ଭୁବନେଶ୍ୱର: ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପାଇଁ ସରକାରଙ୍କ ବଡ଼ ଘୋଷଣା । ଏବେ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ । ଏନେଇ ବିଧାନସଭାରେ ଘୋଷଣା କରିଛନ୍ତି ମିଶନ ଶକ୍ତି ମନ୍ତ୍ରୀ । ପୂର୍ବରୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିଳୁଥିଲା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ । ଏବେ ବିନା ସୁଧରେ ୫ ଲକ୍ଷ ଟଙ୍କା ଯାଏ ଋଣ ମିଳିପାରିବ ।
ମୃତ୍ୟୁହାର ହ୍ରାସରେ ରେକର୍ଡ, ଦେଶରେ ଦ୍ୱିତୀୟ ସ୍ଥାନରେ ଓଡ଼ିଶା
ଭୁବନେଶ୍ୱର: ମାତୃ ମୃତ୍ୟୁହାର ହ୍ରାସରେ ଓଡ଼ିଶାର ରେକର୍ଡ । ସାରା ଦେଶରେ MMR ହ୍ରାସରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ । ୨୦୧୭ରେ ଓଡ଼ିଶାରେ ମାତୃ ମୃତ୍ୟୁହାର ୧୬୮ ଥିଲା । ୨୦୨୦ରେ ପ୍ରତି ଲକ୍ଷରେ MMR ୧୧୯ରେ ପହଞ୍ଚିଛି । ୩ ବର୍ଷରେ ଓଡ଼ିଶାରେ MMR ହ୍ରାସ ହୋଇଛି ୪୯ ପଏଣ୍ଟ । ଜାତୀୟ ହ୍ରାସ ହାର ୨୫ ଥିବାବେଳେ ଓଡ଼ିଶାରେ ହ୍ରାସ ହାର ୪୯ ରହିଛି ।
ଆଉ ଶତ୍ରୁର ଡ୍ରୋନକୁ ଡର ନାହିଁ, ଭାରତୀୟ ସେନାରେ ସାମିଲ ହେବ ’ଇଗଲ ବାହିନୀ’
ନୂଆଦିଲ୍ଲୀ: ଏବେ ଆଉ ଶତ୍ରୁର ଡ୍ରୋନକୁ ଡର ନାହିଁ । ଇଣ୍ଡିଆନ୍ ଆର୍ମିରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ‘ଇଗଲ ବାହିନୀ’ । ଏଥିପାଇଁ ଚାଲିଛି ଜୋରଦାର ପ୍ରୟାସ । ଶତାଧିକ ଚିଲଙ୍କୁ ଦିଆଯାଉଛି ପ୍ରଶିକ୍ଷଣ । ଶତ୍ରୁ ପଟର କୌଣସି ଡ୍ରୋନ୍ ସୀମା ଟପୁଟପୁ ଆଖି ପିଛୁଳାକେ ଝାମ୍ପିନେବେ ଏହି ଚିଲ ସେନା ।
ଏଣିକି ଚୀନ କି ପାକିସ୍ତାନର ଗୁପ୍ତଚର ଡ୍ରୋନକୁ ମାରି ଖସାଇବାକୁ ଆଉ ଆଣ୍ଟି ଡ୍ରୋନ୍ ଗନର ଆବଶ୍ୟକତା ପଡ଼ିବନି । କାରଣ ଭାରତୀୟ ସେନାରେ ଆଉ ଏକ ଶକ୍ତି ସାମିଲ ହେବାକୁ ଯାଉଛି, ଚିଲ ଶକ୍ତି । ଏହି ସେନାରେ ଅଛନ୍ତି ଶହଶହ ପ୍ରଶିକ୍ଷିତ ଚିଲ, ଯିଏ ଶତ୍ରୁର ଡ୍ରୋନକୁ କ୍ଷଣକେ ଚୁରମାର କରିପକାଇବେ । ଏଥିପାଇଁ ଭାରତୀୟ ସେନା ଏମାନଙ୍କୁ ସ୍ୱତନ୍ତ୍ର ଭାବେ ଟ୍ରେନିଙ୍ଗ ଦେଉଛି । ଖୁବ୍ ଶୀଘ୍ର ଏହି ଦୁଇ ପଶୁ ଓ ପକ୍ଷୀ ସେନା ମିଳିତ ଭାବେ ଭାରତୀୟ ସେନାର ଆଣ୍ଟି ଡ୍ରୋନ୍ ମିଶନରେ ସାମିଲ ହେବେ ।
ଚିଲ ଓ ଡଗ୍ ଟିମର ଟ୍ରେନିଙ୍ଗ ଶେଷ ହେବା ପରେ ଏମାନଙ୍କୁ ଖୁବ ଶୀଘ୍ର ସୀମାରେ ମୁତୟନ କରାଯିବ । ଏହାସହ ଉତ୍ତରାଖଣ୍ଡର ଔଲିରେ ହେବାକୁ ଥିବା ଭାରତ-ଆମେରିକାର ମିଳିତ ସମରାଭ୍ୟାସରେ ଚିଲ ଓ ଡଗ୍ ଟିମକୁ ପ୍ରଦର୍ଶନ କରାଯିବ । ସ୍ଥଳରେ ଡଗ୍ ସ୍କ୍ୱାର୍ଡ ଓ ଆକାଶ ମାର୍ଗରେ ଫାଲକନ୍ ଟ୍ରୁପ୍ ଭାରତୀୟ ସେନାକୁ ସଶକ୍ତ କରିବ । ପ୍ରଶିକ୍ଷିତ ଚିଲଙ୍କୁ ସୀମାର ସେନା ପୋଷ୍ଟରେ ମୁତୟନ କରାଯିବ । ଯେଉଁଠାରୁ ଶତ୍ରୁର ଡ୍ରୋନକୁ ଦେଖୁ ଦେଖୁ ଆକ୍ରମଣ କରି ଖସାଇଦେବ ।
ତେବେ ଚିଲଙ୍କୁ ମୁତୟନ କରିବାର ଆଉ ଏକ ମୁଖ୍ୟ କାରଣ ରହିଛି । ଅନେକ ସମୟରେ ଶତ୍ରୁର ଡ୍ରୋନ୍ ଖୁବ୍ କମ୍ ଉଚ୍ଚତାରେ ଉଡିଥାନ୍ତି । ଏପରି ଡ୍ରୋନ ଦ୍ୱାରା କୌଣସି ସ୍ଥାନର ଗୁଇନ୍ଦାଗିରି କରିବା ସହ ହତିଆର ସପ୍ଲାଏ, ଡ୍ରଗ୍ସ ଓ ସ୍ମଗଲିଙ୍ଗ କରାଯାଉଛି । ହେଲେ ସ୍ୱଳ୍ପ ଉଚ୍ଚତାରେ ଉଡୁଥିବା ଏହି ଡ୍ରୋନ ଗୁଡ଼ିକ ରାଡାର ନିଜରରେ ପଡିନଥାଏ । ଏଥିପାଇଁ ଚିଲକୁ ହତିଆର କରି ଆଣ୍ଟି ଡ୍ରୋନ୍ ମିଶନ୍ ଆରମ୍ଭ କରିଛି ଭାରତୀୟ ସେନା ।
ଗୁଜରାଟ ପଲିଟିକ୍ସ: ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜି ସନ୍ଧ୍ୟାରେ ଥମିବ ପ୍ରଚାର
ଗାନ୍ଧୀନଗର: ଗୁଜରାଟ ପଲିଟିକ୍ସ । ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜି ସନ୍ଧ୍ୟାରେ ଥମିବ ପ୍ରଚାର । ପ୍ରଚାରରେ ଶେଷ ସ୍ପର୍ଶ ଦେଉଛନ୍ତି ବରିଷ୍ଠ ନେତା । ନିର୍ବାଚନକୁ ଆଉ ମାତ୍ର ଦୁଇ ଦିନ ଥିବା ବେଳେ ହାଇଭୋଲଟେଜ ପ୍ରଚାର ଚଳାଇଛନ୍ତି ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ଆମ ଆଦମୀ ପାର୍ଟି । ବିଜେପି ପ୍ରାର୍ଥୀଙ୍କ ପ୍ରଚାର ପାଇଁ କେନ୍ଦ୍ରୀୟ ନେତା ମଇଦାନକୁ ଓହ୍ଲାଇଥିବା ବେଳେ ଆଜି ଆପ୍ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ । ଖେଡା ଓ ମାହିନଗର ଜିଲ୍ଲାରେ ଆଜି ପ୍ରଚାର କରିବେ ମାନ୍ ।
