ଗଞାମ ଜିଲ୍ଲାରେ BSKY କାର୍ଯ୍ୟାୟନର ସମୀକ୍ଷା

ଗଞାମ: ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟାୟନ ବିଷୟରେ କ୍ଷେତ୍ରସ୍ତରୀୟ ସମୀକ୍ଷା କରାଯାଇଛି । ରାଜ୍ୟ ସ୍ବାସ୍ଥ୍ୟ ପ୍ରତିଶୃତି ସୋସାଇଟିର ଅତିରିକ୍ତ ନିର୍ଦେଶକ ଡ଼ାକ୍ତର ବିଷ୍ଣୁ ପ୍ରସାଦ ମହାପାତ୍ର ଇତି ମଧ୍ୟରେ ଗଞାମ ଜିଲ୍ଲା ଗସ୍ତ କରି ବି.ଏସ.କେ.ୱାଇ. ଅନୁବନ୍ଧିତ ଘରୋଇ ହସ୍ପିଟାଲମାନଙ୍କରେ ଭିତ୍ତିଭୂମି, ଆଧୁନିକ ଚିକିତ୍ସା ଉପକରଣ, ରୋଗୀମାନଙ୍କ ପାଇଁ ଦେୟମୁକ୍ତ ଆଡମିଶନ୍ ଓ ଚିକିତ୍ସା, ଆନୁସଙ୍ଗିକ ସୁବିଧା, ବି.ଏସ.କେ.ୱାଇ. କାଉଣ୍ଟର ଏବଂ ଫଳକ ସୁଦୃଶ୍ୟ ସ୍ଥାନରେ ସ୍ଥାପନ ଆଦି ବିଷୟ ଅନୁଧ୍ୟାନ କରିବାସହ ରୋଗୀମାନଙ୍କ ସହ ସିଧାସଳଖ ଆଲୋଚନା କରି ଡ଼ାକ୍ତରଖାନାରେ ସେମାନଙ୍କୁ ମିଳୁଥିବା ଚିକିତ୍ସା, ଔଷଧ ଓ ଖାଦ୍ୟ ବିଷୟ ବୁଝିଥିଲେ ।

ଏହି ଗସ୍ତ କାଳରେ ଡ଼ାକ୍ତର ମହାପାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଅନୁବନ୍ଧିତ ହସ୍ପିଟାଲର ଡ଼ାକ୍ତର, ବି.ଏସ୍.କେ.ୱାଇ. ଜିଲ୍ଲା ସଂଯୋଜକ ଏବଂ ସ୍ବାସ୍ଥ୍ୟମିତ୍ରମାନଙ୍କ ସହ ଆଲୋଚନା କରିଥିଲେ । ଅନୁବନ୍ଧିତ ହସ୍ପିଟାଲମାନଙ୍କୁ ନିୟମିତ ଯାଇ ଦେୟମୁକ୍ତ ଚିକିତ୍ସା ସୁଗମ କରାଇବା ନିମନ୍ତେ ଜିଲ୍ଲା ସଂଯୋଜକମାନଙ୍କୁ ନିର୍ଦେଶ ଦେଇଥିଲେ । ପ୍ରାପ୍ତ ସୂଚନାରୁ ଜଣାପଡିଛି, ଗଞାମ ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ଆସ୍ଥା, ଆୟୁଷ, ଶଙ୍କର ଚକ୍ଷୁ ଚିକିତ୍ସା, ସତ୍ୟସାଇ, ନିଉ କଳିଙ୍ଗ, ନିଉ ନୀଳାଚଳ, ଅମୀତ ଭେଷଜ ପ୍ରତିଷ୍ଠାନ ଓ ହସ୍ପିଟାଲ, କେ.ଜି.ଏନ୍ ସ୍ପର୍ଶ୍ପ, ମଡ଼ର୍ଣ୍ଣ ଚକ୍ଷୁ କେନ୍ଦ୍ର, ସପ୍ତଗିରି  ।

ଜଗନ୍ନାଥ ଓ ଶ୍ରୀ ଆଦି ୩୫ ଟି ଘରୋଇ ସ୍ପେସାଲିଟି ଓ ସୁପରସ୍ପେସାଲିଟି ହସ୍ପିଟାଲ ବି.ଏସ.କେ.ୱାଇ. ଅନୁବନ୍ଧିତ ହୋଇଛନ୍ତି । ଚଳିତ ବର୍ଷ ଜାନୁଆରୀ ଶେଷସୁଦ୍ଧା ଏହି ସବୁ ହସ୍ପିଟାଲରେ ଗଞାମ ଜିଲ୍ଲାର ବିଭିନ୍ନ ଗ୍ରାମରୁ ୭୮୫୦୦ ଲୋକ ଦେୟମୁକ୍ତ ଚିକିତ୍ସା ଲାଭ କରିଛନ୍ତି । ସେମାନଙ୍କର ଚିକିତ୍ସା ବାବଦରେ ରାଜ୍ୟ ସରକାର ପ୍ରାୟ ୧୬୩.୬୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ବିନିଯୋଗ କରିଛନ୍ତି ।

ଅନୁଧ୍ୟାନରୁ ଜଣାପଡ଼ିଥିଲା ଯେ ବର୍ତ୍ତମାନ ଅନୁବନ୍ଧିତ ଘରୋଇ ହସ୍ପିଟାଲମାନଙ୍କରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ୮୦% ରୁ ଉର୍ଦ୍ଧ୍ଵ ବି.ଏସ୍.କେ.ୱାଇ କାର୍ଡ଼ଧାରୀ । ଏହି କ୍ଷେତ୍ରସ୍ତରୀୟ ସମୀକ୍ଷା ସମୟରେ ରୋଗୀ ଏବଂ ତାଙ୍କର ସଂପର୍କୀୟମାନେ ଅନୁବନ୍ଧିତ ହସ୍ପିଟାଲମାନଙ୍କରେ ମିଳୁଥିବା ଚିକିତ୍ସା ଏବଂ ସୁବିଧା ବିଷୟରେ ସନ୍ତୋଷବ୍ୟକ୍ତ କରିବା ସହ ଏପରି ଅତି ଉପଯୋଗୀ ଯୋଜନା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ ।