spot_img
Home Blog Page 3659

ପଦମପୁର ଉପନିର୍ବାଚନ: ସନ୍ଧ୍ୟା ୬ଟା ସୁଦ୍ଧା ୮୦.୫% ମତଦାନ

ପଦମପୁର: ପଦମପୁରରେ ସରିଛି ମତଦାନ ସମୟ । ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ପଦମପୁର ଉପନିର୍ବାଚନ ପାଇଁ ମତଦାନ । ପାଗ ଅନୁକୂଳ ଥିବାରୁ ସକାଳ ୭ଟାରୁ ୩୧୯ଟି ବୁଥରେ ଲମ୍ବା ଲାଇନରେ ଠିଆ ହୋଇ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି । ଇଭିଏମରେ ସିଲ୍ ହୋଇଛି ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ଏଥର ହୋଇଛି ରେକର୍ଡ ମତଦାନ ।

୨୦୧୯ସାଧାରଣ ନିର୍ବାଚନକୁ ଟପିଲା ଭୋଟିଂ ହାର । ସନ୍ଧ୍ୟା ସୁଦ୍ଧା ୮୦ ଦଶମିକ ୫ ପ୍ରତିଶତ ଭୋଟିଂ ହୋଇଛି । ୨୦୧୯ ନିର୍ବାଚନରେ ୭୯ ଦଶମିକ ୦୫ ପ୍ରତିଶତ ମତଦାନ ହୋଇଥିଲା । ଭୋଟିଂ ସରିବା ପରେ ପଦମପୁର ଅଣାଯାଇଛି ଇଭିଏମ । ୨ ଥାକିଆ ସୁରକ୍ଷା ବ୍ୟବସ୍ଥା ଭିତରେ ରହିବ ଇଭିଏମ । ୮ତାରିଖ ସକାଳୁ ଆରମ୍ଭ ହେବ ଭୋଟ ଗଣତି ।

ଗୁରୁଙ୍କୁ ପରମାତ୍ମା ଘୋଷିତ କରିବାକୁ ଶିଷ୍ୟ ଯାଇଥିଲେ ସୁପ୍ରିମକୋର୍ଟ, ଲାଗିଲା ୧ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସୋମବାର ଏକ ଅଜବ ମାମଲା ଆସିଥିଲା । ଜଣେ ଶିଷ୍ଯ ନିଜ ଗୁରୁଙ୍କୁ ପରମାତ୍ମା ଘୋଷିତ କରିବା ପାଇଁ ଜନହିତକର ଯାଚିକା ଦାଖଲ କରିଥିଲେ । ଏହି ଆବେଦନକୁ ଜଷ୍ଟିସ ଏମଆର୍ ଶାହ ଏବଂ ଜଷ୍ଟିସ ସିଟି ରବି କୁମାରଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି । ଏଥିସହିତ ଆବେଦନକାରୀଙ୍କ ଉପରେ ଏକ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି । ଆବେଦନକାରୀ ଉପେନ୍ଦ୍ର ନାଥ ଦଳାଇ, ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ର ଠାକୁରଙ୍କ ଶିଷ୍ୟ ଅଟନ୍ତି ।

ତାଙ୍କର ଦାବି ଥିଲା ଯେ ଶ୍ରୀ ଶ୍ରୀ ଠାକୁରଙ୍କ ଧର୍ମ ସମାଜରେ ଯୋଗଦାନକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ତାଙ୍କୁ ପରମାତ୍ମା ମାନିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ । ଉପେନ୍ଦ୍ରଙ୍କ ଆବେଦନରେ ବିଜେପି, ଆରଏସଏସ୍, ଅଲ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ, ଗୁରୁଦ୍ୱାରା ବଙ୍ଗାଲ ସାହିବ, ଇସ୍କନ ସମିତି, ବୁଦ୍ଧିଷ୍ଟ ସୋସାଇଟି ଅଫ୍ ଇଣ୍ଡିଆ, ନ୍ୟାସନାଲ କ୍ରୀଷ୍ଟିଆନ କାଉନ୍ସିଲଙ୍କୁ ମଧ୍ୟ ପକ୍ଷ କରାଯାଇଥିଲା ।

