spot_img
Home Blog Page 3658

ପୁଣି ସୈନ୍ୟ ଏକତ୍ର କଲାଣି ଋଷ, କରିପାରେ ବଡ ଧରଣର ଆକ୍ରମଣ

ମସ୍କୋ: ପୁଣି ରକ୍ତମୁଖା ସାଜିଲାଣି ଋଷ । ୟୁକ୍ରେନ ବିରୋଧରେ ଲଢ଼ିବା ଲାଗି ଅଧିକରୁ ଅଧିକ କରାଯାଉଛି ସୈନ୍ୟ ସଂଗ୍ରହ । ଫ୍ରଣ୍ଟ ଲାଇନରେ ଲଢିବା ଲାଗି ସୈନ୍ୟଙ୍କୁ ଦିଆଯାଉଛି ତାଲିମ । ଋଷ ନିକଟରେ ନୂଆ ଅସ୍ତ୍ରଶସ୍ତ୍ର ନଥିବାବେଳେ ପୁରୁଣା ଅସ୍ତ୍ରଶସ୍ତ୍ରକୁ ଆଶ୍ରା କରି ଯୁଦ୍ଧ ଲଢୁଛି । ୟୁକ୍ରେନର ବାଖମୁଟରେ ବର୍ତ୍ତମାନ ଋଷ ସୈନ୍ୟ ଏକତ୍ରିତ ହୋଇଛନ୍ତି ଏବଂ ଖୁବ୍ ଶୀଘ୍ର ୟୁକ୍ରେନ ଉପରେ ପୁଣି ବଡ଼ ଧରଣର ଆକ୍ରମଣ ଆଶଙ୍କା କରାଯାଉଛି ।

ବର୍ତ୍ତମାନ ନୂଆ ବ୍ରିଗେ଼ଡ, ନୂଆ ବାଟାଲିୟନ ମୁତୟନ ପ୍ରକ୍ରିୟା ଶେଷ ହୋଇଛି ଏବଂ ବଡ଼ ଧରଣର ଆକ୍ରମଣ ହେବା ନିଶ୍ଚିତ ହୋଇଛି । ସେପଟେ ତୈଳ ରପ୍ତାନି ନେଇ ଦର ଉପରେ ପାଶ୍ଚାତ୍ୟରାଷ୍ଟ୍ର ଲଗାଇଥିବା କଟକଣା ନେଇ ହୁଙ୍କାର ଦେଇଛି ଋଷ । ଏହି କଟକଣା ସତ୍ତ୍ବେ ୟୁକ୍ରେନ ଉପରେ ଋଷର ଆକ୍ରମଣ ଜାରି ରହିବ । ୟୁରୋପୀୟ ୟୁନିଅନ, ଗ୍ରୁପ-୭ ପକ୍ଷରୁ ବ୍ୟାରେଲ ପିଛା ୬୦ ଡଲାର ଧାର୍ଯ୍ୟକୁ ବିରୋଧ କରିଥିଲା ଋଷ ।

ଡିସେମ୍ବର ୭ରୁ ସଂସଦର ଶୀତକାଳୀନ ଅଧିବେଶନ, ଏଥର ୧୭ଟି କାର୍ଯ୍ୟ ଦିବସ

ନୂଆଦିଲ୍ଲୀ: ଡିସେମ୍ବର ୭ରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ । ଆସନ୍ତା ୨୯ ତାରିଖ ଯାଏ ଚାଲିବାକୁ ଥିବା ଅଧିବେଶନରେ ରହିଛି ମୋଟ ୧୭ଟି କାର୍ଯ୍ୟ ଦିବସ । ଏହି ଅଧିବେଶନ କାଳରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ଆସିବାର କାର୍ଯ୍ୟକ୍ରମ ରହିଛି । ଗୃହର ସୁପରିଚାଳନା ଲାଗି ଆଜି ସନ୍ଧ୍ୟାରେ ଆହୂତ ହୋଇଛି ସର୍ବଦଳୀୟ ବୈଠକ । ବୈଠକରେ ଗୃହରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ବିଭିନ୍ନ ଦଳର ନେତାଙ୍କ ସହ ବାଚସ୍ପତି ଓମ ବିରଲା ଆଲୋଚନା କରିବେ । ଚଳିତ ଅଧିବେଶନରେ ପ୍ରାୟ ୧୬ଟି ନୂଆ ବିଲ୍ ଆଗତ ହେବ ।

