କତାର: ଫୁଟବଲ୍ ବିଶ୍ୱକପରେ ଶୁକ୍ରବାର ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି । ବିଶ୍ୱର ୯ ନମ୍ବର ରାଙ୍କିଂରେ ଥିବା କ୍ରୀଷ୍ଟିଆନୋ ରୋନାଲ୍ଡୋଙ୍କ ପର୍ତ୍ତୁଗାଲକୁ ୨୮ ରାଙ୍କର ଦକ୍ଷିଣ କୋରିଆ ପରାଜିତ କରିଛି । ଗ୍ରୁପ ଏଚରେ ପର୍ତ୍ତୁଗାଲକୁ କୋରିଆ ୨-୧ରେ ପରାଜିତ କରିଛି । ଏହି ବିଜୟ ସହ କୋରିଆର ତିନି ମ୍ୟାଚରେ ଚାରି ଅଙ୍କ ସହିତ ଗ୍ରୁପର ଦ୍ୱିତୀୟ ସ୍ଥାନରେ ରହିଛି ଦଳ । ସେହିପରି ପର୍ତ୍ତୁଗାଲ ତିନୋଟି ମ୍ୟାଚରୁ ୬ ଅଙ୍କ ସହ ଗ୍ରୁପର ଶୀର୍ଷରେ ରହିଛି । ଆଜିର ମ୍ୟାଚ ଦକ୍ଷିଣ କୋରିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଯଦି ପରାଜିତ ହୋଇଥାନ୍ତା ତେବେ ନକଆଉଟ୍ ରେ ରେସରୁ ବାଦ୍ ପଡ଼ିଥାନ୍ତା । କୋରିଆ ଟିମ୍ ୨୦୧୦ ପରେ ପ୍ରଥମଥର ଶେଷ-୧୬ରେ ପହଞ୍ଚିଛି ।
ସ୍କିଲଡ୍ ଓଡ଼ିଶା କାର୍ଯ୍ୟକ୍ରମ ଓଡ଼ିଶାର ଦକ୍ଷତା ବିକାଶ ପରିଦୃଶ୍ୟକୁ ବିଶ୍ୱସ୍ତରୀୟ କରିପାରିଛି
ଭୁବନେଶ୍ୱର: ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅତ୍ୟାଧୁନିକ ଭିତ୍ତିଭୂମି ବ୍ୟବସ୍ଥା ପ୍ରବର୍ତ୍ତନ କରାଯାଇ ଇଂଜିନିୟରିଂର ବିଭିନ୍ନ ଟ୍ରେଡ୍ ଛାତ୍ରଛତ୍ରୀଙ୍କୁ ଆଧୁନିକ ଦକ୍ଷତା ତାଲିମ ଦିଆଯିବ ବୋଲି ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଉଲ୍ଲେଖ କରିଛନ୍ତି । ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ଦ୍ୱିତୀୟ ଦିବସରେ ‘ସ୍କିଲଡ୍ ଇନ୍ ଓଡ଼ିଶା’ ଉପରେ ଆୟୋଜିତ ଅଧିବେଶନରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଘଡେଇ କହିଛନ୍ତି ଯେ ଆମ ଯୁବଗୋଷ୍ଠୀଙ୍କୁ ଅଧିକ କୁଶଳୀ, ଦକ୍ଷ କରି ଗଢ଼ିତୋଳିବା ପାଇଁ ସରକାର ଅନେକ ବ୍ୟବହାରିକ କାର୍ଯ୍ୟକ୍ରମ ଅବ୍ୟାହତ ରଖିଛନ୍ତି ।
ସ୍କିଲଡ୍ ଓଡ଼ିଶା କାର୍ଯ୍ୟକ୍ରମ ଓଡ଼ିଶାର ଦକ୍ଷତା ବିକାଶ ପରିଦୃଶ୍ୟକୁ ବିଶ୍ୱସ୍ତରୀୟ କରିପାରିଛି ବୋଲି ସେ କହିଛନ୍ତି । ବିଭିନ୍ନ ଶିଳ୍ପସଂସ୍ଥା, ଅନୁଷ୍ଠାନର ପ୍ରତିନିଧି ତଥା ଯୁବକ ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଆୟୋଜିତ ଏହି ଅଧିବେଶନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କହିଥିଲେ ଯେ ଦକ୍ଷତା ସମକାଳୀନ ବଜାରର ଆବଶ୍ୟକତା ହୋଇଥିବାବେଳେ ସ୍କିଲଡ୍ ଇନ୍ ଓଡ଼ିଶା ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ଆମର ଯୁବକ ଯୁବତୀମାନଙ୍କୁ ଶିଳ୍ପସଂସ୍ଥାର ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କରିବାରେ ସହାୟକ ହୋଇପାରିଛି ।
ଦକ୍ଷତା କ୍ଷେତ୍ରଗୁଡିକ ଉପରେ କିଛି ଉପଯୋଗୀ ଜ୍ଞାନ ସଂଗ୍ରହ କରିବାରେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳ ହୋଇଥିଲା । ଶିଳ୍ପ ଚାହିଦା ଏବଂ ବ୍ୟବସାୟକୁ ଆଧାର କରି ‘ସ୍କିଲଡ୍-ଇନ୍-ଓଡିଶା ରେ ଦକ୍ଷତା ସଶକ୍ତିକରଣ କାର୍ଯ୍ୟକ୍ରମର ସଫଳତା, ଟେକ୍ନୋଲୋଜି ସାମର୍ଥ୍ୟ ଏବଂ ଭବିଷ୍ୟତର ବଜାର ଆବଶ୍ୟକତା ନିମନ୍ତେ ଅଧିକ କୁଶଳୀ ମାନବସମ୍ବଳ ସୃଷ୍ଟି କରିବା ସକାଶେ ଏହାର ବ୍ୟାପକ ଉପଯୋଗ ନେଇ ଅଧିବେଶନରେ ସବିଶେଷ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍, ଆଇବିଏମ୍, ଏସ୍ଏମ୍ଏସ୍ ଗ୍ରୁପ୍, ହେକ୍ସାଗନ୍ ଇଣ୍ଡିଆ, ୟୋକୋହାମା, ଇଭିଓଏସ୍ ବିଲଡକନ୍ ଭଳି ବହୁ ବ୍ୟବସାୟିକ ଓ ଶିଳ୍ପପ୍ରତିଷ୍ଠାନ ଯୋଗଦେଇଥିଲେ ।
ଛତିଶଗଡ଼ରେ ଖଣି ଭୁଶୁଡ଼ି ୭ ଶ୍ରମିକଙ୍କ ମୃତ୍ୟୁ
ଜଗଦଲପୁର: ଛତିଶଗଡ଼ର ଜଗଦଲପୁରଠାରୁ ୧୧ କିଲୋମିଟର ଦୂର ଗ୍ରାମ ମାଲଗାଁରେ ଛୁଇ ଖଣିରେ ଖୋଳା ଚାଲିଥିବା ସମୟରେ ଅଘଟଣ ଘଟିଛି । ଖଣି ଭୁଶୁଡ଼ି ସାତ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି । କୁହାଯାଉଛି ଯେ ୧୦ରୁ ଅଧିକ ଗ୍ରାମବାସୀ ଫସିରହିଛନ୍ତି । ଶବଗୁଡ଼ିକୁ ଜେସିବି ସହାୟତାରେ କଢ଼ାଯାଇଛି । ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପୋଲିସ ଏବଂ ଏସଡିଆରଏଫ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏପର୍ଯ୍ୟନ୍ତ ସୁଦ୍ଧା ୭ ଜଣଙ୍କୁ ଉଦ୍ଧାର କରାଯାଇଛି । ଏହି ଘଟଣାରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ରମନ ସିଂହ ଦୁଃଖ ପ୍ରକାଶ କରିଛନ୍ତି ।