କୋର୍ଟ ଯାଚିକା ଖାରଜ କରି କହିଥିଲେ, ଭାରତ ଏକ ଧର୍ମ ନିରପେକ୍ଷ ଦେଶ ଅଟେ । ଆବେଦନକାରୀଙ୍କୁ ଏହି କଥାର ଅନୁମତି ଦିଆଯାଇ ପାରିବନି ଯେ ସେ ଦେଶର ଲୋକଙ୍କୁ ଜବରଦସ୍ତି ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କୁ ପରାମାତ୍ମା ମନାନ୍ତୁ ବୋଲି । ଜଷ୍ଟିସ ଶାହ କହିଥିଲେ, ଯଦି ଆପଣ ତାଙ୍କୁ ପରମାତ୍ମା ମାନିବାକୁ ଚାହୁଁଛନ୍ତି ତେବେ ମାନନ୍ତୁ, ଅନ୍ୟମାନଙ୍କ ଉପରେ କାହିଁକି ଲଦିବାକୁ ଚାହୁଁଛନ୍ତି ।

ଆମେ ଏଠାକୁ ଆପଣଙ୍କ ଲେକ୍ଚର ଶୁଣିବାକୁ ଆସିନାହୁଁ, ଶୁଣାଇବାକୁ ଆସିଛୁ । ଆମର ଧର୍ମନିରପେକ୍ଷ ଦେଶ ଅଟେ । ସମସ୍ତଙ୍କୁ ସମ୍ପୂର୍ଣ୍ଣ ଅଧିକାର ଅଛି ଏହି ଦେଶରେ । ଯାହାକୁ ଯେଉଁ ଧର୍ମ ମାନିବାର ଅଛି ମାନ । ଶିଷ୍ଯଙ୍କ ଦଲିଲ ପରେ କୋର୍ଟ ଏହି ଆବେଦନକୁ ଜନହିତରେ ପାଇନଥିଲେ । ଏଥିପାଇଁ ତାଙ୍କ ଉପରେ ଏକ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି । ୪ ସପ୍ତାହ ମଧ୍ୟରେ ଏହି ଜରିମାନା ସୁପ୍ରିମକୋର୍ଟ ରେଜିଷ୍ଟ୍ରିରେ ଜମା କରାଇବା ପାଇଁ ଆଦେଶ ଦିଆଯାଇଛି ।

ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ବାତ୍ୟା ‘ମାଣ୍ଡୋସ’

ଭୁବନେଶ୍ୱର: ଆସୁଛି ଆଉ ଏକ ବାତ୍ୟା । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ‘ମାଣ୍ଡୋସ’ । ଦକ୍ଷିଣ ଆଣ୍ଡାମାନ ସାଗରରେ ବାତ୍ୟାର ମୂଳଦୁଆ ପଡିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ୨୪ ଘଣ୍ଟାରେ ଅବପାତ ରୂପ ନେବ । ଏବେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଲଘୁଚାପ । ଅବପାତର ୨୪ ଘଣ୍ଟା ପରେ ଏହା ବାତ୍ୟାର ରୂପ ନେବ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ରୂପନେବା ସମ୍ଭାବନା ରହିଛି । ଡିସେମ୍ବର ୮ରେ ବାତ୍ୟା ସ୍ଥଳଭାଗ ଛୁଇଁବ । ତାମିଲନାଡୁ, ପୁଡୁଚେରୀ ଦକ୍ଷିଣ ଆନ୍ଧ୍ର ଉପକୂଳରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ଓଡ଼ଶାରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସାମାନ୍ୟ ବଚସାରୁ କଇଁଚିରେ ଭୁସି ସାଙ୍ଗକୁ ହତ୍ୟା

