କ୍ରିକେଟର ସବୁ ଫର୍ମାଟରେ ଏକ ନମ୍ବର ସ୍ଥାନ ଦଖଲ କଲା ଟିମ ଇଣ୍ଡିଆ

1 min read

ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତ । ପ୍ରଥମଥର ପାଇଁ କ୍ରିକେଟର ୩ଟି ଯାକ ଫର୍ମାଟରେ ଏକ ନମ୍ବର ସ୍ଥାନ ଦଖଲ କରିଛି ଟିମ ଇଣ୍ଡିଆ । ପୂର୍ବରୁ ଭାରତ ଆଇସିସିର ଦିନିକିଆ ଓ ଟି-୨୦ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ରହିଥିଲା । ଆଜି ଆଇସିସି ଜାରି କରିଥିବା ଟେଷ୍ଟ ରାଙ୍କିଙ୍ଗରେ ମଧ୍ୟ ଭାରତ ଏକ ନମ୍ବର ସ୍ଥାନରେ ପହଞ୍ଚିଛି । ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ ପୂର୍ବରୁ ଭାରତ ଦୁଇ ନମ୍ବର ସ୍ଥାନରେ ରହିଥିଲା । ଅଷ୍ଟ୍ରେଲିଆକୁ ଦଳ ପ୍ରଥମ ଟେଷ୍ଟରେ ଇନିଂସ ଓ ୧୩୨ ରନରେ ହରାଇବା ପରେ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନ ଦଖଲ କରିଛି ।

ଟେଷ୍ଟ କ୍ରିକେଟରେ ଭାରତ ଗତ ୨ ବର୍ଷ ହେଲା ନିଜର ଦବଦବା ଦେଖାଇ ଆସିଛି । ୨୦୨୨ରେ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଗୋଟିଏ ଟେଷ୍ଟ ସିରିଜ ହାରିଥିଲା । ସେହିପରି ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ମଧ୍ୟ ଦଳକୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା । ଚଳିତ ବର୍ଷ ନ୍ୟୁଜିଲ୍ୟାଣ୍ଡକୁ ୩-୦ରେ ହରାଇ ଭାରତ ଦିନିକିଆ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ପହଞ୍ଚିଥିଲା । ଏବେ ଭାରତ ଟେଷ୍ଟରେ ମଧ୍ୟ ଏକ ନମ୍ବର ସ୍ଥାନ ଦଖଲ କରିଛି । ଭାରତ ୩୨ଟି ମ୍ୟାଚ୍‌ରୁ ୧୧୫ ପଏଣ୍ଟ ସହ ଏକ ନମ୍ବର ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆ ୧୧୧ ପଏଣ୍ଟ ସହ ଦୁଇ ନମ୍ବରକୁ ଖସିଛି । ସେହିପରି ଟି-୨୦ରେ ମଧ୍ୟ ଭାରତ ଏକ ନମ୍ବର ସ୍ଥାନରେ ଥିବା ବେଳେ ଇଂଲଣ୍ଡ ଓ ପାକିସ୍ତାନ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି ।