ଚାଲିଗଲେ ବାପା-ମାଆ, ବଞ୍ଚିଗଲା ୧୫ ମାସର ଶିଶୁ…

1 min read

ବଲାଙ୍ଗୀର: ଇଏ ଏମିତି ଏକ ମୃତ୍ୟୁ । ଇଏ ଏମିତି ଏକ ଦୁର୍ଘଟଣା । ଯାହାକୁ ବର୍ଣ୍ଣନା କରିବା ଦୂରର କଥା ବରଂ ମନରେ ଭାବିବାକୁ ବି ସାହାସ ଜୁଟୁନି । ହୁଏତ ମୃତ୍ୟୁର ଅନେକ କାହାଣୀ ଶୁଣିଥିବେ । କିନ୍ତୁ ଏ କାହାଣୀ କିଛି ଭିନ୍ନ । ବାପା ଚାଲିଗଲେ, ପରେ ପରେ ମାଆ ଓ ଭଉଣୀ ବି । ଆଖି ବୁଜି ଆରପାରିକୁ ଚାଲିଗଲେ ୩ ଜଣ । ହେଲେ ମୃତ୍ୟୁକୁ ମାତ ଦେଇ ବଞ୍ଚିଯାଇଛି ୧୫ ମାସର ଶିଶୁ ପୁତ୍ର ।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଉଡାର ଗାଁର ଏ ଦୃଶ୍ୟ ଆଜି ସମସ୍ତଙ୍କୁ କନ୍ଦାଉଛି । ସମ୍ପର୍କୀୟଙ୍କ ବାହାଘରକୁ ଯିବାବେଳେ ବାଟରେ ଛିକିଥିଲା ମୃତ୍ୟୁ । ଗାଁର ସରୋଜ ପଶାୟତ ହସଖୁସିରେ ସପରିବାର ବାଇକରେ ଯାଉଥିଲେ । ଟିଟିଲାଗଡ଼ ରାସ୍ତା ସିନଖମନ ଛକଠାରେ ଧକ୍କା ଦେଇଥିଲା ବସ୍ । ସରୋଜ ବାଇକ୍ ଚଳାଉଥିବା ବେଳେ ଆଗରେ ଝିଅ, ପଛରେ ପତ୍ନୀ ଓ 15 ମାସର ପୁଅ ବସିଥିଲେ ।

ଦୁର୍ଘଟଣାରେ ସରୋଜଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ କରିସ୍ମା ଓ ଦୁଇ ସନ୍ତାନ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ମାଆ ଓ ଭଉଣୀ । ବାଇକରେ ଥିବା ଚାରି ଜଣଙ୍କ ମଧ୍ୟରୁ 3ଜଣ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ 15 ମାସର ଶିଶୁପୁତ୍ର ଚିକିତ୍ସିତ ପରେ ଆଜି ଘରକୁ ଫେରିଛି I ଦୁଃଖଦ ମୃତ୍ୟୁ ପରେ ଉଡାର ଗାଁରେ ଶୋକର ଛାୟା ଖେଳିଯାଇଛି ।