ବିଶ୍ବସ୍ତରୀୟ ଟ୍ରେଡମାର୍କ ରେଜିଷ୍ଟ୍ରେସନ ବିଲ୍, ବହୁମୁଖୀ ରାଜ୍ୟ ସମବାୟ ସମିତି ସଂଶୋଧନ ବିଲ୍-୨୦୨୨ ଆଦି ଚଳିତ ଅଧିବେଶନରେ ଆଗତ ହେବ । ଉଭୟ ଲୋକସଭା ଓ ରାଜ୍ୟସଭାରେ ସରକାର ଅତିରିକ୍ତ ଅନୁଦାନ, ଚଳିତ ଆର୍ଥିକ ବର୍ଷରେ ଜାରି ରହିଥିବା କାର୍ଯ୍ୟକ୍ରମ ଉପରେ ଅଧିକ ବ୍ୟୟ ସମ୍ପର୍କରେ ମଧ୍ୟ ଆଲୋଚନା ହେବ । ବିଶ୍ବସ୍ତରୀୟ ଟ୍ରେଡମାର୍କ ରେଜିଷ୍ଟ୍ରେସନ ବିଲ୍ ପାରିତ ହେଲେ ଜଣେ ବ୍ୟକ୍ତି ସାରା ବିଶ୍ବରେ ଟ୍ରେଡମାର୍କ ପାଇବାର ଅଧିକାର ହାସଲ କରିବେ ।

ସମବାୟ ସଂସ୍ଥାଗୁଡିକୁ ସଶକ୍ତ କରିବା, ସେଥିରେ ସଂସ୍କାର ଆଣିବା, ସମବାୟ ସଂସ୍ଥା ନିର୍ବାଚନକୁ ସ୍ବଚ୍ଛ କରିବା ଲାଗି ଆସିବ ବହୁମୁଖୀ ରାଜ୍ୟ ସମବାୟ ସମିତି ସଂଶୋଧନ ବିଲ୍-୨୦୨୨ ।

ଟୁଇନସିଟିରେ ସ୍କୁଲରେ ଖୋଲିଲା ସାଇବର ସିକ୍ୟୁରିଟି କ୍ଲବ

ଭୁବନେଶ୍ୱର : ସାଇବର ଠକଙ୍କୁ ପାନେ ଦେବେ ସ୍କୁଲ ଛାତ୍ରଛାତ୍ରୀ । ଟୁଇନସିଟିରେ ସ୍କୁଲରେ ଖୋଲିଲା ସାଇବର ସିକ୍ୟୁରିଟି କ୍ଲବ । ରାଜଧାନୀର ବିଭିନ୍ନ ସ୍କୁଲରେ ଆରମ୍ଭ ହେଲା ସାଇବର ସଚେତନତା କାର୍ଯ୍ୟକ୍ରମ । ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ କରିଯାଇଛି । ଡିସିପି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ସିକ୍ୟୁରିଟି କ୍ଲର ଶୁଭାରମ୍ଭ କରାଯାଇଛି । ଏଥିରେ ପିଲାଙ୍କ ସହ ସ୍କୁଲ କର୍ମକର୍ତ୍ତାଙ୍କୁ କରାଯାଇଛି ସଚେତନ ।

ନୂଆ ଅଭିଯାନ ଦ୍ବାରା କମିଶନରେଟ ପୋଲିସ ଲିଙ୍କରେ ରହିବ ହ୍ବାଟ୍ସଆପ ଗ୍ରୁପ୍ । ଟ୍ରାଫିକ, ନିଶା କାରବାର, ଆତ୍ମହତ୍ୟା ଉପରେ ପିଲାଙ୍କୁ କରାଯିବ ସଚେତନ । କମିଶନରେଟ ପୋଲିସ ପକ୍ଷରୁ ଏକ ସ୍ପେଶାଲ ଟିମ୍ ଗଠନ ହେବ । ପ୍ରତ୍ୟକ ସ୍କୁଲରେ ସାଇବର ଅପରାଧ ସହିତ ଟ୍ରାଫିକ, ନିଶା କାରବାର, ଆତ୍ମହତ୍ୟା ପ୍ରବଣତା, ବାଲ୍ୟ ବିବାହ ଉପରେ ପିଲାଙ୍କୁ ସଚେତନ କରାଯିବ । କିଛିଦିନ ତଳେ ସାଇବର ପାଠ୍ୟକ୍ରମକୁ କଲେଜ ଓ ସ୍କୁଲ ସ୍ତରରେ ଲାଗୁ କରିବାକୁ ଖସଡ଼ା ପ୍ରସ୍ତୁତ କରିଛନ୍ତି ସରକାର ।

