ମାଲକାନଗିରି: ପୁଣି ମାତିଲେ ସାରଥି ଅନୁଗାମୀ । ମାନ୍ୟବରଙ୍କ ଉପରେ ସିନା ବ୍ୟାନ ଲାଗିଛି, ହେଲେ ଏବେବି ରାଜ୍ୟର କୋଣ ଅନୁକୋଣରେ ଖୁଲମଖୁଲା ଚାଲିଛି ସେବାପୂଜା । ଅପରାଧିକ ମାମଲାରେ ଜଡ଼ିତ ଥିବାରୁ ସାରଥିର ପ୍ରବଚନ ଉପରେ ପ୍ରତିବନ୍ଧକ ଲଗାଯାଇଛି । କିନ୍ତୁ ଏସବୁ ପ୍ରଭାବିତ କରିପାରିନି ସାରଥି ସମର୍ଥକଙ୍କୁ । ସତସଙ୍ଗ ହେଉଛି । ପାଦପୂଜା ବି ହେଉଛି । ପୂଜାରେ ଏକାଠି ହେଉଛନ୍ତି ହଜାର ହଜାର ସମର୍ଥକ । ପାରମ୍ପରିକ ନାଚଗୀତରେ କମ୍ପିଛି ଗାଁ ଦାଣ୍ଡ । ତାଜୁବ କଲା ଭଳି ଏହି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବରଜା ଗାଁରେ ।

ଯାହାକୁ ଅନୁମତି ଦେଇଛି ସ୍ଥାନୀୟ ପ୍ରଶାସନ । ଗାଁର ଜଣେ ବ୍ୟକ୍ତିଙ୍କ ପୁଅ ଜନ୍ମଦିନରେ ସାରଥି ପାଦୁକା ଯାତ୍ରା ସହ ସତସଙ୍ଗର ଆୟୋଜନ ହୋଇଥିଲା । କୋୟା ଓ ବଣ୍ଡାନୃତ୍ୟର ତାଳେ ତାଳେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ପାଦୁକା ପୂଜା ସହ ପ୍ରବଚନ ଆୟୋଜନ ହୋଇଥିଲା । ଏହି ସତସଙ୍ଗରେ ସବୁ ଜିଲ୍ଲାରୁ ସାରଥି ଅନୁଗାମୀ ଯୋଗଦେଇଥିଲେ । ମାଲକାନଗିରି ଜିଲ୍ଲାରେ ହଜାର ହଜାର ସମର୍ଥକଙ୍କ ସମାଗମରେ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହେବା ସମସ୍ତଙ୍କୁ ଚକିତ କରିଛି ।