ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନ, ସକାଳ ୯ଟା ୧୦ମିନିଟରେ ପ୍ରଭୁ ଲିଙ୍ଗରାଜଙ୍କୁ କରିବେ ଦର୍ଶନ

1 min read

ଭୁବନେଶ୍ୱର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନ । ଆଜି ସକାଳ ୯ଟା ୧୦ ମିନିଟରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଯାଇ ମହାଦେବକୁ ଦର୍ଶନ କରିବେ ମହାମହିମ । ମହାଦେବଙ୍କ ନିକଟରେ ବିଶ୍ବବାସୀଙ୍କ ମଙ୍ଗଳକାମନା କରିବେ ରାଷ୍ଟ୍ରପତି । ସକାଳ ୯ଟା ୪୫ରୁ ୫୦ ଭିତରେ ଲିଙ୍ଗରାଜ ମନ୍ଦିରରୁ ବିମାନ ବନ୍ଦର ଯିବେ । ସେଠାରୁ କଟକ ଗସ୍ତ କରି ବିଦ୍ୟାଧରପୁର ସ୍ଥିତ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ଦ୍ୱିତୀୟ ଜାତୀୟ ଧାନ କଂଗ୍ରେସ ସମ୍ମିଳନୀକୁ ଉଦଘାଟନ କରିବେ ।

ସକାଳ ୧୦ଟା ୪୫ରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ NRRI ପରିସରରେ ପହଞ୍ଚିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କାରକେଡ ରିହର୍ସଲ ସହ ପୋଲିସ ବ୍ରିଫିଙ୍ଗ ଶେଷ ହୋଇଛି । ହେଲିପ୍ୟାଡଠାରୁ ଅଡିଟୋରିୟମ ହଲ ଯାଏ ସବୁଠି କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ୨୦ ପ୍ଲାଟୁନ ଫୋର୍ସ ସହ ୧୦୦ରୁ ଅଧିକ ପୋଲିସ ଅଫିସର ମଧ୍ୟ ନିୟୋଜିତ ହୋଇଛନ୍ତି । ରାଷ୍ଟ୍ରପତିଙ୍କ ବ୍ଲୁ ବୁକ ଅନୁଯାୟୀ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।