ଏକଜିଟ୍ ପୋଲ୍: ହିମାଚଳରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ! ଖାତା ଖୋଲିପାରିବନି ଆପ୍

ସିମଲା: ହିମାଚଳ ପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ଅନୁସାରେ ଏଥର ବି ପରମ୍ପରା ଏଠାରେ ଜାରି ରହିବ । ୩୭ ବର୍ଷ ହେବ କଂଗ୍ରେସ ଗୋଟିଏ ଟର୍ମ ଓ ବିଜେପି ଗୋଟିଏ ଟର୍ମ ଜିତି ଆସୁଛି । ଚଳିତଥର ଯେଉଁ କୁହାଯାଉଥିଲା ବିଜେପି ପରମ୍ପରା ଭାଙ୍ଗି ଲଗାତାର ଦ୍ୱିତୀୟ ଥର ପାଇଁ ସରକାର ଗଢି଼ବ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି ।

କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ଅବଶ୍ୟ ୮ ତାରିଖରେ ସ୍ପଷ୍ଟ ହୋଇଯିବ ଯେ କିଏ ସେଠାରେ ସରକାର ଗଠନ କରିବ । ହେଲେ ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ କଡ଼ା ମୁକାବିଲା ନେଇ ଭବିଷ୍ଯବାଣୀ କରିଛି । ସେହିପରି ପ୍ରଥମ କରି ଏଣ୍ଟ୍ରି ମାରିଥିବା ଆପ୍ କୁ ବିଫଳତା ମିଳୁଥିବାର ଦେଖାଯାଇଛି । ଖାତା ଖୋଲିବାରେ ବିଫଳ ହୋଇଯିବ ଆପ୍ । ଆଜତକ୍-ଆକ୍ସିସର ସର୍ଭେ ଅନୁସାରେ ବିଜେପି ୨୪-୩୪ ଆସନ ଜିତିବା ସହ ସରକାର ଗଠନ କରିବ ।

କଂଗ୍ରେସ ୩୦-୪୦ ଆସନ, ଆପ୍ ଶୂନ ଆସନ ଏବଂ ଅନ୍ୟ ୪-୮ ଆସନ ଜିତିବା ନେଇ ଆକଳନ କରାଯାଇଛି । ଏବିପି-ସି ଭୋଟର ସର୍ଭେ ଅନୁସାରେ ବିଜେପିକୁ ୩୩-୪୧, କଂଗ୍ରେସକୁ ୨୪-୩୨, ଆପ୍କୁ ଶୂନ ଓ ଅନ୍ୟକୁ ୦-୪ ଆସନ ମିଳିବ । ରିପବ୍ଲିକ- ପି ମାର୍କ ସର୍ଭେ ଅନୁସାରେ ବିଜେପି ୩୪-୩୯ ଆସନ, କଂଗ୍ରେସ ୨୮-୩୩, ଆପ୍ ୦-୧ ଆସନ, ଅନ୍ୟ ୧-୪ ଆସନ ଜିତିବେ ।

ନ୍ୟୁଜ ୨୪-ଚାଣକ୍ୟା ସର୍ଭେ ଅନୁସାରେ ବିଜେପିକୁ ୩୩, କଂଗ୍ରେସକୁ ୩୩, ଆପ୍କୁ ଶୂନ ଆସନ, ଅନ୍ୟକୁ ୨ ଆସନ । ଟାଇମ୍ସ ନାଓ-ଇଟିଜି ସର୍ଭେ ଅନୁସାରେ ବିଜେପିକୁ ୩୪-୪୨, କଂଗ୍ରେସକୁ ୨୪-୩୨, ଆପ୍କୁ ଶୂନ ଓ ଅନ୍ୟକୁ ୧-୩ ଆସନ । ଟିଭି ୯-ଭାରତବର୍ଷ ସର୍ଭେ ଅନୁସାରେ ବିଜେପି ୩୩, କଂଗ୍ରେସ ୩୧, ଆପ୍ ଶୂନ ଓ ଅନ୍ୟ ୪ ଆସନ ଜିତିବେ । ତେବେ ଏହି ଆକଳନ କେତେ ସତ ହେବ ତାହା ୮ ତାରିଖରେ ସ୍ପଷ୍ଟ ହୋଇଯିବ ।

