ତାମିଲ ନେତାଙ୍କ ଚାଞ୍ଚଲ୍ୟକର ବୟାନ, ବଞ୍ଚିଛନ୍ତି LTTE ମୁଖ୍ୟ ପ୍ରଭାକରନ

1 min read

ନୂଆଦିଲ୍ଲୀ:  ବିଶ୍ବର ଦୁର୍ଦ୍ଧର୍ଷ ଗରିଲା ସଂଗଠନ ଲିବରେସନ ଟାଇଗର୍ସ ଅଫ ତାମିଲ ଏଲମ ବା ଏଲଟିଟିଇର ମୁଖ୍ୟ ଭି. ପ୍ରଭାକରନ ମୃତ ନୁହନ୍ତି । ସେ ଜୀବିତ ଅଛନ୍ତି । ତାଙ୍କ ମୃତ୍ୟୁର ୧୪ ବର୍ଷ ପରେ ତାମିଲନାଡୁର ପ୍ରମୁଖ ରାଜନୀତିଜ୍ଞ ପାଝା ନେଦୁମରାନ ଏହି ଦାବି ଉଠାଇବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସେ କହିଛନ୍ତି ପ୍ରଭାକରନ ଜୀବିତ ଓ ସୁସ୍ଥ ଅଛନ୍ତି । ସେ ଖୁବ୍ ଶୀଘ୍ର ସର୍ବସାଧାରଣରେ ଦୃଶ୍ୟମାନ ହେବେ । ଶ୍ରୀଲଙ୍କାରେ ଏକ ସ୍ବତନ୍ତ୍ର ତାମିଲ ଭୂଖଣ୍ଡ ପ୍ରତିଷ୍ଠା କରିବା ଲାଗି ବେସାଲିସ ସଂଘର୍ଷ ଚଳାଇରଖିଥିଲେ ଏଲଟିଟିଇ ନେତା ପ୍ରଭାକରନ । ଗତ ୨୦୦୯ ମେ ୧୮ ତାରିଖରେ ସେ ମୃତ ବୋଲି ଘୋଷଣା କରିଥିଲେ ଶ୍ରୀଲଙ୍କା ସରକାର । ଶ୍ରୀଲଙ୍କା ବାହିନୀ ସହ ଏଲଟିଟିଇର ଭୟାନକ ସଂଘର୍ଷ ବେଳେ ମୁଲ୍ଲିଭାଇକାଲରେ ସେ ପ୍ରାଣତ୍ୟାଗ କରିଥିଲେ ବୋଲି ଘୋଷଣା କରାଯାଇଥିଲା । ସେତେବେଳେ ଶ୍ରୀଲଙ୍ଗାର ରାଷ୍ଟ୍ରପତି ଥିଲେ ମହିନ୍ଦା ରାଜପକ୍ଷ ।

ବିଶ୍ବ ତାମିଲ ମହାସଂଘର ଅଧ୍ୟକ୍ଷ ନେଦୁମରାନ କହିଛନ୍ତି- ଏଲଟିଟିଇ ମୁଖ୍ୟ ପ୍ରଭାକରନ ଜୀବିତ ଓ ଖୁବ୍ ଶୀଘ୍ର ଲୋକଲୋଚନକୁ ଆସିବେ । ତାମିଲ ଏଲମ ଗଠନ ଲାଗି ପ୍ରଭାକରନଙ୍କ ଯୋଜନା ଲାଗି ତାମିଲ ମହାସଂଘ ଖୁସି ବ୍ୟକ୍ତ କରୁଛି । ସେ ବି କହିଛନ୍ତି ଶ୍ରୀଲଙ୍କାର ସଂକଟ ପରେ ରାଜପକ୍ଷ ସରକାରଙ୍କ ପତନ ପ୍ରଭାକରନ ଲୋକଲୋଚନକୁ ଆସିବାର ପ୍ରକୃଷ୍ଟ ସମୟ । ୨୦୦୯ରେ ପ୍ରଭାକରନଙ୍କ ମୃତ୍ୟୁକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ଏବଂ ତାଙ୍କର ମୃତଦେହର ଫଟୋ ବି ପ୍ରକାଶିତ ହୋଇଥିଲା । ତେବେ ସେହି ସମୟରେ ପ୍ରଚାର ହୋଇଥିଲା- ଯୁଦ୍ଧରେ ପ୍ରଭାକରନଙ୍କ ମୃତ୍ୟୁ ଘଟି ନଥିଲା । ଅନ୍ୟ କେତେକ ମହଲ ଅଭିଯୋଗ କରିଥିଲେ ଯେ ଆନ୍ତର୍ଜାତିକ କନଭେନସନ ନିୟମକୁ ଉଲ୍ଲଂଘନ କରି ପ୍ରଭାକରନଙ୍କୁ ହତ୍ୟା କରାଯାଇଥିଲା । ନେଦୁମରାନ କିନ୍ତୁ ପ୍ରଭାକରନଙ୍କ ସବିଶେଷ ବିବରଣୀ ଦେବାକୁ ଅଗ୍ରାହ୍ୟ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ହତ୍ୟାକାଣ୍ଡରେ ପ୍ରଭାକରନ ଥିଲେ ମୁଖ୍ୟ ଅଭିଯୁକ୍ତ । ଶ୍ରୀଲଙ୍କାକୁ ଶାନ୍ତି ସେନା ପ୍ରେରଣକୁ ବିରୋଧ କରି ୧୯୯୧ରେ ଶ୍ରୀପେରୁମ୍ବୁଦୁରରେ ଏଲଟିଟିଇର ଆତ୍ମଘାତୀ ବିସ୍ଫୋରଣରେ ପ୍ରାଣ ହରାଇଥିଲେ ରାଜୀବ ।