ବିଜେପି ଜୟନାରାୟଣଙ୍କ ସୁରକ୍ଷା ଦାବି କରିବା ହାସ୍ୟାସ୍ପଦ: ସୁଲତା ଦେଓ

ଭୁବନେଶ୍ୱର: ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ । ତାଙ୍କ ନାଁରେ ୧୬ଟି ମାମଲା ରହିଛି । ଏପରିକି ହତ୍ୟା ଅଭିଯୋଗରେ ଜେଲ୍ ଯାଇ ଜାମିନରେ ଆସିଛନ୍ତି । ଏଭଳି ଅପରାଧୀ ହୋଇ ବି ବିରୋଧୀ ଦଳ ନେତା ହୋଇଥିବାରୁ ତାଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇଥିଲା । ମାତ୍ର ସେ ଏହାକୁ ଫେରାଇ ଦେଇଛନ୍ତି । ଏହାପରେ ଭାରତୀୟ ଜନତା ପାର୍ଟିର ସମସ୍ତ ବିଧାୟକ ରାଜ୍ୟପାଳଙ୍କୁ ଭେଟି ଜୟନାରାୟଣଙ୍କର ସୁରକ୍ଷା ଦାବି କରିବା ହାସ୍ୟାସ୍ପଦ କଥା ବୋଲି ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି।

ବିଜେପି ବିଧାୟକ ଜୟନାରାୟଣଙ୍କ ପାଇଁ ସୁରକ୍ଷା ଲୋଡ଼ିବା ବଦଳରେ ତାଙ୍କୁ କ୍ଷମା ମାଗିବା ପାଇଁ ଏକଜୁଟ ହୋଇ କହିବା ଆବଶ୍ୟକ ବୋଲି ବିଜେଡି କହିଛି । ମହିଳା ଆଇଆଇସିଙ୍କୁ ଆକ୍ରମଣ ଘଟଣାରେ ଜୟନାରାୟଣ ରାଜ୍ୟବାସୀଙ୍କୁ କ୍ଷମା ମାଗିବାକୁ ବିଜେପି ବିଧାୟକ ଜୟନାରାୟଣଙ୍କୁ ବୁଝାଇବା ଆବଶ୍ୟକ। ଜୟନାରାୟଣ ତାଙ୍କ ନିଜ ଦଳର ରାଜ୍ୟ ସଭାପତିଙ୍କୁ ଆକ୍ରମଣ କରି ଦଳରୁ ନିଲମ୍ବିତ ହୋଇଥିଲେ। ମାଡ଼ ଖାଇ ମଧ୍ୟ ସମୀର ମହାନ୍ତି ଆଜି ଦଳରେ ନିରୁପାୟ ହୋଇ ଯାଇଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ।