ଆସନ୍ତା ଦୁଇଦିନ ମଧ୍ୟରେ ବଢ଼ିବ ପାରଦ, ଉପାନ୍ତରୁ ଉପକୂଳ ସବୁଠି କଲବଲ କରିବ ଖରା

ଭୁବନେଶ୍ୱର: ଦିନରେ ତାତି, ରାତିରେ ଶୀତ । ଉପାନ୍ତରୁ ଉପକୂଳ ସବୁଠି ଏଭଳି ରହିଛି ପାଗ । ଦୁଇରୁ ତିନି ଦିନ ମଧ୍ୟରେ ରାଜ୍ୟରେ ବଢ଼ିବ ତାପମାତ୍ରା । ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ପାରଦ । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତାପମାତ୍ରା ବୃଦ୍ଧି ସହ କଲବଲ କରିବ କୁହୁଡି । ଆଜି ୭ଟି ଜିଲ୍ଲାରେ ଘନ କୁହୁଡି ଦେଖାଦେଇଛି । କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର,ଭଦ୍ରକ, ଖୋର୍ଦ୍ଧା ଏବଂ ଢେଙ୍କାନାଳକୁ ଘନ କୁହୁଡି ପାଇଁ ସତର୍କତା ଜାରି କରାଯାଇଛି ।

ସେହିପରି ଆସନ୍ତାକାଲି ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଅନୁଗୁଳ ଏବଂ ଢେଙ୍କାନାଳରେ ଘନ କୁହୁଡି ଦେଖାଦେବ । ୧୮ ତାରିଖ ପରେ ବଦଳିବ ପାଣିପାଗ । ସ୍ୱାଭାବିକ ଠାରୁ ୩ ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବା ସହ କିଛି ସ୍ଥାନରେ ୩୮ ରୁ ୪୦ ଡିଗ୍ରୀ ପାରା ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ମେଘମୁକ୍ତ ଆକାଶ ଏବଂ ଟାଣ ଖରାପାଇଁ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ବୌଦ୍ଧ ରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।