ଚୀନ ସ୍ପାଏ ବେଲୁନ ପରେ ଆଲାସ୍କାରେ ଉଡନ୍ତା ବସ୍ତୁକୁ ଖସାଇଲା ଆମେରିକା, ୪୦ ହଜାର ଫୁଟରେ ଉଡୁଥିଲା ସନ୍ଦିଗ୍ଧ ବସ୍ତୁ

1 min read

ଓ୍ୱାଶିଂଟନ: ଚୀନର ସନ୍ଦିଗ୍ଧ ସ୍ପାଏ ବେଲୁନକୁ ଖସାଇବା ପରେ ଏବେ ଆଲାସ୍କା ଉପରେ ଉଡ଼ୁଥିବା ସନ୍ଦିଗ୍ଧ ବସ୍ତୁକୁ ଖସାଇଛି ଆମେରିକା । କିଛି ଦିନ ଧରି ଆଲାସ୍କା ସମେତ ଅନ୍ୟାନ୍ୟ ସ୍ଥାନରେ ଏହି ସନ୍ଦିଗ୍ଧ ବସ୍ତୁ ଉଡ଼ିବା ଯୋଗୁ ଚିନ୍ତାରେ ଥିଲା ଆମେରିକା । ହ୍ୱାଇଟ ହାଉସ ନ୍ୟାସନାଲ ସିକ୍ୟୁରିଟି କାଉନସିଲ ମୁଖପାତ୍ର ଜନ୍ କିର୍ବି କହିଛନ୍ତି- ଏହି ବସ୍ତୁଟିକୁ କିଏ ଛାଡ଼ିଥିଲା ଏବଂ ଏହାର ଉଦ୍ଦେଶ୍ୟ କ’ଣ ଥିଲା ତାହା ସ୍ପଷ୍ଟ ହୋଇପାରିନାହିଁ । ୪୦ ହଜାର ଫୁଟ ଉଚ୍ଚରେ ଏହା ଉଡ଼ୁଥିବା କାରଣରୁ ଆମେରିକାର ବେସାମରିକ ବିମାନ ଚଳାଚଳ କ୍ଷେତ୍ର ଲାଗି ବିପଦ ସୃଷ୍ଟି ହୋଇଥିଲା । ସନ୍ଦିଗ୍ଧ ବସ୍ତୁକୁ ଖସାଇବା ଲାଗି ରାଷ୍ଟ୍ରପତି ଜୋ ବାଇଡେନ ନିର୍ଦ୍ଦେଶ ଦେବା ପରେ ତାହାକୁ ଖସାଗଲା ବୋଲି କହିଛନ୍ତି କିର୍ବି ।

ଏକ ଛୋଟ କାର୍ ଆକାରର ବସ୍ତୁକୁ ଖସାଇବା ଲାଗି F-22 Raptor ଫାଇଟର ଜେଟରୁ AIM-9X ମିସାଇଲ ପ୍ରୟୋଗ କରାଯାଇଥିଲା ବୋଲି କହିଛନ୍ତି ପେଣ୍ଟାଗନ ମୁଖପାତ୍ର ବ୍ରିଗେଡିୟର ପାଟ୍ ରେଡର । ସେପଟେ ଆମେରିକାର କେତେକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି- ବିଶ୍ବର ୪୦ଟି ରାଷ୍ଟ୍ର ଉପରେ ବିଭିନ୍ନ ସନ୍ଦିଗ୍ଧ ବେଲୁନ ଉଡ଼ାଯାଇଛି । କେବଳ ଆମେରିକା ସୀମା ଭିତରେ ୪ଥର ଏହି ଧରଣର ବେଲୁନ ଉଡ଼ିବା ଠାବ କରାଯାଇଛି । ଗତ ୬ ଦିନ ତଳେ ଚୀନ ଛାଡ଼ିଥିବା ସ୍ପାଏ ବେଲୁନକୁ ମିସାଇଲ ମାଡ଼ରେ ଖସାଯିବା କାରଣରୁ ଆମେରିକା ଓ ଚୀନ ମଧ୍ୟରେ ବଢ଼ିଥିଲା କୂଟନୈତିକ ବିବାଦ । ଏପରିକି ଏହାକୁ ନେଇ ବେଜିଂ ଗସ୍ତ ବାତିଲ କରିଥିଲେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ।