ଚାଷୀଙ୍କ ପାଇଁ ଲଢୁଛି ବିଜେଡି, ଆଜି ସବୁ ବ୍ଲକ ମୁଖ୍ୟାଳୟ ଓ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଚାଷୀ ମାରଣନୀତିକୁ ବିରୋଧ । ସାରା ରାଜ୍ୟରେ ଚାଷୀଙ୍କ ପାଇଁ ଲଢ଼େଇ କରୁଛି ବିଜେଡି । ଉପାନ୍ତରୁ ଉପକୂଳ, ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ବିକ୍ଷୋଭ । ଆଜି ସବୁ ବ୍ଲକ ମୁଖ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବ ବିଜେଡି । ଚାଷୀଙ୍କ ସ୍ୱାର୍ଥ ପାଇଁ ଆରପାର ଲଢେଇ କରୁଛି ବିଜେଡି । କେନ୍ଦ୍ର ବଜେଟରେ ଧାନ ସଂଗ୍ରହ ବାବଦରେ ୨୦ ହଜାର କୋଟି ଟଙ୍କା କାଟ୍ ହୋଇଛି । ୧୮ ଲକ୍ଷ ମେଟ୍ରିକ ଟନ୍ ବଦଳରେ ମାତ୍ର ୪ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଉଛି ଏଫସିଆଇ । ଫଳରେ ଚାଷୀଙ୍କର ଚାଉଳ ନଷ୍ଟ ହେବ।

ସେପଟେ ଚାଉଳ ବାବଦ ୧୪ ହଜାର କୋଟି ସବସିଡି ବି ଦେଉନି କେନ୍ଦ୍ର । ଏହା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି । ସଂସଦରେ ବାରମ୍ବାର ବିଜେଡି ସାଂସଦ ଚାଷୀଙ୍କ ସ୍ବାର୍ଥ ସଂପର୍କିତ ପ୍ରସଙ୍ଗ ଉଠାଉଛନ୍ତି । ହେଲେ କେନ୍ଦ୍ର ଏଥିରେ କର୍ଣ୍ଣପାତ କରୁନି। ଚାଷୀଙ୍କ ହକ୍ ପାଇଁ ଗତ ୧୪ ତାରିଖରୁ ଆନ୍ଦୋଳନ କରୁଛି ବିଜେଡି । ୧୪ ତାରିଖରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଥିବା ବେଳେ, ଗତକାଲି ସବୁ ପଞ୍ଚାୟତରେ ଦଳ ବିକ୍ଷୋଭ କରିଥିଲା ।