spot_img
Home Blog Page 3680

ପଦମପୁର ଉପନିର୍ବାଚନ: ଘରକୁ ଘର ବୁଲି ଆଶୀର୍ବାଦ ମାଗୁଛନ୍ତି ବର୍ଷା

ପଦମପୁର: ସମୟ ପାଖଉଛି, ଟେନସନ ବଢୁଛି । ପଦମପୁର ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି ୩ ପ୍ରମୁଖ ଦଳଙ୍କ ପ୍ରାର୍ଥୀ । ଘରକୁ ଘର ବୁଲି ଭୋଟ ହାତେଇବାକୁ କସରତ କରୁଛନ୍ତି ସବୁ ଦଳ । ବିଭିନ୍ନ ସ୍ଥାନରେ ବିରାଟ ସମାବେଶ କରି ଲୋକଙ୍କ ଜନ ସମର୍ଥନ ବୃଦ୍ଧି କରୁଛି ବିଜେଡି । ପ୍ରତି ଗାଁରେ ସମସ୍ତଙ୍କ ଘରକୁ ଯାଇ ଆଶୀର୍ବାଦ ମାଗୁଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ।

ଆଜି ଏନଏସିରେ ଚାଲିଛି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ମାରାଥନ ପ୍ରଚାର । ୧୧ ନମ୍ବର ଓ୍ବାର୍ଡରେ ଘରକୁ ଘର ବୁଲି ଆଶୀର୍ବାଦ ଲୋଡୁଛନ୍ତି ବର୍ଷା । ପୁରୁଖା ନେତା ଓ ମନ୍ତ୍ରୀଙ୍କ ସହିତ ଚାଲିଛି ପ୍ରଚାର । ପ୍ରଚାର ରାଲି ଓ ସଭାରେ ହଜାର ହଜାର ସଂଖ୍ୟାରେ ସମର୍ଥକ ହୋଇଛନ୍ତି ସାମିଲ ।

ନିର୍ବାଚନୀ ପ୍ରଚାର ସଭାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି ବର୍ଷା । ସରକାର ଓ ଲୋକଙ୍କ ମଧ୍ୟରେ ସମ୍ପର୍କର ସେତୁ ହେବାକୁ ପ୍ରତିଶ୍ରୁତି ଦେଉଛନ୍ତି ବର୍ଷା । ସେପଟେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଜୋରସୋରରେ ପ୍ରଚାର ଚଳାଇଛନ୍ତି । ଗାଁରୁ ଗାଁ ବୁଲି ଲୋକଙ୍କ ସମର୍ଥନ ପାଇଁ ଦେଉଛନ୍ତି ପ୍ରତିଶ୍ରୁତି ।

ପୁରୀ: ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନର ହେବ ସ୍ଥାୟୀ ସମାଧାନ

ପୁରୀ: ଶ୍ରୀମନ୍ଦିରରେ ଏଏସଆଇ ଟିମ୍ । କରିବେ ନାଟମଣ୍ଡପ ଓ ଜଗମୋହନର ସ୍ଥିତି ଅନୁଧ୍ୟାନ । ଏହାସହ ବାହାର କରିବେ ନାଟମଣ୍ଡପ ଓ ଜଗମୋହନର ସ୍ଥାୟୀ ସମାଧାନ । ଏଥିଲାଗି ଦିଲ୍ଲୀ ସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ମୁଖ୍ୟ ଦପ୍ତରରୁ ଏକ ଉଚ୍ଚକ୍ଷମତା ସମ୍ପନ୍ନ ବିଶେଷଜ୍ଞ କମିଟି ଶ୍ରୀମନ୍ଦିର ପରିଦର୍ଶନ କରୁଛନ୍ତି ।

ବିଶେଷଜ୍ଞ କମିଟିର ଗସ୍ତ ନେଇ ମନ୍ଦିର ଭିତରେ ଓ ବାହାରେ ପୂର୍ବରୁ ଭାରା ବନ୍ଧା ସରିଛି । ନାଟମଣ୍ଡପର ଗରୁଡ଼ ସ୍ତମ୍ଭ ପାର୍ଶ୍ଵ, କଲମ ତଥା ଛାତକୁ ଧରି ରଖିଥିବା ବିମରେ ୨୦୧୮ ମସିହା ଜୁନ ମାସରୁ ଫାଟ ଦେଖାଦେଇଛି । ଏହି ଫାଟକୁ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ନିୟୋଜିତ କୋର୍‌ କମିଟି ଠାବ କରିଥିଲା । ସେହିଦିନରୁ ଫାଟ ମେଲୁଛି କି ନାହିଁ, ଫାଟର କିଭଳି ମରାମତି ହେବ ତାହାର କୌଣସି ନିର୍ଯ୍ୟାସ ବାହାରି ପାରିନାହିଁ । ତେବେ ଫାଟ ସେହିଦିନରୁ ଅଧିକ ମେଲୁଛି ନାଁ ନାହିଁ, ତାହାର ଯାଞ୍ଚ ପାଇଁ ସେହି ସ୍ଥାନରେ ଏକ କ୍ରାକ୍ ମିଟର ଲଗାଯାଇଥିଲା । ଏହି ମିଟର ଅନଲାଇନରେ ଡାଟା ସଂଗ୍ରହ କରୁଥିବା ବେଳେ ଏହାର ଯାଞ୍ଚ କରାଯିବ । ବର୍ତ୍ତମାନ ସୁଦ୍ଧା କ୍ରାକ୍ ମିଟର ଦ୍ଵାରା ବିମ୍ ଫାଟର ସ୍ଥିତି କ’ଣ ରହିଛି ତାର ତର୍ଜମା ହୋଇପାରିନି ।

ଲଞ୍ଚ ହେଲା ଓଡ଼ିଶା ମହିଳା ଫୁଟବଲ ଲିଗ୍ ଜର୍ସି

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଲଞ୍ଚ ହେଲା ଓଡିଶା ମହିଳା ଫୁଟବଲ ଲିଗ୍ ଜର୍ସି । ଆଜିଠାରୁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଓଡିଶା ମହିଳା ଫୁଟବଲ୍ ଲିଗ୍ । ଓଡିଶା ଫୁଟବଲ ଆସୋସିଏସନ ଓ ଓଡିଶା କ୍ରୀଡା ବିଭାଗ ଦ୍ବାରା ଏହି ପ୍ରତିଯୋଗିତା ଆୟୋଜିତ ହେବ ।

ଗତକାଲି କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ଫାଓର ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଉପସ୍ଥିତିରେ କଳିଙ୍ଗ ଷ୍ଟାଡିୟମରେ ଜର୍ସି ଲଞ୍ଚ୍‌ ହୋଇଛି । ଆଜିଠାରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇ ଡିସେମ୍ବର ୨୧ ତାରିଖ ଯାଏଁ ଚାଲିବ । ପ୍ରତିଯୋଗିତାରେ ୩୦ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ଓଡ଼ିଶାର ଶ୍ରେଷ୍ଠ ୬ ଟିମ୍ ଅଂଶଗ୍ରହଣ କରିବେ ।

ଭାରତରେ ବନ୍ଦ ହେବ ଆମାଜନ

ନୂଆଦିଲ୍ଲୀ: ଆଜିକାଲି ଇ-କମର୍ସର ଯୁଗ । ଘରେ ବସି ଅନଲାଇନରେ ଛୋଟରୁ ବଡ଼ ଯାହା କିଛି ଆବଶ୍ୟକ ମଗାଇ ପାରୁଛନ୍ତି ଲୋକେ । ଏହି କ୍ଷେତ୍ରରେ ସ୍ବିଗି, ଜୋମାଟୋ ଓ ଆମାଜନର ସର୍ଭିସ ଲୋକଙ୍କ ମଧ୍ୟରେ ବେଶ ଆଦୃତ । ହେଲେ ଏହି ଇ-ସର୍ଭିସକୁ ନେଇ ଭାରତୀୟ ଗ୍ରାହକଙ୍କୁ ପାଇଁ ଏକ ଖରାପ ଖବର ଆସିଛି । ଖବରଟି ହେଲ, ଭାରତରେ ବନ୍ଦ ହେବାକୁ ଯାଉଛି ଆମାଜନର ସର୍ଭିସ୍ । ଆମାଜନ୍ ଇଣ୍ଡିଆ ତରଫରୁ ଏହି ଘୋଷଣା କରାଯାଇଛି । ଆସନ୍ତା ମାସ ୨୯ ତାରିଖରୁ ଭାରତରେ ବନ୍ଦ ହେବାକୁ ଯାଉଛି ଆମାଜନ ଫୁଡ୍ ସର୍ଭିସ ।