ଏକଜିଟ୍ ପୋଲ୍: ଗୁଜରାଟରେ ମୋଦିଙ୍କ ମ୍ୟାଜିକ କାଏମ ! ବହୁ ପଛରେ ରହିବ କଂଗ୍ରେସ

ଅହମ୍ମଦାବାଦ: ଗୁଜରାଟରେ କିଏ ସରକାର ଗଠନ କରିବ ଏବଂ କାହାକୁ ଆଗାମୀ ୫ ବର୍ଷ ପାଇଁ ଅପେକ୍ଷା କରିବାକୁ ପଡ଼ିବ ତାହା ୮ ଡିସେମ୍ବରରେ ଗଣତି ପରେ ସ୍ପଷ୍ଟ ହେବ । କିନ୍ତୁ ଏହା ପୂର୍ବରୁ ଆଜି ଏକଜିଟ୍ ପୋଲ୍ ସାମ୍ନାକୁ ଆସିଛି । ବିଭିନ୍ନ ସଂସ୍ଥା ପକ୍ଷରୁ ଭବିଷ୍ୟବାଣୀ କରାଯାଇଛି । ପ୍ରାୟତଃ ସବୁ ସଂସ୍ଥା ଅନୁସାରେ ଲଗାତାର ୭ମ ଥର ପାଇଁ ବିଜେପି ଗୁଜରାଟରେ ସରକାର ଗଠନ କରିବାକୁ ଯାଉଛି । ମୋଦି ମ୍ୟାଜିକ ପୁଣିଥରେ ଦେଖିବାକୁ ମିଳିବ । ବିରୋଧୀ ଯେଉଁ ସବୁ ପ୍ରସଙ୍ଗକୁ ନେଇ ବିଜେପିକୁ ମାତ୍ ଦେବାକୁ ମଇଦାନକୁ ଓହ୍ଲାଇଥିଲେ ତାହା ଫ୍ଲପ୍ ହେଉଥିବା ଦେଖାଯାଇଛି ।

ବିଜେପି କେବଳ ବିଜୟୀ ହେବନି ବରଂ ରେକର୍ଡ ବିଜୟ ହାସଲ କରିବା ନେଇ ଭବିଷ୍ୟବାଣୀ କରାଯାଇଛି । ଆଜତକ୍-ଆକ୍ସିସର ସର୍ଭେ ଅନୁଯାୟୀ ଗୁଜରାଟରେ ବିଜେପି ୧୨୯-୧୫୧ ଆସନ ଜିତିବାକୁ ଯାଉଛି, କଂଗ୍ରେସ ୧୬-୩୦ ଆସନ, ଆମ ଆଦମି ପାର୍ଟି (ଏଏପି) ୯-୨୧ ଆସନ ଓ ଅନ୍ୟକୁ ୨-୬ ଆସନ ମିଳିବ ବୋଲି ଆକଳନ କରାଯାଇଛି । ସେହିପରି ଏବିପି-ସି ଭୋଟର ସର୍ଭେ ଅନୁସାରେ ବିଜେପିକୁ ୧୨-୧୪୦, କଂଗ୍ରେସକୁ ୩୧-୪୩, ଏଏପିକୁ ୩-୧୧ ଓ ଅନ୍ୟକୁ ୨-୬ ଆସନ ମିଳିବ । ରିପବ୍ଲିକ୍-ପି ମାର୍କ ସର୍ଭେ ଅନୁସାରେ ବିଜେପିକୁ ୧୨୮-୧୪୮, କଂଗ୍ରେସକୁ ୩୦-୪୨, ଏଏପିକୁ ୨-୧୦ ଓ ଅନ୍ୟକୁ ୦-୩ ଆସନ ।

ନ୍ୟୁଜ ୨୪-ଚାଣକ୍ୟାର ସର୍ଭେ ଅନୁସାରେ ବିଜେପିକୁ ୧୫୦, କଂଗ୍ରେସକୁ ୧୯, ଆପ୍ କୁ ୧୧ ଏବଂ ଅନ୍ୟକୁ ୨ । ଟାଇମ୍ସ ନାଓ-ଇଟିଜି ସର୍ଭେ ଅନୁସାରେ ବିଜେପିକୁ ୧୩୯, କଂଗ୍ରେସକୁ ୩୦, ଏଏପିକୁ ୧୧ ଏବଂ ଅନ୍ୟକୁ ୨ । ଟିଭି-୯ ଭାରତବର୍ଷ ସର୍ଭେ ଅନୁସାରେ ବିଜେପିକୁ ୧୨୫-୧୩୦ କଂଗ୍ରେସକୁ ୪୦-୫୦, ଏଏପିକୁ ୩-୫ ଏବଂ ଅନ୍ୟକୁ ୩-୭ ଆସନ ଜିତୁଥିବାର ଦେଖାଯାଇଛି । ତେବେ ଏହି ଆକଳନ କେତେ ସଫଳ ହେବ ତାହା ତ ୮ ତାରିଖରେ ଫଳାଫଳ ଆସିବା ପରେ ସ୍ପଷ୍ଟ ହେବ । କିନ୍ତୁ ଆକଳନ ଅନୁସାରେ ଗୁଜରାଟରେ ବିଜେପି ପୁଣିଥରେ ସରକାର ଗଠନ କରିବାକୁ ଯାଉଛି ।

ଟୁଇଟର ମାଲିକ ଏଲନ ମସ୍କଙ୍କ ଜୀବନ ପ୍ରତି ବିପଦ

ନନ୍ଦିଘୋଷ ବ୍ୟୁରୋ: ଟୁଇଟର ମାଲିକ ଏଲନ ମସ୍କଙ୍କ ଜୀବନ ପ୍ରତି ବିପଦ । ତାଙ୍କୁ ଗୁଳି କରିବା ଆଶଙ୍କା ରହିଛି ବୋଲି ସେ କହିଛନ୍ତି । ଏନେଇ ସେ ଦୁଇ ଘଣ୍ଟାର ଅଡିଓ ରିଲିଜ କରିଛନ୍ତି । ସେ କହିଛନ୍ତି- ତାଙ୍କ ଉପରେ କିଛି ଅଘଟଣ ଘଟିବାର ଆଶଙ୍କା ରହିଛି । ଜଣଙ୍କୁ ହତ୍ୟା କରିବା କିଛି ଗୋଟାଏ ବଡ଼ କଥା ନୁହେଁ । ଯଦି ଶତ୍ରୁ ଚାହିଁବେ ତେବେ ତାଙ୍କୁ ହତ୍ୟା କରିବା ଆଶଙ୍କା ରହିଛି । ସେ ଖୋଲା କାର୍ରେ ବୁଲିବେ ନାହିଁ ।

ତେବେ ଏହାକୁ ନେଇ ଭାଗ୍ୟ ଉପରେ ଛାଡିଛନ୍ତି ମସ୍କ । ଟେସଲା ଓ ସ୍ପେସଏକ୍ସ ସିଇଓ ମସ୍କ ମୁକ୍ତ ଓ ଅବାଧ ମତବ୍ୟକ୍ତ କରିବାର ଅଧିକାରକୁ ଗୁରୁତ୍ବ ଦେଇଛନ୍ତି । ସେ ଏପରି ଏକ ଭବିଷ୍ୟତ କଥା କହୁଛନ୍ତି ଯେଉଁଥିରେ କୌଣସି ଚାପ ନଥିବ । ଯେତେବେଳେ ପର୍ଯ୍ୟନ୍ତ ଆପଣ ଅନ୍ୟମାନଙ୍କ ଲାଗି ବିପଦ ସୃଷ୍ଟି କରିନାହାନ୍ତି ସେତେବେଳ ପର୍ଯ୍ୟନ୍ତ ଆପଣଙ୍କୁ କଥା କହିବାର ଅଧିକାର ପ୍ରଦାନ କରିବା ଉଚିତ ବୋଲି ସେ କହିଛନ୍ତି ।

ଜି-୨୦ ସମ୍ମିଳନୀ ପାଇଁ ବଡ଼ ପ୍ରସ୍ତୁତି; ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ

ନୂଆଦିଲ୍ଲୀ: ଗ୍ରୁପ-୨୦ ସମ୍ମିଳନୀ ନେଇ ବଡ ପ୍ରସ୍ତୁତି । ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଛି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ । ବୈଠକରେ ପ୍ରମୁଖ ରାଜନୈତିକ ଦଳଗୁଡିକର ମୁଖ୍ୟମାନେ ବି ସାମିଲ ହୋଇଥିଲେ । ଚଳିତ ବର୍ଷ ଗ୍ରୁପ-୨୦ର ବୈଠକ ହେବାକୁ ଯାଉଥିବାରୁ ଭାରତ ଅନ୍ତର୍ଜାତୀୟ ସ୍ତରରେ ଗୁରୁତ୍ବ ହାସଲ କରିଛି ।

ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଥିଲେ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଗ୍ରୁପ-୨୦ ନେଇ ଏକ ଦସ୍ତାବିଜ ଉପସ୍ଥାପନ କରିଥିଲେ । ଗତ ଡିସେମ୍ବର ୧ ତାରିଖରେ ଗ୍ରୁପ-୨୦ର ସଭାପତିତ୍ବ କରିବା ଲାଗି ଭାରତ ବିଧିବଦ୍ଧ ଦାୟିତ୍ବ ନେଇଥିଲା । ଚଳିତ ମାସରୁ ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୨୦୦ ପ୍ରସ୍ତୁତି ବୈଠକ ହେବ ।