ନବରଙ୍ଗପୁର: ସାମାନ୍ୟ କଥାରୁ କଇଁଚିରେ ଭୁସି ସାଙ୍ଗକୁ ହତ୍ୟା । ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କୁର୍ସୀ ପଞ୍ଚାୟତର ନୂଆପାରା ଗାଁରେ ଏହି ଘଟଣା ଘଟିଛି । ଗାଁ କମିଟି ଦ୍ବାରା କରାଯାଇଥିବା ମକା ଫସଲ ଜଗିଥିବା ସମୟରେ ଦୁଇ ସାଙ୍ଗ ଶ୍ରୀଧର ମାଝୀ ଓ ଲଳିତ ଭତ୍ରାଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ସନ୍ଧ୍ୟାରେ ଉଭୟ ମଦ୍ୟପାନ କରି ପୁଣି ଝଗଡ଼ା କରିଥିଲେ । ଶ୍ରୀଧର ଉତକ୍ଷିପ୍ତ ହୋଇ ଲଳିତ ଭତ୍ରାଙ୍କ ବାମଛାତି ପାଖରେ କଇଞ୍ଚିରେ ଆକ୍ରମଣ କରିଥିଲା ।

ଖବର ପାଇ ଲଳିତଙ୍କୁ ତାଙ୍କ ବାପା ଏକ ଅଟୋରେ ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ସମୟରେ ବାଟରେ ମୃତ୍ୟୁ ଘଟିଥିଲା । ଉମରକୋଟ ଥାନାରେ ଅଭିଯୋଗ ପରେ ପୋଲିସ ସଂଗେ ସଂଗେ ପହଞ୍ଚି ହତ୍ୟା ଅଭିଯୁକ୍ତ ଶ୍ରୀଧରକୁ କାବୁ କରି ଥିଲା । ପରେ ଆଇଆଇସି ଦୀପକ କୁମାର ଜେନା ସନ୍ଧାନୀ କୁକୁର ସହ ହତ୍ୟାସ୍ଥଳରେ ପହଞ୍ଚି ହତ୍ୟାରେ ବ୍ୟବହୃତ କଇଁଚି ଜବତ କରିଛନ୍ତି । ଉମରକୋଟ ଥାନାର ସବ ଇନ୍ସପେକ୍ଟର ନଟବର ନନ୍ଦଙ୍କୁ ଘଟଣାର ତଦନ୍ତ ଦାୟିତ୍ଵ ଦିଆଯାଇଛି ।

ରାଜଧାନୀରେ ଚାଞ୍ଚଲ୍ୟ; ବନ୍ଦଘରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ବନ୍ଦଘରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପ୍ରେମିକାର ଘରେ ଝୁଲି ପଡିଲେ ପ୍ରେମୀଯୁଗଳ । ସାଲିଆସାହି ଶ୍ରୀରାମ ନଗରରେ ଘଟିଛି ଅଭାବନୀୟ ଘଟଣା । ପ୍ରେମିକାର ଓଢଣୀରେ ପ୍ରେମିକ ଓ ରସି ଲଗାଇ ପ୍ରେମିକା ଆତ୍ମହତ୍ୟା କରିଛନ୍ତି । ଉଭୟଙ୍କର ଘର ଗଞ୍ଜାମ ଜିଲ୍ଲାରେ ହୋଇଥିବାବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ମୃତ ଯୁବକ ବିଜୟଓ୍ବାଡାରେ କାମ କରୁଥିବାବେଳେ ଗତକାଲି ଭୁବନେଶ୍ବର ଆସିଥିଲେ । ଗତକାଲି ସନ୍ଧ୍ୟାରେ ଘରେ କେହି ନଥିବାବେଳେ ଉଭୟ ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକଙ୍କ ସୂଚନା ପରେ କବାଟ ଭାଙ୍ଗି ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ନୟାପଲ୍ଲୀ ପୋଲିସ । ମୃତ ପ୍ରେମିକାଙ୍କର ବିବାହ ପାଇଁ ଅନ୍ୟ ସ୍ଥାନରେ ପ୍ରସ୍ତାବ ପଡ଼ିବାରୁ ଆତ୍ମହହତ୍ୟା କରିଥିବା ଜଣାପଡ଼ିଛି । ପୋଲିସ ଶବ ଦ୍ୱୟକୁ ବ୍ଯବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

