଏବେ ନିର୍ବାଚନ ସମୟରେ ଏପରି ବୟାନବାଜୀର ଲୁକାୟିତ ଉଦ୍ଦେଶ୍ୟକୁ ନେଇ ସନ୍ଦେହ ପ୍ରକାଶ କରିଛି କଂଗ୍ରେସ ।

ଏହାସହିତ କଂଗ୍ରେସକୁ ବଦନାମ କରିବାକୁ ଜୁଏଲ ଏହି ନିର୍ବାଚନୀ ସଭାରେ ଚେଷ୍ଟା କରିଛନ୍ତି । ଏହା ବିରୋଧରେ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ବିଜେପି କିଣା ବିକାରେ ବିଶ୍ବାସ କରୁଥିବା ଓ ବିଜେପି ନେତାମାନେ ମିଛ କହିବାରେ ରେକର୍ଡ କରିଥିବା କଂଗ୍ରେସ କହିଛି । କେଉଁ କଂଗ୍ରେସ ନେତା ବିକ୍ରି ହୋଇଛନ୍ତି ଓ କିଏ କିଣିଛନ୍ତି ଜୁଏଲ ଓରାମ ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

ଭେଟେରାନ ଫିଲ୍ମ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ

ମୁମ୍ବାଇ: ଭେଟେରାନ ଫିଲ୍ମ ଅଭିନେତା ଓ ଟେଲିଭିଜନ ତାରକା ବିକ୍ରମ ଗୋଖଲେଙ୍କ ପରଲୋକ । ପୁଣେର ଏକ ଘରୋଇ ହସ୍ପିଟାଲରେ ଆରପାରିକୁ ଚାଲିଗଲେ ବିକ୍ରମ । ମୃତ୍ୟୁବେଳକୁ ତାଙ୍କୁ ହୋଇଥିଲା ୮୦ ବର୍ଷ । ବହୁ ହିନ୍ଦୀ ଓ ମରାଠୀ ଫିଲ୍ମରେ ବିକ୍ରମ ଅଭିନୟ କରିଥିଲେ । ଅମିତାଭ ବଚ୍ଚନ ଅଭିନୀତ ଅଗ୍ନିପଥ ଓ ସଞ୍ଜୟ ଲୀଳା ଭନସାଲିଙ୍କ ହିମ ଦିଲ୍ ଦେ ଚୁକେ ସନମରେ ସେ ଅଭିନୟ କରିଥିଲେ ।

ସେ ବିଭିନ୍ନ ଟିଭି ସୋ’ରେ ବି ଅଭିନୟ କରି ଖ୍ୟାତି ଅର୍ଜନ କରିଥିଲେ । ଗତ କିଛିଦିନ ଧରି ଭେଣ୍ଟିଲେଟରରେ ରହି ଦୀନନାଥ ମଙ୍ଗସେଖର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବିକ୍ରମ । ବୈକୁଣ୍ଠ କ୍ରିମେଟୋରିୟମରେ ତାଙ୍କର ହେବ ଶେଷକୃତ୍ୟ । ସେ ୨୦୧୦ରେ ମରାଠୀ ଫିଲ୍ମ ଅଣୁମତିରେ ଶ୍ରେଷ୍ଠ ଅଭିନୟ ଲାଗି ପାଇଥିଲେ ଶ୍ରେଷ୍ଠ ଅଭିନେତା ପୁରସ୍କାର ।

ସେ ଘର ଆଜା ପରଦେଶୀ, ଅଲପିବିରାମ, ଜାନା ନା ଦିଲ ସେ ଦୂର, ସଞ୍ଜୀବନୀ, ଇନ୍ଦ୍ରଧନୁଷ ଆଦି ସୋ’ରେ ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ । ଫିଲ୍ମ ନିର୍ମାତା ଚନ୍ଦ୍ରକାନ୍ତ ଗୋଖଲେଙ୍କ ଯୋଗ୍ୟ ସନ୍ତାନ ଭାବେ ସେ ଫିଲ୍ମ ଜଗତରେ ପାଦ ଦେଇ ସଫଳ ହୋଇଥିଲେ । ଅଭିମନ୍ୟୁ ଦସାନି ଓ ଶିଳ୍ପା ସେଟ୍ଟୀ ଅଭିନୀତ ନିକମ୍ମାରେ ସେ ଶେଷ ଥର ଅଭିନୟ କରିଥିଲେ ।

ସିଇଓଙ୍କୁ ଭେଟିଲା ବିଜେଡି ଟିମ୍, ଅପରାଧିଙ୍କୁ ଗିରଫ ଦାବି

ଭୁବନେଶ୍ୱର: ପଦମପୁର ଉପନିର୍ବାଚନ ବେଳେ ବିଜେପି କର୍ମୀଙ୍କ ଦ୍ୱାରା ହୋଇଥିବା ଗୁଣ୍ଡାଗର୍ଦ୍ଦିକୁ ନେଇ ସିଇଓଙ୍କୁ ଭେଟିଲା ବିଜେଡି ଟିମ୍  । ଦହିଗାଁ ପଞ୍ଚୟତରେ ସଂଜୁ ବରିହାଙ୍କୁ ବିଜେପି ନେତା ରିଙ୍କୁ ମେହେର ଏବଂ ଅନ୍ୟମାନେ ମରଣାନ୍ତକ ଆକ୍ରମଣ କରିଥିଲେ  । ଫଳରେ ଗୁରୁତର ହୋଇପଡିଥିଲେ ସଂଜୁ ବରିହା  । ବିଜେଡି ରାଲିରେ ଯିବା ସହ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ନାଁରେ ସ୍ଲୋଗାନ ପକାଇଥିବାରୁ ବିଜେପି ନେତାମାନେ ଆକ୍ରମଣ କରିଥିଲେ  । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରି ଆଜି ସିଇଓଙ୍କୁ ଭେଟିଛନ୍ତି ବିଜେଡି ଟିମ୍  ।

ଟିମରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଏବଂ ଉପସିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ  । ବିଜେଡି ନେତ୍ରୀ ସଞ୍ଜୁ ବରିହାଙ୍କ ଉପରେ ଆକ୍ରମଣ କରିଥିବା ବିଜେପି କର୍ମୀ ରିଙ୍କୁ ମେହରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି ପ୍ରତିନିଧି ମଣ୍ଡଳୀ । ନିର୍ବାଚନ କମିଶନଙ୍କ ଉପରେ ବିଶ୍ବାସ ରହିଛି ଏବଂ ହିଂସା ବନ୍ଦ କରିବା ଲାଗି ଆକ୍ରମଣକାରୀଙ୍କୁ ଗିରଫ କରାଯାଉ ବୋଲି ପ୍ରତିନିଧି ମଣ୍ଡଳୀ ଦାବି କରିଛନ୍ତି ।

ଦାବିପତ୍ରରେ ଦର୍ଶାଯାଇଛି, ଗତ ୨୪ ତାରିଖରେ ବିଜେଡି କର୍ମୀ ସଞ୍ଜୁ ବରିହାଙ୍କୁ ଦହିଗାଁ ପଞ୍ଚାୟତ ଅନ୍ତର୍ଗତ ବୁବୁଡ଼ା ଗାଁରେ ବିଜେପିର ରିଙ୍କୁ ମେହର ମରଣାନ୍ତକ ଆକ୍ରମଣ କରିଥିଲେ । ସଞ୍ଜୁ ବର୍ତ୍ତମାନ ଭିମସାରରେ ଚିକିତ୍ସାଧୀନ ଅଛନ୍ତି । ଏହି ଆକ୍ରମଣରେ ଜଡ଼ିତ ରିଙ୍କୁ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବିଜେଡି ଦାବି କରିଛି ।