ଗ୍ରୁପ-୨୦ରେ ଭାରତର ସଭାପତିତ୍ବ ନେଇ ଖୁସି ବ୍ୟକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଣାର୍କରେ ଗ୍ରୁପ-୨୦ ବୈଠକ ହେବା ପ୍ରସଙ୍ଗରେ ସେ କହିଛନ୍ତି- ଏହି ବିଷୟ ସମ୍ପର୍କରେ ସେ ସୂଚନା ପାଇଛନ୍ତି । ଯଦି କୋଣାର୍କରେ ହୁଏ ତେବେ ସେ ଆନନ୍ଦିତ ହେବେ । ଆସନ୍ତା ସେପ୍ଟେମ୍ବର ୯ ଓ ୧୦ରେ ନୂଆଦିଲ୍ଲୀରେ ହେବ ଗ୍ରୁପ-୨୦ ସମ୍ମିଳନୀ ।

ସମ୍ମିଳନୀରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନଡା, ଚୀନ, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, କୋରିଆ, ମେକ୍ସିକୋ, ଋଷ, ସାଉଦିଆରବ, ସାଉଥ ଆଫ୍ରିକା, ବ୍ରିଟେନ, ଆମେରିକା, ୟୁରୋପୀୟ ରାଷ୍ଟ୍ରସଂଘ ଯୋଗଦେବେ । ଡିସେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ସଂସ୍କୃତି ମନ୍ତ୍ରାଳୟ ଅଧୀନ ଭାରତର ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଐତିହାସିକ କୀର୍ତ୍ତିରାଜିଗୁଡ଼ିକୁ ଗ୍ରୁପ-୨୦ ଲୋଗୋ ଆଲୋକରେ ଆଲୋକିତ କରାଯାଇଥିଲା । ଏଥିରେ ଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ଏବଂ ରାଜାରାଣୀ ମନ୍ଦିର ।

EXIT POLL : ଦିଲ୍ଲୀ ଏମସିଡିରେ ବାଜି ମାରିବ କେଜ୍ରିୱାଲଙ୍କ ଆପ୍ !

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ବା ଏମସିଡି ନିର୍ବାଚନରେ ଆମ ଆଦମୀ ପାର୍ଟିକୁ ମିଳିବ ବହୁମତ । ବିଭିନ୍ନ ଏକଜିଟ ପୋଲ ଅନୁସାରେ ୨୫୦ ଓ୍ବାର୍ଡରୁ ଆପକୁ ବହୁମତ ମିଳିବ ବୋଲି କୁହାଯାଇଛି । ଆଜ ତକ ପକ୍ଷରୁ ହୋଇଥିବା ସର୍ଭେରେ ଆପକୁ ୧୪୯ରୁ ୧୭୧ ଆସନ ମିଳିବ ବୋଲି କୁହାଯାଇଛି । ସେହିପରି ଟାଇମସ ନାଓ ପକ୍ଷରୁ ହୋଇଥିବା ସର୍ଭେରେ ଆପକୁ ୧୪୬ରୁ ୧୫୬ ଆସନ ମିଳିବ ବୋଲି କୁହାଯାଇଛି । ନିର୍ବାଚନରେ ଭୋଟ ଦେଇଥିଲେ ଦିଲ୍ଲୀର ୧କୋଟି ୪୫ ଲକ୍ଷ ଭୋଟର । ୨୫୦ ଓ୍ବାର୍ଡ ପାଇଁ ମଇଦାନରେ ଥିଲେ ୧୩ଶହ ୪୯ ପ୍ରାର୍ଥୀ ।

ସରିଲା ଗୁଜରାଟ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଇଭିଏମରେ ୮୩୩ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍

ଅହମ୍ମଦାବାଦ: ସରିଲା ଗୁଜରାଟ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ୯୩ ଆସନ ପାଇଁ ମତଦାନ ସାବ୍ୟସ୍ତ କରିଛନ୍ତି ଭୋଟର । ସନ୍ଧ୍ୟା ୫ଟା ସୁଦ୍ଧା ୫୯ ପ୍ରତିଶତ ମତଦାନ ହୋଇଛି । ୧୪ ଜିଲ୍ଲାର ୯୩ ଆସନ ପାଇଁ ୮୩୩ ପ୍ରାର୍ଥୀଙ୍କ ଭାଗ୍ୟ ହୋଇଛି ସିଲ୍ । ମଇଦାନରେ ୨୮୫ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି । ସବୁ ସିଟରେ ବିଜେପି, ଆମ ଆଦମୀ ପାର୍ଟିର ପ୍ରାର୍ଥୀ ରହିଥିବା ବେଳେ କଂଗ୍ରେସ ୯୦ ଆସନରେ ପ୍ରାର୍ଥୀ ଦେଇଛି । ମଧ୍ୟ ଓ ଉତ୍ତର ଗୁଜରାଟ ବିଜେପି, କଂଗ୍ରେସ ଓ ଆପ୍ ପାଇଁ ବେଶ ମହତ୍ତ୍ବପୂର୍ଣ୍ଣ ।

୯୩ ଆସନ ମଧ୍ୟରୁ ୫୪ ସିଟ୍ ଗ୍ରାମୀଣ ଅଞ୍ଚଳ ହୋଇଥିବା ବେଳେ ୩୯ ସହରୀ ସିଟ୍ ରହିଛି । ୧୩ହଜାର ୩୧୯ ବୁଥ୍ ରେ ପୋଲିଂର ଓ୍ବେବକାଷ୍ଟିଂ କରାଯାଉଛି । ୨୯ହଜାର ପ୍ରିଜାଇଡିଂ ଅଫିସର ଓ ୮୪ ହଜାର ପୁଲିଂ ଅଫିସର ଭୋଟଦାନ କେନ୍ଦ୍ରରେ ନିୟୋଜିତ ହୋଇଥିଲେ । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ସିଏମ ଭୂପେନ୍ଦ୍ର ପଟେଲ, ବିରାମଗାମରୁ ବିଜେପି ନେତା ହାର୍ଦ୍ଦିକ ପଟେଲ, ଗାନ୍ଧୀନଗର ଦକ୍ଷିଣରୁ ଅଳ୍ପେଶ ଠାକୁର ପ୍ରମୁଖ ପ୍ରାର୍ଥୀ ରହିଛନ୍ତି ।

ବଡ଼ଗାମ ସିଟରୁ କଂଗ୍ରେସର ଦଳିତ ନେତା ଜିଗ୍ନେଶ ମେଓ୍ବାନୀ, ଜେତପୁର ସିଟରୁବିରୋଧୀ ନେତା ସୁଖରାମ ରାଠଓ୍ବା,ବାଘୋଡିଆ ସିଟରୁ ବିଜେପିର ବିଦ୍ରୋହୀ ନେତା ମଧୁ ଶ୍ରୀବାସ୍ତବ ନିର୍ବାଚନ ଲଢୁଛନ୍ତି । ୨୦୧୭ ନିର୍ବାଚନରେ ବିଜେପି ୯୩ ସିଟରୁ ୫୧ ଆସନରେ ବିଜେପି ବାଜିମାତ କରିଥିଲା । କଂଗ୍ରେସ ୩୯ ସିଟରେ ବିଜୟୀ ହୋଇଥିଲା । ସ୍ବାଧୀନ ପ୍ରାର୍ଥୀ ୩ଟି ଆସନରେ ବିଜୟୀ ହୋଇଥିଲେ ।

ଗତ ନିର୍ବାଚନରେ ଉଭୟ ଉତ୍ତର ଓ ମଧ୍ୟ ଗୁଜରାଟର ଗ୍ରାମୀଣ ଅଞ୍ଚଳର ଅଧିକାଂଶ ଆସନ କଂଗ୍ରେସ ହାତକୁ ଆସିଥିଲା । ଉତ୍ତର ଗୁଜରାଟରେ ବିଜେପିଠାରୁ କଂଗ୍ରେସ ଅଧିକ ତିନି ଆସନ ଜିତିଥିଲା । ସହରୀ ଆସନ ବିଜେପି ଅକ୍ତିଆରରେ ରହିଥିବା ବେଳେ ଏଥର ରାଜନୈତିକ ସମୀକରଣ ବଦଳିଛି । ଆମ ଆଦମୀ ପାର୍ଟି ସହରାଞ୍ଚଳ ଆସନ ପାଇଁ ଜୋରଦାର ଉଦ୍ୟମ କରିଛି ।