ଲାଲୁ ପ୍ରସାଦଙ୍କୁ କିଡନୀ ଦାନ କଲେ ଝିଅ ରୋହିଣୀ

ବାପାଙ୍କ ଲାଗି କିଡନୀ ଦାନ କଲେ ଝିଅ । ରାଷ୍ଟ୍ରୀୟ ଜନତା ଦଳ ନେତା ଲାଲୁ ପ୍ରସାଦ ଯାଦବଙ୍କୁ ନିଜର କିଡନୀ ଦାନ କରିଛନ୍ତି ଝିଅ ରୋହିଣୀ ଆଚାର୍ଯ୍ୟ । ସିଙ୍ଗାପୁରର ଏକ ହସ୍ପିଟାଲରେ ଏହି ପ୍ରତିରୋପଣ ସଫଳ ହୋଇଥିବା ସୂଚନା ମିଳିଛି । ଅପରେସନ ସମ୍ପର୍କରେ ସୂଚନା ଦେଇଛନ୍ତି ଲାଲୁଙ୍କ ଅନ୍ୟତମ କନ୍ୟା ମିସା ଭାରତୀ । ଡକ୍ଟର ରାମ ମନୋହର ଲୋହିୟା ହସ୍ପିଟାଲର ନେଫ୍ରୋଲୋଜି ବିଭାଗ ଡାକ୍ତର ଏଚଏସ ମହାପାତ୍ର କହିଛନ୍ତି-ଟ୍ରାନ୍ସପ୍ଲାଣ୍ଟ ଲାଗି ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ପ୍ରତି ଧ୍ୟାନ ଦିଆଯାଇଥିଲା ।

ବାପାଙ୍କ କିଡନି ଟ୍ରାନ୍ସପ୍ଲାଣ୍ଟ ସିଙ୍ଗାପୁରରେ ସଫଳ ହୋଇଛି ବୋଲି କହିଛନ୍ତି ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ଲାଲୁଙ୍କ କନ୍ୟା ରୋହିଣୀ ସିଙ୍ଗାପୁରରେ ରହୁଥିବାବେଳେ ସେ ତାଙ୍କର କିଡନୀ ଦାନ କରିଛନ୍ତି । ଗତ କିଛି ଦିନ ଧରି ଲାଲୁ ଗୁରୁତର ରୋଗରେ ପୀଡ଼ିତ ଥିବାବେଳେ ତାଙ୍କର କିଡନୀ ନଷ୍ଟ ହୋଇଯାଇଥିଲା । ଆଜି ସିଙ୍ଗାପୁରରେ କିଡନୀ ଟ୍ରାନ୍ସପ୍ଲାଣ୍ଟ ସଫଳତାର ସହ ହୋଇଥିବା ସୂଚନା ଦେଇଛନ୍ତି ପୁଅ ତେଜସ୍ୱୀ ଯାଦବ ।

ପଦମପୁରରେ ଭୋଟିଂ ଜାରି: ଅପରାହ୍ନ ୩ ଟା ସୁଦ୍ଧା ୬୫.୨୮ ପ୍ରତିଶତ ମତଦାନ

ଭୋଟ ଦେଉଛି ପଦମପୁର।ନେତାଙ୍କୁ ବାଛୁଛନ୍ତି ପଦମପୁରବାସୀ । ଦିନ ୩ଟା ସୁଦ୍ଧା ୬୫.୨୮% ମତଦାନ ହୋଇଛି । ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ମତଦାନ । ପଦମପୁର ଉପନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହନୀ ସୂଚନା ଦେଇଛନ୍ତି । ସକାଳେ ୮ଟି ଇଭିଏମ୍‌ରେ ତ୍ରୁଟି ଦେଖାଦେଇଥିଲା। ସେ ସବୁକୁ ବଦଳାଇ ଦିଆଯାଇଛି । ଆଉ ୩ଟି ଇଭିଏମ୍‌ ଦେଖା ଦେବାରୁ ନୂଆ ଇଭିଏମ୍‌ ବଦଳାଯାଇଛି ।

ଶାନ୍ତିଶୃଙ୍ଖଳା ସହ ଭୋଟଗ୍ରହଣ ଚାଲିଥିବା ସିଇଓ ସୂଚନା ଦେଇଛନ୍ତି। ମୋଟ୍‌ ୩୧୯ଟି ବୁଥରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ୨ଲକ୍ଷରୁ ଅଧିକ ଭୋଟର । ଦୃଷ୍ଟିବାଧିତଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ରେଲି ବାଲଟ ବ୍ୟବସ୍ଥା । ଦିବ୍ୟାଙ୍ଗଙ୍କୁ ଭୋଟ୍ ଦେବାକୁ ସେମାନଙ୍କ ଘରୁ ଆଣି ଛାଡ଼ିବା ପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଛି ।

ପ୍ରତ୍ୟେକ ବୁଥ ପାଇଁ ୪ ଜଣ ଲେଖାଏଁ ପୋଲିଂ ଅଧିକାରୀଙ୍କୁ ମିଶାଇ ନିର୍ବାଚନମଣ୍ଡଳୀରେ ମୋଟ୍ ୧୨୭୬ ଜଣ ପୋଲିଂ କର୍ମଚାରୀ ନିୟୋଜିତ ଅଛନ୍ତି । ୬ଟି ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ରହିଛନ୍ତି । ନିର୍ବାଚନମଣ୍ଡଳୀରେ ୭୯ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହେଇଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେହିପରି ୧୨୦ଟି ସମ୍ବେଦନଶୀଳ ବୁଥରେ ହୋଇଛି ଓ୍ବେବକାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି କ୍ୟାମେରା ବ୍ୟବସ୍ଥା ।

୯୧ ଜଣ କେନ୍ଦ୍ରୀୟ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ହୋଇଛନ୍ତି । ବରଗଡ଼ ଜିଲ୍ଲା ମାଓପ୍ରବଣ ହୋଇଥିବାରୁ ୧୪୧୩ ପୋଲିସ ଅଧିକାରୀଙ୍କ ସମେତ ୯ କମ୍ପାନୀ ସଶସ୍ତ୍ର କେନ୍ଦ୍ରୀୟ ପୋଲିସ ବାହିନୀ ମୁତୟନ କରାଯାଇଛି । ୭୪ଟି ନକ୍ସଲପ୍ରବଣ ବୁଥରେ ୧୫ଟି ଆଣ୍ଟି ନକ୍ସଲ ସ୍କ୍ବାଡ ରହିଛନ୍ତି । ୧୧୨ଟି ବୁଥରେ ସ୍ବତନ୍ତ୍ର ସଶସ୍ତ୍ର ବାହିନୀ ମୁତୟନ ଅଛନ୍ତି । ଏହାସହିତ ୪୫ଟି ମୋବାଇଲ୍ ଟିମ୍ ମୁତୟନ କରାଯାଇଛି ।

ଆଶା ଅଛି ପଦମପୁରବାସୀ ବିଜେଡିକୁ ଆଶୀର୍ବାଦ କରିବେ: ମୁଖ୍ୟମନ୍ତ୍ରୀ

ପଦମପୁର: ନୂଆଦିଲ୍ଲୀରେ ଗଣମାଧ୍ୟମକୁ ପ୍ରତକ୍ରିୟା ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କହିଲେ ବିଧାନସଭା ଉପନିର୍ବାଚନରେ ଲୋକମାନେ ବିଜେଡିକୁ ଭୋଟ ଦେବେ ବୋଲି ଆଶା କରୁଛି । ପଦମପୁରବାସୀ ବିଜେଡିକୁ ଆଶୀର୍ବାଦ କରିବେ । ଜି-୨୦ ବୈଠକ ଆୟୋଜନ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁଥିବା ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦିବ୍ୟରଞ୍ଜନଙ୍କ ମୃତ୍ୟୁ ପଛରେ ନ୍ୟୁଡ କଲ୍

