୧୯ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିବେଶ କ୍ଷେତ୍ରରେ ଆଉ ଏକ ମାଇଲଷ୍ଟୋନ୍‌ । ୧୯ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ୧୬ ଶହ ୫୦ କୋଟି ଟଙ୍କାର ନିବେଶ ହେବ । ୪ ହଜାର ୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ୧୭ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ୨ଟି ପ୍ରକଳ୍ପର ଉଦଘାଟନ ହୋଇଛି । ମେକ ଇନ୍‌ ଓଡ଼ିଶା ୨୦୨୨ରେ ଏସବୁ ନିବେଶ ପାଇଁ ପ୍ରସ୍ତାବ ଆସିଥିଲା । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ନିବେଶ ପାଇଁ ବ୍ୟାପକ ସୁବିଧା ସୁଯୋଗ ବିଷୟରେ କହିଥିଲେ ।

ଓଡ଼ିଶା ଏବେ ବିଭିନ୍ନ କ୍ଷେତ୍ରରେ ଆତ୍ମନିର୍ଭର ହୋଇଛି । ରାଜ୍ୟରେ ନିବେଶ ପାଇଁ ସରକାରଙ୍କ ପକ୍ଷରୁ ଅନୁକୂଳ ବାତାବରଣ ସୃଷ୍ଟି କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜିର ଉଦଘାଟନ ପରେ ସୁନ୍ଦରଗଡ଼ ଆଇଏଫଜିଏଲ କାରଖାନା ସଂପ୍ରସାରିତ ହେବ । ଏଥିପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 60 କୋଟି ଟଙ୍କା ବ୍ୟୟରେ କାରଖାନାର ସମ୍ପ୍ରସାରଣ କରାଯିବ । ଏଥିରେ 450 ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ଶିଳ୍ପର ଅଭିବୃଦ୍ଧି ସହିତ ସ୍ଥାନୀୟ ଯୁବକ ଓ ଯୁବତୀଙ୍କୁ କର୍ମ ନିଯୁକ୍ତି ମିଳିପାରିବ । ରାଜ୍ୟ ସରକାରଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ସୁନ୍ଦରଗଡ଼ବାସୀ । ଆଠଗଡ ଖୁଣ୍ଟୁଣୀ ଠାରେ ନବନିର୍ମିତ ସୁପ୍ରିମ ଇଣ୍ଡଷ୍ଟ୍ରି କଂପାନୀକୁ ଉଦଘାଟନ କରିଛନ୍ତି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୁଣ୍ଟୁଣୀ ଠାରେ ଏହି କଂପାନୀରେ ପାଇପ ଓ ଫିଟିଂ ସରଞ୍ଜାମ ପ୍ରସ୍ତୁତ କରାଯିବ ।