କରୋନା କାଳରେ ୨୦୨୦ରେ ଆମାଜନ ଫୁଡ୍ ସର୍ଭିସ ଲଞ୍ଚ କରାଯାଇଥିଲା । ଏହି ସର୍ଭିସ ମାଧ୍ୟରେ ଲୋକଙ୍କ ଘରେ ଖାଇବା ପହଞ୍ଚା ଯାଉଥିଲା । ଏହା ମାଧ୍ୟମରେ ଆମାଜନ୍ ସ୍ବିଗି ଓ ଜୋମାଟୋକୁ ଟକ୍କର ଦେବାକୁ ଲକ୍ଷ୍ୟ ରଖିଥିଲା । ବେଙ୍ଗାଲୁରୁରୁ ଆରମ୍ଭ ହୋଇଥିବା ଏହି ସର୍ଭିସ ପରବର୍ତ୍ତି ସମୟରେ ଦେଶର ଅନ୍ୟ ସହରରେ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ହେଲେ, ଏହା ଏତେ ପ୍ରଭାବଶାଳୀ ଭାବେ କାମ କରିନଥିଲା । ଏବେ କମ୍ପାନୀ ଏହାକୁ ବନ୍ଦ କରିବାକୁ ଯାଉଛି ।

ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଛି, ଆମାଜନ୍ ଫୁଡ ବନ୍ଦ ହେଲେ ବି ରେଷ୍ଟୁରାଣ୍ଟଙ୍କୁ ସମସ୍ତ ଦେୟ ପ୍ରଦାନ କରାଯିବ । ରେଣ୍ଟୁରାଣ୍ଟଗୁଡିକ ଆମାଜନ୍ ଟୁଲ୍ସ ଓ ରିପୋର୍ଟ ଅପସନ ୨୦୨୩ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ଏଥିପାଇଁ କମ୍ପାନୀ ପୂରା ଆସିଷ୍ଟେଣ୍ଟ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଦେବ ।

ସୂଚନାଯୋଗ୍ୟ, ଭାରତର ଛୋଟ ସହରଗୁଡ଼ିକରେ କମ୍ପାନୀ ସେତେଟା ପ୍ରଭାବ ପକାଇ ପାରିନି । ଏହି କାରଣରୁ କମ୍ପାନୀକୁ ଏମିତି ନିଷ୍ପତ୍ତି ନିଆଯାଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ଗ୍ରାହକ ଓ ପାର୍ଟନ୍ସଙ୍କ ହିତକୁ ଦୃଷ୍ଟିରେ ଏହାକୁ ବିଭିନ୍ନ ପର୍ଯ୍ୟାୟରେ ବନ୍ଦ କରାଯାଉଛି ।

ଡ୍ରାଇଭରଙ୍କୁ ମାରିଦେଲେ ମାଲିକ !

ଭୁବନେଶ୍ବର: ନୟାପଲ୍ଲୀ ନୂଆସାହିରେ ଡ୍ରାଇଭର ଶଙ୍କର ମହାରଣାଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ମୃତଦେହ ରଖି ମାଲିକଙ୍କ ଘର ଆଗରେ ପରିବାର ଲୋକଙ୍କ ଧାରଣା ।

ଅଭିଯୋଗ ଅନୁସାରେ, ନୟାପଲ୍ଲୀ କୃଷ୍ଣ କଲ୍ୟାଣ ନଗର ବସ୍ତିରେ ସପରିବାରେ ରହୁଥିଲେ ଶଙ୍କର । ଗତ ବୁଧବାର ଗାଡି ମାଲିକଙ୍କୁ ସାଙ୍ଗରେ ନେଇ ଯଶିପୁର ଯାଇଥିଲେ । ଶୁକ୍ରବାର ଶଙ୍କର ଫୋନ ନ ଉଠାଇବାରୁ ବଢିଥିଲା ସନ୍ଦେହ । ଗାଡି ମାଲିକ ହତ୍ୟା କରିଥିବା ସନ୍ଦେହରେ ଧାରଣା ଦେଇଛନ୍ତି ପରିବାର ଲୋକ । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ ।

ବାଘ ଆତଙ୍କ: ବାଛୁରୀକୁ ଟାଣି ନେଇ ମାରି ଦେଲା

ଆଠଗଡ଼: ଆଠଗଡ଼ ବନଖଣ୍ଡ ତିଗିରିଆ ସୋରିଷପାଳ ପାହାଡ଼ରେ ବାଘ ଆତଙ୍କ । ବାଛୁରୀକୁ ଟାଣି ନେଇ କଲରାପତରିଆ ବାଘ ମାରି ଦେଇଥିବା ସନ୍ଦେହ । ଘଟଣାସ୍ଥଳରେ ଆଠଗଡ଼ ଓ ତିଗିରିଆ ବନ ବିଭାଗ କର୍ମଚାରୀଙ୍କ ତଦନ୍ତ ଆରମ୍ଭ ।

ଆଖପାଖ ଗାଁଗୁଡିକୁ ବାଘ ମାତିବା ନେଇ ସତର୍କ କରାଇଛି ବନ ବିଭାଗ । ଜଙ୍ଗଲ ଭିତରକୁ ଗାଈ, ଛେଳି ନଛାଡିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଆଠଗଡ ରେଞ୍ଜର ।

ଏବେ ବାଘକୁ ନେଇ ଗାଁ ଗାଁରେ ଲୋକଙ୍କ ମଧ୍ୟରେ ଛାନିଆ । ଗତ କିଛି ମାସ ତଳେ ଏହି ଜଙ୍ଗଲରେ ଶିକାରୀର ଫାଶରେ ପଡି ଏକ କଲରା ପତରିଆ ବାଘର ମୃତ୍ୟୁ ଘଟିଥିଲା ।

ଏମ୍ସର ‘ଅଙ୍ଗ ଦାନ ସଚେତନତା’ ରାଲି

ଭୁବନେଶ୍ବର: ଏମ୍ସ ଭୁବନେଶ୍ୱରରେ ସର୍ଜିକାଲ୍ ଗ୍ୟାଷ୍ଟ୍ରୋ ଏଣ୍ଟେରୋଲୋଜି ବିଭାଗ ପକ୍ଷରୁ  ‘ଅଙ୍ଗଦାନ ସଚେତନତା’ ୱାକାଥନ୍ । ହକି ଇଣ୍ଡିଆ ଅଧ୍ୟକ୍ଷ ତଥା ବିଶିଷ୍ଟ ହକି ତାରକା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଅଙ୍ଗ ଦାନ ଭଳି ମହତ କାର୍ଯ୍ୟ ନିମନ୍ତେ ଏମ୍ସ ପ୍ରୟାସ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ । ଅଙ୍ଗ ଦାନ ବର୍ତ୍ତମାନ ସମୟର ବିରାଟ ଆବଶ୍ୟକତା ଏବଂ ଏନେଇ ରହିଥିବା ନାନା ଅନ୍ଧବିଶ୍ୱାସକୁ ଦୂର କରିବାରେ ଏମ୍ସ ଭୁବନେଶ୍ବର ଛାତ୍ରଛତ୍ରୀ କାର୍ଯ୍ୟ କରିବେ ବୋଲି ସେ ଆହ୍ୱାନ ଦେଇଥିଲେ । ଏହି ୱାକାଥନରେ ପ୍ରାୟ ଏକ ହଜାରରୁ ଅଧିକ ମେଡିକାଲ୍ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଏମ୍ସ କର୍ମଚାରୀ ଅଂଶ୍ରହଣ କରିଥିଲେ ।

ୱାକାଥନରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ, ମେଡିକାଲ୍ ଅଧୀକ୍ଷକ ପ୍ରଫେସର ଏସ୍ ଏନ ମହାନ୍ତି, ଡିନ୍ ଡକ୍ଟର ପି ଆର ମହାପାତ୍ର, କୁଳସଚିବ ବି ବି ମିଶ୍ର, ଡ. ପ୍ରଭାସ ରଂଜନ ତ୍ରିପାଠୀ, ଡ. ସଞ୍ଜୟ ଗିରି, ଡିଡିଏ ରଶ୍ମି ରଂଜନ ସେଠୀ, ନର୍ସିଂ କଲେଜ ଅଧ୍ୟକ୍ଷା ଆଶା ପି ସେଟ୍ଟି, ଡ. ପ୍ରଶାନ୍ତ ନାୟକ, ଡ. ସୁବ୍ରତ ସାହୁ, ଡ. ହେମନ୍ତ ନାୟକଙ୍କ ସମେତ ଅନେକ ଅଧ୍ୟାପକ ଅଧ୍ୟାପିକା,

ସରକାରୀ କ୍ଷେତ୍ରରେ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ଆରମ୍ଭ କରିଥିବା ପ୍ରଫେସର ଭିନିଏନ୍ଦ୍ର ପାମେଚା ପ୍ରମୁଖ ଅଂଶଗ୍ରହଣ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏମ୍ସ ଭୁବନେଶ୍ୱର ସର୍ଜିକାଲ୍ ଗ୍ୟାଷ୍ଟ୍ରୋ ଏଣ୍ଟେରୋଲୋଜି ବିଭାଗ ସହକାରୀ ପ୍ରଫେସର ତଥା କାର୍ଯ୍ୟକ୍ରମ ସଂଗଠନ ସମ୍ପାଦକ ଡକ୍ଟର ବ୍ରହ୍ମଦତ୍ତ ପଟ୍ଟନାୟକ ୱାକାଥନର ସଫଳତା ନିମନ୍ତେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

କେନ୍ଦୁପତ୍ର ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୫ଟା ୩୦ରେ ଲୋକସେବା ଭବନ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ହେବ କାର୍ଯ୍ୟକ୍ରମ ।

ସୂଚନାଯୋଗ୍ୟ, କେନ୍ଦୁପତ୍ର ତୋଳାଳିଙ୍କ ପାଇଁ କାଳ ପାଲଟିଛି କେନ୍ଦ୍ରର ନିୟମ । ଜିଏସଟି ଭାଙ୍ଗି ଦେଲାଣି କେନ୍ଦୁପତ୍ର ତୋଳାଳିଙ୍କ ଅଣ୍ଟା । ବାରମ୍ବାର ଦାବି ପରେ ବି କେନ୍ଦ୍ର ଜିଏସଟି ଉଠାଉନି । ତେଣୁ କେନ୍ଦୁପତ୍ର ତୋଳାଳିଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଆଜି ସହାୟତା ରାଶି ବଣ୍ଟନ କରୁଛନ୍ତି ।

ଗତ ବୁଧବାର ସହାୟତା ରାଶି ବଣ୍ଟନ କରାଯିବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ପ୍ରତି ତୋଳାଳିଙ୍କୁ ୧୦୦୦ ଟଙ୍କା ଏବଂ ପ୍ରତ୍ୟେକ ସିଜିନାଲ ଷ୍ଟାଫ ଓ ବନ୍ଧାଳିଙ୍କୁ ୧୫୦୦ ଟଙ୍କା ଲେଖାଏଁ  ଦିଆଯିବ । ସେମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ । କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ପିଲାଙ୍କୁ ବୃତ୍ତି ପ୍ରଦାନ କରାଯିବ । ମେଧାବୀ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାସ୍ତରରେ ପୁରସ୍କୃତ କରାଯିବ । ସର୍କଲ ଚେକର୍ସ ଓ ବାଇଣ୍ଡିଂ ଚେକର୍ସଙ୍କ ଗ୍ରାଚୁଇଟି ଦେୟ ୭ ଦିନରୁ ବୃଦ୍ଧି କରି ୧୫ ଦିନ କରାଯିବ । ସମସ୍ତ ତୋଳାଳିଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ ।

କେନ୍ଦୁପତ୍ରରୁ ଜିଏସଟି ହଟାଇବାକୁ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୮ରେ ମଧ୍ୟ ତତକାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଚିଠି ଲେଖି ଜିଏସଟି ହଟାଇବା ଦାବି କରିଥିଲେ ନବୀନ । ହେଲେ କେନ୍ଦ୍ର ଗରିବ କେନ୍ଦୁପତ୍ର ତୋଲାଳି ଓ କର୍ମଚାରୀଙ୍କ ଦାବିକୁ ସମ୍ମାନ ଦେଉନି । ରାଜ୍ୟରେ ୮ ଲକ୍ଷ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ଅଛନ୍ତି । ବହୁ  ଜନଜାତି ମାଆମାନେ ମଧ୍ୟ କେନ୍ଦୁପତ୍ର ତୋଳିବା କାମରେ ନିୟୋଜିତ ହୋଇଛନ୍ତି ।

୭୦ ଫୁଟ ଉଚ୍ଚା ଆକାଶରେ ବାହାଘର

ଭିଲାଇ: ଜୀବନରେ ଥରେ ବିବାହ ହୋଇଥାଏ । ଆଉ ଏହି ବାହାଘରକୁ ସମସ୍ତେ ସ୍ମରଣୀୟ କରିବାକୁ ଚାହିଁଥାନ୍ତି । ଏଥିପାଇଁ ବିଭିନ୍ନ ପ୍ରକାର ଆୟୋଜନ କରାଯାଇଥାଏ । ସେମିତିରେ ତ ପ୍ରାୟ ସବୁ ବିବାହର ପ୍ରଥା ଗୋଟିଏ ପ୍ରକାର ରହିଥାଏ । ହେଲେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ବିବାହରେ କିଛି ନୂଆ କରିବାକୁ ଚାହିଁଥାନ୍ତି । ଏଇ ଯେମିତି, ୭୦ ଫୁଟ ଉପରେ ଆକାଶରେ ବିବାହ କରିବା । ଆଜ୍ଞା ହଁ, ଦେଶରେ ଏବେ ଏହି ବିବାହକୁ ନେଇ ବେଶ ଚର୍ଚ୍ଚା ଚାଲିଛି । ଏୟାର ବେଲୁନରେ ୭୦ ଫୁଟ ଉପରେ ବରକନ୍ୟା ପରସ୍ପରକୁ ବରମାଳା ପିନ୍ଧାଇ ଜନ୍ମ ଜନ୍ମାନ୍ତର ପାଇଁ ସାଥୀ ହୋଇ ରହିବାକୁ ପ୍ରତିଜ୍ଞା କରିଛନ୍ତି ।

ଘଟଣାଟି ଛତିଶଗଡ଼ର ଇସ୍ପାତ ସହର ଭେଲାଇର । ଏଠାରେ କନ୍ୟାପିତା ଅବଧେଶ ପାଣ୍ଡେ ଝିଅ ପ୍ରୀତିଙ୍କ ବିବାହକୁ ଭିନ୍ନ ପ୍ରକାର କରିବାକୁ ଚାହୁଁଥିଲେ । ଏଥିପାଇଁ ସେ ରାଜସ୍ଥାନରୁ ଏୟାର ବେଲୁନ ମଗାଇଥିଲେ ।

ଏ ବେଲୁନ ଏତେ ବଡ଼ ଥିଲା ଯେ, ଏଥିପାଇଁ ଏକ ବଡ଼ ପଡ଼ିଆର ଆବଶ୍ୟକତା ଥିଲା । ଏଥିପାଇଁ ସେକ୍ଟର-୭ ଦଶହରା ପଡ଼ିଆରେ ବିବାହ ଉତ୍ସବ ଆୟୋଜନ କରାଯାଇଥିଲା । ମଧ୍ୟରାତ୍ରୀରେ ବେଲୁନଟି ବରକନ୍ୟାକୁ ନେଇ ଆକାଶକୁ ଉଠିଥିଲା । ପ୍ରାୟ ୭୦ ଫୁଟ ଉପରକୁ ଯିବା ପରେ ବରକନ୍ୟା ପରସ୍ପରକୁ ବରମାଳା ପିନ୍ଧାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ଏୟାର ବେଲୁନ ଯେତିବେଳେ ବରକନ୍ୟାଙ୍କୁ ଧରି ଉଡିବା ଆରମ୍ଭ କରିଥିଲା ଲୋକେ ଏହାକୁ ଦେଖିବାକୁ ନିଜ ନିଜ ଛାତ ଉପରକୁ ଚାଲି ଆସିଥିଲେ । ଆଖପାଖର ପ୍ରାୟ ସବୁ ଛାତ ଭରି ଯାଇଥିବା ଦେଖିବାକୁ ମିଳିଥିଲା ।

ବିବାହକୁ ନେଇ ଅବଧେଶ କହିଛନ୍ତି, ଝିଅକୁ ଆମେ ପରି ଭାବିଥାଉ । ଏଥିପାଇଁ ପରିର ବାହାଘର ମାଟି ଓ ଆକାଶ ମଝିରେ କରିବାକୁ ଚାହିଁଥିଲି ।

ଜାଡ଼ରେ ଥରୁଛି ଓଡ଼ିଶା: ମର୍ଣ୍ଣିଂଓ୍ବାକକୁ ଚା’ ଷ୍ଟଲରେ ଭିଡ଼

ଭୁବନେଶ୍ବର: ପ୍ରବଳ ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ସନ୍ଧ୍ୟା ପରେ ଜନଶୂନ୍ୟ ହୋଇଯାଉଛି ରାସ୍ତାଘାଟ । ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାକୁ ଜାଡ଼ ଫେରିଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆହୁରି ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ କମୁଥିବାରୁ ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।

ସକାଳୁ ସକାଳୁ ଘନ କୁହୁଡି ଦେଖିବାକୁ ମିଳୁଛି । କିଛି ସ୍ଥାନରେ କୁହୁଡି ଏମିତି ସ୍ଥିତି ସୃଷ୍ଟି କରିଛି ଯେ, ୫ ହାତ ଦୂରକୁ ଦେଖିବା ମଧ୍ୟ ଅସମ୍ଭବ ହୋଇଯାଉଛି । ବିଶେଷ କରି ଭୋରୁ ଭୋରୁ ଯାତାୟତ କରୁଥିବା ଗାଡ଼ି ଚାଳକଙ୍କୁ ସମସ୍ୟା ହେଉଛି । ଅନ୍ୟପକ୍ଷରେ ଶୀତୁଆ ସକାଳରେ ପାର୍କ, ପଡ଼ିଆରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି । ମର୍ଣ୍ଣିଂ ଓ୍ବାକରେ ଲୋକେ ବାହାରିବା ସହ ଗରମ ଗରମ ଚା’ ପିଇବାର ମଜା ନେଉଛନ୍ତି । ପାର୍କରେ ଲୋକେ ଓ୍ବାର୍ଣ୍ଣଅପ୍ କରୁଥିବା ଦେଖିବାକୁ ମିଳୁଛି । ସେହିପରି ପଡ଼ିଆରେ ପିଲାମାନେ ବିଭିନ୍ନ ପ୍ରକାର ଖେଳ ଖେଳି ଶୀତ ଛଡ଼ାଉଥିବା ଦେଖିବାକୁ ମିଳୁଛି ।