ସୋନପୁର: ବ୍ୟାଙ୍କ ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର ଆତ୍ମହତ୍ୟା ଘଟଣାର ଖୋଲିଲା ରହସ୍ୟ । ମୃତ୍ୟୁର କାରଣ ଥିଲା ନ୍ୟୁଡ୍‌ କଲ । ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ସୋନପୁର ପୋଲିସ ଗିରଫ କରିବା ପରେ ଆତ୍ମହତ୍ୟା ରହସ୍ୟ ଉପରୁ ହଟିଛି ପରଦା ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅଧିକାରୀ ଦିବ୍ୟ ରଞ୍ଜନ ମିଶ୍ର ଗତ ଅଗଷ୍ଟ ୮ ତାରିଖରେ ଡୁଙ୍ଗୁରିପାଲି ନିକଟ ଚେରୁପାଲି ଅଙ୍ଗନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଘଟଣା ନେଇ ପରିବାର ପକ୍ଷରୁ ଡୁଙ୍ଗୁରିପାଲି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ବିଭିନ୍ନ ସମୟରେ ଦିବ୍ୟରଞ୍ଜନ ବିଭିନ୍ନ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ପଠାଇଥିବା ପରିବାର ଲୋକ କହିଥିଲେ । ଏହାକୁ ଆଧାର କରି ସୋନପୁର ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଦିବ୍ୟରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟାର କାରଣ ନ୍ୟୁଡ୍‌ କଲ ବୋଲି ପୋଲିସ ଜାଣିବାକୁ ପାଇଥିଲା ।

ରାଜସ୍ଥାନର ଏକ ଗ୍ୟାଙ୍ଗ ଦିବ୍ୟରଞ୍ଜନଙ୍କୁ ନ୍ୟୁଡ୍‌ କଲ କରି ବ୍ଲାକମେଲ କରିବା ସହ ୪୦ଟି ପର୍ଯ୍ୟାୟରେ ୨୬ ଲକ୍ଷ ଟଙ୍କା ନେଇଯାଇଥିଲେ । ଏଥିରେ ଦିବ୍ୟରଞ୍ଜନ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ପୋଲିସ କହିଛି । ଏହି ଘଟଣାରେ ରାଜସ୍ଥାନ ଜଇରୋଲି ଗାଁର ମେହେବୁବ ଏବଂ ସରହେତା ଗାଁର ଆଦିଲ ନାମକ ଦୁଇ ଯୁବକଙ୍କୁ ସୋନପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୋନପୁର ଏସପି ସୂଚନା ଦେଇଛନ୍ତି ।

ଟଙ୍କା ବାଣ୍ଟିବା ବେଳେ ବିଜେପି କାଉନସିଲରଙ୍କୁ ଧରିଲେ ଲୋକେ

ପଦମପୁର: ଭୋଟ ଗ୍ରହଣ କେନ୍ଦ୍ରରେ ମତଦାତାଙ୍କୁ ପ୍ରଲୋଭିତ କରିବାକୁ ବିଜେପି ନେତାଙ୍କ ଉଦ୍ୟମ । ଧାଡ଼ିରେ ଛିଡ଼ା ହୋଇଥିବା ଭୋଟରଙ୍କୁ ଟଙ୍କା ବାଣ୍ଟିବା ବେଳେ ଧରାପଡ଼ିଲେ ବିଜେପି କାଉନସିଲର ଚିନ୍ମୟ ପଣ୍ଡା । ବୁଥରେ ଥିବା ଭୋଟର ଚିନ୍ମୟଙ୍କୁ ଧରି ଦେଲେ ପୋଲିସ ଜିମା । ଏମିତି ଘଟଣା ଘଟିଛି ପଦମପୁର ୯ ନମ୍ବର ଓ୍ବାର୍ଡ ଚନ୍ଦ୍ରାବତୀ ସ୍କୁଲ ବୁଥରେ । ବୁଥ୍‌ ପରିସରରେ ଲାଇନରେ ଥିବା ମହିଳାଙ୍କୁ ଚିନ୍ମୟ ଟଙ୍କା ବାଣ୍ଟୁଥିବା ଲୋକେ ଦେଖି ପୋଲିସ ଜିମା ଦେଇଛନ୍ତି ।