ସେପଟେ କଂଗ୍ରେସ ପ୍ରଚାର ପାଇଁ ମଙ୍ଗ ଧରିଛନ୍ତି ଦଳ ସଭାପତି ମଲ୍ଲିକାର୍ଜୁନ ଖାଡଗେ । ନିକଟରେ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ବ୍ୟାସ ଓ ତାଙ୍କ ପୁଅ ସମୀର କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଚଳାଇଛନ୍ତି । ଏଥର ନିର୍ବାଚନ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଓ ଟୁଇଟରରେ ପ୍ରଚାରକୁ ତିନି ଦଳ ଗୁରୁତ୍ବ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧ ତାରିଖରେ ଗୁଜରାଟରେ ୮୯ ଆସନ ପାଇଁ ଭୋଟଗ୍ରହଣ ହେବ ।
ନିର୍ବାଚନ ମଣ୍ଡଳିରୁ ତିନି ବିଜେପି ନେତାଙ୍କୁ ତଡିପାର ପାଇଁ ଦାବି
ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି ପ୍ରତିନିଧି ଦଳ । ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ୱରେ ଫେରାଦ ହେଲା ବିଜେଡି । ପଦମପୁରରେ ଜିଏସଟି ରେଡ୍ ବେଳେ ବିଜେପିର ହିଂସାକାଣ୍ଡକୁ ବିଜେଡିର ନିନ୍ଦା । ନିର୍ବାଚନମଣ୍ଡଳୀରୁ ତିନି ବିଜେପି ନେତାଙ୍କୁ ତଡ଼ିପାର ପାଇଁ ବିଜେଡି ଦାବି କରିଛି । ଠାକୁର ରଞ୍ଜିତ ଦାସ, ପିଙ୍କି ପ୍ରାଧାନଙ୍କୁ ପ୍ରଚାରରୁ ବାଦ୍ କରିବାକୁ ଦାବି କରାଯାଇଛି । କାଳନ୍ଦୀ ସାମଲଙ୍କୁ ମଧ୍ୟ କ୍ୟାମ୍ପେନରୁ ବାଦ୍ ଦେବାକୁ ଦାବି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଫେରାଦ ହୋଇଛି ବିଜେଡି ।
ପଦମପୁର ଉପନିର୍ବାଚନ: ଗ୍ରାଉଣ୍ଡ ଜିରୋରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
ପଦମପୁର: ପଦମପୁରରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ନେଇ ତର୍ଜମା କଲେ ସିଇଓ । କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେଲେ । ତଦାରଖ କଲେ ଆଇନଶୃଙ୍ଖଳା ପରିସ୍ଥିତି । ପଦମପୁର ଉପନିର୍ବାଚନ ପାଇଁ କିପରି ଚାଲିଛି ପ୍ରସ୍ତୁତି । ଗ୍ରାଉଣ୍ଡଜିରୋରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।
ଏହାସହ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ତର୍ଜମା କରିଛନ୍ତି । କାଉଣ୍ଟିଂ ସେଣ୍ଟର ଓ ଷ୍ଟ୍ରଙ୍ଗ ରୁମ୍ ବୁଲି ଦେଖିଛନ୍ତି। ସମୀକ୍ଷା ପରେ ସୁରୁଖୁରୁରେ ନିର୍ବାଚନ ପାଇଁ ରାଜନୈତିକ ଦଳଙ୍କୁ ଅନୁରୋଧ କରିଛନ୍ତି ସିଇଓ । ପ୍ରକାଶଯୋଗ୍ୟ, ଡିସେମ୍ବର ୫ ତାରିଖରେ ପଦ୍ମପୁରରେ ଉପ-ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରଚାର ଜୋରଦାର କରିଛନ୍ତି ।