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନଙ୍କ ଅଜବ ଆଦେଶ

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦୀ କ୍ରୁର ଶାସକ କିମ୍ ଜଙ୍ଗ ଉନ ନିଜର ନୂଆ ନୂଆ ନିଷ୍ପତ୍ତି ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଦେଶରେ ନିଜର କଟ୍ଟର ନୀତି ଏବଂ ବିବାଦୀୟ ନିଷ୍ପତ୍ତି ପାଇଁ ଉତ୍ତରକୋରିଆର ଜନତାଙ୍କ ଚିନ୍ତା ତ ବଢ଼ିଥାଏ, ସେହିପରି କେବେ କେବେ ମିସାଇଲ ପରୀକ୍ଷଣ କରି ଅନ୍ୟ ଦେଶଗୁଡିକର ଚିନ୍ତା ମଧ୍ୟ ବଢ଼ାଇଥାନ୍ତି । କିମଙ୍କୁ ନିଜର ଅଜବ ନିଷ୍ପତ୍ତି ପାଇଁ ମଧ୍ୟ ଜଣାଯାଇଥାଏ ।

ନିକଟରେ କିମ୍ ନିଜ ଦେଶ ପାଇଁ ଅଜବ ଆଦେଶ ଜାରି କରିଛନ୍ତି, ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ନିକଟରେ କିମ ନିଜ ଦେଶର ଲୋକଙ୍କୁ ନିଜ ନିଜର ପିଲାଙ୍କ ନାଁ ବମ୍ ଏବଂ ଗନ୍ ଅର୍ଥାତ ବନ୍ଧୁକ ଭଳି ନାଁ ରଖିବା ପାଇଁ ଆଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ, ଏହି ଲିଷ୍ଟରେ ସାଟେଲାଇଟ ଅର୍ଥାତ ଉପଗ୍ରହ ନାଁ ମଧ୍ୟ ସାମିଲ ରହିଛି । କ୍ରୁର ଶାଶକ କିମଙ୍କ ଏହି ଆଦେଶ ଦ୍ୱାରା ସମସ୍ତେ ଚକିତ ଅଛନ୍ତି ।

ଏହି ଆଦେଶ ଆଧାରରେ Pok II ଯାହାର ଅର୍ଥ ବୋମା , Chung Sim ଯାହାର ଅର୍ଥ ଆଦେଶକାରୀ ଏବଂ Ui Song ଯାହାର ଅର୍ଥ ସାଟେଲାଇଟ ଭଳି ନାଁ ମଧ୍ୟ ରଖିବା ପାଇଁ କୁହାଯାଇଛି । ଉତ୍ତର କୋରିଆରେ ଏହି ଅଜବ ଆଦେଶ ପଛର କାରଣ ମଧ୍ୟ ଅଜବ ଅଟେ । ସୂଚନାଯୋଗ୍ୟ, କିମଙ୍କ ଅନୁସାରେ ଏହି ପ୍ରକାରର ନାଁ ଦେଶଭକ୍ତିକୁ ଦର୍ଶାଉଛି । ଏପରି ସ୍ଥଳରେ ଇଚ୍ଛା ରହିଛି ଯେ ଉତ୍ତର କୋରିଆରେ ଶିଶୁଙ୍କର ଏହି ଭଳି ନାଁ ରଖାଯାଉ ।

କିମଙ୍କ ଅନୁସାରେ ଯେଉଁ ଲୋକମାନେ ଏହି ଆଦେଶକୁ ନମାନିବେ, ସେମାନଙ୍କୁ ଅସମାଜିକ ବୋଲି ବିବେଚିତ କରାଯିବ । କେବଳ ଏତିକି ନୁହେଁ, ଏପରି ଲୋକମାନଙ୍କ ଉପରେ ଆଦେଶ ନମାନିଲେ ଜରିମାନା ମଧ୍ୟ ଲଗାଯିବା ନେଇ ଆଦେଶରେ କୁହାଯାଇଛି । କିମଙ୍କ ଏହି ଅଜବ ଆଦେଶକୁ ପିଲାଙ୍କ ପିତାମାତା ବିରୋଧ କରିଛନ୍ତି । ହେଲେ ଏହାର କୌଣସି ଫରକ୍ ପଡ଼ିନାହିଁ । ନିଜ ନିଷ୍ପତ୍ତିରେ କିମ୍ ଅଟଳ ରହିଛନ୍ତି । ଅଧିକାରୀମାନେ ପିତାମାତାଙ୍କୁ ନିଜ ପିଲାଙ୍କ ନାଁ ବଦଳାଇବା ପାଇଁ ବାରମ୍ବାର ଚାପ ପକାଉଥିବା ମଧ୍ୟ ଖବର ରହିଛି ।