ଜୟନାରାୟଣ ମିଶ୍ରଙ୍କୁ ଚାରିଆଡ଼ୁ ବିରୋଧ, ହିତାହିତ ଜ୍ଞାନ ଭୁଲିଗଲେ ବିରୋଧୀ ଦଳ ନେତା

ସମ୍ବଲପୁର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଚାରିଆଡ଼ୁ ବିରୋଧ । ଜଣେ କାର୍ଯ୍ୟରତ ମହିଳା ଆଇଆଇସିଙ୍କୁ ଶାରୀରିକ ଆକ୍ରମଣ କରିବା ବିରୋଧୀ ଦଳ ନେତାଙ୍କ ପକ୍ଷେ ଅଶୋଭନୀୟ । ମହିଳା ସଶକ୍ତିକରଣ ଡିଣ୍ଡିମ ପିଟୁଥିବା ଓଡ଼ିଶା ବିଜେପି ଜୟନାରାୟଣଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ନେବ । ଗତକାଲି ହିତାହିତ ଜ୍ଞାନ ଭୁଲି ଧନୁପାଲି ଥାନା ମହିଳା ଆଇଆଇସି ଅନିତା ପ୍ରଧାନଙ୍କୁ ଶାରୀରିକ ଆକ୍ରମଣ କରିଥିଲେ ଜୟନାରାୟଣ । ଆନ୍ଦୋଳନ ସରିବା ବେଳକୁ ଦଳ ବଳ ଧରି ଜିଲ୍ଲାପାଳ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରୁଥିଲେ ଜୟନାରାୟଣ  । ବ୍ୟାରିକେଡ ପାଖରେ ଜୟନାରାୟଣ ପହଞ୍ଚି ବିନା କିଛି କାରଣରେ ଆଇଆଇସିଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ତାଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଥିବା ଅନିତା କହିଛନ୍ତି। ତାଙ୍କୁ ବୁଝାଇବାକୁ ଚେଷ୍ଟା କରିବା ପରେ ମଧ୍ୟ ସେ କିଛି ଶୁଣିନଥିଲେ। ଗାଳିଗୁଲଜ ସହ ଥାନା ପୋଡିବା ଏବଂ ସସପେଣ୍ଡ କରିବା ନେଇ ଧମକ ଦେଇଥିଲେ। ଏଭଳି ଗାଳିଦେବା ଅବସ୍ଥାରେ ହଠାତ ଆଶ୍ଚର୍ଯ୍ୟଜନକ ଭାବେ ଧକ୍କା ଦେବା ସହ ମିଡିଆ, ପବ୍ଲିକ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ଆଗରେ ଡାହାଣ ଗାଲରେ ଶକ୍ତ ଚାପୁଡ଼ା ମାରିଥିଲେ ଜୟନାରାୟଣ ।

ଆଇଆଇସିଙ୍କ ଏତଲା ପରେ ଜୟନାରାୟଣଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା । ଆଇପିସିର ଧାରା ୩୫୩, ୩୫୪, ୩୩୨, ୨୯୪, ୫୦୦, ୩୪୧ ଓ ୫୦୬ ଭଳି ଦଫା ଜୟନାରାୟଣଙ୍କ ବିରୋଧରେ ଲାଗିଛି । ଜୟନାରାୟଣଙ୍କ ଏଭଳି ଆଚରଣକୁ ସବୁଠି ନିନ୍ଦା କରାଯାଇଛି । ବିରୋଧୀ ଦଳ ନେତା ପଦରୁ ତୁରନ୍ତ ବହିଷ୍କାର ପାଇଁ ଦାବି କରିଛି ବିଜେଡି । ଏହା ସହ  ରାଜ୍ୟର ମା’ମାନଙ୍କୁ କ୍ଷମା ପାର୍ଥନା କରିବାକୁ ଦାବି ହୋଇଛି । ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ । ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁଠି ଦାବି ହୋଇଛି । ସେପଟେ ଓଡ଼ିଶା ପୋଲିସ ସେବା ସଂଘର ସମ୍ବଲପୁର ଶାଖା ଓ ଓଡ଼ିଶା ହାବିଲଦାର ଓ କନେଷ୍ଟବଳ ମହାସଂଘ ତରଫରୁ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।