ଆଜି ତ୍ରିପୁରା ବିଧାନସଭା ନିର୍ବାଚନ, ସକାଳ ୭ଟାରୁ ଅପରାହ୍ମ ୪ଟା ଯାଏ ଭୋଟିଂ

ଅଗରତାଲା: ଆଜି ତ୍ରିପୁରା ବିଧାନସଭା ନିର୍ବାଚନ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । କଡ଼ା ସୁରକ୍ଷା ମଧ୍ୟରେ ଅପରାହ୍ମ ୪ଟା ଯାଏ ଭୋଟିଂ ହେବ । ଗୋଟିଏ ପର୍ଯ୍ୟାୟରେ ମୋଟ ୬୦ଟି ଆସନ ପାଇଁ ମତଦାନ ହେଉଛି । ୬୦ ଆସନ ପାଇଁ ମଇଦାନରେ ଅଛନ୍ତି ୨୫୯ ପ୍ରାର୍ଥୀ । ୩ ହଜାର ୩୩୭ଟି ପୋଲିଂ ବୁଥରେ ୨୮ ଲକ୍ଷ ଭୋଟର ମତଦାନ ସାବ୍ୟସ୍ତ କରୁଛନ୍ତି । ମତଦାନକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ପୋଲିଂ ଷ୍ଟେସନରେ ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି ।

ଭୋଟିଂ ସରିବା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ରାଜ୍ୟର ସୀମାକୁ ସିଲ୍ କରାଯାଇଛି । ରାଜ୍ୟ ବାହାର ଲୋକ ଭୋଟିଂ ନସରିବା ପର୍ଯ୍ୟନ୍ତ ରାଜ୍ୟ ଭିତରକୁ ଯାଇପାରିବେ ନାହିଁ । ହିଂସା ପ୍ରବଣ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେହିପରି ଆସନ୍ତା ୨୭ ତାରିଖରେ ଉଭୟ ମେଘାଳୟ ଓ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ହେବ । ପରେ ମାର୍ଚ୍ଚ ୨ତାରିଖରେ ୩ ରାଜ୍ୟର ଫଳାଫଳ ପ୍ରକାଶ ପାଇବ ।