ସେହିପରି ପାଇକମାଳ ବ୍ଲକ ଛେଳିଆମାଳରେ ଟଙ୍କା ବାଣ୍ଟୁ ଥିବା ବେଳେ କଳାହାଣ୍ଡି ବିଜେପିର ସାଧାରଣ ସମ୍ପାଦକ ସୁଧିର ପାଟ୍ଟଯୋଶୀଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି । ସ୍ଥାନୀୟ ଲୋକଙ୍କୁ ୩୦୦ ଲେଖାଏଁ ଟଙ୍କା ବାଣ୍ଟିବା ବେଳେ ଧରିଲେ ଲୋକେ ।

ସୂଚନାଯୋଗ୍ୟ, କେବଳ ବିଜେପି ନେତା ନୁହଁନ୍ତି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ମଧ୍ୟ ବିଜେପି ଟଙ୍କା ବଣ୍ଟା କାମରେ ନିୟୋଜିତ ହୋଇଛି । ଅର୍ଗସ ଟିଭିର ଟିମ୍ ପଦମପୁରରେ ଡେରା ପକାଇ ଭୋଟରଙ୍କୁ ପ୍ରଲୋଭିତ କରିବା ସହ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଥିଲା । ଅର୍ଗସ ଟିଭିର ଟିମ୍ ସ୍ଥାନୀୟ ଲୋକଙ୍କୁ ଟଙ୍କା ଦେଇ କ୍ୟାମେରା ଆଗରେ ବିଜେଡି ଟଙ୍କା ବାଣ୍ଟୁଥିବା କହିବାକୁ ବାଧ୍ୟ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ।

ଅନ୍ୟପଟେ ପ୍ରଚାର ସମୟରେ ବିଜେପିର ଗୁଣ୍ଡାରାଜ ମଧ୍ୟ ଦେଖିବାକୁ ମିଳିଥିଲା । ଛତିଶଗଡ଼ର ଗୁଣ୍ଡା ଆସି ବିଜେପିକୁ ଭୋଟ ଦେବାକୁ ପଦମପୁରବାସୀଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଥିଲା ।

ତେବେ ସେତିକିରେ ସୀମିତ ନଥିଲା ବିଜେପିର ଅରାଜକତା । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଅସମ୍ମାନ କରିବାକୁ ମଧ୍ୟ ପଛାଇ ନାହିଁ ଦଳ । ଗୋଟିଏ ପଟେ ବିଜେଡି ବିକାଶର ବାର୍ତ୍ତା ନେଇ ଲୋକଙ୍କ ପାଖକୁ ଯାଇଥିବା ବେଳେ ବିଜେପିର କେନ୍ଦ୍ରମନ୍ତ୍ରୀମାନେ ପ୍ରଚାରରେ ଆସି ପଦମପୁରବାସୀଙ୍କୁ ମିଛ କହି ଭୁଆଁ ବୁଲାଇଥିବା ଦେଖିବାକୁ ମିଳିଥିଲା ।

ହାରିବା ଭୟରେ ବିଜେପିର ଏମିତି ଆଚରଣ ପଦମପୁରର ସ୍ବାଭିମାନୀ ବାସିନ୍ଦାଙ୍କୁ ହୃଦୟକୁ ବାଧିଛି । ଯାହାର ଜବାବ ଭୋଟରେ ଦିଆଯିବ ବୋଲି ସ୍ଥାନୀୟ ବାସିନ୍ଦା ବିଜେପିକୁ ଖୋଲା ଚେତାବନୀ ଦେଇଥିଲେ ।