କୌଣସି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବାର ବ୍ୟବସ୍ଥା ନାହିଁ

ଭୁବନେଶ୍ୱର: କୌଣସି ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ମାନ୍ୟତା ଦେବାର ବ୍ୟବସ୍ଥା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ରୀୟ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ଏଣିକି ସ୍ବତନ୍ତ୍ର ରାଜ୍ୟ ପାହ୍ୟାର ସୁବିଧା ଉପଲବ୍ଧ ନୁହେଁ ବୋଲି କହିବା ସହ ଆନ୍ଧ୍ର ତେଲେଙ୍ଗାନାର ଉଦାହରଣ ଦେଇଛନ୍ତି । ବିଭାଜନ ବେଳେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନେଇ ଆଲୋଚନା ହୋଇଥିବାରୁ ତେଲେଙ୍ଗାନାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ମିଳିଛି ବୋଲି କହିଛନ୍ତି ନିର୍ମଳା ସୀତାରମଣ । କେନ୍ଦ୍ରୀୟ ବଜେଟ ପରବର୍ତ୍ତୀ ଆଲୋଚନାରେ ଭାଗ ନେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ତାଙ୍କ ଟିମ ।

କେନ୍ଦ୍ରୀୟ ବଜେଟରେ କିଭଳି ସମାଜର ସବୁ ବର୍ଗର ଲୋକଙ୍କୁ ନଜରରେ ରଖାଯାଇଛି ସେ ବାବଦରେ ତଥ୍ୟ ରଖିଛନ୍ତି ଅର୍ଥ ମନ୍ତ୍ରୀ । ଜିଏସଟି ପକ୍ଷରୁ ଆୟୋଜିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇ ଶିଳ୍ପ ଓ ବ୍ୟବସାୟ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଦୁଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ, ବିଭାଗୀୟ ସଚିବ ମାନେ ଉପସ୍ଥିତ ଥିଲେ । ନରେଗା ଓ ଚାଷୀଙ୍କ ଠାରୁ ଖାଦ୍ୟ ଶସ୍ୟ ସଂଗ୍ରହ ବାବଦକୁ ପାଣ୍ଠି କମାଯିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ନିର୍ମଳା । ହେଲେ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା, କୋଇଲା ରୟାଲିଟି ବୃଦ୍ଧି, ସ୍ଥାୟୀ ବିପର୍ଯ୍ୟୟ ପ୍ରତିରୋଧକ ପାଣ୍ଠି, ଗ୍ରୀନ ସେସରେ ରାଜ୍ୟର ଭାଗ ପ୍ରସଂଗରେ ବୁଲେଇ ବଙ୍କେଇ କହିବା ସହ ଗୃହ ଓ ଖଣି ମନ୍ତ୍ରାଳୟ ନିଷ୍ପତି ନେବ ବୋଲି କହିଥିଲେ ।

ସେହିପରି ଜିଏସଟି କ୍ଷତିପୂରଣ ଅବଧି 2026 ଯାଏଁ ବୃଦ୍ଧି ହୋଇଥିଲେ ମଧ୍ୟ ଜିଏସଟି ଆଦାୟ କମିଲେ କ୍ଷତିପୂରଣ କେବଳ ଋଣ ସୁଝିବା ପାଇଁ ଉଦ୍ଧିଷ୍ଟ ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି । ଏହାସହ ପେଟ୍ରୋଲ ଓ ଡିଜେଲ ଜିଏସଟି ପରିସର ବାବଦରେ ମନ୍ତ୍ରୀ କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଜିଏସଟି ପରିସର ଅଛି, ହେଲେ କେଉଁ ସ୍ଲାବରେ ରହିବ, କେତେ ପ୍ରତିଶତ ଟିକସ ନିଆଯିବ, ତାହା ରାଜ୍ୟମାନେ ସ୍ଥିର କରିନାହାନ୍ତି ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି ।